Unknown

 

 

 

 

 

 

 

 

 

 

 

ପ୍ରୀତିର ବଣିଜ

ରାଜକିଶୋର ପଟ୍ଟନାୟକ

 

କମଳାକାନ୍ତ ଦାଶ

କାହ୍ନୁଚରଣ ମହାନ୍ତି

କାଳିଚରଣ ପଟ୍ଟନାୟକ

କାଳିନ୍ଦୀଚରଣ ପାଣିଗ୍ରାହୀ

ଗୋପୀନାଥ ମହାନ୍ତି

ଚିନ୍ତାମଣି ମିଶ୍ର

ନିତ୍ୟାନନ୍ଦ ମହାପାତ୍ର

ପ୍ରାଣବନ୍ଧୁ କର

ଭଗବାନ ପତି

ରମାରଞ୍ଜନ ମହାନ୍ତି

ରାଜକିଶୋର ରାୟ

ରାଧାମୋହନ ଗଡ଼ନାୟକ

ଶ୍ରଦ୍ଧାକର ସୁପକାର

ସଚ୍ଚିଦାନନ୍ଦ ରାଉତରାୟ

ଶ୍ରୀମତୀ ସରଳା ଦେବୀ

ଲକ୍ଷ୍ମୀନାରାୟଣ ମହାନ୍ତି

ଡକ୍ଟର ହରେକୃଷ୍ଣ ମହତାବ ପ୍ରମୁଖ

........... ............ମାନନୀୟେଷୁ !

 

ଛତିଶ ମସିହା ଜାନୁଆରୀ ମାସର ପ୍ରଥମ ଲେଖା ଚିଠି ଫାଇଲଠାରୁ (ପୁସ୍ତକର ନାମ ପଞ୍ଜୁରୀ ପକ୍ଷୀ) ତେସ୍ତରି ମସିହାର ଶେଷ ଲେଖା ପ୍ରୀତିର ବଣିଜ ଅଠତିରିଶି ବର୍ଷ ମଧ୍ୟରେ ଏତିକି ଓ ଏମିତି ହୋଇପାରିଛି ।

 

ଓଡ଼ିଆ ସାହିତ୍ୟରେ ଯେଉଁ କେତେଜଣ ଏହି ଦୀର୍ଘ ଅଠତିରିଶି ବର୍ଷରେ ନିଜ ନିଜର ଧର୍ମରେ ଅଟଳ ରହି ଆଜି ପର୍ଯ୍ୟନ୍ତ କଲମକୁ ଛୁଟି ଦେଇ ନାହାନ୍ତି ସେମାନଙ୍କ ମଧ୍ୟରୁ ଅଧିକାଂଶ ଓଡ଼ିଆ ସାହିତ୍ୟରେ ମୋର ଅଗ୍ରଜ ।

 

ସେମାନଙ୍କର ପ୍ରତିଭାକୁ ସମ୍ମାନ ଜଣାଉଛି ।

 

ପୁରୀଘାଟ ରୋଡ଼୍‍

ଶ୍ରୀ ରାଜକିଶୋର ପଟ୍ଟନାୟକ

କଟକ–୯

୨୮-୧୨-୭୩

☆☆☆

 

ବିଷୁବ–ମିଳନ

୧୯୭୦

 

ଶ୍ରୀ ରାଜକିଶୋର ପଟ୍ଟନାୟକ

 

ଭାବର ସ୍ୱଚ୍ଛନ୍ଦ ଓ ସ୍ୱକୀୟ ପରିପ୍ରକାଶ, ତୀର୍ଯ୍ୟକ୍‌ ବ୍ୟଞ୍ଜନା, ମନସ୍ତାତ୍ତ୍ୱିକ ଦୃଷ୍ଟିଭଙ୍ଗୀ ଓ ଗଭୀର ଜୀବନାନୁଭୂତିର ସ୍ପର୍ଶରେ ଆପଣଙ୍କ କଥା–ସାହିତ୍ୟ ଉନ୍ନତ ଓ ରସୋତ୍ତୀର୍ଣ୍ଣ ।

 

ଝଙ୍କାରର ପୃଷ୍ଠାରେ ଆପଣଙ୍କ ବହୁମୂଲ୍ୟ ଅବଦାନ ପାଇଁ ଓ ଆପଣଙ୍କ ଅନବଦ୍ୟ ସୃଷ୍ଟି ତଥା ସାଧନାର ସ୍ୱୀକୃତିସ୍ୱରୂପ ଆଜିର ଏକବିଂଶ ବିଷୁବମିଳନର ଶୁଭ ଅବସରରେ ଆପଣଙ୍କୁ ଏକ ହଜାର ଟଙ୍କା ଉପହାର ପ୍ରଦାନ କରୁଛୁ ।

 

ସ୍ୱା : ଶ୍ରୀ ସଦାଶିବ ମିଶ୍ର

ସ୍ୱା : କେ. ଆର.ଶ୍ରୀନିଭାସ ଆୟାଙ୍ଗାର

ସଭାପତି

ମୁଖ୍ୟଅତିଥି

 

ସ୍ୱା : ଶ୍ରୀ ହରେକୃଷ୍ଣ ମହତାବ

ଚେୟାରମ୍ୟାନ୍‌

ପ୍ରଜାତନ୍ତ୍ର ପ୍ରଚାର ସମିତି

☆☆☆

 

ଓଡ଼ିଶାର ସର୍ବାଧୁନିକ ମାସିକ ଗଳ୍ପ ପତ୍ରିକା

‘ଅଧୁନା’ର ଜାନୁୟାରୀ ଚଉସ୍ତରୀ ମସିହାର ସ୍ୱନାମଧନ୍ୟ

କଥାକାର ଶ୍ରୀ ରଘୁନାଥ ମହାପାତ୍ରଙ୍କର କଲମ ଚିତ୍ର

 

ଶ୍ରୀ ରାଜକିଶୋର ପଟ୍ଟନାୟକ

 

ରାଜକିଶୋର ପଟ୍ଟନାୟକ ଏହି ନାଆଁଟି ସହିତ ଓଡ଼ିଶାର ପ୍ରତ୍ୟେକ ପାଠକ ପରିଚିତ । ଅସଂଖ୍ୟ ଗଳ୍ପ ଉପନ୍ୟାସର ସ୍ରଷ୍ଟା ହିସାବରେ ପ୍ରସିଦ୍ଧି ଲାଭ କରି ଓଡ଼ିଆ କଥା ସାହିତ୍ୟରେ ସେ ମୁକୁଟହୀନ ସମ୍ରାଟ । ଏବେ ସୁଦ୍ଧା ଭାରତୀୟ ସାହିତ୍ୟ ଏକାଡେମୀ କିମ୍ବା ଓଡ଼ିଶା ସାହିତ୍ୟ ଏକାଡେମୀ ତାଙ୍କ ମୁଣ୍ଡରେ ମୁକୁଟ ପିନ୍ଧାଇ ନାହାଁନ୍ତି । ମୁକୁଟ ନ ପିନ୍ଧିଲେ ମଧ୍ୟ ସେ ସମ୍ରାଟ ଏ କଥା ସର୍ବଜନ ସ୍ୱୀକୃତ ।

 

ସେ ପ୍ରକୃତିର ଅପୂର୍ବ ରୂପକାର । ଗଳ୍ପ ଲେଖିବା ପାଇଁ ଅନ୍ୟାନ୍ୟ ଲେଖକଙ୍କ ପରି ତାଙ୍କୁ କିଛି ପ୍ଲଟ୍‌ ଚିନ୍ତା କରିବାକୁ ପଡ଼େନାହିଁ । ସେ ଯେ କୌଣସି ସ୍ଥାନରେ, ଯେ କୌଣସି ବିଷୟରେ ଏପରିକି ଆପଣଙ୍କୁ ଚା’କପେ ଖାଇବାକୁ ଦେଇ ପନ୍ଦର ମିନିଟ୍‌ ଭିତରେ ଗଳ୍ପଟିଏ ଲେଖିଦେଇ ପାରନ୍ତି । ଥରେ ପ୍ରସିଦ୍ଧ ଔପନ୍ୟାସିକ କାହ୍ନୁଚରଣଙ୍କ କଥାରେ ବାର ଘଣ୍ଟା ସମୟ ମଧ୍ୟରେ ସେ ଦଶ ଗୋଟି ଗଳ୍ପ ଲେଖି ଦେଇଥିଲେ । ଏହା ଅନ୍ୟ ଲେଖକ ପକ୍ଷରେ କଳ୍ପନାତୀତ, କାରଣ ଗୋଟିଏ ଗଳ୍ପ ଲେଖିବା ପାଇଁ ଅନ୍ୟମାନେ ପନ୍ଦର ଦିନ କିମ୍ବା ମାସେ ସମୟ ନିଅନ୍ତି । କାହ୍ନୁଚରଣ ଏହି କାର୍ଯ୍ୟରେ ବିସ୍ମିତ ଏବଂ ଆନନ୍ଦିତ ହୋଇ ଲେଖକଙ୍କୁ ପଚାଶ ଟଙ୍କା ପାରିଶ୍ରମିକ ସ୍ୱରୂପ ଦେଇଥିଲେ-। ପରେ ଅବଶ୍ୟ ଗଳ୍ପ ଗୁଡ଼ିକ ବିଭିନ୍ନ ପତ୍ରିକାରେ ପ୍ରକାଶିତ ହେଲା । କଥା ସାହିତ୍ୟରେ ପ୍ରକୃତିକୁ ସେ ଯେପରି ଭାବେ ଚିତ୍ରଣ କରିଛନ୍ତି ତାହା ଓଡ଼ିଆ ସାହିତ୍ୟରେ ବିରଳ । ବଙ୍ଗଳାର ଖ୍ୟାତନାମା ସାହିତ୍ୟିକ ବିଭୁତିଭୂଷଣ ବନ୍ଦୋପାଧ୍ୟାୟଙ୍କ ସହିତ ରାଜକିଶୋର ପଟ୍ଟନାୟକଙ୍କୁ ତୁଳନା କରାଯାଇ ପାରେ, ଅନ୍ୟ କାହାରି ସହିତ ନୁହେଁ ।

 

ଏଇ ଛୋଟ ଘାସଟିଏ, ଥୁଣ୍ଟା ଗଛଟିଏ, ପଥର ଢିମାଟାଏ, ବୁଲା କୁକୁରଟାଏ, ମଲା ଚଢ଼େଇଟିଏ, ଯାହାକୁ କେବେ ମଣିଷ ଅନାଏ ନାହିଁ ହେୟ ବୋଲି ଫୋପାଡ଼ି ଦେଇ ଚାଲିଯାଏ; ସେଇମାନଙ୍କୁ ରାଜକିଶୋର ପଟ୍ଟନାୟକ ଟାଣି ଆଣନ୍ତି ମଣିଷ ଆଖି ଆଗକୁ । ତାଙ୍କରି କଲମ ମୁନରେ ସେହି ନିର୍ଜୀବ ପଥର ଖଣ୍ଡ ହୋଇ ଉଠେ ସଜୀବ–ସେହି ଥୁଣ୍ଟା ଗଛଟି କହେ ମଣିଷ ଜୀବନର ଗଭୀର ଦର୍ଶନ, ସେତେବେଳେ ମଣିଷ ବୁଝେ ସେ ଯାହାକୁ ହେୟ ବୋଲି ଚାହିଁ ନ ଥିଲା, ତା’ ଠାରେ ପୁଣି ଅଛି ଏତେ ରୂପ, ରସ, ଗନ୍ଧ !! ଆଃ, ଚମତ୍କାର । ଏଇ ତ ଶିଳ୍ପୀର ଚାତୁରୀ । ମଣିଷ ମନୋରାଜ୍ୟରେ ତାଙ୍କର ଯାତ୍ରା ବହୁ ଗଭୀରକୁ । ତେଣୁ ସେ ତାଙ୍କର ଲେଖନୀରେ ନାରୀ ଆଉ ପୁରୁଷ ମନର ସାତତାଳ ଗହୀର ତଳେ ଲୁଚି ରହିଥିବା ସୁନାଫରୁଆକୁ ଆଣି ପାଠକ ଆଗରେ ଖୋଲି ଦିଅନ୍ତି । ପାଠକ ଯେଉଁ କଥା ଦେଖିବ ବୋଲି କେବେ କଳ୍ପନା କରି ନ ଥାଏ ସେ ସେହି କଥା ଦେଖେ ।

 

 

ଫକୀରମୋହନ ପରବର୍ତ୍ତୀ ଓଡ଼ିଆ ଗଳ୍ପ ସାହିତ୍ୟ ଯେତେବେଳେ ନିହାତି ଅସହାୟ ରୁଗ୍‌ଣ, ସେତେବେଳେ ରାଜକିଶୋର ପଟ୍ଟନାୟକ ଏକ ଅହଙ୍କାରୀ ରାଜପୁତ୍ର ପରି ଆସନ୍ତି ସାହିତ୍ୟ କ୍ଷେତ୍ରକୁ । ରାଜପୁତ୍ରର ଚିକ୍‌ଚିକ୍‌ ତରୁଆଲ ରୂପ ଅନ୍ଧକାରରେ ଝଲସି ଉଠିଲାପରି ରାଜକିଶୋର ପଟ୍ଟନାୟକଙ୍କର କେତୋଟି ଗଳ୍ପ, ଉପନ୍ୟାସ ସେତେବେଳକାର ପ୍ରତିଷ୍ଠିତ ସାହିତ୍ୟ ପତ୍ରିକାର ସଂପାଦକଙ୍କ ଆଖିକୁ ଝଲସାଇ ଦେଇଥିଲା । ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଚାହିଁ ରହିଲେ ଏ ରାଜପୁତ୍ରଟି କିଏ ? ରାଜପୁତ୍ରଟି ଉତ୍ତର ଦେଇଥିଲା–ମୁଁ ଯୁଗସ୍ରଷ୍ଟା ରାଜକିଶୋର ପଟ୍ଟନାୟକ । ଏ ହେଉଛି ୧୯୩୭ ମସିହାର କଥା । ସେତେବେଳେ ରାଜକିଶୋର ପଟ୍ଟନାୟକ ରେଭେନ୍‌ସା କଲେଜର ଆଇନ ଛାତ୍ର । ତାଙ୍କର ପ୍ରଥମ ଉପନ୍ୟାସ ‘ମୋର ଚିଠି ଫାଇଲ’ ‘ନବଭାରତ’ରେ ଧାରାବାହିକ ଭାବେ ପ୍ରକାଶ ପାଇଲା । ପରେ ସେହି ଉପନ୍ୟାସ ‘ପଞ୍ଜୁରୀ ପକ୍ଷୀ’ ନାମରେ ୧୯୪୩ରେ ଗ୍ରନ୍ଥାକାରରେ ପ୍ରକାଶିତ ହେଲା ।

 

ଲେଖକଙ୍କ ପିତା ଶ୍ରୀ ଶ୍ରୀବତ୍ସ ପଟ୍ଟନାୟକଙ୍କ ନିଜଘର ରସଲକୁଣ୍ଡା ଭଞ୍ଜନଗର । ସେ ସରକାରୀ ଚାକିରିଟିଏ ପାଇ କଲିକତାରେ ରହୁଥିଲେ । କଲିକତାର ୬୭ ନମ୍ବର ଗ୍ରେ–ଷ୍ଟ୍ରିଟ୍‌ରେ ତା ୮–୪–୧୯୧୭ରେ ଲେଖକଙ୍କର ଜନ୍ମ । କିଛିଦିନ ପରେ ବାପାଙ୍କର ପୁଣି ବଦଳି ହେଲା ଟାଟାକୁ-। ଟାଟାରେ କିଛିଦିନ ରହଣି, ତା ପରେ ପୁଣି ଭାଗଲପୁର । ତେଣୁ ପିଲାମାନଙ୍କୁ ସାଙ୍ଗରେ ଧରି ସବୁଆଡ଼େ ବୁଲିବା ତାଙ୍କ ପକ୍ଷରେ ସମ୍ଭବ ହେଲା ନାହିଁ । ସେ ଏକା ଭାଗଲପୁର ଗଲେ-। ପରିବାରର ଅନ୍ୟମାନେ ସମସ୍ତେ କଟକରେ ରହିଲେ । ତେଣୁ ଲେଖକର ବାଲ୍ୟଶିକ୍ଷା କଟକ ମିଡ଼ିଲ୍‌ ସ୍କୁଲରେ ଆରମ୍ଭ ହୋଇଥିଲା । ମିଡ଼ିଲ୍‌ ସ୍କୁଲ୍‌ ପାଶ୍‌ କରିବା ପରେ ସେ ରେଭେନ୍‌ସା କଲିଜିଏଟ୍‌ ସ୍କୁଲରେ ଭର୍ତ୍ତି ହେଲେ । କଲିଜିଏଟ୍‌ରୁ ମ୍ୟାଟ୍ରିକ୍‌ ପାଶ୍‌କରି ବିଜ୍ଞାନର ଛାତ୍ର ହିସାବରେ ରେଭେନ୍‌ସା କଲେଜରେ ନାଆଁ ଲେଖାଇଥିଲେ । କଲେଜରେ ପଢ଼ିଲା ବେଳେ ସେ ଯେ ଜଣେ କେବଳ ମେଧାବୀ ଛାତ୍ର ଥିଲେ ତାହା ନୁହେଁ; ଖେଳକସରତରେ ମଧ୍ୟ ଜଣେ ନାଆଁ ଡାକ ଖେଳାଳୀ-। କଲେଜ ଆନୁଏଲ ସ୍ପୋର୍ଟସରେ ସେ ଦୁଇ ମାଇଲ ରାସ୍ତାକୁ ଛଅ ମିନିଟ୍‌ ମଧ୍ୟରେ ସାଇକେଲରେ ଅତିକ୍ରମ କରି ସାଇକେଲ ରେସ୍‌ରେ ପୂର୍ବ ରେକର୍ଡ଼ ଭଙ୍ଗ କରିଥିଲେ । ଭଲି, ଫୁଟବଲ୍‌, କ୍ରିକେଟ୍‌ ସମସ୍ତ ଖେଳରେ ସେ ଜଣେ ଅଭିଜ୍ଞ ଖେଳାଳୀ; କିନ୍ତୁ ଫୁଟ୍‌ବଲ ଖେଳ ଥିଲା ତାଙ୍କର ଅତି ପ୍ରିୟ । କଲେଜ ଟିମ୍‌ରେ ଯେଉଁ ଏଗାର ଜଣ ଖେଳାଳୀ ଥିଲେ ସେମାନଙ୍କ ତାଲିକାର ପ୍ରଥମ ଧାଡ଼ିରେ ଥିଲା ରାଜକିଶୋର ପଟ୍ଟନାୟକଙ୍କ ନାଆଁ ।

 

ଏହି ଅମିତ ଶକ୍ତିଧର ଖେଳାଳୀ ବ୍ୟାଡ଼୍‍ମିଣ୍ଟନର ବ୍ୟାଟ ଫୋପାଡ଼ି ଦେଇ ଲେଖି ବସିଲେ ଗଳ୍ପ । କିଏ ଜାଣିଥିଲା ସେହି ଗଳ୍ପ ତାଙ୍କୁ ଏତେଶୀଘ୍ର ପ୍ରତିଷ୍ଠା ଆଣି ଦେବ ବୋଲି ! ୧୯୩୮ ମସିହା ବେଳକୁ ରାଜକିଶୋର ରାୟ ଓ ନିତ୍ୟାନନ୍ଦ ମହାପାତ୍ର ଏ ଦୁହେଁ ଗଳ୍ପ ଲେଖା ଲେଖି ଆରମ୍ଭ କରୁଥାନ୍ତି । ସେହି ସମୟରେ ରାଜକିଶୋର ପଟ୍ଟନାୟକଙ୍କ ନାଆଁଟା ଅଳ୍ପଦିନ ମଧ୍ୟରେ ବିଖ୍ୟାତ ହୋଇଗଲା । ସେ ଜଣେ ପ୍ରସିଦ୍ଧ ଗଳ୍ପ ଲେଖକ ହିସାବରେ ପ୍ରତିଷ୍ଠା ପାଇଲେ ।

 

୧୯୩୭ରେ ଯେତେବେଳେ ତାଙ୍କର ‘ମୋ ଚିଠି ଫାଇଲ’ ‘ନବଭାରତ’ରେ ପ୍ରକାଶିତ ହେଉଥିଲା, ସେତିକିବେଳେ ଅନ୍ୟାନ୍ୟ ଗଳ୍ପ ମଧ୍ୟ ‘ଉତ୍କଳ ସାହିତ୍ୟ’, ‘ସହକାର’ରେ ପ୍ରକାଶ ପାଉଥିଲା ।

 

ବି.ଏସ୍‌.ସି. ପାଶ୍‌ କରିବା ପରେ ‘ଲ’ ପାଶ୍‌କରି ସ୍ୱାଧୀନ ଭାବରେ ୧୯୪୦ ମସିହାରୁ କଟକରେ ଓକିଲାତି ଜୀବନ ଆରମ୍ଭ କଲେ । ତାପରେ ଏଲ୍‌. ଏଲ୍‌. ଏମ୍‌. ପଢ଼ିବାପାଇଁ ବନାରସ ଗଲେ । ୧୯୪୧ରୁ ୧୯୪୩ ବନାରସରେ ରହି ଏଲ୍‌. ଏଲ୍‌. ଏମ୍‌. ଅଧ୍ୟୟନ କଲେ । ୧୯୪୩ରେ ଫେରିଆସିଲେ ପୁଣି ନିଜର କର୍ମଭୂମି କଟକକୁ । ସେହି ୧୯୪୦ରେ ଯେଉଁ ଜୀବନର ଆରମ୍ଭ ହୋଇଥିଲା ଆଜକୁ ଦୀର୍ଘ ୩୪ବର୍ଷ ହେଲା ତା’ର ବ୍ୟତିକ୍ରମ ଘଟିନାହିଁ ।

 

୧୯୪୭ରୁ ୪୮, ୧୯୪୯ରୁ ୫୨ ଆଇନ କଲେଜର ଅଧ୍ୟାପକ ହିସାବରେ ନିଯୁକ୍ତି । ସେହି ସମୟରେ ଓଡ଼ିଶା ଟାଇମସ୍‌ର ଧାରାବାହିକ ଲେଖକ ।

 

ଖାଲି ଲେଖାଲେଖିରେ ସନ୍ତୁଷ୍ଟ ନ ହୋଇ ସାମୟିକ ଭାବରେ ରାଜନୀତି ମଧ୍ୟ କରନ୍ତି । କିନ୍ତୁ ସୁବିଧାବାଦୀ ରାଜନୀତି ନୁହେଁ, ସ୍ୱାଧୀନ ଚିନ୍ତାର ରାଜନୀତି । ୧୯୪୮ ମସିହାରେ ଉତ୍କଳ ବିଶ୍ୱବିଦ୍ୟାଳୟ କୁଳପତି ପାଇଁ ପ୍ରାର୍ଥୀ ହୋଇଥିଲେ । ଡକ୍ଟର ପ୍ରାଣକୃଷ୍ଣ ପରିଜାଙ୍କ ସହିତ ପ୍ରତିଦ୍ୱନ୍ଦିତା କରି ଜିତିବା ଅବଶ୍ୟ ସହଜ ନ ଥିଲା । ତଥାପି ତାଙ୍କର ଉଚ୍ଚ ଅଭିଳାଷ ହିଁ ତାଙ୍କୁ ଟାଣି ନେଇଥିଲା କୁଳପତି ଆସନର ପ୍ରତିଦ୍ୱନ୍ଦିତା ପାଇଁ ।

 

୧୯୫୨ରେ ଆଇନ କଲେଜରେ ଅଧ୍ୟାପକ ଥିଲାବେଳେ ‘Scrutiny’ ନାମକ ଏକ ପାକ୍ଷିକ ପତ୍ରିକା ସମ୍ପାଦନା କରୁଥିଲେ । ତାହା ଅବଶ୍ୟ ବେଶିଦିନ ଚାଲି ନ ଥିଲା । ସାମ୍ବାଦିକତା କ୍ଷେତ୍ରରେ ତାଙ୍କର ଅଭିଜ୍ଞତା ପ୍ରଚୁର । ସେ ବହୁ ପତ୍ରପତ୍ରିକା କାଢ଼ିଛନ୍ତି; କିନ୍ତୁ ଅର୍ଥାଭାବରୁ ସେଗୁଡ଼ିକ ବନ୍ଦହୋଇ ଯାଇଛି । ୧୯୭୧ ମସିହାରେ ‘ପାଠଚକ୍ର’ ନାମକ ଏକ ଦୈନିକ ସମ୍ବାଦ ବୁଲେଟିନ୍‌ ପ୍ରକାଶ କରୁଥିଲେ । ସେହି ସମୟ ମଧ୍ୟରେ ‘ଆମର ଆଇନ’, ‘କଟକ ଲ’ ନୋଟ୍‌ସ୍‌’ ପାକ୍ଷିକ ପତ୍ରିକାଦ୍ୱୟ ମଧ୍ୟ ପ୍ରକାଶ କରିଥିଲେ । ନିଜର ବହିଗୁଡ଼ିକୁ ପ୍ରକାଶ କରିବା ପାଇଁ ସେ କେବେ ପ୍ରକାଶକଙ୍କ ଦ୍ୱାରସ୍ଥ ହୋଇନାହାନ୍ତି । ନିଜେ ବହି ଲେଖନ୍ତି, ନିଜେ ପ୍ରକାଶ କରନ୍ତି, ନିଜେ ପୁଣି ବୁଲି ବୁଲି ବିକ୍ରୀ କରନ୍ତି । ୧୯୫୮ ମସିହାରେ ‘ଶାନ୍ତିନିବାସ ବାଣୀମନ୍ଦିର’ ନାମରେ ଏକ ପୁସ୍ତକ ପ୍ରକାଶନ ସଂସ୍ଥା ପ୍ରତିଷ୍ଠା କରିଛନ୍ତି । ତାହା ବର୍ତ୍ତମାନ ମଧ୍ୟ ଚାଲିଛି । ସେହି ଶାନ୍ତିନିବାସ ବାଣୀମନ୍ଦିର ହିଁ ତାଙ୍କର ବହୁ ଗଳ୍ପ, ଉପନ୍ୟାସ ପୁସ୍ତକର ପ୍ରକାଶକ ।

 

ବହୁ ପ୍ରତିଷ୍ଠିତ ଲେଖକଙ୍କ ପରି ଲେଖକଙ୍କର ବିବାହ ହୁଏ ବହୁ ବିଳମ୍ବରେ । ୪୨ ବର୍ଷ ବୟସରେ ୧୯୫୯ ମସିହାରେ ସେ ବିବାହ କରନ୍ତି ବିଖ୍ୟାତ ଆଇନଜ୍ଞା ଶ୍ରୀମତୀ ଶୈଳବାଳା ପଟ୍ଟନାୟକଙ୍କୁ । ଶ୍ରୀମତୀ ଶୈଳବାଳା ସମଭାବରେ ରାଜନୀତି ଓ ଆଇନ କ୍ଷେତ୍ରରେ ସୁପ୍ରତିଷ୍ଠିତା । କେତେବେଳେ ଲୋକସଭା ପାଇଁ ପ୍ରାର୍ଥୀ ତ କେତେବେଳେ ବିଧାନସଭା ପାଇଁ ପ୍ରାର୍ଥୀ; କିନ୍ତୁ ସ୍ୱାଧୀନ ଭାବେ କୌଣସି ରାଜନୈତିକ ଦଳ ସହିତ ସେ ସଂପୃକ୍ତ ହୋଇ ନ ଥିଲେ ।

 

୧୯୬୫ ମସିହାରେ ଲେଖକଙ୍କର ଏକମାତ୍ର ପୁତ୍ର ଜନ୍ମ ।

 

ଚତୁର୍ଥ ଦଶକର ପ୍ରାରମ୍ଭରୁ ଲେଖା ଆରମ୍ଭ କରି ଆଜକୁ ଦୀର୍ଘ ୩୪ ବର୍ଷ ହେଲା ସେ ୧୩ଖଣ୍ଡ ଉପନ୍ୟାସ, ୮ଖଣ୍ଡ ଗଳ୍ପ, ୨ଖଣ୍ଡ ସମାଲୋଚନା ପୁସ୍ତକର ସ୍ରଷ୍ଟା ହିସାବରେ ସମ୍ମାନିତ । ତାଙ୍କର ‘ତୁଠପଥର’, ‘ପଥୁକୀ’, ଗଳ୍ପ ପୁସ୍ତକଗୁଡ଼ିକ ୧୯୪୮ରୁ ୧୯୫୨ ପର୍ଯ୍ୟନ୍ତ ମ୍ୟାଟ୍ରିକୁଲେସନରେ ପାଠ୍ୟପୁସ୍ତକ ରୂପେ ପ୍ରଚଳିତ ହେଉଥିଲା । ତାଙ୍କର ଗଳ୍ପ ଉପନ୍ୟାସ ଓଡ଼ିଆ ସାହିତ୍ୟର ଏକ ସ୍ୱତନ୍ତ୍ର ସ୍ଥାନର ଅଧିକାରୀ । ସେଭଳି ଲେଖା ଓଡ଼ିଶାରେ କେହି ଲେଖିବାକୁ ଆଜିପର୍ଯ୍ୟନ୍ତ ସକ୍ଷମ ହୋଇ ନାହାନ୍ତି । ‘ଘାସ’ ତାଙ୍କର ସର୍ବଶ୍ରେଷ୍ଠ ଗଳ୍ପ ହିସାବରେ ଆଦୃତ । ତାଙ୍କର ୧୯୭୩ ଡିସେମ୍ବରରେ ପ୍ରକାଶ ପାଇଥିବା ସଦ୍ୟତମ ଉପନ୍ୟାସ ହେଲା ‘ପ୍ରୀତିର ବଣିଜ’ ।

 

କଲେଜ ଶେଷ ହୋଇଛି–ପଢ଼ା ଆଉ ପରୀକ୍ଷା ।

 

ବଡ଼ ବିଚିତ୍ର ଅନୁଷ୍ଠାନଟିଏ ହେଉଛି ବିଦ୍ୟାଳୟ–ପାଠଶାଳା । ପଢ଼ ବା ନ ପଢ଼, ସେଠି ଥାଅ ବା ନ ଥାଅ, ଠିକ୍‌ ତାହାର ବର୍ଷଟିଏ ଗତ ହେଇଗଲେ ସତେ ଯେପରି ସ୍କୁଲ କଲେଜର ପାଣି ପବନରୁ ଶିକ୍ଷାର ଗୋଟାଏ ସରୁ ଆବରଣ ଦେହରେ ଲାଗିଯାଏ । ସ୍କୁଲ କଲେଜକୁ ନ ଯାଇ ସେତିକି ପାଠ ବା ତହିଁରୁ ଅଧିକ ପାଠ ପଢ଼ିଲେ ମଧ୍ୟ ଶିକ୍ଷାର ମାର୍ଜିତ ସଂସ୍କୃତି ଓ ଯୋଗ୍ୟତା ଦେହରେ ଲାଗେ ନାହିଁ ।

 

ସେହି କଲେଜ ପାଠ ସରିଛି । ଅଧିକ ପଢ଼ିବା ଲୋକ ଅନ୍ୟ ଆଡ଼େ ବଡ଼ କଲେଜକୁ ପଢ଼ିବା ପାଇଁ ଯିବେ । ସମସ୍ତଙ୍କ ଜୀବନରେ କଲେଜର କେଇଟି ବର୍ଷ ଯୋଡ଼ିହୋଇ ଯାଇଛି–ଷୋଳବର୍ଷ ବେଳକୁ ମୁହଁ ଉପରର ଦାଢ଼ି ନିଶ ଓ ଛାତି ଉପରର ମାଂସପେଶୀ ଗଜୁରୀ ଉଠିଲା ପରି-

 

ଖାଅ ବା ନ ଖାଅ, ପିନ୍ଧ କି ଲଙ୍ଗଳା ରହ ଯେମିତି ବର୍ଷ ଗଡ଼ିଲେ ଯୌବନ ଆସେ ଠିକ୍‌ ସେମିତି ପାଠ–ବର୍ଷ ସରିଲେ ବିଦ୍ୟା ଆସେ ।

 

ରମାକାନ୍ତ ଆଉ ଭଜକୃଷ୍ଣ ହେଲେ ସେହି କଲେଜର ଦୁଇଟି ଗରିବ ଛାତ୍ର–ନିଜର ମେଧା ମସ୍ତିଷ୍କକୁ ଲଢ଼ାଇ ଥିଲେ ଦୁର୍ଦ୍ଦିନ ସାଙ୍ଗରେ ।

 

ସେହି ଶ୍ରେଣୀର ଅନେକ ଛାତ୍ରୀଙ୍କ ଭିତରେ ଅଳକାରାଣୀ ମଧ୍ୟ ଜଣେ । ସେ ତାହାର ତରଳ ଯୌବନକୁ ନିଜର ଧନ ଗର୍ବର ଉତ୍ସୃଙ୍ଖଳତାରେ ବେତାଳିଆ କରି ସେହି ବଳକୁ ନେଇ ଲଢ଼ାଇଥିଲା ପଢ଼ା ସାଙ୍ଗରେ–ସତେ ଯେପରି ସେ ନିଜକୁ ପଚାରୁଥିଲା–

 

ବିଦ୍ୟା ବଡ଼ ନା ଧନ ବଡ଼ ? ଧନ ଥିଲେ ବିଦ୍ୟା ନ ଆସି ରହି ପାରିବ କି ? ପଢ଼ିବା ପାଇଁ କ’ଣ ଚରିତ୍ରର ବଳ ଦରକାର ? ଖିଆଲ କ’ଣ ବୁଦ୍ଧିକୁ ମାରିଦିଏ ?

 

ବେଳେବେଳେ ଏହି ଗରିବ ମେଧାବୀ ଛାତ୍ର ଦୁଇଟିଙ୍କୁ ପହଲି କରି ଅଳକା ପଚାରେ–କ’ଣ ରମାକାନ୍ତ ? –ହେ ଭଜକୃଷ୍ଣ ? –କଲେଜରେ ବିଦ୍ୟା ବଡ଼ ନା ଧନର ଖିଆଲ ବଡ଼ ? କଲେଜ କ’ଣ ଧନରେ ଗଢ଼ା ନା ବିଦ୍ୟାରେ ଗଢ଼ା ?

 

ରମାକାନ୍ତ ସେଦିନ ଅଳକା କଥା ଭାବୁଥିଲା । ଏମିତି ସେ ଭାବି ଆସିଛି ଅନେକ ଦିନ–ପାହାଡ଼ ଚଢ଼ାଳୀର ହିମାଳୟର ସ୍ୱପ୍ନ ପରି । ଦିନେ ସେ ଆସିବ । ଜୀବନକୁ ପଣ କରି ହିମାଳୟର ଉଚ୍ଚତାକୁ ଓ ସେହି ଉଚ୍ଚତାର ଶୁଭ୍ରତାକୁ ଓ ସେହି ଶୁଭ୍ରତାର ହିମ ଶୀତଳତାକୁ ଥରେ ପରୀକ୍ଷା କରିବ ।

 

ଧନର ବଳରେ ରମାକାନ୍ତ ପାଖରେ ଅଳକା ହିମାଳୟ ପରି–ଉତ୍ସାହର, ନିବେଦନର, କାମନାର ଓ ଆକାଙ୍‌କ୍ଷାର ଆଧାର ।

 

ହିମାଳୟ ହୁଏ ତ ମଣିଷର ହୃଦୟର ସ୍ପନ୍ଦନ ବୁଝେ ନାହିଁ; କିନ୍ତୁ ଅଳକା ସ୍ପଷ୍ଟ ବୁଝିଥିଲା ଯେ ତାହାର ଅଗଣିତ ପ୍ରଲୁବ୍‌ଧ ସ୍ତାବକଙ୍କ ଭିତରେ ରମାକାନ୍ତ ଜଣେ । କିନ୍ତୁ ସେ ସାବଧାନ ହୋଇ ନିଜର ଦୂରତା ରଖିପାରେ ।

 

ଆଉ ଦେଖା ହେବ ନାହିଁ । ଅଳକାର ସେହି ଧନ ଯୌବନର ଆସ୍ଫାଳନ ଦେଖା ଦେବ ନାହିଁ । ସମୟର ଦୂରତାରେ ବ୍ୟବଧାନର ଦୂରତା ବଢ଼ିବ । ଏଇ ବିଚିତ୍ର ଜୀବନର ଗୋଟିଏ ସ୍ମାରକ ରହିଲା ନାହିଁ ।

 

ମଣିଷର ମନ ଏଡ଼େ ହୁନ୍ଦରିଆ ଯେ ଯେତେବେଳେ ପାଇବାର ସମ୍ଭାବନା କ୍ଷୀଣରୁ ଆହୁରି କ୍ଷୀଣ ହେଇ ଆସେ ସେତେବେଳେ ସେ ଅଳ୍ପରୁ ଅଳ୍ପରେ ସନ୍ତୁଷ୍ଟ ହୁଏ–ସେତିକିର ଆଶା ପାଇଲେ ତାକୁ କୃତାର୍ଥ ହେଲାପରି ଲାଗେ ।

 

ସେତିକିବେଳେ ସାହସ ଚାଲି ଆସେ । ଯେ ଯାହା କରିବା ସମ୍ଭବ ନୁହେଁ ସେତକ ସେ ହଠାତ୍‌ କରିଦିଏ । ଶେଷ ହୋଇ ଆସିଲା–ତେଣୁ ଆଉ ବିଚାରର ତାତ୍ପର୍ଯ୍ୟ ଦେଖାଇବା ନିଷ୍ଫଳ ।

 

ହଠାତ୍‌ ରମାକାନ୍ତ ପହଞ୍ଚି ଯାଇଥିଲା ଅଳକା ପାଖରେ–ନମସ୍କାର । କଲେଜ ସରିଗଲା-। ମନେ ରଖିବା ପାଇଁ....

 

ଅଳକା ବ୍ୟସ୍ତ ହେବାର କାରଣ ନ ଥିଲା । ଇଏ ତ ଅତି ସାଧାରଣ ମଣିଷର ଅତି ଛୋଟ ପ୍ରଶ୍ନ ।

 

–ହଁ, ତ, ମୁଁ ଠିକ୍‌ ଭାବୁଥିଲି ସେଇଆ । ନିଜେ କହିବି ବୋଲି ଆଜି ଭାବୁଥିଲି । ଆମ ଘରକୁ ଆସି ପାରିବେ ?

 

–ଏଁ, କେତେବେଳେ ?

 

–ଯେତେବେଳେ ସୁବିଧା । ତେବେ ଆଗରୁ ଜାଣିଲେ ମୁଁ ଅନ୍ୟମାନଙ୍କୁ ମନା କରିଦେବି ମତେ ଆସି ହଇରାଣ କରିବେ ନାହିଁ । ଆମ ଘରଟା ଗୋଟାଏ କ୍ଲବ୍‌–ଏଇ ବେହେଡ଼ା ଓ ବେହିଆଙ୍କର ।

 

–ଅସୁବିଧା ହେବ ନାହିଁ ଆପଣଙ୍କର ?

 

–ମୋର ? ମୋର ପୁଣି ଅସୁବିଧା ? ଜାଣି ନାହାଁନ୍ତି ପରା ? ଅଳ୍ପ ସ୍ୱାଧୀନତା ଭୋଗ କଲା ଲୋକ ବହୁତ ଅସୁବିଧାରେ ପଡ଼େ । ଆମ ପରି ସ୍ୱାଧୀନତାକୁ ପରଖ କରିବା ଲୋକ ଅନ୍ୟକୁ ସିନା ଅସୁବିଧାରେ ପକାଇବ–ନିଜର କିଛି ଅଡ଼ୁଆ ନାହିଁ । ...ଅଳକା ହସିଥିଲା ।

 

–ନାହିଁ, କହୁଥିଲି ଯେ.....

 

–ମୁଁ ଜାଣେ । ମୁଁ ବୁଝିଛି । ଅନେକ ଭାବିଚିନ୍ତି ଆଜି ଶେଷ ଦିନର ଶେଷ ଆଡ଼କୁ କହିବେ ବୋଲି ମୁଁ ଜାଣିଥିଲି; କିନ୍ତୁ ଶେଷ ବେଳର କଥା ଶେଷ କଥା ହେଇ ନାଟକ ହୋଇପାରେ ସିନା । ଜୀବନରେ ଏସବୁ ହେଉଛି ଅଦରକାରୀ ।

 

–ଜୀବନଟା ପଡ଼ିଛି ଆଖି ଆଗରେ । ଏଇ ତ ଆରମ୍ଭ ।

 

–ଓ, ଜୀବନର ଆରମ୍ଭ କଥା ? ହସି ଅଳକା କହିଲା–ଯେଉଁ ଜୀବନ ଯେତେ ଶୀଘ୍ର ଯେଡ଼େ ପ୍ରଖର ଭାବରେ ଆରମ୍ଭ ହୁଏ ତାହାର ଜୀବନକାଳ ସେତିକି ସଂକ୍ଷିପ୍ତ । ମୋର ବା ଆଉ କେତେ ଦିନ ?

 

ରମାକାନ୍ତ ବିହ୍ୱଳ ହୋଇ ପଡ଼ିଲା । ସେହି ଦରଦୀ କଥା କେଇ ପଦରେ ତାହାର ଆଖିଡ଼ୋଳା ଓଦା ହେଇ ଆସିଲା ।

 

–ଛି, ଛି । ଆଜି ଉପରଓଳି ପାଞ୍ଚଟା ବେଳେ ଅପେକ୍ଷା କରୁଥିବି । ବୁଝାଇ କହିଦେବି ଯେ ଏଇ ଛୋଟିଆ ଜୀବନକାଳ ଭିତରେ ଆଖିର ପାଣି ମୂଲ୍ୟହୀନ । ...ଭାବିଥିବି । ଦିହେଁ ଭାବିଥିବା...ଅପେକ୍ଷା କରୁଥିବି...କହି ଅଳକା ଚାଲିଗଲା ।

 

ସତେ ଯେପରି ପକେଟରୁ ଡାଏରୀଟାକୁ ଉଡ଼ାଇ ନେଇ ଖଣ୍ଡିଆ ଭୂତ ଚାଲିଯାଉଛି–ଅସୀମ ଲାଭକ୍ଷତିର ସମ୍ଭାର ତାହାର ଅମାନିଆ ବୁକୁରେ ନେଇ ।

 

ରମାକାନ୍ତ ନିଜକୁ ଦୋଷୀ ମନେକରିଥିଲା ।–ଅପେକ୍ଷା କରି କରି କହିବାର ସୁବର୍ଣ୍ଣ ସୁଯୋଗକୁ ଚାହିଁ ଚାହିଁ ସେ ଭୁଲ କରିଛି ।

 

କ୍ଷଣସ୍ଥାୟୀ ଜୀବନରେ ବେଗର ସ୍ଥାନ ଓ ଇଜ୍ଜତ୍‌ ମଧ୍ୟ ସେମିତି ଉଚ୍ଚରେ । ଅଳକା ଚାଲି ଯାଇଛି ।

 

ଗଲାବେଳେ ସତେ କି କହି ଦେଇ ଯାଇଛି ଯେ, ଅପେକ୍ଷା କରି ବସି ରହିଥିବା ଲୋକ ମନେ କରିଥାନ୍ତି ଯେ ମଣିଷର ପରମାୟୁ ପଚାଶ ଷାଠିଏ ବର୍ଷ ନୁହେଁ–ପାଞ୍ଚ ଶହ ଛଅ ଶହ ବର୍ଷ । ତେଣୁ ଅପେକ୍ଷା କରି ରହିଥାନ୍ତି ।

 

ରମାକାନ୍ତ ସେମିତି ରହି ଯାଇଥିଲା କେଇଟା ବର୍ଷ–ପଦେ କଥା କହିବା ପାଇଁ ।

 

ଅଳକା ସାଙ୍ଗରେ କଥା ହେଇ ସେହି ତନ୍ମୟତାରେ ଫେରୁଥିଲା ବେଳେ ଭଜକୃଷ୍ଣ ସାଙ୍ଗରେ ଦେଖା–ସେ ବି ସେମିତି ଅପେକ୍ଷା କରିବାର ପକ୍ଷପାତୀ ସବୁ ବିଷୟରେ ।

 

ପଢ଼ାଇବା ଶିକ୍ଷକ ପାତର ଅନ୍ତର କରୁଛନ୍ତି–ହଠାତ୍‌ ଗାଳି ଗୁଲଜ, ଆନ୍ଦୋଳନ ନ କରି ରହିଯାଅ । ସମୟ ଅନୁସାରେ ସୁବିଧା ହେଇ ଆସୁଛି ।

 

ଏହି ସଂସାରଟା ଏମିତି ଉତ୍ତାଲା ଓ ଧୀର ଲୋକଙ୍କର । ସବୁ କଥାରେ ହଠାତ୍‌ ନିଜକୁ ସଚେତନ ଓ ସଚଳ କରି ଯେମିତି ଦଳେ ମାଡ଼ି ଯାଅନ୍ତି ଆଉ ଦଳେ ସେମିତି ନିଜକୁ ଅଚେତନ ଓ ଅଚଳକରି ମୁହଁମାଡ଼ି ପଡ଼ି ରହନ୍ତି । କିଏ ବେଶି ପାରଖା ବା କୌଶଳୀ–ଏଇ କଥାଟି ସୃଷ୍ଟି ଆରମ୍ଭରୁ ସ୍ଥିର ହୋଇ ପାରିନାହିଁ ।

 

–ହେ ଭଜକୃଷ୍ଣ ! କଲେଜ କାମ ଶେଷ ହେଲା । ଆମେ ଯେ କିଛି ନ କରି କୌଣସି କାମରେ ଅଂଶ ନ ନେଇ ଖାଲି କଲେଜ କୋଠରୀ, କଲେଜ ପାଠରେ ରହିଗଲୁ, ଇଏ କ’ଣ ଆମର ସୁବିଧା କରିବ ?

 

–କିଏ ଜାଣେ ? ଯାହାର ବଳ ଅଛି ସେଇ ସିନା ଡେଇଁବ । ଆମେ ତ ଆସିଲୁ ହତଭାଗ୍ୟର ସିନ୍ଦୁରଟିପା କପାଳରେ ମାରି । ମୋଟା ପିନ୍ଧି, ବଗଡ଼ା ଖାଇ–କେମିତି ଗଣ୍ଡାଏ ବର୍ଷ ପାରିକରିବୁ, ସିଏ ହେଲା ଆମର ଜପାମାଳି । ଆମେ ବା କରିଥାନ୍ତୁ କ’ଣ ?

 

–ଆମେ ଏଇ ଛାତ୍ରୀମାନଙ୍କଠାରୁ ବି ହୀନ ହେଲୁ । ସେମାନେ ବେଦମ ମଉଜମଜଲିସ କଲେ । ଆମରି ସାଙ୍ଗରେ ପାଠ ପଢ଼ି ଆମରି ପରି ହେଲେ । ତାଙ୍କର ହେଲା ଦୁଇଟା ଜୀବନ–ଗୋଟିଏ ଲେଖାପଢ଼ାର, ଆରଟି ହେଲା ମିଳାମିଶାର । ଆମ ପାଇଁ ରହିଗଲା ଗୋଟିଏ ।

 

–କ’ଣ କରାଯିବ ? ତାଙ୍କ ପାଇଁ କିଏ ଜଣେ ଟଙ୍କା ଅର୍ଜି ଥାପି ରଖିଲା । ସେମାନେ ସେଥିରେ ମଜ୍ଜା କଲେ । ଆମ ପାଇଁ କେହି ନ ଥିଲା–ନିଜକୁ ନିଜେ । ପରେ ପୁଣି ଆମର ଦିନ ଆସିବ ।

–ଆସିଲେ ବି ଏଇ ତଟକା ତଟୁ ବେଳ କ’ଣ ଫେରିବ ? ତାଙ୍କ ପାଇଁ କିଛି ନ ଥିଲେ ବି ସେ ରହିଯିବେ ଆମର ଆଗୁଆ ହୋଇ ।

–ସେମାନଙ୍କ ପରି ହେବାକୁ ଚାହୁଁଛ ରମାକାନ୍ତ ?

–ସତରେ ଭଜକୃଷ୍ଣ । ଇଚ୍ଛା ହେଉଛି ଜୀବନଟାକୁ ବଦଳ କରି କିଛି ଦିନ ଦେଖିବା ପାଇଁ-। ଉନ୍ନତ୍ତ ଅବସ୍ଥାରେ କ’ଣ ସବୁ ଭଲ ଅଛି ? ହିସାବୀ ଅବସ୍ଥାକୁ ଭୋଗ କଲେ ତ–ସେଇ ଜୀବନ-?

–ସେଇ ଧାତୁରେ ଗଢ଼ା ହୋଇ ନ ଥିଲେ ସେ ଜୀବନରୁ କ’ଣ ଅବା ତୁମେ ଆମେ ବୁଝିପାରିବା ? ଘାସ ଅରମା ବଣରେ ବାଘ ରହେ, ଆଉ ହରିଣ ରହନ୍ତି । ହରିଣ ଖାଏ ଘାସ–ବାଘ ଖାଏ ହରିଣ । ଯାହା ପାଇଁ ଯେଉଁଟା ଦରକାର ସେ ସେଇଟା ପାଏ ।

–ମୁଣ୍ଡ ବୁଝୁଛି; କିନ୍ତୁ ମନ ବୁଝୁ ନାହିଁ ।

–ତାହାହେଲେ ସିନେମା ଥିଏଟର ଦେଖିଲା ପରି ଥରେ ଅଧେ ଦେଖି ନିଅ । ସେ ଭୋଗଟା ଭୋଗ ଓ ଉପଭୋଗର ଚିତ୍ର । ହେଲେ ବି କଥାର ଆକାର ପ୍ରକାର ବୁଝିବାକୁ ସେତକ ମଧ୍ୟ ଦରକାର ।

 

–ମୋର ଇଚ୍ଛା ହେଉଛି ଏଇ ଆମର ଅଳକା ପରି ଲୋକଙ୍କ ସାଙ୍ଗରେ ଟିକିଏ ମିଶନ୍ତେ-

 

–ସିଏ ତ ଅଳକାର ଦୟା ଉପରେ ନିର୍ଭର କରେ । ଦାବୀ ଜଣାଇ ମିଶିବା ବୋଧହୁଏ ଅସମ୍ଭବ । ତେବେ ଅଳକାର ଯଦି ଥରେ ଖିଆଲ ହୁଏ ଯେ, ଘରକୁ ରମାକାନ୍ତ ବା ଭଜକୃଷ୍ଣ ପରି ଜଣେ ଅଧେ ବୋକା ବେକୁବଙ୍କୁ ଆଣି ଟିକିଏ ଖେଳିବା–ତେବେ ଏଇ କଥା ସମ୍ଭବ ହେଇପାରେ ।

 

–ଏଁ, ବୋକା ବେକୁବ୍‌ ? –ଆମେ କ’ଣ ମଣିଷ ନୋହୁଁ ?

 

–ମଣିଷ ସମସ୍ତେ । ପଞ୍ଜାବର ପଠାଣ ବି ମଣିଷ, ମଣିପୁରୀ ବି ମଣିଷ, ସିଂହଳୀ ବି ମଣିଷ । ଆମେମାନେ ମଣିଷ; କିନ୍ତୁ ସମସ୍ତେ ସମାନ ନୋହୁଁ ।

 

–ନାହିଁ, ଆମେ ସମାନ । ଜଣେ ଯାହା–ଆଉ ଜଣେ ସେଇଆ ।

 

–ଏଇଟା ରାଜନୀତିର ଲୋକଙ୍କର ଯୁକ୍ତି । ଏଇଟା କବି ଓ ଲେଖକଙ୍କର ଯୁକ୍ତି । ଯିଏ ନିଶ୍ୱାସ ନିଅନ୍ତି, ଯିଏ ତାଙ୍କର ପିଲାଙ୍କୁ ସ୍ତନକ୍ଷୀର ଖୁଆନ୍ତି, ଯିଏ ଜୀବନକୁ ବଞ୍ଚାଇବାକୁ ଚେଷ୍ଟା କରନ୍ତି । ସେମାନେ ଏକା ପ୍ରକାରର ହେଲେ ଅବା ହେଇ ପାରନ୍ତି, ସମାନ ନୁହଁନ୍ତି ।

 

–ଆଚ୍ଛା, ଅଳକା ପାଖରେ ଆମେ ପହଞ୍ଚିଲେ ସେ ଆମକୁ କି ଆଖିରେ ଦେଖିବ ?

 

–ଏଇ ତାଙ୍କର ମଟର ଡ୍ରାଇଭର, ଦରଓ୍ୱାନକୁ ସେ ଯେଉଁ ଆଖିରେ ଦେଖେ ସେଇ ଆଖିରେ ଦେଖିବ । ଦରକାର ଥିଲେ ଘରୋଇ ମାଷ୍ଟ୍ର ଅବା ଚାକର ବୋଲି ଭାବିବ । ସେଥିରେ ପୁଣି ଦରମା ଅନୁପାତରେ ମତ ସୃଷ୍ଟି ହବ ।

–ଆଉ କିଛି ?

–ଓ, ବାହା ହେବା କଥା ଭାବୁଛ କି ?

–ଯଦି ଭାବିବା ।

–ଆମେ ନିର୍ବୋଧ । କେହି କାହାରି ପାଇଁ ନୁହଁନ୍ତି । ରେଳ ବସ୍‌ର ଯାତ୍ରୀ ପରି ଏକାଠି ହେଲେ ଯେ ଏକାଠି ଘର କରିପାରିବେ ଆଉ ଆନନ୍ଦରେ ରହିବେ ସେ କଥା ନୁହେଁ । ଅଳକା କ’ଣ ଚାହେଁ, କ’ଣ ପାଇଲେ ଖୁସି ହୁଏ କି ବିରକ୍ତ ହୁଏ ସେତକ ଆଗ ଠଉରାଇ ହବନାଁ ?

–ମୋର କାହିଁକି ସତରେ ଏଇ ମତ ।

–ଥରେ ବନ୍ଧୁ ଏଇ ଅଳକା ରାଇଜର ଭଲମନ୍ଦ ଦେଖି ଆସ–ଧନଭରା ଯୌବନ, ପାପଭରା ଜୀବନ, କଳୁଷତା–ଭରା ମଣିଷ–ପଣିଆ– । କେମିତି ସୁନ୍ଦର କି ବୀଭତ୍ସ ଜାଣିବା ଦରକାର । ଇଏ ବି ସଂସାରର ଗୋଟାଏ ଜ୍ଞାନ । ଇଏ ମଧ୍ୟ ରହିବା ଦରକାର ।

ରମାକାନ୍ତ ଚୁପ୍‌ ରହିଲା–ଭଜକୃଷ୍ଣର କଥାଗୁଡ଼ିକ କଟୁ ଆକ୍ଷେପରେ ଭରା । ରମାକାନ୍ତର କାନରେ କଥାଗୁଡ଼ିକ ଅତ୍ୟନ୍ତ ଅପ୍ରୀତିକର ଶବ୍ଦ କରୁଥିଲା ।

 

ହସି ଭଜକୃଷ୍ଣ କହିଲା–ବନ୍ଧୁବର ! ଶେଷକୁ ରମାକାନ୍ତ ପତଙ୍ଗ ପରି ଚାଲିଲାଣି ଏହି ଜଳନ୍ତା ଚୁଲି ପାଖକୁ । ଯଦି ପୋଡ଼ି ହେବାର ଇଚ୍ଛା ଥିଲା ତାହାହେଲେ ଏତେ ଦୁଃଖ କଷ୍ଟକୁ ବେଖାତିର କରି ଏହି ଏତକ ବର୍ଷ ତମେ ବରବାଦ କଲ କାହିଁକି ? ତୁମର ମନ କ’ଣ କହୁଛି ?

 

–ମନ ଡାକୁଛି ଅଳକା ପାଖକୁ ଯିବା ପାଇଁ । ସତରେ ସେ ଭାରି ସ୍ପଷ୍ଟ–ଭାରି ରୋକ୍‌ଠୋକ୍‌ । ଏତେ ଲୋଭ ହେଉଛି ଯେ ମନେହେଉଛି ଅଳକା ପାଖରେ ଦି’ଘଣ୍ଟା ବସି ଦି’ଦିନ ମନସ୍ତାପ କଲେ ବି ଲାଭ ଅଛି–କ୍ଷତି ନାହିଁ ।

 

–ସବୁ ପ୍ରକାରର ଗତି, ଉଦ୍ଦାମତା, ଉନ୍ମତ୍ତତା ଏମିତି ଆମକୁ ଟାଣେ ତାହାରି ଆଡ଼କୁ । ଅଳକା ଧନୀ ଘରର ଅଲିଅଳି ଝିଅ । ସେ ପରାଧୀନତା କ’ଣ ଜାଣେ ନାହିଁ । ତାହାର ବନ୍ଧନ ନାହିଁ-। ତାହାର ବ୍ୟବହାରକୁ ଶାସନ କରିବାକୁ କିଛି ନାହିଁ । ସେ ଇଚ୍ଛା କଲେ ଅମାପ ଧନ କୁଢ଼େଇ ଦେଇ ପାରିବ । ସେଇ ଧନର ଦୌରାତ୍ମ୍ୟରେ ସେ ତାହାର ପରିସରକୁ ଅତି ଅଳ୍ପ ଚେଷ୍ଟାରେ ବଦଳାଇ ଦେଇ ପାରିବ ।

 

–ତାହାର କ’ଣ ଚରିତ୍ର ଖରାପ ?

 

ହସି ଭଜକୃଷ୍ଣ କହିଲା–ସେମାନେ ଚରିତ୍ରରେ ବିଶ୍ୱାସ କରନ୍ତି ନାହିଁ । ଇଚ୍ଛା ହେଲେ ପାଞ୍ଚ ତିନିଜଣଙ୍କୁ ଆତ୍ମୀୟର ସମ୍ବର୍ଦ୍ଧନା ରୁଦ୍ଧ କୋଠରୀରେ ଦେଇ ପାରିବେ । ପୁଣି ଠିକ୍‌ ଦିନକ ପରେ ସେହି ଲୋକକୁ ଚିହ୍ନି ନାହାଁନ୍ତି ବୋଲି ପରିଚୟ ମାଗି ପାରିବେ ।

 

–ଯଦି ସେ ଲୋକ ପ୍ରତିବାଦ କରେ ।

 

–ତାହାହେଲେ ସେହି ପ୍ରତିବାଦ ପାଇଁ ସେ ମାଡ଼ ଖାଇବ । କାରଣ ଭଦ୍ରମହିଳାଙ୍କର ଚରିତ୍ର ଉପରେ ସେ ପ୍ରଚ୍ଛନ୍ନ ଦୋଷାରୋପ କରୁଛି ବୋଲି ସେ ଘୋର ଶାସ୍ତି ପାଇବ–ଶାରିରୀକ ପ୍ରହାର ।

 

–ଏଁ–ଏଁ ।

 

–ଆଉ କ’ଣ ? ଧନର ଖିଆଲ ଥାଏ । ପ୍ରାଚୁର୍ଯ୍ୟ ସବୁବେଳେ ଖିଆଲବାଜ୍‌ । ଯୌବନର ଭଙ୍ଗିମା ପାଗଳର ମୁଦ୍ରା ସାଙ୍ଗରେ ସମାନ । ଶିକ୍ଷିତା ତରୁଣୀର ମୁହଁ ଓ ଆଖିର କଥା ଅନେକ ସମୟରେ ବହୁତ ପ୍ରକାରର ଅର୍ଥ ଅର୍ଥାନ୍ତର ହୋଇପାରେ ।

 

–ସେମାନଙ୍କର କ’ଣ ହୃଦୟ ନାହିଁ ?

 

–ଯାହାର ଚରିତ୍ର ନାହିଁ, ତାହାର ହୃଦୟ ଆସିବ କୁଆଡ଼ୁ ? ବିବେକ ଥିଲେ ଚରିତ୍ର ବଞ୍ଚିରହେ । ଚରିତ୍ର ବଞ୍ଚିଲେ ମଣିଷ ପଣିଆ ବଞ୍ଚେ । ସୁଖ ଓ ସମ୍ଭୋଗ ହେଉଛି ମଣିଷର ଓ ମଣିଷ ପଣିଆର ଚିରଶତ୍ରୁ ।

 

–ସେମାନେ କ’ଣ ମା, ଭଉଣୀ, ଝିଅ ନୁହଁନ୍ତି ?

 

–ହଁ । ପ୍ରଚୁର ପରିମାଣରେ ମାତା, କନ୍ୟା ଓ ଭଗିନୀ କିନ୍ତୁ ସେମାନଙ୍କର ଯୌନ ଜୀବନ ମୁକ୍ତ । ଖାଲି ତାଙ୍କରି ନୁହେଁ ଧନ ଓ କ୍ଷମତା ଯେଉଁଠି ଅଜାଡ଼ି ହୋଇପଡ଼େ ସେ ଆଗ ପୋତିପକାଏ ମନର ଶୃଙ୍ଖଳାକୁ । ଅଳକାର ଦୋଷ ନାହିଁ ଏଥିରେ......ତାହାର ସମସ୍ତ ସୁବିଧା ତା’କୁ ସେମିତି କରିଦେଇଛି । ଇଏ ହେଲା ମଣିଷର ସ୍ୱଭାବ ।

 

–ତମେ ଏସବୁ ଜାଣିଲ କେମିତି ଭଜକୃଷ୍ଣ ?

 

–ଓ, ଏ କଥା ? ପଚାରିଲ ଭଲ କଲ ? କହିବା କଥା ନୁହେଁ । କହିବା ବିପଦର କାରଣ ହେଇପାରେ । ହେଲେ ବି ଆଜି କହି ଦେବାକୁ ଇଚ୍ଛା ହେଉଛି । ଧନର ଦୁଲାଳୀ କ’ଣ ?–ଏତକ ଜାଣିବାର ଦୁର୍ଯ୍ୟୋଗ ଥରେ ନୁହେଁ ଦୁଇଥର ଏଇ ଜୀବନରେ ଘଟିଥିଲା ।

 

–କ’ଣ ହେଲା–ଭଜକୃଷ୍ଣ ?

 

–କ’ଣ ଆଉ ହବ ? ଯେଉଁଦିନ ଇତର ପ୍ରାଣୀ କୁକୁର କି ବିଲେଇ ତାହାର ଅଧିକାର ଜାହିର କରିବାକୁ ଚାହେଁ ସେତେବେଳେ ସେ ମାଡ଼ ଖାଇ ଘର ଛାଡ଼ିବାକୁ ବାଧ୍ୟ ହୁଏ । ଜୀବନ ଯିବ କି ରହିବ–ସେଇଟା ଅବଶ୍ୟ ଆହୁରି ଅନେକ କାରଣ ଉପରେ ନିର୍ଭର କରେ ।

 

ଜୀବନଟା ଭାଇ ପ୍ରକୃତରେ ଗୋଟାଏ ଥିଏଟର୍‌ । ଏଇ ଭଜକୃଷ୍ଣକୁ ଗୋଟାଏ ଅଂଶ ମିଳିଥିଲା ଘରୋଇ ମାଷ୍ଟ୍ରରର ଭୂମିକାରେ । ପେଟ ପୋଷିବା ପାଇଁ ରାଜାଠାରୁ ଭିକାରୀ ପର୍ଯ୍ୟନ୍ତ ଅସଂଖ୍ୟ ଭୂମିକା ରହିଛି–ଲକ୍ଷ୍ୟ ପେଟକୁ ପୋଷିବା । ସେଥିରେ ପୁଣି ଜଣେ କଲେଜ ଛାତ୍ର–ତା’ପରେ–ଗରିବ ଛାତ୍ର, ମେଧାବୀ ଛାତ୍ର । ଏସବୁ ମିଶିଗଲେ ଗୋଟାଏ ନୂଆରଙ୍ଗ ବାହାରେ–ସେଇଟା ହେଲା ଶୃଙ୍ଖଳିତ ଓ ସଚ୍ଚରିତ୍ର ଲୋକ ।

 

ସିଏ ଥିଲା ଭଜକୃଷ୍ଣ ।

 

ଗରିବ ବୋଲି ପଢ଼ା ଆରମ୍ଭ କରିଥିଲା ଡେରିରେ । ଅଳ୍ପ ବୟସର ପିଲାଏ ବୁଝିବାକୁ ବେଶି ସମୟ ନେଉଥିଲେ, କିନ୍ତୁ ବେଶି ବୟସର ଚାଟ ବୋଲି ସେ ସବୁ ବୁଝି ଯାଉଥିଲା । ସେଥିପାଇଁ ସେ ହୋଇଗଲା ମେଧାବୀ ଛାତ୍ର ।

 

ମନୁଆ ହେବାପାଇଁ ଧନ ଦରକାର । ଧନ ନ ଥିଲା । ତେଣୁ ଖିଆଲି, ମନୁଆ, ଖେଳୁଆ, ଦାୟିତ୍ୱହୀନ ଆଦି ଉପସର୍ଗ ନ ଥିଲା ।

 

ଏଇ ଭଜକୃଷ୍ଣ ପରି ଲୋକର ଗୁଣ ହେବ କେମିତି ? ଗରିବ ପଣିଆର ନାତ ଗୋଇଠା ଆଉ କେତେଦିନ ଉପାସ ରହିବା ଭୋଗ ହୋଇଗଲେ ମନଭିତରୁ ଅଳନ୍ଧୁ ଛିଣ୍ଡିଯାଏ । ତେଣିକି ହେଇଯାଏ ମଣିଷ ଟଙ୍କା–ସର୍ବସ୍ୱ । ...ସମସ୍ତେ ହୁଅନ୍ତି ।

 

–ଦିଅ ବାବୁ କିଛି ଟଙ୍କା ଦିଅ । ତେଣିକି ଆମକୁ ଘୋଡ଼ା ବୋଲି ଭଡ଼ାରେ ମନେଇ ନିଅ-। ଇଚ୍ଛା ହେଲେ ଘୋଡ଼ାକୁ କତା ବୁରୁସ, ନଡ଼ା ଦେଇ ସଫାସୁତୁରା କର ଅବା ତାହାର ପାଟିରେ ଲଗାମ ଦେଇ ତା’ର ଉପରେ ଚଢ଼ି ବୁଲାବୁଲି କର । ମୁଁ ହେଇଥିଲି ଘୋଡ଼ାଟିଏ–ଭଜିଆ ଘୋଡ଼ା ।

 

ନିଉଛୁଣିଆ ଗରିବ ହୋଇଥିଲି ବୋଲି ଘୋଡ଼ାଟିଏ ହେଲି । ଘୋଡ଼ା ବୋଲି କହିବାର କାରଣ ହେଲା–ଘୋଡ଼ାକୁ ବହୁତ ସମୟରେ ଛାଟ ପ୍ରହାର ପୁରସ୍କାର ମିଳିଥାଏ । ଭଜକୃଷ୍ଣ ଅବା ତାହାର ବ୍ୟତିକ୍ରମ ହୁଅନ୍ତା କେମିତି ?

 

ବାବୁଙ୍କର ପଦପଦବୀ ସବୁ ଥିଲା । ସେ ଗରିବରୁ ଆରମ୍ଭ ହେଇଥିଲେ ବୋଲି ତାଙ୍କର ମନରେ ଗରିବ ପାଇଁ ଗୋଟାଏ ଟଣକ ଥିଲା । ସବୁଠାରେ ସେଇଆ–

 

ମନ୍ତ୍ରୀ ଯଦି ଓଡ଼ିଆ ହେଇ ଅଣ–ଓଡ଼ିଆ ବିଭା ହେଇଥାନ୍ତି ତାହାହେଲେ ଓଡ଼ିଆ–ପ୍ରୀତି ଭିତରେ ଅନେକ ଅଣ–ଓଡ଼ିଆ ଥାଇତା ହୋଇଯାନ୍ତି । ମନ୍ତ୍ରୀ ଯଦି ଓଡ଼ିଆ ଓ ଅଣ–ଓଡ଼ିଆର ରକ୍ତରୁ ଜନ୍ମ ହୋଇ ଅଖିଳ–ଭାରତୀୟ ଜନ୍ମ ପାଇଥାନ୍ତି ତାହାହେଲେ ସେହିପରି ଯେଉଁମାନେ ମିଶ୍ର ବା ମିଶ୍ରିତ ତାଙ୍କର ସୁବିଧା ହେଇଯାଏ ।

 

ଯିଏ ଯାହା ସେ ସେଇଆ ଖୋଜେ । ମଦ ଖାଉଥିଲେ ମଦଟି ପ୍ରତି ଘୃଣା ନ ଥାଏ । ଅସତ ଲୋକ ହୋଇଥିଲେ ସେ ଅସତ ଲୋକଙ୍କୁ ସାହା ହେଇଥାଏ । ଇଏ ହେଉଛି ସଂସାରର ଲୀଳା । ହିନ୍ଦୁ, ମୁସଲମାନ, ରାମଜନ–ହରିଜନ–ଗିରିଜନ, ମାହାନ୍ତି–ମୁଣ୍ଡା–ମିଶ୍ର ସବୁ ପ୍ରକାରର ସାଧା କି ଖେଚୁଡ଼ିରେ ଏଇଟା ହେଲା ସାରତତ୍ତ୍ୱ–ତୁମେ ଯେମିତି ମୁଁ ସେମିତି । ଆମେମାନେ ଅଲଗା ଦଳର ଏକଦଳିଆ ଲୋକ ।

 

ସେମିତି ଭଜକୃଷ୍ଣ ଗରିବ ଆଉ ମେଧାବୀ ବୋଲି ସେଠି ସେହି ଘରେ ଘରୋଇ ମାଷ୍ଟ୍ର ହେଇଥିଲା–ଘରଣୀଙ୍କର ଜ୍ଞାନ ବଢ଼ାଇବାକୁ । ସେ ଅସାଧାରଣ, ସାଧାରଣ ଜ୍ଞାନ ଓ ରୂପ ନେଇ ତାଙ୍କର ଗରିବିଆନିକୁ ଗୋଇଠା ମାରି ମଟର କୋଠା ଓ ଟଙ୍କାଥାଳି ପାଖକୁ ଆସିଥିଲେ । ବୁଦ୍ଧି ସାଙ୍ଗରେ ପାଠ ମିଶିଲେ ଜୀବନ ସୁନ୍ଦର ହେବ ।

 

ସେଥିପାଇଁ ଭଜକୃଷ୍ଣକୁ ଅଂଶ ଗ୍ରହଣ କରିବାର ସୁବିଧା ମିଳିଥିଲା । ସେଥିରେ ଆଚମ୍ବିତ ହେବାର କିଛି ନାହିଁ । ଏମିତି ଅକସ୍ମାତ୍‌ ଅନେକ କଥା ମିଳେ । ଭଲ ମିଳିଲେ କୁହାଯାଏ ସୌଭାଗ୍ୟ–ଖରାପ ମିଳିଲେ କହିଥାଉ ଦୁର୍ଘଟଣା ।

 

–ତୁମର କ’ଣ ହେଲା ?

 

–ମୋ’ପାଇଁ ଭାଇ ସେଇଟା ହେଲା ଆଶୀର୍ବାଦ । ନା, ଆଶୀର୍ବାଦ ନୁହେଁ ଅଭିଶାପ । ନାହିଁ, ହେଲାନାହିଁ । ସେଇଟା ହେଲା ଅଭିଶପ୍ତ ଆଶୀର୍ବାଦ । କାରଣ ଆଜି ମୁଁ ମୋରି ପରି ଜଣେ ସାଥୀ ରମାକାନ୍ତକୁ ମନର ଗୋପନ କଥାକୁ କହୁଛି ।

 

–କିଏ ସେ ?

 

–ସେତିକି ଭାଇ ଗୋପନୀୟ । ସେହି ନାମରୁ କ’ଣ ମିଳିବ ? ଏମିତି ଅସଂଖ୍ୟ ପଥର ଓ ମାଟିର ମୂର୍ତ୍ତିକୁ ଆମେ ପୂଜା କରୁଛୁ । ନାମ ଜାଣିଲେ ସେହି ଠାକୁରଙ୍କର ମହିମା ପ୍ରକାଶ ପାଇବ-। ଏଠି ନାମଟା ବିପଦର କାରଣ ହେବ । ଅନ୍ତତଃ ଆମେ କଥାଟି ଜାଣିବା । ନାମ ମଧ୍ୟ ଖୋଜିଲେ ଯେ କେହି ପାଇ ପାରିବ ।

 

–ମୁଁ ତାକୁ ଡାକେ ମାନସୀ–ମାନମୟୀ ବୋଲି । ଏଇଟା ଆମ ଭିତରର ଗୋପନ ଅଂଶ-। ସେ ମତେ ଡାକେ ନଟବର ବୋଲି ।

 

ସମସ୍ତଙ୍କର ଅଲକ୍ଷ୍ୟରେ ଏମିତି କଥା ପଡ଼େ–ନଟବର କ’ଣ କରିବ ? ମାନମୟୀ କ’ଣ ଭାବୁଛି ? ଶୀଘ୍ର ଶୀଘ୍ର କଥା କହିବା ପାଇଁ ନଟବରରୁ ନଟ ଓ ନଟରୁ ‘ନ’ ହେଇଗଲା । ମାନମୟୀ ସେମିତି ମାନ ହେଇ ଖାଲି ‘ମ’ ହୋଇଗଲା । ୟା’ର ନାଁ ଆମେ ଦେଇଥିଲୁ ବ୍ୟାକରଣ ତ–ବର୍ଗ ଓ ପ–ବର୍ଗ ପାଠ–ପଞ୍ଚମ ଅକ୍ଷର ।

 

–ଇଏ ତ ଭଜକୃଷ୍ଣ ଗୋଟାଏ ଉପନ୍ୟାସ ?

 

–ମଣିଷ ଚାହେଁ ଯେ ତାହାର ଜୀବନଟା ଉପନ୍ୟାସ କି ନାଟକର ଛଟାରେ ଲେଖି ଦେଇଯାଉ । ଉପନ୍ୟାସ ଓ ନାଟକ ଲେଖିବା ଲୋକଗୁଡ଼ାକ ହେଲେ ନକଲ କରୁଥିବା ଶ୍ରମିକ; କିନ୍ତୁ ନାୟକ ଓ ନାୟିକା ହେଉଛନ୍ତି ପ୍ରକୃତ ଉପନ୍ୟାସ ଓ ନାଟକ ।

 

ଏଠି ଗୋଟାଏ ଥିଲା ଅନାହାରୀ ଦର–ପାକଲା କଲେଜ ଛାତ୍ର । ଆରଟି ଥିଲା ବିଳାସ–ବିହାରିଣୀ ପୂରା ପାଚିଲା ବାବୁଆଣୀ । ଜଣକର ସାଧାରଣ ଜ୍ଞାନ ଯେତିକି ଊଣାଥିଲା ଆରଟିର ପୋଥିଲେଖା ଜ୍ଞାନ ସେତିକି ଊଣା ଥିଲା । ସେହି ପରସ୍ପର ଅଭାବ ଥିଲା ନ ଓ ମ ଭିତରେ ଫାଶ ଅବା ପୋଲିଆ ବା ଶିଙ୍କୁଳି–ଯାହା ଯେମିତି ଇଚ୍ଛା ଭାବିପାର ।

 

ଗୁଡ଼ାଏ କଥାରେ ଲାଭ ନାହିଁ । ମୋର ବେଶ ପୋଷାକର ଅଭାବ ଓ କଲେଜ ଅଧ୍ୟକ୍ଷଙ୍କର ସୁପାରିଶ ମତେ ସେଇଠି ପହଞ୍ଚାଇ ଦେଲା । ସେତେବେଳେ ତମ ସାଙ୍ଗରେ ଆଳାପ ନ ଥିଲା ।

 

କିଏ ଅବା କାହିଁକି ବୁଝିବ ଏଇ ଛୋଟିଆ କାମର ରୂପ ରେଖ । ଯଦି ତା’ପରେ ମୁଁ ବାସନାତେଲ, ଅତର ମାରି ମଠାଲୁଗା ପିନ୍ଧି ବୁଲିଥାନ୍ତି, ତାହାହେଲେ ଅବା କାହାର ଦୃଷ୍ଟିରେ ପଡ଼ନ୍ତି; କିନ୍ତୁ ଯାହା ଥିଲା ସେଇଆ ରହିଲେ ଆଉ କାହାରି ଆଖି ତମ ଉପରେ ପଡ଼ିବ ନାହିଁ । ଏତକ ହେଉଛି ଶତ୍ରୁ ଊଣା କରିବାର କୌଶଳ ।

 

ପ୍ରଥମ ଦେଖାରୁ ମାନମୟୀର କରୁଣା ହେଇଥିଲା ମୋ ଉପରେ । –ନିସ୍ୱ ନ ହେଲେ କେହି ଦୁନିଆର ଦରବାରରେ କରୁଣାର ଭାଜନ ହୁଏ ନାହିଁ । ଏଇ ସଂସାରରେ କେବଳ ଦୁଇଟି ଶ୍ରେଣୀ–ବୀର ଓ ନିସ୍ୱ ।

 

ସେହି ସମ୍ବଳର ଶୂନ୍ୟତା ଭଜକୃଷ୍ଣକୁ ସେଠି ଗ୍ରହଣୀୟ କରିଥିଲା । ପୁଣି ସେମିତି ଅକ୍ଷତ ଶରୀରରେ ସେଠୁ ଫେରାଇ ନେଇଛି; କିନ୍ତୁ ମନର କ୍ଷତ ଆଜିଯାଏ ଲିଭିଲା ନାହିଁ ।

 

ଆମର ପଢ଼ା ସମୟଟା ରହିଲା ଗୋଧୂଳି ଲଗ୍ନର ଏପାଖ–ସେପାଖ ସମୟ । ସେଥିରେ ମାନମୟୀ ଯେତିକି ପଢ଼ିବେ । ହଠାତ୍‌ ସେ ଯେମିତି ଜାଣିଯିବେ କଥାଗୁଡ଼ାକ । ପ୍ରକାଶର ଭଙ୍ଗୀ ପାଇଁ ଭଜକୃଷ୍ଣର ସାହାଯ୍ୟ ଦରକାର ନ ଥିଲା । ସେ ଗୋଟାଏ ରାନ୍ଧୁଣିଆ ମାତ୍ର ।

 

ରାନ୍ଧୁଣିଆ ରାନ୍ଧି ଦିଏ; କିନ୍ତୁ ତାକୁ ପରସି ଆସେ ନାହିଁ । ଆଉ ସେ ପରସିଲେ ରନ୍ଧାଟା ସୁଆଦିଆ ଲାଗେ ନାହିଁ । ସାହାବମାନେ ଏ କଥା ବୁଝିଥିଲେ ଭଲ । ମୁସଲମାନମାନେ ବୁଝିଥିଲେ-। ବଡ଼ଲୋକମାନେ ବୁଝିଛନ୍ତି–ସେମାନେ ଖାନସମା ଓ ବବୁର୍ଚ୍ଚିର କାମ ଅଲଗା କରି ଦେଇଛନ୍ତି-। ଭଜକୃଷ୍ଣ ହେଲା ଖାନସମା ।

 

–ଏଁ ତମେ ପରା ଘୋଡ଼ା ହେଇଥିଲ ।

 

–ନା, ପରେ ହେଲି । ଆରମ୍ଭ ହୋଇଥିଲା ଖାନସମା କାମରେ । ସଂସାରକୁ ଆସିଲା ପରେ ଯାହା ଯେଉଁଠି ମିଳିଲା ସେଥିରେ ବାଛ ବିଚାର ଆରମ୍ଭ କଲେ ସୁବିଧା ହୁଏ ନାହିଁ । ସେଥିପାଇଁ ଭଜକୃଷ୍ଣର ମୋଟେ ଆପତ୍ତି ନ ଥିଲା । ପେଟ ଥଣ୍ଡା ନ ହେଲେ କିଏ ଏସବୁ ଭଲମନ୍ଦର ତତ୍ତ୍ୱ ବିଚାର କରେ କି ?

 

ପ୍ରଥମ ଦିନରେ ଫେରିଲା ବେଳକୁ ମାନମୟୀ ପଚାରିଥିଲା–ହଁ, ପଦେ କଥା ପଚାରିବାକୁ ଭୁଲିଗଲି ।

 

–କ’ଣ ?

 

–ମାଷ୍ଟ୍ର କାହାକୁ କହନ୍ତି ?

 

–ଯିଏ ଯାହାକୁ ଶିକ୍ଷା ଦିଏ, ସେ ତାହାର ମାଷ୍ଟ୍ର ।

 

–ହଁ, ଠିକ୍‌ କଥା ।

 

–ଉଦ୍ଧବଙ୍କର ଚବିଶି ଗୁରୁ ଥିଲେ । ମାଷ୍ଟ୍ର କ’ଣ କେବଳ ମଣିଷ ହୋଇପାରେ ? ଅନ୍ୟ ପ୍ରାଣୀ କ’ଣ ହୋଇ ପାରିବେ ନାହିଁ ?

 

–ହଁ, ହୋଇ ପାରିବେ ।

 

କହି ଦେଇ ଚାଲିଆସିଲା ପରେ କାହିଁକି ଏହି ହସମିଶା କଥାଟି ମନକୁ ଧରିଦେଲା । କ’ଣ ପଚାରିଲା ସେ ? କାହିଁକି ପଚାରିଲା ?

 

ଯେତେ ଭାବିଲି ସେତେ ଗୋଡ଼ ହାତ ଅବଶ ହୋଇ ଆସିଲା । ପିନ୍ଧା ଖୋସଣିକୁ ଆପଣା ଛାଏଁ ହାତ ଗଲା ସଜାଡ଼ି ହେବା ପାଇଁ । କ’ଣ ଗୁଡ଼ାଏ କହିଲା–ମାନମୟୀ ? ଏହି ବଡ଼ ମଣିଷମାନେ ସତରେ ପାଠକୁ ଯୋଗ୍ୟ ନୁହନ୍ତି । ନିଜେ ବିଗିଡ଼ା ଆଉ ସମସ୍ତଙ୍କୁ ବିଗାଡ଼ିବେ ।

 

ଘରକୁ ନ ଫେରି ଗୋଟାଏ ଝଙ୍କାଳିଆ ଗଛର ଚାନ୍ଦିନୀ ଉପରେ ବସି ବସି ଭାବିଲି ମାନମୟୀ କଥା । ଚାନ୍ଦିନୀ ପାଖରେ ସିନ୍ଦୁର କଜଳ ମଖା ହୋଇ ଗୋଟାଏ ଛୋଟ ଦିଅଁ–ସେଠି ଧୂପ ଓ ବତୀ ଜଳୁଥାଏ । ପାଖରୁ ଲୋକ ଆସି ବେକରେ ଗାମୁଛା ଲମ୍ବାଇ ଓଳଗି ହେଇ ଚାଲିଯାଉଥାନ୍ତି ।

 

ଭଜକୃଷ୍ଣ ବସି ଚାହିଁଥାଏ । ଦିଅଁଙ୍କର ରୂପ ଉପରେ ମାନମୟୀର ରୂପ ଛାପି ହୋଇ ଯାଉଥାଏ । ସେଦିନ ଭଲକରି ଚାହିଁ ନ ଥିଲି । ଚାହିଁବାକୁ ଶଙ୍କା ଓ ସଙ୍କୋଚ ଉଭୟ ଆସୁଥାଏ । ଯେତେହେଲେ ମୋର ଅନ୍ନଦାତା ସେ । ଏସବୁ ପାପ ମନରେ ଆଣିବା ଭୁଲ୍‌ । ଈଶ୍ୱର ଅସନ୍ତୁଷ୍ଟ ହେବେ ।

 

–ଚାହିଁବା କ’ଣ ପାପ ଭଜକୃଷ୍ଣ ?

 

–ମନରେ ପାପ ଆଶା ରଖି ଚାହିଁବା ନିଶ୍ଚୟ ପାପ । ...ପରର ଧନକୁ ଆଖେଇବା ପାପ । ସେ ଅପରର ସ୍ତ୍ରୀ । ମୋର ଅନ୍ନଦାତା । ମୋର ଛାତ୍ରୀ । ମୁଁ ତାହାକୁ ପାଠ ପଢ଼ାଇବାକୁ ଆସି ତାହାର ରୂପଗୁଣ, ଠାଣି ମାଣି ମାପିବି କାହିଁକି ? ଭଜକୃଷ୍ଣ କ’ଣ ସୁନ୍ଦରୀ ନିର୍ବାଚନର ପରୀକ୍ଷକ ?

 

–ହଁ, କ’ଣ ହେଲା ?

 

–ମୁହଁ ତ ଭଲ ମନେ ପଡ଼ୁ ନ ଥାଏ । ନାକରୁ ଫାଳେ, କଥାରୁ ପାଞ୍ଚପଦ, ଗହଣାରେ ରୁଣୁଝୁଣୁ, ଚାହାଣୀର ଚତୁରତା, ଶାଢ଼ୀର ଖସ୍‌ଖସ୍‌ ଶବ୍ଦ ଆଉ ଚଉକିର ଆରାମ–ଏ ସବୁ ମନେ ପଡ଼ୁଥାଏ ।

 

–ଇଏ କେମିତିକା ନିର୍ବୋଧ–ପଣିଆ ?

 

–ବାବୁ ହେ ! ଗରିବ ସବୁବେଳେ ନିର୍ବୋଧ । କାରଣ ତାହାର ଜୀବନ ଓ ଚଳନି ଅସଂଖ୍ୟ ନା–ନାହିଁ–ନାସ୍ତିରେ ଗଢ଼ା । ବାରଣ ଭିତରେ ଜୀବନର ଉତ୍ସ ଶୁଖିଯାଏ । କୌତୂହଳର ସନ୍ତୋଷ ବିଧାନ ହେଉଛି ଜ୍ଞାନ, ଧନ ଓ ବିଦ୍ୟା । ବାରଣ ଓ ଆକଟ ଭିତରେ କିଛି ଉଧେଇ ପାରେ ନାହିଁ । ଜୀବନଟା ହୋଇଥାଏ ଚକ୍ରବାଳ–ବିସ୍ତାରି ବାଲୁଚର ।

 

–ତାହାହେଲେ ସେଠି କ’ଣ ହେଉଥିଲା ?

 

–ଠାକୁରଙ୍କୁ ଚାହିଁ ପଚାରୁଥାଏ–ହେ ପ୍ରଭୁ, ବିଶ୍ୱାସରେ ତମେ ଜୀବନ୍ତ ହୁଅ । ଭକ୍ତ ପାଖରେ ତମର ମାୟା ନ ଥାଏ । ଇଏ କ’ଣ ସବୁ ଆସୁଛି ମନ ଭିତରେ ?

 

–କ’ଣ ଠାକୁର କହିଲେ ?

 

–ଠାକୁର କହିବେ କ’ଣ ? ସେ କ’ଣ କଥା କୁହନ୍ତି ? ପଚାରିବା ଲୋକ ଆପଣାକୁ କେତେ କେତେବେଳେ ଉତ୍ତର ଦିଏ । ଆଖିର ଭ୍ରମ ହେଇପାରେ, ଶୁଣିବାରେ ଭୁଲ୍‌ ଥାଇପାରେ–ହଠାତ୍‌ କିଛି ସିଦ୍ଧାନ୍ତରେ ପହଞ୍ଚିଯାଇ ଦୁଧକୁ ଛିଣ୍ଡେଇ ଛେନା କରିବ ନାହିଁ ।

 

ଭୟ ଆସିଲା–ଇସ୍‌, କ’ଣ ଗୁଡ଼ାଏ ଭାବୁଥିଲି ? ସେହି ଭାବନାର ଭୂତ ପଛରେ ଧାଇଁ ଯାଇଥିଲେ କିଏ ଜାଣେ କ’ଣ କରି ପକାଇଥାନ୍ତି ? କିଛି ନୁହେଁ, ବେକାରିର ଭ୍ରମ, ଭିକାରିର ଭୁଲ୍‌ ବୋଲି ମନେ ମନେ ସ୍ଥିର କରି ଫେରିଲି ଘରକୁ ।

 

ହେଲେ କି ଛାଡ଼ ଯାଏ ? ଗଲାବେଳେ ଯଦି ହଠାତ୍‌ ଦି’ଟା ବୋଲୁଅ କାନ ପାଖରେ ସାଇଁ କରି ଚାଲିଯାଇଥିଲା ତେବେ ମାଡ଼ ବସିନାହିଁ ବୋଲି କ’ଣ ପାଶୋରି ହବ ?......ପାଶୋରି ହେଲା ନାହିଁ । ମାନମୟୀର ଅସଂପୂର୍ଣ୍ଣ ରୂପ ମେଘଢ଼ଙ୍କା ପୂନେଇଁ ଚାନ୍ଦ ପରି ଛାଇ ଆଲୁଅର ଜାଲ ବୁଣି ଦେଇଗଲା ।....ମନରେ ଖାଲି ଗୋଟାଏ କଥା ଶବ୍ଦ କରୁଥାଏ–ମାଷ୍ଟ୍ରର ଅର୍ଥ କ’ଣ ?

 

ମନ କହୁଥାଏ ମାଷ୍ଟ୍ରର ଅର୍ଥ ଯାହା ହେଉ ମାଷ୍ଟ୍ର ହେଉଛି ଭଜକୃଷ୍ଣ । ଏଣେ ଭଜକୃଷ୍ଣ ବୁଝୁଥାଏ ଯେ ପ୍ରକୃତ ମାଷ୍ଟ୍ର ହେଉଛି ମାନମୟୀ ? ପ୍ରଶ୍ନ ପଚାରି ପଢ଼ାଉଛି ଜଣେ ଆଉ ଉତ୍ତର ଦେଇ ପଢ଼ାଉଛି ଆଉ ଜଣେ ।

 

ସେଦିନ ରାତି ପାହିଲା ବହୁତ ଡେରିରେ । ଆଉ ଦିନରେ ବି ସୂର୍ଯ୍ୟଦେବତାଙ୍କର ଗତି ଶିଥିଳ ହୋଇଗଲା ଏଇ ପ୍ରଶ୍ନ ଓ ଉତ୍ତରର ଗୋଲକଧନ୍ଦାରେ ।

 

ଗୋଲକଧନ୍ଦାର ପ୍ରତିଯୋଗିତା ମନ ଭିତରେ ଏପରି ଭାବରେ ଆସି ଜାଗା ମାଡ଼ି ବସିଲା ଯେ, ବିଶେଷ ଚତୁରତା ଭିତରେ ଆଉ ଥରେ ସେହି ପ୍ରଶ୍ନଟି ଉଠାଇ କଚେ–ପୋ–ବାଆର କରିବାକୁ ମନ ଖାଲି ଉତ୍ତେଜନା ଦେଲା ।

 

କଲେଜର କାନ୍ଥଘଡ଼ିକୁ ଅହରହ ଚାହିଁଛି–ପୁଣି ସେହି କଣ୍ଟ ବେଳକୁ । କଲେଜରୁ ଶୀଘ୍ର ପଳାଇ ଆସି ତାଙ୍କ ଘରେ ପାଦ ଦେଇ କାନ୍ଥରେ ବେଲ୍‌ ଟିପିଲା ବେଳକୁ ପଢ଼ା ସମୟର ଆରମ୍ଭ ହେବାକୁ ଆଉରି ଅନେକ ବାକି ।

 

ହସି ହସି ମାନମୟୀ ବାହାରି ଆସିଲା–ଆଉ ହେଇ ପାରିବ ନାହିଁ ଆଜ୍ଞା । ମୋର ଘରକାମ ବେତାଏ–ସେତକ ସାରିଲେ ସିନା ପଢ଼ିବି । ଆପଣ ଆସି ଆପଣଙ୍କର ଡିଉଟି ଖତମ୍‌ କରିଦେବେ ଘଣ୍ଟା ଦେଖି । ଏଣେ ଯେ ଗାଡ଼ିସବୁ ବେ–ଲାଇନ୍‌ ହୋଇଯିବେ ।

 

–ଭୁଲ୍‌ ହେଇଗଲା । ମୋର ଘଡ଼ି ନାହିଁ ।

 

–ମୁଁ ବି ସେମିତି ଘଡ଼ି ନ ଥାଇ ବହୁତ ଦିନ ଚଳିଛି । ଏତକ ଜଣାନାହିଁ ପରା ? ମନ ହେଉଛି ମଣିଷର ଘଡ଼ି.......ଆପଣଙ୍କର ପଢ଼ାଇବାକୁ ଭାରି ଆଗ୍ରହ ।

 

–ମୁଁ ଅପେକ୍ଷା କରୁଛି ।

 

–ଏଁ, ଅପେକ୍ଷା ? ନା, ନା, କେହି କାହାପାଇଁ ଅପେକ୍ଷା କରିବା ଠିକ୍‌ ନୁହେଁ । ଦେହ ସିନା ଅପେକ୍ଷା କରେ । ମନ କିନ୍ତୁ ବାଇ ହୋଇ ଧାଇଁଥିବ ଏଣେ ତେଣେ । ମନକୁ କେବେହେଲେ ଅପେକ୍ଷା କରିବାକୁ କହିବା ନାହିଁ । ସେ ଶୁଣିବ କି ?

 

କ’ଣ ଆଉ କରାଯିବ ? ହାଉଳି ଖାଇଲା ପରି ମାନମୟୀ ଚିଲଉଛି । ଭଜକୃଷ୍ଣକୁ ଡର ଲାଗିଲା । କ’ଣ ଆଉ ଗୋଡ଼ରେ ମୁଣ୍ଡରେ ଦୁମୁଦୁମା ଚଳେଇବାକୁ ଅସ୍ତ୍ର ଖଞ୍ଜୁଛି ନା କ’ଣ ?

 

–ଆରେ ଇଏ କ’ଣ ଗୁରୁଜୀ ? ଆପଣ ଚୁପ୍‌ ରହି କ’ଣ ଭାବୁଛନ୍ତି ? ଆସନ୍ତୁ ଭିତରକୁ । ଆପଣଙ୍କ ପାଇଁ ଭିତରକୁ ପ୍ରବେଶ ମନା ନୁହେଁ ଆପଣଙ୍କ ପାଇଁ ସମୟ ଓ ଅସମୟର ବାଧା ନାହିଁ-

 

ଭଜକୃଷ୍ଣ ଡରି ଗଲାଣି । ଗୋଡ଼ ଥରୁଥାଏ । ଓଠ ଶୁଖି ଯାଉଥାଏ । ପଡ଼ି ଯାଇଥାନ୍ତି । କଅଁଳ ହାତଟିଏ ଆସି ଧରି ନେଇଗଲା ଘରଭିତରର ଚଉକି ପାଖକୁ–ଆଉ ପଣତରେ ବିଞ୍ଚିଦେଲା-। ....ବସିଥାନ୍ତୁ ଟିକିଏ । କ’ଣ ଗୋଟାଏ ପଢ଼ୁଥାନ୍ତୁ ମୁଁ ଆସୁଛି ।

 

ମାନମୟୀ ଚାଲିଗଲା ଭିତରକୁ ଅପୂର୍ବ ଶୋଭା ଖେଳାଇ । ଆଜିଯାଏ ଭାଇ ମନେ ରହିଛି । ନାରୀର ପଣତ କେତେ ବଳୁଆ ମୁଁ ନିଜେ ଠଉରାଇଛି । ଏବେ ବି ପବନ ବହିଲେ ମୋର ମନେ ପଡ଼ିଯାଏ ମାନମୟୀ କଥା–ଖାଲି ଯାହା ଖୁସ୍‌ବୁ ନ ଥାଏ ସେଇ ପବନରେ ।

 

ନାରୀର ହାତ କେତେ କୋମଳ ସେଦିନ ପ୍ରତ୍ୟକ୍ଷ କରିଥିଲି । ହାତ ପାପୁଲିର ଚିହ୍ନ ମଧ୍ୟ ଅଲିଭା । ଏଇ ଅପଦାର୍ଥର ବାଁ କଚଟିରେ ଏହି କେଇଟି ବର୍ଷ ହେଇଗଲାଣି ଚିହ୍ନ ରହି ଯାଇଛି । ମାନମୟୀର ହାତଚିହ୍ନ କ’ଣ ପାଶୋର ଯାଇ ପାରେ ?

 

–କ’ଣ ? ମାନମୟୀର ପଣତ–ବିଞ୍ଚଣା, ପାପୁଲିର ଦାଗ ରହିଛି ତ । ଆଉ କ’ଣ ମିଳିଲା ?

 

–ସେ ତ ମାନମୟୀ ନୁହେଁ । ସେ ହେଉଛି ପ୍ରହେଳିକାର ସମୁଦ୍ର । ଏପରି ଘରଣୀ ଯେଉଁ ଘରର ମାଲିକ, ସେଠି ସ୍ୱର୍ଗସୁଖ ଛଡ଼ା ଆଉ କ’ଣ ରହିପାରେ ?

 

–କ’ଣ କଥାର ପ୍ରହେଳିକା ?

 

–କଥା ହେଉଛି ମନର ସାର । ମଣିଷର ପାଟି ତାହାର ପାଦକୁ ବି ସରି ନୁହେଁ । କେହି ଯଦି କାହାକୁ କଥା ନ କୁହନ୍ତେ, ତାହାହେଲେ ଏଇ ସଂସାରରେ ଆଉ ଥାଆନ୍ତା କ’ଣ ? ରେଡ଼ିଓ, ଖବରକାଗଜ, ସିନେମା, ଥିଏଟର, ସଭାସମିତି କିଛି ନ ଥାନ୍ତା । ଏହି ମାନମୟୀ ପରି ଲୋକ ନ ଥିଲେ କେହି କେବେ କ’ଣ ଘରକରି ସେଇଘରେ ଜୀବନଟା କଟେଇ ପାରନ୍ତା ? .....ହଉ ଛାଡ଼ ସେକଥା । ମୁଁ କହୁଥିଲି ପରା–

 

–ପ୍ରହେଳିକା କଥା ।

 

–ହଁ । ଭିତରୁ ଶୁଭୁଥାଏ ମାନମୟୀର ତୁଣ୍ଡ ସ୍ୱର–କ’ଣ କରିବି ? କେତେବେଳେ କ’ଣ କାମ ସରିବ ? ବାବୁଙ୍କର କ’ଣ ବରାଦ ରହିବ ? ମୁଁ କେତେବେଳେ ପଢ଼ିବି ? ମାଷ୍ଟ୍ରେ ଉଠିବେ ଏଇକ୍ଷଣି–ତାଙ୍କର ଘଣ୍ଟା ବାଜିଯିବ.....ଓଃ, କ’ଣ କରିବି ? ମରିଯାନ୍ତି ହେଲେ–

 

ଏଣେ ଭଜକୃଷ୍ଣର ଛାତି ଧଡ଼ଧଡ଼ ହେଉଥାଏ–କ’ଣ କହୁଛି ଯେ । ଟିକିଏ ଭଲ ଶୁଭିଲା ପରି କହ । ଏଣେ ଶୁଣିବା ଭୁଲ ହେଲେ ବୁଝିବା ଭୁଲ ହୋଇଯିବ । ବୁଝିବା ଭୁଲ୍‌ ହେଇଗଲେ ଖାଲ ଖମାରେ ପଡ଼ିବା ସାର ହେବ । .....ମୋଟେ ହେଉଛି ଦୁଇଦିନ ।

 

–ଦି’ଦିନିଆ ଚାନ୍ଦରେ ତ ମନ ଉଜାଲା ?

 

–ଶୁଣିଯାଅ । ମନକୁ ମନ ତାହାର ତେରେଛା କାଟିବ । ମାନମୟୀକୁ ପହଳି କଲେ ଭାରି ବାଧେ । ତମେ ଯଦି ଏମିତି ହଲାପଟାରେ ପଡ଼ିଯାଅ ଜାଣିପାରିବ ମନଟା କି ପ୍ରକାର ଜିନିଷ-

 

–ମନଟା ଭାରି ଆଦରି ପାରେ ଅଭୁଲା କଥାକୁ । ସେ ଅନ୍ଧାରକୁ ସିନା ଡରେ । କିନ୍ତୁ ଅନ୍ଧାରୁଆ ଅନୁଭବ ତାହାର ମନକୁ ଭାରି ପାଇଯାଏ । ମାନମୟୀ ଉଲାଖ ନ ଦେଇ ସିଧା କହୁଥିଲେ କହନ୍ତା ଅବା କ’ଣ ? ସେଥିରୁ ମନେ ରହନ୍ତା ବା କେତେ ?

 

ଆନନ୍ଦର ଫୁଆରା ଖୋଲି ମାନମୟୀ ଘର ଭିତରକୁ ଆସିଲା । ଛୋଟ ପିଲା ପରି ପେନ୍‌ସିଲଟିଏ କାମୁଡ଼ି ଥାଏ ଦାନ୍ତରେ । ଆଉ ଦି’ଖଣ୍ଡ ଖାତା ଓ ଖଣ୍ଡେ ବହି ଧରିଥାଏ ବାଁ ହାତରେ-। ଆସି ଦୋଷ ମାଗି କହିଲା–ଡେରି ହେଇଗଲା ବୋଲି ରାଗି ନାହାନ୍ତି ତ ?

 

ଭଜକୃଷ୍ଣ ଚାହିଁଥିଲା । ଆଖି ଦୁଇଟି ଡରରେ ଭାଙ୍ଗି ପଡ଼ୁଥାଏ । ଭଜକୃଷ୍ଣ ଆଖି ଫେରାଇ ନେଇଥିଲା ।

 

–ସତରେ ରାଗି ନାହାନ୍ତି ନା ? ଭାବିଥିଲି ଆପଣ ରାଗି ନ ଥିବାର ଛଳନା କରୁଛନ୍ତି ।

 

–ମୁଁ କ’ଣ ଛଳନା କରିବି ? ବଡ଼ ମଣିଷ ସିନା ଛୋଟର ଛଳନା କରେ ।

 

–କାହିଁ, କେତେ ପିଲା ତ ବଡ଼ ମଣିଷର ଅଭିନୟ କରନ୍ତି । .....ମତେ ଅଭିନୟ ଦେଖିବାକୁ ଭଲ ଲାଗେ । ଅନେକ ଅଭିନୟ ଆପଣମାନଙ୍କର ଦେଖା ହେଇଥିବ ।

 

–ମତେ ଖାଇବା ପିନ୍ଧିବାକୁ ମିଳେନାହିଁ । ଏତକ କ’ଣ ମତେ ଦେଖିଲେ ବୁଝା ପଡ଼େ ନାହିଁ ?

 

–କହିଲି ପରା ଆମର ଏଇଟା ହେଲା ଅଭିନୟର ଯୁଗ । ଏବେ କ’ଣ କେବେ ସେମିତି ନଥିଲା କି ? ସବୁଦିନେ ମଣିଷ ଏମିତି ଯାହା ନୁହେଁ ତାହା ହେଇଛି ବୋଲି ଅଭିନୟ କରୁଥିଲା । ପଇସାଦିଆ ଛଳନାକୁ ଆମେ ଜାଣୁ ଅଭିନୟ ବୋଲି । ଅଭିନୟ ଯଦି କଲେଜ ଛାତ୍ର ହେଲା–ଛଳନା ହେଲା ଉଚ୍ଚପ୍ରାଥମିକ ଛାତ୍ର । କେବେ ଏସବୁ ନଥିଲା କି ?

 

–ମୁଁ ତେବେ କ’ଣ ଛଳନା କରି ଗରିବ ବୋଲି ଦେଖାଇହେଲି ?

 

–ଅନେକ ଗରିବଙ୍କୁ ଦେଖିଛି । ସେମାନେ ମାଗିଆଣି, ଧୋବା ଦୋକାନରୁ ଭଡ଼ାରେ ଆଣି, ଧନୀର ପୋଷାକ ପିନ୍ଧନ୍ତି । ସେଇଟାକୁ ମୁଁ ଅଭିନୟ ବୋଲି ଭାବେ ନାହିଁ ।

 

–ଆଉ କ’ଣ ?

 

–ଯିଏ ଗରିବ ହୋଇ ଗରିବିଆନାକୁ ପତାକା ପରି ଦେଖାଇ ହୁଏ ତାକୁ ମୁଁ କହେ ଅଭିନେତା । ଆପଣ ସେମିତି ଜଣେ ।

 

–ମାଗିଲେ କିଏ କାହାକୁ ଦବ ? ମାଗିବାରେ କ’ଣ ଅବା ଇଜ୍ଜତ୍‌ ଅଛି ?

 

–ମାଗିଲେ ସବୁ ମିଳେ । ଏଇ ବିଶ୍ୱ ବ୍ରହ୍ମାଣ୍ଡରେ ନ ମାଗିଲେ ମିଳିବା ଜିନିଷ ଅତି ଅଳ୍ପ–ଏଇ ଆଲୁଅ, ପବନ, ମାଟି, ପାଣି ପରି କେଇଟି ଜିନିଷ । ବାକି ସବୁ ଜିନିଷ ରହିଗଲା ମାଗିବା ଲୋକଙ୍କ ପାଇଁ । ମାଗନ୍ତାଙ୍କ ପାଇଁ ନୁହେଁ ।

 

–ମତେ ମିଳିନାହିଁ । ମାଗିଲେ ମତେ ମିଳିବ କି ?

 

–ଅଲବତ୍‌ ମିଳିବ । ତେବେ ମାଗନ୍ତାଙ୍କ ପରି ମାଗିବେ ନାହିଁ । ମାଗିବାର ଗୋଟାଏ ପାଠ ଅଛି । ସେ ବିଦ୍ୟା ହାସଲ କରି ପାରିଲେ ମାଗିବା କ୍ଷଣି ମିଳିବ । ନ ମାଗିବା ଆଗରୁ ମଧ୍ୟ ଦେବା ଲୋକ ଦେବା ପାଇଁ, ଯାଚିବା ପାଇଁ ବ୍ୟସ୍ତ ହେଉଥିବ । ପରୀକ୍ଷା କରି ଦେଖିବେ । ଏଇ ଭେକ ବଦଳାଇବେ ।

 

–ଗରିବର, ଭେକ ହେଉଛି ବଡ଼ । ଗରିବ ହୋଇ ନଥିଲେ ଏଠିକି ଆସିବାର ସୌଭାଗ୍ୟ ମଧ୍ୟ ହୁଅନ୍ତା କାହିଁକି ?

–ହଠାତ୍‌ ଏମିତି ମତାମତ ଦେଇ ପକେଇବେ ନାହିଁ । ଏକଦମ୍‌ ଶେଷ ଦିନର ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ ଅପେକ୍ଷା କରିବେ । କାରଣ ସୌଭାଗ୍ୟ ଓ ଦୁର୍ଭାଗ୍ୟ ଏକା ନାହି ଦି’ଖଣ୍ଡ । ଆପଣଙ୍କ ପରି ଲୋକ ପାଇବା ହୁଏ ତ ମୋର ସୌଭାଗ୍ୟ ହେଇପାରେ । ମୋ’ପରି ଲୋକକୁ ଦେଖିବା ଆପଣଙ୍କର ଘୋର ଦୁର୍ଭାଗ୍ୟ ହେଇପାରେ ।

–ବଢ଼ିଆ କହିଲା ତ । ପାଠ କେତେ ଦୂର ?

–ପାଠ ଆଉ ମନର ବୟସ ଏକା କଥା । ଲେଖିବା ପାଠରେ କମ୍‌ । କହିବା ପାଠରେ ସେ ତ ଜଣେ ବଡ଼ ଜ୍ଞାନୀ । ଘୋର ଦୁଃଖ ମଣିଷକୁ ପାଠ ପଢ଼ାଏ । ସେଇ କଥା ସେ କହିଥିଲା–ଉପାସରେ ବସି ପେଟର ଦଡ଼ିମଡ଼ି ସହିଲା ବେଳେ ଗାଁର ଠାକୁର ଆଳତି ଘଣ୍ଟା ବାଜେ । ....ମୁଁ ମୁଣ୍ଡିଆଟିଏ ମାରି କହେ–ଠାକୁରେ ! ଉପାସରେ ହେଲେ ବି ଦିନଟାଏ ବଞ୍ଚାଇ ରଖିଲ ତ ।

–ବାଃ ।

–ଏଇ କଥା ଶୁଣିଲା ପରେ ମୋର ମନରେ ମାନମୟୀ ପାଇଁ ବହୁତ ସମ୍ମାନ ଆସିଥିଲା-। ସେ ବୁଝାଇ କହିଥିଲା–ଯିଏ ଉପାସରେ ପଡ଼ି ଛିଣ୍ଡା ଦରବାରେ ମରିଯିବ ବୋଲି ତାହାର ବାପା ମା ବେଳେବେଳେ ଆଖିରୁ ଲୁହ ପୋଛୁଥିଲେ ସେହି ଏବେ ଏମିତିଟିଏ ହେଇ ଏଇ ରାଜଧାନୀରେ ବୁଲିଲାଣି । ସାତଦିନରେ ଖାଇବାକୁ ଯେତିକି ମିଳୁଥିଲା ସେତକ ଆଜି ଦିନକର ମଟର ତେଲର ଖର୍ଚ୍ଚଠାରୁ କମ୍‌ ।

 

ସେତକ ଶୁଣି ଭଜକୃଷ୍ଣ ହସିଥିଲା ।

 

ହସି ମାନମୟୀ ସେଦିନ ତା’କୁ କହିଥିଲା–ଯେତେବେଳେ ଦୁଃଖର ଚାପାରେ ଅଥୟ ହୋଇପଡ଼ିବେ ସେତେବେଳେ ମାନମୟୀକୁ ସ୍ମରଣ କରିବେ । ଦେଖି ପାରିବେ ଆକାଶରେ ଚାନ୍ଦିନୀରାତି ଦେଖା ଦେଲାଣି । ସେତିକି ଅସୁବିଧା ଭିତରେ ଆସିଗଲି ବୋଲି ସିନା ଆଜି ମୋର ଦେହ ଓ ମନ ଗୋଟାକ ଯାକ ଉତ୍ସାହରେ ଫାଟି ପଡ଼ୁଛି ।

 

–ଠାକୁର ପୂଜା କରନ୍ତି ?

 

–କ’ଣ କହିଲେ ? ଠାକୁର ? ଯେଉଁ ଠାକୁର ମତେ ବିନା ଦୋଷରେ ଖାଇବା ପିନ୍ଧିବାକୁ ନ ଦେଇ ଉଣେଇଶି ବର୍ଷ ମତେ ଓ ମୋର ଲୋକଙ୍କୁ ସନ୍ତୁଳିଥିଲା ଆଉ ଆଜି ଯିଏ ମତେ ଆଣି ମତେ ଆଜି ମୋର ମନଛଡ଼ା ସରଞ୍ଜାମ ଅଜାଡ଼ି ଦେଇଛି ସେଥିରୁ କେଉଁଗୋଟିକ ନେଇ ମୁଁ ଠାକୁରଙ୍କୁ କ’ଣ ବୋଲି ଡାକିବି ?

 

–ହେଲେ ବି ସେହି ଈଶ୍ୱର ସବୁ କରୁଛନ୍ତି ।

 

–ସେ କ’ଣ ତମ ଆମର ପ୍ରାର୍ଥନାକୁ ଚାହିଁ ବସିଛନ୍ତି । ଦେଲେ ବିଷ କି ଅମୃତ ଯାହା ତାଙ୍କର ମନକୁ ଯେତେବେଳେ ପାଇଲା । ଆମେ ତା’କୁ ଖାଇଯିବା ନା ବସି ବସି ପ୍ରାର୍ଥନା କରିବା-? ଆପଣ କ’ଣ ପ୍ରାର୍ଥନା କରନ୍ତି ?

 

–ହଁ ।

 

–କ’ଣ ପାଇଁ ?

 

–ଈଶ୍ୱରଙ୍କୁ ମାଗେ ବଞ୍ଚିବାର ସଜ ଓ ସରଞ୍ଜାମ ।

 

–ସେ ନିଜେ ଆସି ଦିଅନ୍ତି କି ?

 

–ହଁ, ସେ ଦିଅନ୍ତି । ଏବେ ଆପଣଙ୍କ ଜରିଆରେ ଦିଆଇବା ପାଇଁ ସୂତ୍ର ଖଞ୍ଜିଲେ ।

 

–ଯିଏ ଦିଏ ସେହି ଦେବତା । ଯିଏ ଦିଆଏ ସେ ପୁରୋହିତ । ମୁଁ ଯଦି ଦିଏ ମୁଁ ହେଉଛି ଠାକୁର–ଦେବତା । ଏଥିରେ ଆପଣ ରାଜି ତ ?

 

–ଚାହିଁଥିଲି ମାନମୟୀ ମୁହଁକୁ । ସେହି ଗୋଲାପୀ ମୁହଁଟି ବଡ଼ ଭୟଙ୍କର ଦିଶିଥିଲା । ସେ ହେଉଛି ଦେବତା–ମୋର ଦେବତା–ମାନମୟୀ ଦେବୀ ।

 

କୁଟିଳ ହସଟିଏ ଖେଳାଇ ଓଠ କାମୁଡ଼ି କହିଲା–ନିର୍ବୋଧ ଦେବତା ଏମିତି ସମସ୍ତଙ୍କ ପାଖରେ ଭେଳିକି ଦେଖାଇ ଟାଉଟରି କରେ । ଛୋଟକୁ ବଡ଼ କରି ତମ ଆମ ମୁଣ୍ଡ ଉପରେ ଚଢ଼ାଇ ଦେଇ ତାହାରିଠାରୁ ଗୋଇଠା ନାତ ଖୁଆଇ ଦିଏ । ଏଣେ ଆମକୁ ପ୍ରାର୍ଥନା କରାଉଥାଏ । ପାପୀ–ଦଳନ ହବ–ପାପୀ ଆଗ ଉତ୍ପାତିଆ ହେଲେ କାହିଁକି ?

 

–ବୁଝିଲେ ? ବୁଝି ପାରିଲେ ?

 

–ଓଠ ଶୁଖି ଯାଇଥିଲା ସେହି ଅଭିଯୋଗ ଶୁଣି । ଈଶ୍ୱରଙ୍କର ଅସୀମ ଦୟାରୁ ଯେଉଁ ମାନମୟୀ ମରଣତୁଠରୁ ବାଟ ଭାଙ୍ଗି ଏବେ ଆନନ୍ଦ ଉପଭୋଗର ବାଟରେ ଚାଲୁଛି ସେ କେଡ଼େ କୃତଘ୍ନ ।

 

–ମୋର ଭୟାର୍ତ୍ତ ମୁହଁ ଦେଖି କହିଥିଲା ଏଇଟାର ନାଁ ସଂସାର, ଏଠି ଠାକୁର ହେଲେ ଆମେ ସମସ୍ତେ । ଯିଏ ଯାହାକୁ ଯେତେ ଭଲ ଜିନିଷ ଦେଲା ସେ ତାହା ପାଖରେ ସେତିକି ପ୍ରତାପୀ ଠାକୁର । ଯିଏ ଯେତେ ଖରାପ ଜିନିଷ ଦେଲା ସିଏ ସେତେ ବଡ଼ ଶତ୍ରୁ ।

 

ଭଜକୃଷ୍ଣ ରାଜି ହୋଇଥିଲା ନିଜର ଇଛା ବିରୁଦ୍ଧରେ ।

 

ମାନମୟୀ ସେମିତି ଅଣବିଶ୍ୱାସୀ ହେଲାପରି କହିଥିଲା–ଆପଣମାନଙ୍କ ପରି ଯେଉଁମାନେ ଲୋଭରେ, ଭୟରେ, ଭ୍ରାନ୍ତିରେ ଓ ଭ୍ରମରେ ନିଜର ମତକୁ ବଦଳାନ୍ତି ସେମାନେ ସମସ୍ତେ କୃତଘ୍ନ–କୁକୁରଠାରୁ ହୀନ । ସେହିମାନେ ପୁଣି ଈଶ୍ୱରଙ୍କର କଥା କହିଥାନ୍ତି । .....କୁକୁରର ଠାକୁର ମଣିଷର ଠାକୁର ହେବେ କ’ଣ ପାଇଁ ?

 

ଭଜକୃଷ୍ଣର ଇଚ୍ଛା ହୋଇଥିଲା ପଳାଇବାକୁ–ଭଲ ଟିଉସନ୍‌ କରିବାକୁ ଆସିଥିଲା । ମେରୁ ହଲିଯିବ ଏଇ ବାବୁଆଣୀ ପାଖରେ ।

 

ମାନମୟୀ କହିଥିଲା–କଲେଜରୁ ସିଧା ଚାଲି ଆସିଛନ୍ତି । ପାଦର ବଳାଗଣ୍ଠି କହି ଦେଉଛି । ଭୋକ ହେଉ ନାହିଁ ?

 

–ନା ।

 

–ମିଥ୍ୟାବାଦୀ । ନିର୍ଲଜଙ୍କ ପରି ଛଳନା କରି ମିଛ କହୁଛ । ମୁଁ ନିଜେ ଭୋକ କ’ଣ ଜାଣେ । କେଇଟା ମିଛ ଦିନକୁ କହୁଛ ଏଇ ପିଲାବେଳୁଁ ?

 

–ନା ।

 

–ନା, କ’ଣ ? ହଁ, କହ । ସଂକୋଚରେ ମିଛ ବୋଲି କହ । ମାଗିବାକୁ ସରମ ଲାଗୁଛି ବୋଲି କହ । ପର ମଣିଷ ବୋଲି ଭାବୁଛି ବୋଲି କହ । ନ ହେଲେ ବଡ଼ଲୋକ ବୋଲି ଛଳନା କରୁଛି ବୋଲି କହ......କ’ଣ ଖାଇଛ କଲେଜ ପରେ ?

 

–ନା । ମୁଁ ଅତି ଦୁଃଖୀ ।

 

–ସେଇ ଚାନ୍ଦ ମୁହଁଟି ହସି ଉଠିଥିଲା । ଏବେ ଯେ ବୁଝାଗଲା ଆପଣଙ୍କର ବିବେକ ଓ ବିଚାର ବୁଦ୍ଧି ମରି ନାହାନ୍ତି । ଆପଣଙ୍କ ମନ ଅପରର ସ୍ନେହ ଓ ଆଦରର ପ୍ରତିଧ୍ୱନି ଦେଇ ପାରୁଛି । ଏବେ ବି ଆପଣ ବଞ୍ଚିଛନ୍ତି ।

 

ମାନମୟୀର ବରାଦରେ ଜଳଖିଆ ଆସିଥିଲା । ମାଲିକର ଚଢ଼ା ଗଳାରେ ହୁକୁମ ଦେଇଥିଲା–ପ୍ରତିଦିନ ସାର୍‌ଙ୍କ ପାଇଁ ଯୋଗାଡ଼ ରଖିଥିବ, ମୁଁ କହିବା ଆଉ ତମମାନଙ୍କୁ ମନେ ପକାଇବା ଦରକାର ପଡ଼ିବ ନାହିଁ ।

 

ଖାଇବାବେଳେ ସେ ଆନମନା ହୋଇ ଝରକାକୁ ଚାହିଁ ରହିଥିଲା ।–ପୋଡ଼ା ମନକୁ ଆଉଥରେ କଅଁଳ ମନ କରି ହେବ ନାହିଁ...... ।

 

ଭଜକୃଷ୍ଣ ସଚେତନ ହେଲାବେଳକୁ ମାନମୟୀ କହିଥିଲା–ବିରକ୍ତ ହେବାର କଥା । ବଳାତ୍କାର ଚର୍ଚ୍ଚା ମୋର ଗୋଟାଏ ବେମାରି । ଦୁଃଖ ଅଭାବ ସାଙ୍ଗରେ ସଢ଼ି ସଢ଼ି ମନଟା ପିତା ହୋଇ ଯାଇଛି । ଟିକକରେ ସେ ପାଚଲା ହୋଇଯାଏ । ....ଖୁସି ମନରେ ଖାଆନ୍ତୁ । ଏଇ ଖାଇବାପଦାର୍ଥରେ ଆନନ୍ଦ ପାଇବେ.....ବୁଝି ପାରୁଛନ୍ତି ତ ?

 

–ହଁ ।

 

–ବୁଝିଗଲେ ସବୁ ? କିଛି ବୁଝି ନାହାନ୍ତି । ମଣିଷ ଯେତେବେଳେ କଥାଟା ପୂରା କରି ବୁଝିଯାଏ ସେତେବେଳେ କେଉଁ କଥାରେ ବି ହଁ–ଭରିପାରେ ନାହିଁ । ଏଇ ଦୁନିଆଟା ଅଛିଣ୍ଡା ଅଙ୍କର ମାଳା । ଠିକ୍‌ ଠିକ୍‌ ଠକ୍‌ କିନା ଛିଣ୍ଡିବା କଥା ମଣିଷର ସମାଜରେ ନଥାଏ । ମଣିଷର ସମାଜଟା ଧୋକାବାଜି ଦଗଲ–ବାଜିରେ ଗଢ଼ା । ସେଥିପାଇଁ ଭୋଗ କରିବା ପାଇଁ ବେଶି ବୁଦ୍ଧି ଦରକାର । ମାଡ଼ ଖାଇବା ପାଇଁ କି ଦୁଃଖ ସହିବା ପାଇଁ ଓଲାମି ଯଥେଷ୍ଟ ।

 

–ହଁ ।

 

–କ’ଣ ବୁଝିପାରିଲ ? ନିଜେ ଏତେ ଦୁଃଖ ସହି ଆଉ ପାଠପଢ଼ି ଭଲ ପଢ଼ିଲେ ବୋଲି ଆପଣଙ୍କର ଅଧ୍ୟକ୍ଷଙ୍କର ସୁପାରିସ ନେଇ ଆସିଲେ । କାହିଁ କେଉଁଠି କାହାର ଅକ୍ଷର ବଙ୍କାକରି ପାରିଲେ ନାହିଁ–କାହିଁକି ?

 

–ବଳ ବୁଦ୍ଧି ଆଉ ସଜ ଦରକାର ।

 

–ନା, ଦରକାର ହୁଏ ସାହସ । ମଣିଷ ଯେଉଁ ଟିକକ ପାଇଛି ସେତକ ନେଇ ଲୁଚେଇ ରଖିବାକୁ ଇଛା କରୁଥିବା ଯାଏ ସେ କେବେହେଲେ ନିଜର ଦୁଃଖ–କଷ୍ଟ ପାଇଁ ପ୍ରତିବାଦ କରିପାରେ ନାହିଁ । ଛୋଟା କେମ୍ପା ଅନ୍ଧଙ୍କ ପରି ଖାଲି ହନ୍ତସନ୍ତ ହୋଇ ବାହୁନୁଥାଏ । ....ତମେ ବି କ’ଣ କରନ୍ତ ? ମୁଁ ବା କ’ଣ କରିଥିଲି ?

 

–କେହି କିଛି କରିପାରନ୍ତି ନାହିଁ ସୁବିଧା ନ ଆସିବା ଯାଏ ।

 

–ତାହାହେଲେ ଆମେ ସମସ୍ତେ ବହୁତ ପ୍ରକାରର ବୁକୁଫଟା ଚିତ୍କାରର ମାଳା । ସେଥିପାଇଁ ସମସ୍ତେ ଲାଗିଛୁ ନିଜର କାନ୍ଦଣା ବନ୍ଦ କରିବାକୁ ।

 

–ଭଲ ପାଠ ପଢ଼ା ? କ’ଣ ସବୁ ପଢ଼ିବାର ବରାଦ ଥିଲା ?

 

–କିଛି ଇଂରାଜୀ–ସଂସ୍କୃତ–ସାଧାରଣ ଜ୍ଞାନ । ଆଉ କଥା ଥିଲା ଯେ ସେ ଇଂରାଜୀ ଖବର କାଗଜ ଓ ପତ୍ରିକା ପଢ଼ିବା କଥା ।

 

–ପଢ଼ା କାହିଁ ? ଇଏ ତ ଶୁଣାଯାଉଛି ନାଟକର ଅଭିନୟ । ସତେ ଯେପରି ସେ ଟଙ୍କା ବହିନା କରି ଲୋକଟିଏ ମଗାଇ ନେଇଥିଲେ ଏହିସବୁ କହିବାକୁ ଓ କୁହାଇବାକୁ ।

 

–ସେଇଆ ମନେ ହେଲା ପ୍ରଥମରେ ।

 

–ଶେଷକୁ ।

 

–ସେହିଦିନ ମାନମୟୀ କହିଥିଲେ ତାଙ୍କର ବରାଦ । ଗପସପ ହେଇଗଲା ବେଶ୍‌ । ଦିହେଁ ଦିହିଁଙ୍କ ପାଖରେ ଯେତିକି ସମ୍ଭବ ସ୍ୱାଧୀନ ହେଇଗଲେ । ଏଣିକି କାମ ନ ହେଲେ ବାବୁ ଭାବିବେ ଯେ ଖିଆଲଟାଏ ପରି ଆମେ ପାଠପଢ଼ାର ବାହାନା ଧରିଛୁ ।

–ବାବୁ କ’ଣ ପଚାରୁଥିଲେ କି ?

–ପଚାରିବେ ନାହିଁ ? ସେ ଲୋକ ବାଛିଲେ । ବରାଦ ଦେଲେ । ମିସ୍ତ୍ରୀ ମୂଲିଆ ଆସି ଘରକାମ କରୁଛି ନା ଗପୁଛି ସେତକ ବୁଝିବା ଭୁଲ କ’ଣ ?

ଭଜକୃଷ୍ଣଙ୍କୁ ଭୟ ହେଲା । –ସତେ ତ ପଢ଼ାଇବା କାମ ଭିତରେ ସେ କ’ଣ କରୁଛି ? ଅତ୍ୟନ୍ତ ଅନ୍ୟାୟର କଥା । ସେ ପଚାରିଥିଲା–କି ବହି ?

–ଗୋଟାଏ ବହି । ଯାହା ପାଇଲି ତା’କୁ ଧରିଲି । ମୁଁ ଏଇ ଘଣ୍ଟାକ କସରତ ଶିଖିଲା ପରି ଲାଗିବି ଏଥିରେ । ସାହାଯ୍ୟ ଯାହା ଦରକାର ପଡ଼ିବ–ମିଳିବ । ମୁଁ ଯେମିତି ଆଜିର ଅବସ୍ଥାରୁ ଆସନ୍ତା କାଲି ଆଗେଇ ଯିବି ।

ଭଜକୃଷ୍ଣ ଆନମନା ହେଲାବେଳେ ମାନମୟୀ ଆକଟ କରି କହେ–ଖିଆଲରେ ପୂଜା କଲେ ଜୀବନଟା ନଷ୍ଟ ହୁଏ । ଜୀବନ ଫିମ୍ପି ମାରିଗଲେ ଖିଆଲ ସେଠୁ ପଳାଏ । ମନକୁ ଏମିତି ଏଣେତେଣେ କରିବା ଖରାପ ।

 

ଭଜକୃଷ୍ଣ ଚାହିଁଥିଲା ମାନମୟୀ ମୁହଁକୁ ।

 

–ମୋର ପଢ଼ାବହି ଆଡ଼େ ଆଖି ରଖନ୍ତୁ । ଭୁଲହେଲେ କହିଦେଉଥିବେ । ....ଗୁଣୁ ଗୁଣୁ ହୋଇ କହିଲା–ଜୀବନର ଦୀପକୁ ଧୀରେ ଜଳିବାକୁ ଦେବ । ସମୟର ପବନରେ ସବୁଠାରେ ସୁନ୍ଦରିମା ବାହାରେ । ଧୈର୍ଯ୍ୟ ହେଉଛି ବଡ଼ କଥା ।

 

ଏକ ମନରେ ମାନମୟୀ ପଢ଼ିଥିଲା । ସାମାନ୍ୟ ବିଚ୍ୟୁତ ନାହିଁ । ଥରେ ଅଧେ ଦେହର ଲୁଗା ସଜାଡ଼ି ଥିଲା–ସେତିକି ।

 

ଗଲାବେଳେ କହିଥିଲା–ଦି’ଦିନ ହେଇଗଲା । ପରଦିନଠାରୁ ଆଉ କିଛି ଅସୁବିଧା ଦେଖା ଦବନାହିଁ । ଭଜକୃଷ୍ଣ ଭାବିଚିନ୍ତି ଆସିଥିବେ ଯେ କେମିତି ସେଇ ସମୟଟି ଫଳପ୍ରଦ ହେବ ।

 

ଭଜକୃଷ୍ଣ ଉଠିଲା ବେଳକୁ ଆକାଶରେ ଗୋଲାପି ଆଭା ଦେଖା ଦେଇଥିଲା–ଦୂର ହେଲେ ବି ବେଶ୍‌ ସୁନ୍ଦର ।

 

–କେତେ ଦିନ ପାଠପଢ଼ା ଚାଲିଲା ?

 

–ଦେଢ଼ ବର୍ଷ ?

 

–କ’ଣ ସବୁ ପଢ଼ା ହେଲା ?

 

–ସେଇଆ ପରା କହୁଥିଲି । ମନଟା ଏତେ ବେଶି ଭାରାକ୍ରାନ୍ତ ଯେ କହି ବସିଲେ ଭାବ ଚାଲିଆସେ ଉଚ୍ଛ୍ୱାସରେ । ଆଖି ଝଲସା ଚିତ୍ରଟିଏ ମାନମୟୀ ଟାଣି ଦେଇଥିଲା ।

 

–ବେଶ୍‌ ଲେଖାପଢ଼ା ଲୋକପରି ଜଣାଯାଉଛି ।

 

–ସ୍ୱାଧୀନତାର ଇଏ ହେଉଛି ଫଳ । ପଦପଦବୀ ଓ ନିରୁଙ୍କଶ ସ୍ୱାଧୀନତା ସମସ୍ତଙ୍କ ମନରେ ତାଳଗଛ ଉଚ୍ଚ ଭାବ ଓ ଭାବନା ଉଠାଇ ପାରେ ।

 

–ପଚାରି ବୁଝିଥିଲ ?

 

–ହଁ, ଅନେକ ଦିନପରେ ବୁଝିଥିଲି । ମାନମୟୀ କହିଥିଲା–ଯେ ବେଶି ଜାଣେ, ସେ ଏମିତି ତୁଣ୍ଡ ଖୋଲିପାରେ ନାହିଁ । ବୟସ ଓ ଅନୁଭବ ସାଙ୍ଗରେ ଏଣୁ ତେଣୁ ମିଶାମିଶି ପାଠ ଥିଲେ ଭାରି ଅଦ୍ଭୁତ ଶକ୍ତି ଦେଖାଦିଏ–ଦେଖି ନାହାନ୍ତି ଆମର ମନ୍ତ୍ରୀମାନଙ୍କୁ ।

 

–ଠିକ୍‌ କଥା ତ, ଭଜକୃଷ୍ଣ ।

 

–ଆମେ କ’ଣ ଦେଖୁ ନାହିଁ ? ଆମେ ପରଖିବାକୁ ଇଛା କରୁନାହିଁ । ଦେଖିବାର ଦେଖାରେ ବିହ୍ୱଳ ହେଇପଡ଼ୁ । ମାନମୟୀ ବସି ବସି ସବୁ କଥା ପରଖିଥିଲା । ତେଣୁ ତାହାର ଥିଲା ବିଶେଷ ଜ୍ଞାନ ଓ ଦର୍ଶନ ।

 

–ମୁଁ ହେଇଥିଲେ ଡରି ଯାଇଥାନ୍ତି । ସେ ତ ମୋ’ ଠାରୁ ଉପରେ । ତମେ ଚଳାଇ ପାରିଲ ତ ।

 

–ଏବେଯାଏ ମୁଁ ନିଶ୍ଚିତ ଯେ ସେ ମୋ’ଠାରୁ ବହୁତ ଅଧିକ ଜାଣିଥିଲା, କିନ୍ତୁ ତାକୁ ନିୟମ, ବ୍ୟାକରଣ, କାର୍ଯ୍ୟକାରଣ ଅଳ୍ପ ଜଣାଥିଲା ।

 

–ବାବୁ କେବେ ଆସି ତଦାରଖ କରି ନାହାନ୍ତି ?

 

–ନା, ମାନମୟୀ କହିଥିଲା ଥରେ । ବାବୁଙ୍କୁ ସେ ତାଗିଦ୍‌ କରି ଦେଇଛି ଯେ ପଢ଼ିଲା ବେଳେ ସେ ଆସି ନହର ପହର ହେଲେ ମାନମୟୀ ପଢ଼ା ବନ୍ଦ କରିଦବ ।

 

–ସେଥିପାଇଁ ସେ କେବେ ହେଲେ ଆସି ନାହାନ୍ତି ।

 

–ନା, ଆସିବେ ନାହିଁ ବୋଲି ମୁଁ ସ୍ଥିର ନିଶ୍ଚିତ ନ ଥିଲି କିନ୍ତୁ ମାନମୟୀ ବହୁତ ଥର କହିଛି ଯେ ସେ ଆସିବେ ନାହିଁ । ବାରଣ ଦିଆ ହେଇଛି–ସେଇଟା ବି ଅବ୍ୟର୍ଥ ।

 

–ଏମିତି ବଚନିକା ହୁଏ କେବେ କେବେ ?

 

–ଠିକ୍ ବଚନିକା ନୁହେଁ । ତେବେ ଥରେ ଥରେ ଶଗଡ଼ର ଅଖ ଶବ୍ଦ କଲାପରି ମାନମୟୀ କଥା ଆରମ୍ଭ କରିଦିଏ ।

 

–କେମିତିକା କଥା ?

 

–ଥରେ ପଚାରିଲା ବନର ଅର୍ଥ ବଣ । ସେଠି ଜନ୍ତୁଜୁନ୍ତା ରହନ୍ତି । କିନ୍ତୁ ଉପବନ ଅର୍ଥ ହେଲା ବଗିଚା–ସେଠି ମଧୁପ ଓ ପ୍ରଜାପତି ଉଡ଼ନ୍ତି । ବନରେ ରହେ ଦ୍ରୁମ–ମହାଦ୍ରୁମ । ଉପବନରେ ରହେ ସୁକୁମାର ଗଛ ଲଟା । କିଏ କେମିତି ଏହି ଶବ୍ଦକୁ ବାଛିଲା ? ଆଉ ଗଢ଼ିଲା ।

 

–ଉତ୍ତର କ’ଣ ବା ଦିଆହେବ ? ଏଣେ ଆସି କଲେଜରେ ଅଧ୍ୟାପକଙ୍କୁ ପଚାରେ । ସେମାନଙ୍କର ଉତ୍ତର ମନକୁ ପାଏନାହିଁ ମାନମୟୀ ପୁଣି କେତେ ଦିନରେ ମନେ ପକାଇଦିଏ । ପଚାରେ ଭୋଗ–ଉପଭୋଗ–ସମ୍ଭୋଗ–ଏତେ ପ୍ରକାରର ଶବ୍ଦ କ’ଣ ପାଇଁ ତିଆରି ହେଇଛି ? ଲୋକେ ଯେଉଁ ଅନୁଭୋଗ ବ୍ୟବହାର କରୁଛନ୍ତି–ସେଇଟା କ’ଣ ?

 

–ତମେ କ’ଣ କହ ?

 

ମୁଁ ଚୁପ୍‌ ରହେ । ମାନମୟୀକୁ କହେ ଯେ ତାଙ୍କର ପ୍ରଶ୍ନଗୁଡ଼ାକ ବଡ଼ କଠିଣ । କଲେଜରେ ଅଧ୍ୟାପକମାନେ ଠିକଣା ଜବାବ ଦେବାକୁ ଡେରି କରୁଛନ୍ତି । ମାନମୟୀର ଆଖି ଚହଟି ଉଠେ ଆନନ୍ଦରେ....କହେ ସାହିତ୍ୟ ହେଉଛି ହୃଦୟର ଭାଷା । ସେମାନେ ହୃଦୟବାନ୍‌ ସାହିତ୍ୟିକ ନୁହନ୍ତି । ସେମାନେ ଭାଷାର ବିଜ୍ଞାନୀ ।

 

–ଲାଜର କଥା ।

 

ମୁଁ ବି ସେଇଆ କହିଥାଏ ମାନମୟୀକୁ । ସେ କ’ଣ କୁହେ ଜାଣିଛ ?

 

–କ’ଣ ?

–ମାନମୟୀ କହେ ଯେ ଏଇ ବିରାଟ ବିଶାଳ ସଂସାରରେ ଛୋଟିଆ ମଣିଷଟିଏ ଯେଉଁ ପ୍ରଶ୍ନରେ ଝୁଣ୍ଟିବ ତାହାର ଉତ୍ତର ନାହିଁ ବୋଲି ଜାଣିବ । ସେ ଉତ୍ତର ଆମେ ଦେଉ ମନ ଭିତରେ–ମନର କଷଟିରେ ।

–ବଡ଼ ମଉଜିଆ ଅଧ୍ୟାୟ ପାଇଥିଲେ, ଭଜକୃଷ୍ଣ ?

–ସେ ପରା ବୁଝାଇଥିଲା ଯେ ମଉଜ ମଜଲିସର ଆଇନ କାନୁନ ଅଛି । ଧୈର୍ଯ୍ୟ ସଂଯମ ଭିତରେ ମଉଜ ମଜଲିସ ବଡ଼ ସୁଖକର । ଜୀବନର ଯାତ୍ରାପଥକୁ ସରଳ, ସହଜ, ସୁଗମ କରିବାକୁ ସେ ଅସୁମାର ଉପଦେଶ ଦିଏ ।

–କ’ଣ ସେଗୁଡ଼ାକ ?

–ବହୁତ କଥା । ବେଳ ଅବେଳରେ ପାଠପଢ଼ା, କଥାଭାଷା ଭିତରେ କହିଯାଏ ବଞ୍ଚିବାର ନିୟମ । ଯାହାର ଯେଉଁଠି କ୍ଷମତା ଅଛି ତାକୁ ଜବାବ ଦବ ନାହିଁ ।.....ମନର ଭାବକୁ ପ୍ରକାଶ କରିବ ନାହିଁ...କାହାରି କଥା କ’ଣ ଜାଣିଛ ସେତକ କହିବ ନାହିଁ..... ନିଜର କଥାଟିକୁ ଆଗ ବୁଝିବ–ଯେଡ଼େ ଛୋଟ କଥା ହେଉପଛକେ ।

–ଏଥିରେ ଏତେ ମିଠା କ’ଣ ପାଇଲ ?

–କଥାରେ ନୁହେଁ ଯେ କେବଳ ବୁଝାଇ କହିବାରେ । ସେ ବୁଝାଇ ଦିଏ ସବୁ ଦିନକୁ ମନେ ରଖିବାକୁ । କର୍ତ୍ତବ୍ୟ, କାର୍ଯ୍ୟ, ଯୁକ୍ତି ଇତ୍ୟାଦି ଶବ୍ଦ ନ ଲଗାଇ କହିଦିଏ ଯେ ଆମେ ମଣିଷ–ଭଲରେ ରହିବା–ଲୋକେ ଆମକୁ ଭଲ ବୋଲି କହିବେ । ଆନନ୍ଦ କରିବା ପାଇଁ ବାଟ ମଧ୍ୟ ହୁଡ଼ିବା–ପାପ, ଅନୀତି କିଛି କିଛି କରିବା–କିନ୍ତୁ ଆମେ ଯେମିତି ନିଜ ପାଖରେ ବି ଦୋଷୀ ହେବା ନାହିଁ ।

–ମାନମୟୀ ତୁମକୁ ଭଲ ପାଉଥିଲା ତାହା ହେଲେ ?

–ନିଶ୍ଚୟ କଥା । ସେ ବୁଝାଇ ଦେଉଥିଲା ଯେ ଆମେ ପର ମଣିଷକୁ ପର କରି ରଖିଥିବୁ । କିନ୍ତୁ ଏତକ ଯେତେବେଳେ ସମ୍ଭବ ନୁହେଁ ସେତେବେଳେ ଠିକ୍‌ ସରକାରୀ କର୍ମଚାରୀଙ୍କ ପରି ସବୁ ଆଡ଼କୁ ଦୃଷ୍ଟି ଦେଇ ଚୋରି କରିବାକୁ ହେବ ।

–କ’ଣ ସବୁ ତାହାହେଲେ ହେଉଥିଲା ?

–ମାନମୟୀର ମତ ହେଲା ଯେ ମଣିଷ ତାର ସ୍ୱଭାବ ନେଇ ଚୋର, ଠକ, ଧପ୍‌ପାବାଜ, ମିଛୁଆ । ତାହାର ଆଉ ଗୋଟାଏ ଗୁଣ ହେଲା ଯେ ଏହି ଦୋଷକୁ ସେ ନିଜଠାରେ ମୋଟେ ଦେଖିପାରେ ନାହିଁ; କିନ୍ତୁ ଅନ୍ୟ ଲୋକଠାରେ ବହୁତ ବେଶି ଦେଖି ପାଇଯାଏ ।

–ଚରିତ୍ର ବଡ଼ ବିଚିତ୍ର–ଭଜକୃଷ୍ଣ ।

–ଠିକ୍‌ କହିଲ....ମାନମୟୀର ତୁଣ୍ଡକୁ ଛଡ଼ାଇ ଆଣି ପାରିଲା ପରି । ମାନମୟୀ ଖୋଲା ଖୋଲି କହେ ଯେ ସୁସ୍ଥ ସବଳ ଶରୀରରେ ଅପରକୁ ଭଲ ନ ପାଇ ଜୀବନ କଟାଇବା ବଡ଼ ଆଶ୍ଚର୍ଯ୍ୟ କଥା–

 

–ସେଠିକାର ମତ ହେଲା ଯେ ବିଭା ହେଇ ମଧ୍ୟ ଅପରକୁ ଭଲ ପାଇବ ?

 

–ହଁ । ସେଇଆ ସେ କହେ । କହେ ଏତେ ଲୁଚାଚୋରା କଥା କ’ଣ ? ଅନ୍ୟ ପୁରୁଷକୁ ଭଲ ନ ପାଇଲେ ଏଇ ସୃଷ୍ଟିର ନିୟମ ଭୁଲ୍‌ ହେଇଯିବ । ତେବେ ତାହା ସାଙ୍ଗରେ ପେଡ଼ିପୁଟୁଳା ଧରି ପଳାଇବା ନାହିଁ । କାରଣ ମଣିଷ ସବୁବେଳେ ତାହାର ଆଦ୍ୟ ଚକଡ଼ାରେ ଭଲ ଉଧାଏ । ଏଣେ ତେଣେ ପର୍ଯ୍ୟଟକ ସାଜିଲେ ସୁବିଧା କରିପାରେ ନାହିଁ ।

 

–ଏଇସବୁ କଥାଭାଷା ଖାଲି ରଙ୍ଗମଞ୍ଚରେ ସମ୍ଭବ ।

 

–ଜୀବନରେ ମଧ୍ୟ ସମ୍ଭବ ବୋଲି ମୁଁ ଜାଣିଲି । ତେବେ ଜୀବନରେ ଏହି ଭାବ ବିନିମୟ ଟିକିଏ ଗୁଳାଛାଡ଼ି ଏଣେତେଣେ ଯାଏ ।

 

–ତାଙ୍କର ପରିବାରର ଜୀବନ କେମିତି ?

 

–କହି ପାରିବି ନାହିଁ । ସଂସାରଟା ଚାଲିଛି ସହାବସ୍ଥାନ ଉପରେ ଭଲ ପାଇବା ଦେଖାଇ ହୁଏ, ବୁଝାଇ ହୁଏ । କିନ୍ତୁ ତା’କୁ ଜୀବନଭରା ବନ୍ଧା ଦେଇ ହୁଏ ନାହିଁ । ....ଏଇ ମୋର କଥା ନୁହେଁ-। ମାନମୟୀର କଥା ।

 

–ସେ ତୁମକୁ ଆଛନ୍ନ କରି ରଖିଛି ।

 

–ଏମିତି ଆଛନ୍ନ କରି ରଖିବା ପାଇଁ ସେ ହକ୍‌ଦାର । ଦେଇ ନେଇ ବୁଝେଇ ଶିଖେଇ ସେ ମତେ ମୋରିପରି କରି ଦେଇଛି ।

 

–ଆଉ କିଛି ?

 

ଭଜକୃଷ୍ଣ ଚମକି ପଡ଼ିଲା । ତାହାର ମନେ ପଡ଼ୁଥିଲା ଯେ ସେ ଗୋପନୀୟତାର ନିୟମରେ ବନ୍ଧା । ପ୍ରତ୍ୟେକ ଲୋକର କିଛି ଗୋପନ କଥା ଥାଏ । ସେଥିରେ ବଣିଜ କରିବା ନାହିଁ-

 

–ଖାଲି କଥାଭାଷାରେ ଏତେ ବଡ଼ ନାଟକ ଶେଷ ହୋଇଗଲା ?

 

–କିଏ କହିବ ରମାକାନ୍ତ ? ଚିନ୍ତାରୁ କଥା–କଥାରୁ କାମ–କାମରୁ ବିରୋଧ–ଏସବୁ ହେଲା ସଂସାରର ପାହାଚ । ଅଳକା ସାଙ୍ଗରେ କିଛି ସମୟ କଟାଇଲେ ନିଜେ ଅନେକ କଥା ବୁଝି ପାରିବ ।

 

–ଓଃ, ଅଳକା ମାନମୟୀ ପାଖରେ ଗୋଟିଏ ସାଧାରଣ ନାରୀ ।

 

ମାନମୟୀ ବୁଝାଇଥିଲେ ଯେ ଦୂରରୁ ଦେଖିବାକୁ ସମସ୍ତେ ଏକା ପ୍ରକାରର । ମଣିଷ ମାତ୍ରେ ହେଲା ସାଧାରଣ । ଅତି ନିରେଖି ପାଖରେ ଦେଖିଲେ ତାହାର ଅସାଧାରଣ ଗୁଣଟି ବୁଝାପଡ଼େ । ମିଶିବାର ସୁବିଧା ନ ପାଇଲେ ମଣିଷକୁ ଚିହ୍ନିହୁଏ ନାହିଁ ।

 

–ମୋର ଭାରି ଇଛା ହେଉଛି ଥରେ ମାନମୟୀକୁ ଦେଖନ୍ତି ।

 

–ଜଣକର କଥାଶୁଣି ଆଉ ଜଣକୁ ତୁଳିବ ନାହିଁ । ଦୁଇଜଣ ମଣିଷ ଏକା ନୁହଁନ୍ତି । ଦୁଇଜଣ ନାରୀ ସମାନ ନୁହଁନ୍ତି । ନିଜର ସହାନୁଭୂତି ଓ ସ୍ନେହର ମାପରେ ଓଜନ ମାପ ଅଲଗା ହେଇଯାଏ । ମଣିଷକୁ ମାପିବାକୁ ଚେଷ୍ଟାକଲେ ଲାଭ ହୁଏ ନାହିଁ ।

–ତମେ କ’ଣ ଭାବ ଅଳକା ମାନମୟୀଠାରୁ ବହୁତ ବେଶୀ ଅଲଗା ?

–ନିଶ୍ଚୟ ! ଆଉ ହେବାର କଥା । ଜଣେ ଜନ୍ମବେଳରୁ ଦୁଃଖୀ । ଆଉ ଜଣେ ଜନ୍ମରୁ ସୁଖୀ ଓ ଧନୀ । ଅଳକାର କଥାରେ ଏତେ ଛନ୍ଦକପଟ ନାହିଁ । ଅଳକା ଭାବେ ଯେ ସଂସାରଟା ତାହାର । ମାନମୟୀ ଭାବେ ଯେ ସେ ସଂସାରର–ଏତିକି ତାଙ୍କର ପ୍ରଭେଦ ବୋଲି ବୁଝା ଯାଉଛି ।

–ଆଛା, ଭଜକୃଷ୍ଣ, ଏଇ ମାନମୟୀ ପରି ଗୋଟାଏ ଆଜୀବନ ବନ୍ଧୁ ପାଇଲେ ତମେ ସୁଖୀ ହୋଇ ପାରନ୍ତ ?

–ସେଇଆ ଥରେ ମାନମୟୀ ପଚାରିଥିଲା ।

–କ’ଣ କହିଲ ?

–କହିଥିଲି ଯେ ପାଇବା ହେଉଛି ଗୋଟାଏ ଯୋଗ୍ୟତା । ସମସ୍ତେ ସବୁ ପାଆନ୍ତି ନାହିଁ ।

–ମାନମୟୀର ଜବାବ କ’ଣ ହେଲା ?

–ସେ କହିଥିଲା ସମସ୍ତେ ସବୁକଥା ଖୋଜନ୍ତି ନାହିଁ । ତେଣୁ ସମସ୍ତେ ସବୁ ଜିନିଷ ପାଇବେ ନାହିଁ । ପାଇ ନ ପାରିଲେ ତାଙ୍କର ଦୁଃଖ କାହିଁକି ହେବ ? କିନ୍ତୁ ଯିଏ ନ ପାଇଲେ ନିଜର ଗୋଟାଏ ଅପୂରଣୀୟ କ୍ଷତି ହୋଇଗଲା ବୋଲି ଭାବିବ–ସେହି ପାଇବାର କଥା । ତେବେ ପାଇବାର ଉପାୟ ସେ ଧରିବାକୁ ଶିଖିଥିବା ଦରକାର ।

–ପାଇବାର ଉପାୟ କ’ଣ ?–ରମାକାନ୍ତ ପଚାରିଲା ।

–ସେଇ କଥା ସେ ବୁଝାଇଥିଲା ଗାଈକଥା କହି–ମହୁମାଛି କଥା କହି । ଗାଈ ଦୁହିଁବାକୁ ଯାଇ ଜଣେ ଗାଈକୁ ଥୋମଣିମାଡ଼ ଚଢ଼ାଇଲେ କ୍ଷୀର ପାଇବ ନାହିଁ । ମହୁମାଛି ଧରିବାକୁ ଯାଇ ମହୁମାଛି ହାତ ମୁହଁରେ ବୁଲିଲେ ଯିଏ ଥରହର ହୋଇ ପଡ଼ିବ, ସେ ମହୁଫେଣାର ମହୁ ପାଇବ ନାହିଁ..... ପ୍ରତ୍ୟେକ ଲୋକ ଏମିତି ତାହାର ବିଶେଷ ଗୁଣର ସୌହାର୍ଦ୍ଦ୍ୟ ପାଇଲେ ତାହାର ଯାହା ହେବା କଥା ହେବ ।

–ମାନମୟୀ କ’ଣ ବୁଝାଉଥିଲା ତୁମକୁ ତାହାର ଗୋପନ କଥା ?

–ନା–ନା । ସେ କହୁଥିଲା ସଂସାରର କଥା । ଏଥିରେ ଭୁଲ କ’ଣ କହିଲା କି ? କଲେଜର ଅଧ୍ୟାପକଙ୍କ ନାମରେ ଆମେ କାନ୍ଥବାଡ଼ରେ ଓ ଖବର କାଗଜରେ ଲେଖାଇ ତାଙ୍କର ବିଦ୍ୟାବୁଦ୍ଧି କି ଚରିତ୍ର ଉପରେ କାଳି ବୋଳିଲେ ଅବା ତାଙ୍କର ବିଦ୍ୟାକୁ ବେଖାତିର କରି ପ୍ରଶ୍ନବାଣ ମାରିଲେ ସେ କ’ଣ ଆମକୁ ଭଲ ବୋଲି କହିବେ ?

–ନା, ତାଙ୍କର ଖରାପ ଗୁଣର ସହଯୋଗୀ ହୋଇ ସେହି ଖରାପ ଗୁଣକୁ ଲୁଚାଇଲେ ସେ ସବୁ କରି ପାରିବେ ।

 

–ଠିକ୍‌ କହୁଛ, ରମାକାନ୍ତ । ମାନମୟୀ ଠିକ୍‌ ସେଇଆ କହେ । ପ୍ରତ୍ୟେକ ମଣିଷର ବିଶେଷତ୍ୱ ଅଛି । ପ୍ରତ୍ୟେକ ମଣିଷକୁ କାମଧେନୁ କରିହେବ ଅବା ତା’କୁ ଅହି–ନକୁଳ ସମ୍ୱନ୍ଧରେ ରଖିଦେଇ ହେବ ।

–ଚାଲି ଆସିଲ କାହିଁକି ?

–ମୁଁ ଆସି ନାହିଁ । ମାନମୟୀ ଦିନେ କହିଲା–ଭାରି ଭୁଲ ହୋଇଗଲା ଭଜକୃଷ୍ଣ । ଆମେ ଆମ ଭିତରେ ଯେତିକି ନିକଟ ହେବା କଥା ତହିଁରୁ ବହୁତ ନିକଟକୁ ଆମେ ଚାଲି ଆସିଲେ । ତେଣୁ ଆମେ ଅଲଗା ହୋଇଯିବା ମଙ୍ଗଳର ବିଷୟ ହେବ । ....ତୁମକୁ ବିଦାୟ ଦେବା ପାଇଁ ମୁଁ ବହୁତ ଅସୁଖୀ ହେବି । ହେଲେ ବି ଅନ୍ୟ ବାଟ କିଛି ନାହିଁ ।

କହିଲା ବେଳେ ଭଜକୃଷ୍ଣର ଦୁଇ ଆଖିରୁ ଲୋତକଧାରା ବହି ଆସିଥିଲା । ସେ ଅଶ୍ରୁ ନୁହେଁ–ମର୍ମଭେଦୀ ଦୁଃଖର ସୂଚନା ।

ଅଳ୍ପ ସମୟ ପରେ ପ୍ରକୃତିସ୍ଥ ହୋଇ କହିଲା–କାହିଁକି ଭଲା ସେଇ ଅଭୁଲା କଥାକୁ ଆଉ ଥରେ ଆଣି ଖେଳାଇ ଦେଲି । ଭାବିଲେ ବଡ଼ ଆଘାତ ଲାଗେ । ସବୁ ପାଇ ମୁଁ ସବୁ ହରାଇଛି । ଆଉ କିଛି ପଚାର ନାହିଁ– ।

ମୁଁ ଏତେ କଥା ଶୁଣିବି ବୋଲି କଳ୍ପନା ମଧ୍ୟ କରି ନ ଥିଲି । ଏବେ ଜାଣୁଛି ଯେ ପ୍ରତ୍ୟେକର ଜୀବନରେ ଅସରନ୍ତି ବୈଚିତ୍ର୍ୟ ଥାଏ । ପ୍ରତ୍ୟେକ ମଣିଷର ଜୀବନ ଭୋଗର ଇନ୍ଦ୍ରଜାଲ-

ଅଳକା କଥା କହିବାକୁ ଭାବିଥିଲି । କହି ପାରିଲି ନାହିଁ । ଓଲଟି ଯାହା ଜାଣିଲି ସେତିକିରେ ବୁଝୁଛି ଯେ ଏଇ ସଂସାର ପାଇଁ ଆମେ ହୀନ ଓ ଅସମର୍ଥ । ଏଇ କଲେଜର ପାଠ, କଲେଜର କୋଠା ଓ ଏହାର ଦିଗ୍‌ବଳୟ ଆମକୁ ସଂସାର ପାଇଁ ଗଢ଼ି ପାରିଲା ନାହିଁ ।

–କେମିତି ଅବା ପାଠ କି ଲେକଚର ମଣିଷ ଗଢ଼ନ୍ତା ? କେଉଁ ଦିନ ଏକଥା ସମ୍ଭବ ହୋଇଥିଲା ଯେ ଆଜି ଆମେ କଲେଜକୁ ଦୋଷ ଦେବା ? ଏଇ କଲେଜରେ ରହିବାର ଓ ପଢ଼ିବାର ସୁବିଧା ପାଇଥିଲୁ ବୋଲି ଏତେ କଥା ଜାଣିଲୁ ସିନା ।

–କ’ଣ.....ମୁଁ ଆଜି ଅଳକା ଘରକୁ ଯିବି ନାହିଁ ?

–ଯିବନାହିଁ କାହିଁକି ? କୌଣସି କଥାରେ ଲୋଭାସକ୍ତ ହୋଇ ନିଜର ସାଧାରଣ ବିଚାରକୁ ହରାଇ ନ ବସିବା ପର୍ଯ୍ୟନ୍ତ କେଉଁଠାରେ କିଛି ବିପଦ ଆପଦ ନାହିଁ । ନଈ ସମୁଦ୍ର ଭଲ–ଭିତରକୁ ପଶିଗଲେ ବିପଦ ସିନା । ବଳାଗଣ୍ଠି ବା ଆଣ୍ଠୁଗଣ୍ଠି ଧୋଇ ଫେରି ଆସିଲେ ଅପକାର–ଅପବାଦ କି ବିପଦ କେବେହେଲେ ନାହିଁ ।

–ଭାବୁଛି ଯେ ଭାବିଚିନ୍ତି ବୁଝିବିଚାରି ଯିବା ଭଲ ।

–ଭାବିଚିନ୍ତି କାମ କଲେ ଶିଖି ହୁଏ ନାହିଁ । ମଣିଷ ସ୍ୱଭାବରେ ଭୟାଳୁ । ତେଣୁ ବୁଝି ବିଚାରି ସେ କାମ କରିବ । ସେଥିପାଇଁ ସଂସାରଟା ମଣିଷକୁ ନେଇ ଏଠି ସେଠି ପକାଇ ଦିଏ–ତାକୁ କିଏ କହେ ଦଇବର କୂଟ–କିଏ କହେ ସଂସାରର ଚକ । ଜବାବ ଦେଇ କଥା କରି ତା’କୁ ପୁଣି ଭାଙ୍ଗିବ କାହିଁକି ?

 

ଅଳକା କ’ଣ କହିବ ? କିଛି ପଚାରିବ କି ?

 

–କେଜାଣି ? ନିଶ୍ଚୟ ପଚାରିବ କିମ୍ୱା ପଚାରିଲା ପଚାରିଲା ଆଖିରେ ଦେଖିବ.....କ’ଣ ପାଇଁ ରମାକାନ୍ତ ଆସିଛି ?

 

–ଭାବିବ କ’ଣ ? ପାଇବ କ’ଣ ?

 

–ମଣିଷର ଗୋଟାଏ କୌତୂହଳୀ ଥାଏ । ସେଥିପାଇଁ ସେ ଆକାଶର ଇନ୍ଦ୍ରଧନୁଠାରୁ ଆରମ୍ଭ କରି ମାଟି ଭିତରେ ଜିଆ, ଉଇଟାଙ୍କୁ ଇତ୍ୟାଦିକୁ ଦେଖେ । ପାହାଡ଼ର ଉଚ୍ଚତା, ନଈର ଗଭୀରତାକୁ ବି ମାପେ । ତେଣୁ ପ୍ରତ୍ୟେକ ମଣିଷ ଆରକକୁ ମାପିବାକୁ ଚାହାନ୍ତି–ବିଶେଷରେ ସ୍ତ୍ରୀମାନେ ।

 

–ପାଆନ୍ତି କ’ଣ ?

 

–କିଛି ନାହିଁ । ତେବେ ଏହି ଯେଉଁ ଶୂନ୍ୟତା ବା କିଛି ନାହିଁ ବୋଲି ଜାଣିବା ହେଉଛି ଆମର ମନର ସୁଖ । ଆମର କୌତୂହଳ ହେଉଛି ମନର କଣ୍ଡୁ । ସେଥିପାଇଁ ଆମେ ସମସ୍ତେ ଆଖି, କାନ, ତୁଣ୍ଡ ମୁଣ୍ଡ ସବୁଯାକ କାମରେ ଲଗାଇ ଦେଇଥାଉ ।

 

–ଠିକ୍‌ କଥା । ଏଇ ଯେଉଁ ମନର କୁତୁକୁତୁ–ସିଏ ଆମର କାଳ । ଚାଲିବା ଶଗଡ଼ରେ ନ ଲାଗିଲେ ହାତ ଖଜବଜ ହୁଏ ।

 

ସମସ୍ତେ ଆସିଥିଲେ ପଢ଼ିବାକୁ । ସତେକି କଲେଜରେ ନ ପଢ଼ିଲେ ଜୀବନ ନଷ୍ଟ ହୋଇଗଲା । କିଏ ଆସି ଖାଲି ସିନେମା ଥିଏଟର ବହି ଦେଖିଲା ତ ଆଉ କିଏ ନିଶା ଅମଳ କଲା-? ଆସିଲା ପରେ ଅଲଗା ହୋଇଗଲେ–ଯିଏ ଯାହାର ମନ ମାନସିକ ନେଇ ପୁଟୁଳି ବାନ୍ଧିଲେ-

 

–ବଡ଼ ମାରାତ୍ମକ କଥା ହେଲା ଧନ ?

 

–କ’ଣ ଧନ ଏକା ? ଯୌବନ, ବୁଦ୍ଧି, ଉତ୍ସାହ, ସାହସ, କୌତୂହଳ–ପ୍ରତ୍ୟେକ ବିଷୟ ମାରାତ୍ମକ । ଏତେ ଗୁଡ଼ାଏ ବିସ୍ଫୋରକ ଭିତରେ ଧରି ମଣିଷ ଶେଷଯାଏ ସୁବିଧାରେ ଯିବାପାଇଁ କେବଳ ବୋକାମି ଓ ଭୟ ହେଉଛି ଏକମାତ୍ର ଉପାୟ ।

 

–ଆମେ ଧନରେ ହୀନ ହୋଇଗଲୁ ବୋଲି ସିନା ସବୁ କାମକୁ ଡରିଯାଇ ପାରିଲୁ । ଏଇ ଡର ବି କେଉଁଠି ରହୁଛି ଶେଷଯାଏ ?

 

ଘଡ଼ି କଣ୍ଟାରେ ପାଞ୍ଚଟା ବେଳ ପାଖେଇ ଆସିଲା । ରମାକାନ୍ତକୁ ଭାରି ଅସଜ ଲାଗିଲା–ସତେ କି ସେ ପରୀକ୍ଷାକୁ ଯାଉଛି । ଅଳକା ଘରେ ଆଜି ପରୀକ୍ଷା–ରମାକାନ୍ତ ପରୀକ୍ଷାର୍ଥୀ ।

 

ଭଜକୃଷ୍ଣ ସାଙ୍ଗରେ ଦେଖାହୋଇ ଏତେଗୁଡ଼ାଏ ଆଲୋଚନା ହୋଇ ନଥିଲେ ସେ ରମାକାନ୍ତ ହୁଏତ ଇତସ୍ତତଃ ହେଉ ନଥାନ୍ତା । ହାଲକୁ ଶୁଣିଲା ଗୋଟାଏ ବିଚିତ୍ର କାହାଣୀ–ପୂରାଟା ବି ଜଣାଗଲା ନାହିଁ । ସେ ଭାବୁଥିଲା ଭଜକୃଷ୍ଣ ଗୋଟାଏ ସାଧାସିଧା ଲୋକ–ସେଠି କ’ଣ ବା ସେ ନ ଦେଖିଲା ?

 

ଏମିତି ଅନ୍ୟକୁ ପଶୁଟାଏ ବୋଲି ଭାବି ଖୁସି ହେଉଥିଲା ବେଳେ ପୁଣି ଦେଖାଯାଏ ଯେ ଅସଲରେ ସେଇଟା ପଶୁ ନୁହେଁ–ତାହାର ବହୁତ କିସମର ଅନୁଭବ ହେଲାଣି ।

 

ଅଳକା ବି ନିଜକୁ ନିଜେ ମୁରୁକି–ହସା ଦେଉଥିଲା–ରମାକାନ୍ତ କଥା ଭାବି । ସେ ବି ଜଣେ ମଣିଷ ତାହାହେଲେ–ପୁରୁଷଟିଏ ହୋଇ ଆସିବ । ସେ ବି ଭକ୍ତି ଦେଖାଇବାକୁ ଦିନେ ଆସିବ–ସେମିତି ମନେ ହେଉଥିଲେ ବି ସତକୁ ସତ ସେ ଯେତେବେଳେ ବରାଦ ପଠାଇଲା, ଅଳକା ମନରେ ଗୋଟାଏ ନୂଆ କଥା ଦେଖାଦେଲା ।

 

–ଅଳକା କ’ଣ ତାହାହେଲେ ଶସ୍ତା ଦିଶୁଛି ? ଶସ୍ତା ଜଣାଯାଉ ନ ଥିଲେ ତାକୁ ମୂଲେଇବାକୁ କ’ଣ ରମାକାନ୍ତ ଆସନ୍ତା ? ......କେଜାଣି ହେଇପାରେ ଯେ ରମାକାନ୍ତର ଓଜନ ବଢ଼ିଛି ।

 

–କିଏ ଏହି ରମାକାନ୍ତ ?

 

–ଭାବିଲେ ବି କିଛି ମନେପଡ଼ିଲା ନାହିଁ । କଲେଜର ଘାସ ପଡ଼ିଆ ଓ କଲେଜ ଶ୍ରେଣୀର ଛାତ୍ର ପ୍ରାୟ ସମାନ । କିଏ କ’ଣ କଅଁଳ, ବୁଢ଼ା, ଶାଗୁଆ, ହଳଦିଆ ମଲା ଜୀଇଁଲା ଘାସକୁ ଠଉରକୁ ନିଏ ? ପାଦ ତଳର ଗୋଲ ଗୋଲ କଣ୍ଟା ଅବା ଆଖି ଆଗର ଫୁଲଗୁଡ଼ିକ ବେଳେ ବେଳେ ଆଖିରେ ପଡ଼ନ୍ତି । ରମାକାନ୍ତ କଣ୍ଟା ନୁହେଁ କି ଫୁଲ ନୁହେଁ ।

 

–ତାହାହେଲେ ସେ କ’ଣ ଘାସ ?

 

–ଘାସ ଛଡ଼ା ଆଉ କିଛି ନ ହେବାର କଥା । କାରଣ ଘାସ କେବେହେଲେ ବାଉଁଶ ହୁଏ ନାହିଁ । ସେ କ’ଣ ପାଇଁ ଅଳକାକୁ ସମ୍ଭାଷଣ କଲା ?

 

ଦୁଆର ପରଦା ଖୋଲି ନକ୍ଷତ୍ରମାଳୀ ଭିତରେ ପଶି କହିଲା–କି ମହାରାଣୀ ସାହେବ । ଆଜି କ’ଣ ଭାରି ମୁରୁକି ମୁରୁକି ହସ ? –କ’ଣ ହେଲା କି ?

 

–ହେଇ ଆ–ଆ । ଭାରି ଭଲ ହେଲା । ଆଛା କହିଲୁ ଆମର କଲେଜର ପୁଅ ପିଲାଗୁଡ଼ାକ ଆମକୁ ଖାଇଦେବେ ନା ଆମେ ତାଙ୍କୁ ଖାଇଦବା ?

 

ହୋ ହୋ ହସି ନକ୍ଷତ୍ର କହିଲା–ମୁଣ୍ଡ ଖରାପ ହୋଇଗଲାଣି ଅଳକାର ? ଆଲୋ, ଆମେ ସବୁ କ’ଣ ଖାଇବା ଏଇ କଲେଜ ବାବୁଙ୍କୁ ?

 

–ଆମେ ଖାଇଲେ ତ ମାଷ୍ଟ୍ର ଆଉ ତାଙ୍କର ଛାତକୁ ବି ଖାଇଯିବା ?

 

–କାହାକୁ ଏମିତି ନଅଙ୍କ ପଡ଼ିଛି ଯେ ସେ କଲେଜର ନାମଯାଦା ଛାତ୍ରୀ ହୋଇ କଲେଜ ପିଲାଙ୍କୁ ଖାଇବ ? ସେଗୁଡ଼ାଙ୍କୁ ଖାଇବେ ନିମ୍ନ ପ୍ରାଥମିକ ବିଦ୍ୟାଳୟର ଦିଦିମଣିମାନେ । କ’ଣ ହେଲା କି ?

 

–ନାହିଁ ମ । ଭାବୁଥିଲି ଗୋଟାଏ କଲେଜ ନାୟକକୁ ଆଣି ପାଖରେ ପୋଷିବାକୁ ।

 

–ସତରେ ଅଳକା, ସେମିତି ନାଁ ପକାଇ ସମସ୍ତଙ୍କୁ ଏକା ଡଙ୍ଗାରେ ବସାଇବୁ ନାହିଁ । କିଏ ସିନା ଜାତିବାଲା କୁକୁର କି ପୁସିଟିଏ ଆଣି ରଖେ । ଇଏ ଭାବିଲାଣି ରଖିବ କଲେଜ ଛାତ୍ରଟିଏ-। .....ଆଲୋ, ତମର କ’ଣ ଲୋକ ଦରକାର ପିଲାଙ୍କୁ ପଢ଼ାଇବା ପାଇଁ ନା ଘରକୁ ଜଗିବା ପାଇଁ-?

 

–ନାହିଁ ମ ।

 

–କଥାଟିଏ କହିବା ତ ଏମିତି କଥା କହିବା ଯେ ଲୋକ ଭାବିବ ସେଇ କଥାଟିରେ ଓଜନ ଅଛି । ଶବ୍ଦ କେଇଟା ମିଶିଲେ ବାକ୍ୟ ହୁଏ ବ୍ୟାକରଣ ବହିରେ । ସେତିକିରେ ତମ ଆମ ସମାଜରେ ବାକ୍ୟ କି କଥା, କିଛି ହବ ନାହିଁ ।

 

–ଆଛା, ଆମ କଲେଜରେ କ’ଣ ସେମିତି ଉପଯୁକ୍ତ ଛାତ୍ର ନାହାନ୍ତି ?

 

–ମଲା ଯା । ଉପଯୁକ୍ତ କଥାଟା ତୁଳନାରେ ଜଣାଯାଏ । ଖୋଜା ଲୋଡ଼ାରେ ବୁଝାଯାଏ-। ଆଉ ଏହି ତୁଳନା କରିବା କି ଖୋଜାଲୋଡ଼ାରେ କରିବା ପାଇଁ ପୁଣି ଗୋଟାଏ ଧାପ ଅଛି ତ-। ସବୁ କଥା ପୁଣି କ’ଣ ସବୁରି ସାଙ୍ଗରେ ତୁଳନା ? ....କାହିଁକି, କଣ ହେଲାକି ? ଏଡ଼େ ଆଚମ୍ୱିତ କଥାଟାଏ ପଡ଼ିଗଲା ?

 

–ହେଇ, ଗୋଟାଏ ସାଙ୍ଗପିଲା ଆସିବ ବୋଲି କହିଛି । ତା’କୁ ଦେଖିଥିଲି ସେ କେମିତି କେମିତି ଚାହୁଁଥିଲା–ଆମେ ଆକାଶର ତାରା କି ନଈ ସେପାରି ବଣକୁ ଚାହିଁଲା ପରି । ଆଜି କହିଲା–ଏଠିକି ଆସିବ । ମୁଁ ରାଜି ହୋଇଗଲି ।

 

ଓଃ, ସବୁ ଖରାପ କରିଦେଲୁ । ମୁଁ ହୋଇଥିଲେ କହିଥା’ନ୍ତି–ଧନମଣି ସାହେବ, ତମେ ଏତେ ପରିଶ୍ରମ କରି ଏଇ ଗରିବ କୁଡ଼ିଆକୁ ଆସି ମତେ ଲାଜରା କରିବ କାହିଁକି ? ମୁଁ ଯିବି ତମର ରାଜପ୍ରାସାଦକୁ ।

 

–ହେଃ, ଏମିତି କ’ଣ ଲୋକଙ୍କୁ ଭାଣ୍ଡିଆ କରନ୍ତି ?

 

–ଆଲୋ ବାବୁଆଣୀ । ଜାଣିନାହୁଁ ପରପୁରୁଷ ପିଲାଙ୍କ କଥା । ଦେଖେଇ ହବାକୁ ପାଲିସ୍‌ ହୋଇ ସଜ ହୋଇ ଆସନ୍ତି । ସେମାନେ ଭାବନ୍ତି ଯେ ମାଇପେ ସିଲକ୍‌ କମିଜ, ପଚାଶ ଟଙ୍କିଆ ଚଟି କି ଆଖିର ନୀଳ ଚଷମାକୁ ଭାରି ଲୋଭାନ୍ତି ।

 

–କିଏ ଜାଣେ ? କେମିତି କେମିତି ପ୍ରଚାର ହୋଇଯାଇଛି ଯେ ମାଇପେ ଲୋଭାନ୍ତି ପୁରୁଷଙ୍କର ଜୋତା, ଲୁଗା, ଅଙ୍ଗୀ ଓ ପଗଡ଼ିକୁ । ସେଥିଭିତରେ ଝରକଲମ, ରଙ୍ଗଣୀ ଚଷମା ଓ ମନିବ୍ୟାଗ ପାର ହୋଇଗଲା ।

 

–ୟା’ର ଦୋଷ ଆମଠାରେ । ଆମେ ଶାଢ଼ୀ, ବାଡ଼ି, ଗାଡ଼ି, ଗହଣା ଖୋଜିଲୁ । ପୁରୁଷମାନେ ଭାବିଲେ ଯେ, ଏଇ ଜିନିଷ ସେମାନେ ଆଣି ପିନ୍ଧିଲେ ହଠାତ୍‌ ଲୋଭନୀୟ ହୋଇପଡ଼ିବେ । ତେବେ କଲେଜ–ବନ୍ଧ କ’ଣ ଆଣିବେ ?

 

–ଆଣିବେ ସେ କ’ଣ ? ଅତି ହୀନିମାନିଆ ଦିଶୁଥିଲେ ତ ।

 

–ହେଲା–ହେଲା ସେ ଆଣିବେ ଅଠାଳିଆ କଣ୍ଠ ଭିତରୁ କିଛି ଡରିଲା ଡରିଲା କଥା ଆଉ ଆଣିବେ ତାଙ୍କର ଭୋକିଲା ମନର ପୁଳାଏ ଅଜୀର୍ଣ୍ଣ ସାହିତ୍ୟ ... ଅଳକା ଘରେ ଆଜି ଜାଗା ଅଣ୍ଟିବ ନାହିଁ । ସାବାସ୍‌–ଅଳକା–ସାବାସ୍‌ । ସେ ସବୁ କିଏ ?

 

Unknown

–ନାଁ ଟା ହେଉଛି ଗୋପନୀୟ ।

 

–ଓଃ, ବୁଝିଲି । ନାଁ ତାର ଅନାମ । ଅଳକା ବନାମ ଅନାମ–ବେଶ୍‌ ମଜ୍ଜାଦାର ଗଳ୍ପ ହେବ ।

 

–ହଁ, ହବ, ବେଶ୍‌ ଲମ୍ୱା ଗଳ୍ପଟିଏ ହେବ ।

 

–ଆମର କଲେଜ ଛାତ୍ରୀମାନଙ୍କ ତରଫରୁ ଆଜି ଏହି ଆଗୋଇ ଅଳକାକୁ ଅଭିନନ୍ଦନ ଜଣାଉଛି । ସାହିତ୍ୟର ଉନ୍ନତି ହୋଇ ପାରିବ ତ । ତମର ଜୀଅନ୍ତା କଥାବସ୍ତୁ ଉପରେ ହୁଏତ ସାର୍ବଜନୀନ ଅମର କାହାଣୀଟିଏ ଗଢ଼ି ହେବ । ନାୟକକୁ ହାତଛଡ଼ା କରିବ ନାହିଁ ।

 

ଅଳକା ହସିଲା–ରମାକାନ୍ତ କଥା ଭାବି । ବିଚରା ଅବୁଝା ରମାକାନ୍ତ । କି ଯୋଗରେ ଆଜି ସେ ପାଣିକୁ ଡେଇଁବ ?

 

ଅଳକାର ଓଠରେ ସେହି ବିଦ୍ରୂପର ହସ ଦେଖି ନକ୍ଷତ୍ର କହିଲା–ବୁଝି ଖବରଦାର ସାଙ୍ଗ-। ବିଚରା ଅନାମଟି ଯେମିତି ରାସ୍ତାରେ ରାଉଣ୍ଡ ନ ମାରେ ତମର ନାଁକୁ ଭଜନର ହତିଆର କରି-। ...ଆରେ, ଆଉ ଗୋଟିଏ କଥା–ସେ ଯେମିତି ଆତ୍ମହତ୍ୟା ନ କରେ ।

 

–କିଏ କାହିଁକି ଆତ୍ମହତ୍ୟା କରିବ ?

 

–ଆରେ ଦେଖୁନୁ ପାସ୍‍ ନ କରିବା ପିଲା ଫେଲ୍‌ ହୋଇଗଲେ କେମିତି ପ୍ରାଣକୁ ତ୍ୟାଗକରେ । ପରୀକ୍ଷା ଫଳ ବାହାରିବା ଆଗରୁ ହଠାତ୍‌ ତାହାର ଦୃଢ଼ ଭାବରେ ପ୍ରତ୍ୟୟ ହୋଇଯାଏ ଯେ, ସେ ଭଲ କରିବ । ପ୍ରକୃତରେ ଫେଲ ହେଲା ବେଳକୁ ଏଣେ ଅହଙ୍କାର ବେଲୁନ ସମ୍ଭାଳିବ କେତେକେ ?

 

–ଆମର ଅନାମ ବଡ଼ ନିଦା ମଣିଷ ।

 

–ଯା–ଯା । ନିଦା ମଣିଷ ଆସି କଲେଜର ପ୍ରସିଦ୍ଧ ଛାତ୍ରୀ–ସର୍ବଯୋଗ୍ୟତା–ସଂପନ୍ନା ଅଳକା ଦୁଆରେ ଦେଖା ଦେବ ? ଆଜିଯାଏ ଗୋଟାଏ ହେଲେ ନିଦା ମୁଦଗର ଏଠି ଆସି ପାଦଧୂଳି ଛାଡ଼ିଲାଣି ନା, ତମର ବାରଣ୍ଡାର ପାପୋଛରେ ?

 

–ଅନେକ ଆସିଛନ୍ତି । ତେବେ ଆମେ ସେମାନଙ୍କୁ ଏଠି କଅଁଳେଇ ଫାପୁସା କରିଦେଉ-। ଯେତେହେଲେ ଆମର ଚକଡ଼ା ନା...ଏଇଟା ?

 

–ମୁଁ ପରା ସେଇ ସକାଶେ କହୁଥିଲି ସବୁ ଠିକ୍‍ ରହିଲା । ଖାଲି ବେଠିକ ହେଲା ପରୀକ୍ଷା ସେଣ୍ଟରଟା–ସେଇଟାକୁ ଅଳକା–ପୁରରୁ ଅନାମ–ପୁରୀକୁ ଠେଲି ଦେଇଥିଲେ ନିଶ୍ଚୟ ଅମର କାହାଣୀ ହୁଅନ୍ତା । ଏଇ ଅଳକାପୁରୀର ତୀବ୍ରତାକୁ ହଜମ କରିବା ପାଇଁ ବିଶେଷ ଯୋଗ୍ୟତା ଦରକାର ।

 

–ହଉ, ଆଗ ଆମର ଅନାମଚନ୍ଦ୍ର ଆସି ସାରନ୍ତୁ । କ’ଣ ସବୁ କହୁଛନ୍ତି ଆମେ ଶୁଣିସାରୁ-। ତା’ପରେ ଦେଖିବା ଏଇ ଜାଗାର କ’ଣ ଦୋଷଗୁଣ ଅଛି ।

 

–ଅନାମଚନ୍ଦ୍ର ଅଲବତ୍‌ ଆସିବେ । ...ହେ କେଉଁଦିନ ଅଳକା ? କେତେବେଳେ ଆସିବେ ?...ଆମେ ଯଦି ଆସି ସେତିକିବେଳେ ଘାଟରେ ପହଞ୍ଚୁ ତାହାହେଲେ ଦଫା ଶେଷ–ତମର ଅସଂଖ୍ୟ ବନ୍ଧୁଙ୍କ ଭିତରୁ, ପତ୍ର–ବନ୍ଧୁ, ସିନେମା–ବନ୍ଧୁ, ଖଲିପା–ବନ୍ଧୁ, ଓସ୍ତାତ୍‌–ବନ୍ଧୁ ଆଉ ଦୋସ୍ତାନି–ବନ୍ଧୁ ଇତ୍ୟାଦି ଯେଉଁ ଅସଂଖ୍ୟ ପ୍ରକାରର ସଂଖ୍ୟାହୀନ ଲୋକ ଅଛନ୍ତି ସେମାନଙ୍କ ଭିତରୁ ଜଣେ ଯଦି ଆସି ପହଁଞ୍ଚେ ତେବେ ଦିନ ଗୋଟାକ ଭିତରେ ତମେ ଏହି ସହରରେ ପ୍ରସିଦ୍ଧ ହୋଇଯିବ ।

 

–ସବୁ ଖେଳ ବିଗାଡ଼ିବୁ କି ନକ୍ଷତ୍ର ? ତୁମକୁ ମୋର ଅନୁରୋଧ ରହିଲା–ମୋ ରାଣ–ତମର ହୃଦୟର ସମ୍ରାଟଙ୍କର ରାଣ–ଏହି କଥାକୁ ନେଇ ବଜାରରେ ସଟାଖେଳି ମତେ ଲୋକହସା କରିବ ନାହିଁ ।

 

–ମୁଁ ସବୁଥିରେ ରାଜି ଅଳକା । ତେବେ ଆନନ୍ଦଦାୟକ ମଜ୍ଜାଗପ କ’ଣ ଲୁଚିପାରେ ? ଆମେ ସିନା କିଛି କଥା ଲୁଚାଇବାକୁ ଖୋଜିଲେ ନାହିଁ ବୋଲି ଆମରି ନାଁରେ କଳଙ୍କର ପ୍ରଚାରର ମାତ୍ରା କମିଗଲା । ତାହା ନ ହୋଇ ଆମେ ଯଦି ଲୁଚାଚୋରାରେ ସିଗାରେଟ, ଭାଙ୍ଗ, ଗଞ୍ଜେଇ, ମଦ ଖାଉଥାନ୍ତୁ କି ତାସରେ ଜୁଆ ଲୁଚେଇ ଛପେଇ ଖେଳୁଥାନ୍ତୁ, ତାହା ହେଲେ ଖାଲି ଆମର ଗୋପନ ଜୀବନର ଅନୁସନ୍ଧାନରେ ଆମେ ପୂରା କଳଙ୍କିତ ହୋଇ ଯାଆନ୍ତୁଣି ।

 

–ସେଇଆ ଠିକ୍‌ । ନିଜକୁ ପୂରା ପ୍ରକାଶ କରିଦବ । ତାହାହେଲେ ଏଇ ଗୁଇନ୍ଦା ଓ ଗୁରୁଙ୍କର ଭିଡ଼ କମିବ । ପୁଣ୍ୟବାନ ମହାତ୍ମାମାନେ ଆମକୁ ଆଉ ପାପ ଅନୀତିରୁ ଉଦ୍ଧାର କରିବାକୁ ନିଜର ଜୀବନର ଲକ୍ଷ୍ୟ ବୋଲି ଭାବିବେ ନାହିଁ । ଅ–ସଂଶୋଧନୀୟ ନଳାପାଣି ନ କହି ନାଳ ପାଣି ବୋଲି ଛାଡ଼ିଯିବେ । ଅଳକା ତ ଅ–ସଂଶୋଧନୀୟା ।

 

–କିଏ ଖୋଜୁଛି ନର୍ଦ୍ଦମା ? ସମସ୍ତେ ଚାହୁଁଛନ୍ତି ଜାହ୍ନବୀ ଯମୁନା ଆଦିର ପବିତ୍ର ପାଣି । ଆହେ ବାବୁ, ତମେ ଯଦି ମୋଟେ ପାପୀ ନୁହଁ ତାହାହେଲେ ଏଇ ପବିତ୍ର ଗଙ୍ଗାଜଳ ତମର କି କାମରେ ଲାଗୁଛି ? ଆଉ ଯଦି ତମେ ଠିକ୍‌ ଅସଲି ପାପୀ ହୋଇଥାଅ ତାହାହେଲେ ବାବୁ ଆସ ଏହି ନାଳ ନର୍ଦ୍ଦମାକୁ–ଏଠି ମଧ୍ୟ ଜୀବମାନେ ଅଛନ୍ତି । ତାଙ୍କର ସ୍ୱାସ୍ଥ୍ୟ ଠିକ୍‌ ରହୁଛି । ବଂଶ ବି ବଢ଼ୁଛି-। ଆଉ ସେମାନେ ଗୀତବୋଲି ପାରୁଛନ୍ତି । ପଚାପାଣିର ବିଷ ସେମାନଙ୍କର ଜୀବନକୁ ଖାଇଯାଉ ନାହିଁ ।

 

–କିଏ ବୁଝିବ ଯୁକ୍ତିକୁ ? ପେଚାପରି ଆଲୁଅକୁ ଡରିବେ । ଦୁନିଆ ଯାକ ଭଲଭଲ ବୋଲି ଆଉଡ଼େଇବେ । ସତେ ଯେପରି ସେମାନେ ସଂସାରର ସ୍ରଷ୍ଟା ଓ ପାଳନକର୍ତ୍ତା । ସେଇ ପାଜିମାନେ ହେଉଛନ୍ତି ରସଭଙ୍ଗର କାରଣ ।–ମାଷ୍ଟର ସାହେବ ନଟରାଜଙ୍କ ପରି ।

 

–ସତେ ଅଳକା, ଏଇ ନଟବର କଥା ଭାବିଲେ ମତେ ହସ ଲାଗେ । କେଡ଼େ ମଜ୍ଜାରେ ସେ ଘୋର ପବିତ୍ର ମନଦେଇ ଅତି ଅପବିତ୍ର ଦେହକୁ ଓହ୍ଲାଇ ଯାଇପାରେ । ମୋର ଭାରି ମାୟାହୁଏ ନଟରାଜ ଉପରେ ଲୋକଟା ଭାରି ଭୀରୁ । ତେଣୁ ସେ ଯେ ସବୁବେଳେ ଧର୍ମ, ନୀତି, ମନ, ପାପ କଥା ଭାବୁଥାଏ । ହେଲେ ମଣିଷଟାଏ ତ ।

 

–ଖାଲି ମଣିଷ ? ସେ ଦରମା ପାଉଛି ଦିନକୁ ସତେଇଶି ଟଙ୍କା । ତିନିଟଙ୍କା ଲେଖାଁଏ ପାଉଥିଲେ ଖାଇବାର ଅଭାବରେ ସିନା ସିଧା ଲାଇନ ଉପରେ ରହି ପାରୁଥାନ୍ତା । ସତେଇଶ ଟଙ୍କା ସରକାର ଘରୁ ପ୍ରତିଦିନ ଆଣିଲେ କ’ଣ ବା ସେ କହିବ ? ଯାହା ଯେତେ ବଢ଼ିଆ ଜିନିଷ ସୁବିଧାରେ ଧରେ ସେତକ ଭିତରକୁ ଠେଲେ । ତେଣୁ ତାହାର ଧମନୀରେ ଚାଲେ ବିଜୁଳିର ଗରମ...ଏଣେ ଛାତ୍ର ଦଳ ଆଖି ସାମନାରେ ।

 

–ବେଶ୍‌ ମଜ୍ଜାରେ କହିଲ ମ । ଏଇ ଅଭାଗା କ’ଣ ଦିନେହେଲେ ଭାଗ୍ୟବାନ୍‌ ହବ ନାହିଁ-? ...ମନେ ପଡ଼ୁଛି ଅଳକା ?

 

–ନ ହେବ କାହିଁକି ? ଦିନେ କାହିଁକି ବେଶୀଦିନ ଭାଗ୍ୟବାନ୍‌ ହେଉ ନାହାନ୍ତି ? ପରୀକ୍ଷାରେ ସୁନା ମେଡ଼ାଲ ଦିଆଇ ପାରିବେ ?

 

–କେମିତି ? ପାଠ ନେଇ ମେଡ଼ାଲ ବାହାରେ ।

 

–ସେ କଥା କିଏ ପଚାରୁଛି ? ସ୍ୱର୍ଣ୍ଣକାର ମେଡ଼ାଲ ଦଉଛନ୍ତି । ଆମକୁ କ’ଣ କିଣି ଆସେ ନାହିଁ ? ମେଡ଼ାଲଟା ଆମକୁ ଦିଆଇବା କଥା । ଦିନେ ଆମେ ସେ ଭାଗ୍ୟ ପାଇ ନିଜକୁ ଧନ୍ୟ ମନେକଲେ କୃତଜ୍ଞତାର ପ୍ରତିଦାନ କ’ଣ ବା ନ ହୋଇ ପାରିବ ?

 

...ଆଛା ନଟରାଜ ତାହାର ବଳ କୌଶଳ ଲଗାଇ ଦେଖୁ ।

 

–ସେତିକି ଦିନଯାଏ ଏହି ଚୁକ୍ତିଟା ସିଦ୍ଧ ହେବ ନାହିଁ । କେହି କାହାକୁ ଭଣ୍ଡିବେ ନାହିଁ । ଯିବା ଆସିବାର ଡୋର ଲାଗିଥିବ । କିନ୍ତୁ ଆତ୍ମୀୟତାର ଗଣ୍ଠି ପଡ଼ିବ ନାହିଁ ।

 

–ଏମିତି କହି କହି ଆମକୁ ତେବେ ନକ୍ଷତ୍ରମାଳିନୀ ଠକୁଥିବ । କିଛି ତ ନାହିଁ । ଆଉ ଏତେ ଆପଣା–ଆପଣି ଚାଲୁଛି କେମିତି ? କିଏ ଠକିବ କାହାକୁ ?

 

–ବଣିଜରେ ଠକେଇ ଅଛି । କିନ୍ତୁ ଚୁକ୍ତିରେ ଦଗଲବାଜି ନାହିଁ ଉପରକୁ, ତାହା ଉପରକୁ, ସିଡ଼ି ପଡ଼ିଛି । ଦଗଲବାଜିର ଖବର ହଠାତ୍‌ ଖେଦିଯାଏ ଚଉଦ ଭୁବନ । ଗୁରୁ–କ୍ଷେତ୍ରରେ ଦଗଲବାଜୀ ହେଲେ ଭେଳା ବୁଡ଼ିଲା । କାରଣ ଗୁରୁଦେବ ଓ ବାୟସ–ଦେବ ସମାନ । ନଟରାଜ ବାବୁଙ୍କ କଥା ଆଉ କୁଆର କୂଜନ ସମାନ ମନେହୁଏ ।

 

–ଏମିତି କଥା କହୁଛ ତ ନକ୍ଷତ୍ର । ମାଷ୍ଟର ସାହେବ ତ ସମାନ ଆକର୍ଷଣରେ ଟାଣି ହୋଇ ରହିଲା ପରି ଜଣା ଯାଉଛନ୍ତି । ଏଥର ପରୀକ୍ଷା ଫଳ ବେଳକୁ ବୁଝାପଡ଼ିବ ସବୁକଥା ।

 

–ଦେଖାଯାଉ । ବଡ଼ର ବଡ଼ିମା ଯିଏ ଦେଖାଇ ସେ ତାହାର ଅକଲର ବୁଝାରତ ଦବ । ଆମର ସେଥିରେ କ’ଣ ଅଛି ? ଚରିତ୍ରହୀନ ଲୋକ କ’ଣ ସବୁ କାମକୁ ଧୁରନ୍ଧର ନୁହେଁ ?

 

–ସେ ତାହାର ପରିବାରକୁ ଭଣ୍ଡୁଛି କେମିତି ?

 

–ଏହି ନୀତିଶ୍ଳୋକରୁ ମାଳେ ଶୁଣାଇ । ମାଷ୍ଟର ସାହେବ ନା–ସ୍ମରଣ ଶକ୍ତି ତେଜ । ଆଉ ଲୋକେ ତ କଥା ଶୁଣି ହାୟ–ହାୟ । ମନ୍ତ୍ରୀଙ୍କର ବାଣୀ ବେଦବାକ୍ୟ । ଜିଲା କଲେକ୍ଟରଙ୍କର ବାଣୀ–ସିଏ ତ ଉପନିଷଦ । ଗାଁ ସରପଞ୍ଚ–ସ୍କୁଲର ସମ୍ପାଦକ ଅବା ଭଡ଼ାଟିଆ ବକ୍ତାଙ୍କର ବାଣୀ–ସେ ସବୁ ତ ପଥରରେ ଖୋଳା ହୋଇ ରଖାଯିବା ଉଚିତ୍‌ ।

–ହଁ, କେମିତି ଭଣ୍ଡୁଛି ?

–କହୁଥିଲେ ଥରେ । ଟଙ୍କା ବଳରେ । ଆଉ ତାଙ୍କର ସ୍ତ୍ରୀଙ୍କର କୌଣସି କଥାକୁ ବିରୋଧ କରନ୍ତି ନାହିଁ । ଘରଣୀ ଯେତେ ଅଡ଼ୁଆ କରେ ସେ ସେତେ ହସ–ହସ । ବିଚାରୀ ସେଇ ସେତକରେ ଘୋଳି ଯାଇଛି । ଏଣେ ତ ଆମେ ଦେଖୁଛୁ ମାଷ୍ଟର ସାହେବଙ୍କର ରୂପ ।

–ଏମାନଙ୍କୁ ପ୍ରଶ୍ରୟ ଦେବା ଉଚିତ୍‌ ନୁହେଁ ।

–ବାଃ, ଭଲ କଥା ପଦେ ବାହାରିଲା । ଏମାନଙ୍କୁ ସରକାର ଆଣି ଥୋଇ ବଢ଼େଇ ଭଲ ଭଲ କହି ବଡ଼ କରି ଦେଲାଣି । ସେ ଚରିତ୍ର ନଷ୍ଟ କଲେ ବୋଲି ଆମେ କ’ଣ ଯାଇ ତାଙ୍କ ଉପରେ କାଳି ଆଉ ଏସିଡ଼୍‍ ଫିଙ୍ଗିବୁ ? –ବଦଳରେ ଅତର ଓ ଫୁଲ ଦେଇ ଅଭ୍ୟର୍ଥନା କଲେ ଆମର କାମ ହୋଇଗଲା ତ ।

–ଏ ଜବରଦସ୍ତି ଭାବ ବିରକ୍ତ ଲାଗେ ।

–ଜବରଦସ୍ତି ନାହିଁ କେଉଁଠି ? ଏଇ ଅନାମ ଚନ୍ଦ୍ର କହ, ମାଷ୍ଟର ନଟରାଜ କହ ବା ଆଉ ଯାହାକୁ କହ ପିଲାଠାରୁ ବୁଢ଼ାଯାଏ, ପୁଲିସ ଠାରୁ ଡକାଏତ ଯାଏ, ହାକିମଠାରୁ ଜଜ୍‌ଯାଏ କିଏ ବା ଜବରଦସ୍ତି ଦେଖାଉ ନାହିଁ ? ମାଷ୍ଟର ସାହେବ ତ ଘୁସ୍‌ ଖାଉ ନାହାନ୍ତି–ନିଜର ଚରିତ୍ରଟାକୁ ଖାଉଛନ୍ତି-। ସେତିକି, ଆଉ ଅନାମ କ’ଣ ପାଇଁ ଆସୁଛି ?

–ମୁଁ ଡାକିଥିଲି ବୋଲି ।

–ଓଃ, ଅଳକା ଡାକିଲା । ତାହାର କ’ଣ ଅଭାବ ରହିଛି ଯେ ସେ ଯାଇ ଅନାମ ଖବର ବୁଝୁଥିଲା ?

–ଛାଡ଼ ସେ କଥା । ସତ କହିଲ ନକ୍ଷତ୍ର–ନଟରାଜବାବୁ କ’ଣ ନକ୍ଷତ୍ରର ଜବାବରେ କାମରେ ଲାଗିଛନ୍ତି ? ସେ ବଇନା ନେଇ ନାହାନ୍ତି ?

–ଧେତ୍‌, କଣ ଗୁଡ଼ାଏ କହୁଛ ? ସେ ସେମିତି ଲୋକ ନୁହନ୍ତି । ସେ ଜଣେ ପ୍ରକୃତରେ ହୃଦୟବାନ୍‌ ଲୋକ । ସେ ଅପରକୁ ଠକେଇବେ କାହିଁକି ? ମଣିଷ କ’ଣ ମଣିଷର କଥାକୁ ବିଶ୍ୱାସ କରି ପାରିବ ନାହିଁ ? ବିଶ୍ୱାସରେ ଜଗତ ଚାଲୁଛି ।

 

–ବିଶ୍ୱାସରେ ନୁହେଁ ବିଶ୍ୱାସକୁ ଆଖିଠାର ମାରିବାରେ ସଂସାର ଚାଲୁଛି । ନଟରାଜ ତାଙ୍କର ପ୍ରିୟତମା ଘରଣୀକୁ ଆଖିଠାରରେ ଯେମିତି ଭୁଲେଇଛନ୍ତି ଠିକ୍‌ ସେମିତି ନକ୍ଷତ୍ରମାଳୀ ତା’ର ଆଖିଠାରରେ ନଟରାଜଙ୍କୁ ଭୁଲେଇଛି । କେହି କାହାକୁ ଶେଷରେ ଠକିବେ ନାହିଁ । ଠକିବା ବଡ଼ ବିପଦଜନକ ଅପରାଧ ।

 

–ଏଇପରି ସଂସାରରେ ପୁଣି ଏଇ କଲେଜରେ, ଏଇ ସହରରେ ଆମକୁ ଏତେ କଥା ଶୁଣାଇଲେ ?

 

–ଫାଦା ମାଡ଼ି ନାହାଁନ୍ତି । ଦୂରରୁ ପାଟି କରିଛନ୍ତି–ବିପଦ–ବିପଦ–ସାବଧାନ । ବିଜୁଳି ଷ୍ଟେସନରେ ଦୁଇଟି ହାଡ଼ର ଓ ଖପୁରୀର ଚିହ୍ନପରି । ବିଜୁଳିର କଳକବ୍‌ଜା ଚଳାଇ ବିଜୁଳିବାଲା ପେଟ ପୋଷେ । ସାପକୁ ଧରି ପୋଷି ସାପୁଆ ପେଟ ପୋଷେ । ଯିଏ ସବୁକୁ ଅଭାଜନ, ସେମାନେ ସେତିକି ବକୁବସ୍ କରିଥାନ୍ତି । ଖରାପ ପାଖକୁ ଯିଏ ଆସିବ–ସେ ଖରାପକୁ ତାହାର ଜପାମାଳୀ କରିବାକୁ ବାଧ୍ୟ ।

 

–ହଉ, ଏଥର କହ ଅନାମ କିଏ ?

 

–ମିଛକଥା । ଚାଲ ସାଙ୍ଗହୋଇ ପନ୍ଦରଦିନ କେଉଁଠି ବୁଲାବୁଲି କରି ଆସିବା । ଗୋଟାଏ ମଜ୍ଜା କରିବାକୁ କହୁଥିଲି ସେମିତି, ଅନାମ କିଏ ?–ଅନାମ କାହିଁକି ଏଠିକି ଆସିବ ? ଆମର ବିଚିତ୍ର ଜୀବନରେ ଆଉ କ’ଣ କାହାର ସ୍ଥାନ ଅଛି ? ଆମକୁ ଏକୁଟିଆ ହୋଇ ରହିବାକୁ ପଡ଼ିବ ।

 

–ସତରେ ଅଳକା । ଆମର ଭବିଷ୍ୟତ ଭାରି ଅନ୍ଧାରିଆ । ଆମର ସ୍ଥାନ କେଉଁଠି ହବ ନାହିଁ । ନିଜର ଗୁଣରେ ନିଜେ ପୋଡ଼ି ହୋଇ ଆସିଲୁଣି । ଏଣିକି ପୋତି ହୋଇଯିବୁ ।

 

–ସେ କଥା ସବୁ ଭାବି ଲାଭ କ’ଣ ? କିଏ ଆଗରେ କିଏ ପଛରେ ଲୋପ ପାଏ । ଆମର ଲୋପ ହୋଇଯିବା ଯୋଗ ଶୀଘ୍ର ଆସିଗଲେ ଆଉ ଉପାୟ କ’ଣ ? ଶେଷ ହୋଇଯିବା ଭଲ ।

 

–ଏତେ ସମ୍ପଦ, ଏତେ ଗୌରବ ତାହାହେଲେ ଗୋଟାଏ ଜୀବନ ପାଇଁ ସ୍ଥାୟୀ ହେବ ନାହିଁ ?

 

–କିଏ ଜାଣେ ? ଯେଉଁମାନେ ସାମାନ୍ୟ ସଫଳତା ପାଇବେ ବୋଲି ଆଜୀବନ ସାଧ୍ୟ ସାଧନା କରୁଥାନ୍ତି ତାଙ୍କୁ ଏଇ ସୃଷ୍ଟିଟା ସବୁବେଳେ ବିହ୍ୱଳ କରେ । କିନ୍ତୁ ଯେଉଁମାନେ ଅଳ୍ପ ବୟସରେ ସଫଳତା ପାଇଥାନ୍ତି ତାଙ୍କ ପାଇଁ ସବୁଯାକ ଶୂନ୍ୟ–ହାହାକାରମୟ । ସେଇଆ ଯଦି ଆମକୁ ମିଳେ, ତେବେ–ତେବେ...

 

କହିବାର ତନ୍ମୟତାରେ ନକ୍ଷତ୍ରମାଳୀ ନୀରବ ହୋଇଗଲା । କ’ଣ ଭାବି ଟେବୁଲ ଉପରେ ହାତ ଭରାଦେଇ ମୁହଁ ଢାଙ୍କିଲା । ବିକ୍ଷୁବ୍‌ଧ ଜୀବନରେ ପରିଣତି ନକ୍ଷତ୍ରକୁ ଭୟ ଦେଖାଇଲା । ଜୀବନର ଦୀପ ଏତେ ଆଲୋକ ଦେଇ ସବୁଦିନକୁ ରହିପାରିବ ନାହିଁ ।

 

ଅଳକା ସେମିତି ବିବ୍ରତ ଭାବରେ ଚାହିଁଥିଲା ନକ୍ଷତ୍ରକୁ । ଦିହେଁ ସମବୟସୀ–ଅନ୍ତରଙ୍ଗ ବନ୍ଧୁ । ଜୀବନରେ ଏହି ବାଇଶି ବର୍ଷର ଯାତ୍ରା ପଥରେ ଯେତେ ଭୋଗ, ଅନୁଭବ ଓ ଦୃଶ୍ୟ ଦେଖିସାରିଲେଣି ସେଥିରେ ଆଉ କ’ଣ ହେବ କି ନ ହେବ ଭାବିବାର କଥା ନାହିଁ ।

 

ଅଳକା ସେତେବେଳେ ଭଜକୃଷ୍ଣ କଥା ଭାବୁଥିଲା–ଆହା, ବିଚରା କେଡ଼େ ସରଳ ? ଅଳକା ସାଙ୍ଗରେ କଥା କହିବ ବୋଲି କେତେ ବିହ୍ୱଳ ? ଅଳକା ସେହି ରମାକାନ୍ତ ଆଖିରେ ଗୋଟାଏ ଦେବୀ–ଗୋଟାଏ ଅପ୍‌ସରା । ଅଳକାର ମନଟା ଅସୀମ କରୁଣାରେ ଭରିଗଲା । ଅଳକାକୁ ହେଲେ ମିଳନ୍ତା ଏଇ ରମାକାନ୍ତ ପରି ଜଣେ ଲୋକ.....ମିଳିପାରିବ କି ? ସେ ଯୋଗ୍ୟତା କ’ଣ ଅଳକାର ଅଛି ? –ଆଉ କ’ଣ କିଛି ବଳକା ରହିଛି ଅଳକା ପାଖରେ ? –ଏଇ ଭଜକୃଷ୍ଣ ପାଇଁ ?

 

ନକ୍ଷତ୍ରମାଳୀ ମନଟା ପିତା ହୋଇ ଯାଇଥିଲା । ଉଦ୍ଦାମ ଓ ଉତ୍ସୃଙ୍ଖଳ ଜୀବନର ପରିଣତି ହେଉଛି ରିକ୍ତତା । ପ୍ରତିଶ୍ରୁତି ଯେତିକି ଅଧିକ–ବ୍ୟର୍ଥତା ମଧ୍ୟ ସେତିକି ଅଧିକ ।

 

କିଏ ଚାହେଁ ରିକ୍ତ ହେବାକୁ ? ମଣିଷ ସ୍ୱଭାବରେ ସମ୍ପଦ–ସର୍ବସ୍ୱ । ପଶୁମାନେ କେବଳ ରିକ୍ତ ହୋଇ ପାରନ୍ତି । ସେମାନଙ୍କର ଭବିଷ୍ୟତର ବିଚାର ନାହିଁ ।

 

–ଉଠ, ନକ୍ଷତ୍ର । କ’ଣ ଏତେ ମୁଣ୍ଡପୋତି ଭାବୁଛ ?

 

–ଭାବୁଥିଲି ମୁଁ ହେଲେ ଗୋଟାଏ ପଶୁ କି ପକ୍ଷୀ ହୋଇଥା’ନ୍ତି । ତାହାହେଲେ ଭବିଷ୍ୟତ ଆମକୁ ଡରାଇ ପାରନ୍ତା ନାହିଁ ।

 

–ବାଜେ କଥା । ବ୍ୟର୍ଥତାର ଔଷଧ ହେଉଛି ନିଶା । ଆମେ ମଣିଷମାନେ ହଜାର ହଜାର ବର୍ଷ ହେଲାଣି ଏମିତି ବ୍ୟର୍ଥ । ସେଥିପାଇଁ ନିଶାପାଣି ଚାଲିଛି କେଉଁ ଅତୀତରୁ କେଜାଣି । ଭଗବାନ ମଧ୍ୟ ସେଇଆ ବୁଝିଛନ୍ତି । ମଦ, ଅଫିମ, ଗଞ୍ଜେଇ, କୋକେନ୍‌, ଦୋକ୍ତା, ଗରଳ–ସବୁ ତାଙ୍କରି ଭିଆଣ ।

 

–ଔଷଧରେ ଆଉ ରୋଗ କମିବ ନାହିଁ ।

 

–ନା । ଭୁଲ କଥା । ଏବେ ବି କମିବ–ସବୁବେଳେ କମିବ । ସମସ୍ତଙ୍କର କମେ । ବ୍ୟର୍ଥତାର ଔଷଧ ଖାଇବ ?

 

–ନାହିଁ, ଅଳକା । ନିଶାର ବଳରେ ହୃଦୟକୁ ଶାସନ କରିବାକୁ ଇଛା ହେଉ ନାହିଁ ।

 

ଅଳକା ଉଠିଗଲା । ଟିକକ ପରେ ଔଷଧ ଗିଲାସ ଦୁଇଟି ଆଣି ହସି କହିଲା–ହେ, ରୋଗୀ । ଉଠ–ଚାହଁ–ଔଷଧ ଡାକୁଛି ।

 

–ନା–ନା ।

 

–ରୋଗ ହେବା ନକ୍ଷତ୍ରର ଇଛା ନୁହେଁ । ରୋଗୀ ହେବାକୁ ନକ୍ଷତ୍ରମାଳୀ ଚାହେଁ ନାହିଁ । ତଥାପି ଯଦି ସେ ରୋଗରେ ପଡ଼ିଲା ଔଷଧ ଖାଇବ କିଏ ? ରୋଗୀ ନା ଡାକ୍ତର ?

 

ହସି ନକ୍ଷତ୍ର କହିଲା–ଅଳକା ରାଣୀ ତାହାହେଲେ ଜଣେ ବଡ଼ ଚିକିତ୍ସକ ହେଇଗଲେଣି । ରୋଗୀ କେବଳ ବଇଦ ହେଇପାରେ......ଏଥର ମୁଁ ଯାଏଁ ଅଳକା, ଆସିବି–କଥା ହେବା । ମନଟା ଭାରି ଦବିଗଲା ।

 

–ମନଟା କିଛି ଧାତୁଟିଏ ନୁହେଁ ଯେ ନରମିଆ ହୋଇଯିବ । ଭାବନାର ସ୍ରୋତର ଲକ୍ଷ୍ୟ ମଣିଷର ମନକୁ କେତେବେଳେ ଉପରକୁ ଉଠାଏ ତ କେତେବେଳେ ତଳକୁ ଖସାଏ । ଶୀତ ହେଉଛି ତ ଗରମ ଲୁଗା ଆଣ । ଗରମ ଲାଗୁଛି ତ ଚନ୍ଦନ କି ଇଉଡିକଲନ୍‌ ଲଗାଅ । ଦେହ ସେମିତି ଗୋଟାଏ ।

 

–ଠିକ୍‌ । ମନଟି ବି ସେମିତି ଗୋଟିଏ । ଦେହ ପରି ମନ ମଧ୍ୟ ଉପଚାର ଖୋଜେ ।

 

–ଏଇ ଆଜିର ଦିନକୁ–ଆଜିର ଦିନର ଏଇ ମୁହୂର୍ତ୍ତଟିକୁ–ଆଉ ଏହି ନିତ୍ୟ ବର୍ତ୍ତମାନ ମୁହୂର୍ତ୍ତଟିକୁ ପୂଜା କରାଯାଉ । କାଲି କଥା କାଲି ବୁଝାଯିବ ।

 

ତରୁଣୀ ଦୁଇଟି ପରସ୍ପରକୁ ଚାହିଁଥିଲେ । ଆଧୁନିକତାର ନୂଆ ବାଟୋଇ ଦିଓଟି ବର୍ତ୍ତମାନର ମୂଲ୍ୟବୋଧର ଅଟକଳ ନେବାରେ ଭାରସାମ୍ୟ ହରାଉଥିଲେ ।

 

ସଂସାରର ଚକ ଗଡ଼ି ଚାଲୁଥିଲା–ଆଗକୁ–ଆଗକୁ । ସେଇ ଚକର ମାଡ଼ରେ କେତେ କୀଟପତଙ୍ଗ ଲୋପ ପାଉଥିଲେ । ପୁଣି କେତେ ବଞ୍ଚିଯାଇ ଆସନ୍ତା ଦୁର୍ଘଟଣାକୁ ଅପେକ୍ଷା ରଖୁଥିଲେ । ଇଏ ହେଉଛି ସଂସାର ।

 

ଘଟଣା ଘଟୁ ନ ଥିବା ଜୀବନ ଭାରି ନୀରସ । ସହରରେ ବହୁତ ଘଟଣା ଘଟେ–ସେଥିପାଇଁ ସହର ପାଇଁ ସବୁବେଳେ ଆକର୍ଷଣ । ରହିବା ଅସୁବିଧା ହେଲା । ଚଳିବା ଅସୁବିଧା ହେଲା । ରାସ୍ତାରେ ଦୁର୍ଘଟଣା ଘଟିଲା । ହାଣ କାଟ ହେଲା–ଭାବିଲେ ଦେହ ଥରି ଉଠେ । ଦେଖିଲେ ମନ ଭିତରଟା ହାହାକାର କରେ । ହେଲେ ମଧ୍ୟ ସେତିକି ହେଲା ତାହାର ଆକର୍ଷଣର ଚୁମ୍ବକ ।

 

ବହୁତ ଘଟଣା ଘଟିଲେ ଦୁର୍ଘଟଣା ମଧ୍ୟ ଘଟିବ । ଏଥିରେ ଆଶ୍ଚର୍ଯ୍ୟର କଥା କ’ଣ ଅଛି-? ଯେଉଁମାନଙ୍କର ଜୀବନ ଅତି ସରଳ ଆଉ ଗତିପଥ ଅତି ଧୀର–ସେମାନେ ହେଲେ ଦେଖଣାହାରୀ । ତାଙ୍କ ଜୀବନରେ କିଛି ନ ଥାଏ ଜନ୍ମରୁ ମରଣର ଫାଟକକୁ ଚାହିଁଥାନ୍ତି–ଏକ ଲୟରେ । ସେହିମାନେ ହେଲେ ଏହି ସଂସାରର ବଡ଼ କୁହାଳିଆ ।

 

–ହେଇରେ । ...ସାବଧାନ... ମରିଯିବୁ ଯେ । ସେମିତି ଉତ୍ପାତିଆ କ’ଣ ହେଉଛୁ ? ପୁଲିସ୍‌ ମଧ୍ୟ ରାସ୍ତାରେ ନୋଟିସ ମାଳ ମାଳ ଟାଙ୍ଗିଥାଏ–ଆମେ ତୁମକୁ ଭଲପାଉ; କିନ୍ତୁ ତମର ବେଗକୁ ସୁଖ ପାଉନାହିଁ–ସହି ସମ୍ଭାଳି ଗାଡ଼ି ଚଳାଅ–ନଇଲେ ଦେଖିବ ଯେଉଁ ଜୀବନଟିକୁ ଆଦର କରୁଛ ସେ ହାତଛଡ଼ା ହେଇ ଯାଉଛି ।

 

ଯେତେ ପ୍ରକାରରେ ଯିଏ ଯାହା କହିଲେ ମଧ୍ୟ ଅନେକ ଲୋକ ବେଗଗାମୀ ଗତିଶୀଳ ଜୀବନରେ କେବଳ ବଞ୍ଚି ପାରନ୍ତି । ନିରସ, ଆବେଗହୀନ, ଗତିହୀନ, ଧୀରମନ୍ଥର ଜୀବନ ସେମାନଙ୍କୁ ବିଷପରି ଲାଗେ ।

 

ଏଇ ଅଳକାରାଣୀ ଓ ନକ୍ଷତ୍ରମାଳୀଙ୍କପରି ସ୍ତ୍ରୀ ଯେମିତି ଅଛନ୍ତି ସେମିତି ଅସଂଖ୍ୟ ପୁରୁଷ ଅଛନ୍ତି । ସେମାନଙ୍କୁ ଭୀରୁ ଅମଲା ମନର ଲୋକ ଭୋପା, ବାହାପିଆ, ହାଉଡ଼ା, ହୁଣ୍ଡା ଇତ୍ୟାଦି ଯେତେ ପ୍ରକାରର ସମ୍ବୋଧନ ଜଣାଇଲେ ମଧ୍ୟ ସେଇ ଯେଉଁ କେତୋଟି ଲୋକ ଜୀବନକୁ କ୍ଷଣିକର–ଦିନକର–ଓ ମୁହୂର୍ତ୍ତର ମାଦକତାରେ କଟାଇ ଉପଭୋଗ କରିବାକୁ ଯାଇ ଗୋଟାଏ ଗୋଟାଏ ଅମୂଲ୍ୟ ଜୀବନର ପ୍ରତିଶ୍ରୁତିକୁ ବରବାଦ କରି ଦିଅନ୍ତି ସେମାନେ ବନ୍ଦନୀୟ ।

 

ଯେଉଁ କଲେଜ ଛାତ୍ର କେଇଟି ତାଙ୍କର କଲେଜ ଖେଳ ପଡ଼ିଆରେ ହାରିଗଲା ବୋଲି ଉତ୍ୟକ୍ତ ହୋଇ ଦଙ୍ଗା କରନ୍ତି ତାଙ୍କର କଲିଜାର ସମାନ କ’ଣ ହାଇକୋର୍ଟ ଜଜ୍‌ ନା ଚିଫ୍‌ ସେକ୍ରେଟାରୀ ଅବା ପୁଲିସ ବିଭାଗର ଜେନେରାଲ ହୋଇ ପାରିବେ ? –ନା–ନା । କେବେ ନୁହେଁ-। କଲେଜ ଛାତ୍ର କେଇଟିଙ୍କର ଜୀବନୀ କେଉଁଠି ଲେଖାଗଲା ନାହିଁ ସତ । ଏହି ଟିଣ ତିଆରି ସେନାପତିମାନଙ୍କର ଅତିରଞ୍ଜିତ କପୋଳକଳ୍ପିତ ଇତିହାସ ଲେଖା ଯାଉଛି ଠିକ୍‌; କିନ୍ତୁ ଏହି ଦୁଇ ଶ୍ରେଣୀର ପ୍ରତିଭା ଭିତରେ ତୁଳନା ହୋଇପାରେ ନାହିଁ ।

 

କଲେଜରେ ପଢ଼ିଲାବେଳେ ମଦ ଖାଇବା ଖରାପ । ଆଉ ଚାକିରୀରେ ଯୋଗ ଦେଇ ମଦ ଖାଇବା ଭଲ–ଏହି ଯେଉଁ ଉଦ୍ଭଟ ଯୁକ୍ତି ଆମର ସମାଜରେ ଚାଲିଛି ସେଥିପାଇଁ ଅକାରଣରେ ଆମର ଓ ଆମ ସମାଜର ସମସ୍ତ ଦୋଷକୁ ଆଣି ଆମେ ତରୁଣ ସମାଜ ଓ ଛାତ୍ର ସମାଜ ଉପରେ ଲଦି ଦେଇ ପାଟିକରି ବାହାବା ମାରି ନେବାରେ ଭାରି ଆଗ୍ରହୀ ।

 

ଅଧ୍ୟାପକ ନଟରାଜ ପ୍ରେମିକ ହେଇ ପାରିବ । ପ୍ରେମର ନିବେଦନ ସେ କରିବାକୁ କଷ୍ଟ ସ୍ୱୀକାର କରି ଦେଶ ବିଦେଶକୁ ନ ଖୋଜି ନିଜର କର୍ମସ୍ଥଳୀ ସ୍କୁଲ କଲେଜକୁ ବାଛି ପାରିବ; କିନ୍ତୁ ସେହି ଅଧିକାରର ସାମାନ୍ୟ ସ୍ୱୀକୃତି କଲେଜର ଛାତ୍ରକୁ ଦିଆଯାଇ ପାରିବ ନାହିଁ ।

 

ଯେଉଁମାନେ ଏମିତି ନିଜର ନପୁଂସକତାରେ ସଢ଼ି ଗଲେଣି ସେହିମାନେ ପ୍ରଚାର କରୁଥିଲେ ଅଳକା, ନକ୍ଷତ୍ର ଆଉ ତାହାର ସାଙ୍ଗସାଥୀଙ୍କ ବିରୁଦ୍ଧରେ । ସେମାନେ ଖରାପ–ଖରାପ–ଆଉ ଖରାପ ।

 

ଭଜକୃଷ୍ଣ ଭାବୁଥିଲା–ଅଳକା ଖରାପ । ରମାକାନ୍ତର ଅଳକା ସାଙ୍ଗରେ ମିଶିବା ଖରାପ-। ନକ୍ଷତ୍ରମାଳୀ ଭାବୁଥିଲା–ଅଳକାର ନାମ ନ ଥିବା ଅନାମ ସାଙ୍ଗରେ ମିଶିବା ଖରାପ-। ଅଳକା ମଧ୍ୟ ଭାବୁଥିଲା–ମାଷ୍ଟରଜୀ ନଟରାଜବାବୁଙ୍କର ନକ୍ଷତ୍ର ସାଙ୍ଗରେ ମିଶିବା ଖରାପ ।

 

ଏମିତି ଚାରିଆଡ଼େ ସମସ୍ତେ ସମସ୍ତଙ୍କୁ ଖରାପ ବୋଲି ଭାବୁଥିଲେ । ପ୍ରକୃତରେ ତାହାହେଲେ ସଂସାରଟା ଖରାପ–ବଞ୍ଚିବାଟା ଖରାପ । ଭଲରେ ବଞ୍ଚିବା ବେଶି ଖରାପ । ଶୋଇବା ଖରାପ–ନ ଶୋଇ କିଛି କାମରେ ଲାଗିବା ଖରାପ । ଚେଇଁରହି କିଛି ନ କରିବା ମଧ୍ୟ ଖରାପ ।

 

ଏହି ଖରାପର ଆଗୁଆ ଗତି ମୋଟେ ବନ୍ଦ ହେଇ ପାରୁନାହିଁ । ରାଜାର ଶାସନ, ବାବାଜୀର ଶୋଧନ, ଗୁରୁଜନଙ୍କର ଆକଟ–କେହି କ’ଣ ଏଇ ଖରାପକୁ ବଦଳାଇ ପାରିଲେ ?

 

ଘଡ଼ିର କଣ୍ଟା ବୁଲୁଛି ଏହି ଖରାପମାନଙ୍କୁ ସମୟର ମାପ ଦେଖାଇବାକୁ ।–ଅଳକା ମନରେ ଉଦ୍‌ବେଗ ।–ରମାକାନ୍ତ ମନରେ ଉତ୍କଣ୍ଠା । ପାଞ୍ଚଟା ବାଜିଯିବ ଆଉ କେଇ ଘଣ୍ଟାରେ ।

 

ଅଳକାର ଇଚ୍ଛା ହେଲା ତାହାର ସମୃଦ୍ଧିମନ୍ତ ବିଳାସର ଚାଲିଚଳନ ବଦଳାଇ ଦିଅନ୍ତା–ଅନ୍ତତଃ କେଇ ଘଣ୍ଟା ପାଇଁ । ରମାକାନ୍ତ ଅଭ୍ୟସ୍ତ ନୁହେଁ । ତେଣୁ ସେ ଆସି ଯେଉଁ ଘଡ଼ିଏ ପହରେ ବସିବ ସେଥିରେ ମଧ୍ୟ ରମାକାନ୍ତକୁ ଅସଜ ଲାଗିବା ସମ୍ଭବ ।

 

ଏତେ ଦିନର ଅଭ୍ୟାସକୁ ଠୁଳେଇ ଅଳକାର ଘର । ସେ ତା’କୁ କେମିତି ଏତେ ଅଳ୍ପ ସମୟରେ ସଜାଡ଼ିବ ? ସେଥିରେ ପୁଣି ସେ ବ୍ୟଥା ଓ ବ୍ୟର୍ଥତାର ଔଷଧ ଖାଏ । ସେଦିନ ବି ନକ୍ଷତ୍ର ଆଉ ଅଳକା ଦିହେଁ ବସି ଔଷଧର ପାଣିରେ ନିଜ ନିଜର ମନକୁ ସତେଜ କରିଥିଲେ ।

 

–କ’ଣ ଦେଖିବ ବୋଲି ବିଚରା ଆସୁଛି ?–ହଉ, ଆସୁ । ଲୋକେ ତ ଏମିତି ପୁରୀ ଓ କଲିକତା ଯାଆନ୍ତି–ଦେଖିଲେ ମନ ତାଙ୍କର ବଦଳିଯାଏ । କଲିକତା ଆଉ ପୁରୀରେ ରହିବା ଲୋକ ସେମିତି ତାଙ୍କର ମନକୁ ବଦଳାଇବାକୁ ଆଉ କୁଆଡ଼େ ଯାଆନ୍ତି । ଏମିତି ହେଲା ମଣିଷର ମନ–ଧନରୁ ଗରିବ ପଣିଆ ପାଖକୁ–ସହରରୁ ମଫସଲକୁ–ମଫସଲରୁ ସହରକୁ–ସଂଯମରୁ ଉତ୍ସୃଙ୍ଖଳତା ଆଡ଼କୁ–ଖେଚଡ଼ରୁ ସାଧୁ ଆଡ଼କୁ–ଅସଂଖ୍ୟ ଯାତ୍ରୀ ଯା ଆସ କରୁଛନ୍ତି ।

 

ଏମିତି ଭାବୁ ଭାବୁ ଅଳକା ଶୋଇ ଯାଇଛି ତାହାର ଆରାମ ଚଉକୀରେ । ରମାକାନ୍ତ ପରଦା ଠେଲି ଭିତରକୁ ପଶି ଆସିଲା ।

 

ସାମନା ଚଉକୀରେ ଅଳକା ଶୋଇଛି । କପାଳ ଉପରେ ଦି’କେରା ମୁଣ୍ଡବାଳ ଝୁଲି ପଡ଼ିଛି । କାନ ଗହଣାରେ କେରାଏ ବାଳ ଗୁଡ଼େଇ ହେଇ ଯାଇଛି । ଅଧା ଖୋଲା ଛାତି ଉପରେ ହାରର ଲକେଟ୍‌ଟା ସତେ ଯେପରି ତାକୁ ଢାଙ୍କିବାକୁ ଚେଷ୍ଟା କରୁଛି । ମୁଁହ ଉପରେ ମେଞ୍ଚାଏ କମନୀୟତାର ସ୍ୱପ୍ନ–ସୁରଭି ।

 

ରମାକାନ୍ତ ଚମକି ପଡ଼ିଲା–ନ ଡାକି ଭିତରକୁ ସେ ପଶି ଆସିଲା କେମିତି ? –ଛି, ଛି–କ’ଣ ଭାବିବ ଅଳକା ?

 

ସେ ଠିଆ ହୋଇ ପାରିଲା ନାହିଁ । ଆଖି ତାହାର ଝଲସିଗଲା । ମନ ଭିତରଟା ସତେ ଯେପରି ହଠାତ୍‌ ବିକ୍ଷୁବ୍‌ଧ ହୋଇ ପଡ଼ିଲା–ଅକସ୍ମାତ୍‌ ଅଚାନକ ଘଟଣା ଦେଖିଲେ ଯେମିତି ହୁଏ । ଇଚ୍ଛାକରି ମଧ୍ୟ ସେ କୋଠରୀ ଭିତରେ ରହିପାରିଲା ନାହିଁ ।

 

ଭାରି ଶୀଘ୍ର ରମାକାନ୍ତ ବାହାରି ଆସିଲା–ପୁଣି ଅଡ଼ୁଆ । ଆଉ କିଏ ଯଦି ଦେଖେ ଯେ ରମାକାନ୍ତ ଠିଆ ହୋଇ ରହିଛି ଅଳକାର କୋଠରୀ ଦୁଆର ମୁହଁରେ । ଅବା ଆଉ କେହି ଯଦି ଚାଲିଆସେ–ଅଳକା ଏମିତି ନିଦ–ଫୁଙ୍ଗୁଳା ହେଇ ପଡ଼ିଛି–ସେ ମଧ୍ୟ ଦେଖିବ ?

 

–ନା–ନା । ପରଦା ମେଳାଇ ଚାହିଁଲା । ଅଳକା ସେମିତି ଇନ୍ଦ୍ରଧନୁର ରୂପ ନେଇ ସେଇ ସୋଫାକୁ ଆବୋରି ପଡ଼ି ରହିଛି । ସେ ଭୁଲି ଯାଇଛି ଯେ ରମାକାନ୍ତର ଆସିବା କଥା ଥିଲା ... ହଁ, ନ ଭୁଲିବ କାହିଁକି ? କେଉଁ ଧନରେ ସେ ଧନୀ ସୌଦାଗର ନୁହେଁ ଯେ ରମାକାନ୍ତ ପରି ଭିକାରୀଙ୍କର ପ୍ରୋଗାମକୁ ମୁଖସ୍ଥ କରିବ ?

 

ଭିତରେ ସ୍ଥାନ ନାହିଁ । କି ବାହାରେ ମଧ୍ୟ ସ୍ଥାନ ନାହିଁ । ରମାକାନ୍ତ ଏମିତି ଭିତରେ ଓ ବାହାର ମଝିରେ କାଳ୍ପନିକ ରେଖା ଉପରେ ଠିଆ ହୋଇଛି । ଅଳକା ସେମିତି ଶୋଇବ କେତେବେଳ ଯାଏ ?

 

ରମାକାନ୍ତ କବାଟରେ ଶବ୍ଦ କଲା । ଚୌକାଠର କଲିଙ୍ଗ୍‌ ବେଲ୍‌ ଟିପିବାକୁ ସାହସ କଲା ନାହିଁ ।

 

ଅଳକାର ହଠାତ୍‌ ନିଦ ଭାଙ୍ଗିଗଲା ଏଇସବୁ ଜୋତା ଘୋଷରା, କବାଟ ଟିପା ଓ ଗଳା କାଶର ମିଶାମିଶି ଶବ୍ଦରେ । ନାକରେ କି କାନରେ ପତଙ୍ଗଟିଏ ପଶିଗଲେ ଯେମିତି ମଣିଷ ନିଦରେ ମଧ୍ୟ ବ୍ୟସ୍ତ ବିବ୍ରତ ହୋଇପଡ଼େ ।

 

–କିଏ ? ରମାକାନ୍ତବାବୁ ?

 

–ଆଜ୍ଞା । ମୁଁ ରମାକାନ୍ତ ।

 

–ଡାକୁଥିଲ କି ?

 

–ନା... ହଁ ଡାକୁଥିଲି ।

 

–ଏମିତି ପରଦେଶୀ ପରି ବାହାରେ ଠିଆ ହୋଇ କ’ଣ ଭାବୁଛ ? ଭିତରକୁ ଆସ ।

 

–ଆପଣ ଶୋଇଥିଲେ ପରା ।

 

–କେମିତି ଜାଣିଲ ?

 

–ଭିତରକୁ ଯାଇ ଶୋଇଥିବା ଦେଖି ଫେରି ଆସିଛି ।

 

–ହେ, ହେ, କେଡ଼େ ଲାଜକଥା । ମୁଁ ମରିଯାଇ ନାହିଁ କାହିଁକି ? କେମିତି ଶୋଇଥିଲି କେଜାଣି ?

 

ରମାକାନ୍ତ ଚୁପ୍‌ ରହିଲା ।

 

–କିଛି, କହୁନାହଁ ? ମୁଁ କ’ଣ ଅସଜଡ଼ା ହେଇ ଶୋଇଥିଲି କି ?

 

–କେଜାଣି ।

 

–ଅଦ୍‌ଭୁତ ଲୋକ ତୁମେ ଦେଖୁଛି । ମଣିଷର ଲାଜ ସଙ୍କୋଚ ଲୁଚାଇବାକୁ ବି ବାଟ ଦେବ ନାହିଁ । ମୁଁ ତ ଉଠି ସଜଡ଼ା ସଜଡ଼ି କରୁଛି ପହଡ଼େ କାଳ ।

 

–ହଁ, ଟିକିଏ ଅଚେତ ନିଦରେ ଶୋଇ ପଡ଼ିଥିଲେ । ଏମିତି ସମସ୍ତେ ନିଘୋଡ଼ ନିଦରେ ଶୋଇ ପଡ଼ିଲେ ଆଉ ଭଲମନ୍ଦ କି ସୁନ୍ଦର ଅସୁନ୍ଦରର ଜ୍ଞାନ ହରାନ୍ତି । ମୁଁ ପରା ସେମିତି ବେକାଇଦା ହେଇ ପଡ଼େ ବୋଲି କବାଟ ବନ୍ଦ କରି ସାରିଲେ ଶୁଏ ।

 

–ମୁଁ ସେମିତି କବାଟ ବନ୍ଦ ନ କରି ବିଛଣା ଛୁଏଁ ନାହିଁ । ତୁମକୁ ଅନେକ ସମୟ ଅପେକ୍ଷା କରି ବସିଲି । କ୍ଳାନ୍ତିରେ କେତେବେଳେ ଆଖିପତା ମୁଦି ହେଇ ଯାଇଛି ।

 

–ହଁ, ହେଇଥିବ । ମୋ ପାଇଁ ପୁଣି କିଏ ଅପେକ୍ଷା କରିବ ? ଏଡ଼େ ଶୁଭଯୋଗ ମତେ ମିଳେ ନାହିଁ । ମୁଁ ଆପଣଙ୍କ ପାଖରେ ଋଣୀ ।

 

–ଆରେ ଛାଡ଼ ମ । ଏଠି ମହାଜନ–ଖାତକ କି ମାଲିକ–ସେବକ କଥା ଉଠୁ ନାହିଁ । ଏତେ ଆପଣ–ଆପଣ ହେଉଛ କାହିଁକି ? ଆତ୍ମୀୟତାର କ’ଣ ଗୋଟିଏ ପରିଚୟ–ବାଚକ ଶବ୍ଦ ହେଉଛି–ଆପଣ ?

 

ରମାକାନ୍ତ ଚାହିଁଲା ଅଳକାକୁ ।

 

ନିଜର ଚାହାଣୀର ସର୍ବୋତ୍କୃଷ୍ଟ ଚ୍ଛଟା ଦେଖାଇ ଅଳକା ଲାଜରା ସ୍ୱରରେ କହିଲା–ରମାକାନ୍ତ ତମେ ଭାରି ଖରାପ ଆଖିରେ ଚାହୁଁଛ । ...କି ଆଖି ଦି’ଟା ପାଇଛ କେଜାଣି ?

 

ତଥାପି ରମାକାନ୍ତ ନୀରବ ।

 

–ଆସ ଭିତରକୁ । ନିଜର ଘର ପରି ଭାବି ପାରିବ ନାହିଁ କି ? ଅଳକା ପର ହେଇପାରେ; କିନ୍ତୁ ତାହାର ପଢ଼ିବା ଘର କ’ଣ ପର ?

 

–ନା ।

 

–କଥାରେ ହଁ–ନା କହି ନିଜର ବ୍ୟବହାରରେ ସେତକ କ’ଣ ଦେଖାଇ ପାରିବ ନାହିଁ-? ...ଅଳକା ଅଳସ ଭାଙ୍ଗିଲା । ସେହି ଅଳସ ଭଙ୍ଗୀରେ ସେ କହୁଥିଲା ଯେ ଲୁଚା–ଛପାର ଏହି ଦେହ ଓ ମନର ସମ୍ଭାର ଖାଲି ଅପରକୁ ଆକର୍ଷଣ କରିବା ପାଇଁ ।

 

ରମାକାନ୍ତ ଚାହିଁ ରହିଲା ।

 

ଓଠ କାମୁଡ଼ି ରାଗକୁ ଦବାଇ ଅଳକା ପଚାରିଲା–କ’ଣ ଖରାପ ଲାଗୁଛି ଏହି ଘରଟା ? ମୁଁ ଏମିତି ସବୁ ଜିନିଷ ଅସଜଡ଼ା ପକାଇ ଦିଏ । କିଛି କେବେ ଖୋଜି ପାଏ ନାହିଁ । କ’ଣ ବା ଏଠି ଅଛି ଯେ ...

 

–ହଁ, ବହି ଖାତା...

 

–ପେନ୍‌ସିଲ, କଲମ... କାଲେଣ୍ଡର....ଏଇଆ ତ । ସବୁଗୁଡ଼ାକ ନିର୍ଜୀବ ଆଉ ନିର୍ବୋଧ-। ଏଇ ସଂସାରଟାର ଅଧିକରୁ ଢେର ବେଶି ଏମିତି ଅଳକା ପରି ହୁଣ୍ଡି ।

 

–ନା–ନା–

 

–ତମେମାନେ ତ କଲେଜର ନକ୍ଷତ୍ର । ତୁମ ସାଙ୍ଗରେ ଯୁକ୍ତି କରିବ କିଏ ? –ଅଳକା ଯୁକ୍ତି କରିବ ? ତମେମାନେ ଇଚ୍ଛା କଲେ ହୁଣ୍ଡିକୁ ଯେତେ ଶୀଘ୍ର ସିଆଣିଆ କରିଦବ ତାହାଠାରୁ ବହୁତ କମ୍‌ ସମୟରେ ଅତି ଚତୁରୀକୁ ହୁଣ୍ଡିଟିଏ କରି ଛାଡ଼ିଦବ...ଅଳକା ହସିଲା ।

 

ହସି ଚାହିଁଲା–ନକ୍ଷତ୍ରର ଔଷଧର ଗିଲାସଟା ଗଲା କୁଆଡ଼େ ? ଏହି କଲେଜର ମାଙ୍କଡ଼ମାନେ ଯଦି ଦେଖନ୍ତି–ବାବାରେ, ମଣିଷ ମଲା ତ ।

 

–କ’ଣ ଖୋଜୁଛନ୍ତି ?

 

–ଏଇ ନିଜକୁ । ଥରେ ଥରେ ଏମିତି ହଜିଯାଏ–ଭିଡ଼ରେ ମଣିଷ ହଜିଗଲା ପରି ।

 

ରମାକାନ୍ତ ହସିଲା–ବେଶ୍‌ ମଜ୍ଜାଦାର କଥା ।

 

ଅଳକା ରମାକାନ୍ତର ଆଖି ଦୁଇଟିର ଆଶା, ଆଶଙ୍କା, ପ୍ରାର୍ଥନା, ନିବେଦନକୁ ଅଟକଳ ନେବାକୁ ଚାହିଁଲା–ବିଚରାର କର୍ମମୟ ଜୀବନ ଆରମ୍ଭ ହୋଇ ନାହିଁ । ସ୍କୁଲର ପ୍ରଥମ ଶ୍ରେଣୀର ବିଦ୍ୟାର୍ଥୀ–ହେଲେ ବି ତ ଛାତ୍ର... ଏକା ପାଠଶାଳାର ଛାତ୍ର । ...ଅଳକା ଓଠରେ ହସର ବଙ୍କିମ ରେଖା ଆଙ୍କି ହୋଇଗଲା ।

 

–ହସିଲେ ଯେ... କ’ଣ କଥା କି ?

 

–ଏଇ ସଂସାରଟା ମାୟାର ନୁହେଁ । ଏଇଟା ହେଉଛି ଭୁଲର ସଂସାର–ଭ୍ରାନ୍ତିର ସଂସାର, ମରିଚିକାର ସଂସାର ।

 

–ପ୍ରଭେଦ କ’ଣ ?

 

–ମାୟାଠାରୁ ମରିଚିକା ଆଉରି ବଡ଼ ଭ୍ରମ । ମାୟାର ବନ୍ଧନରେ ସଂସାରଟା ଅସତ୍ୟ ନ ହୋଇ ସତ ମନେ ହୋଇପାରେ । କିନ୍ତୁ ଭ୍ରମରେ ବନ୍ଧା ସଂସାରରେ ଆଗ–ପଛ ସବୁ ଅସତ୍ୟ-! ....ମୁଁ ଏହି ଚିନ୍ତାରେ ବାନ୍ଧି ହୋଇ ମରିଯିବାକୁ ଖୋଜେ ?

 

–କାହିଁକି ?

 

–ତମେ ବୁଝି ପାରିବ ନାହିଁ ।

 

–ଏଁ ?

 

–ସତ କଥା ରମାକାନ୍ତ । ଯଦି କେବେ ତୁମକୁ ଜୀବନର ଗଭୀର ଅନୁଭବକୁ ତଦାରଖ ପରଖ କରିବାର ସୁବିଧା ମିଳେ । ତାହାହେଲେ ଜାଣିବ ଯେ ଶୀଘ୍ର ଶୀଘ୍ର ସବୁ ସୁବିଧା ପାଇଯିବା ଲୋକଙ୍କର ଜୀବନ ଭାରି ଶୂନ୍ୟ–ତାଙ୍କ ପାଇଁ ମନରେ ଶ୍ରଦ୍ଧା ରଖିବ ।

 

–ଏଠି ଦୁଃଖ କ’ଣ ? –ଅଳକା ଦେବୀ ?

 

–ଏଇ ପ୍ରଶ୍ନଟି ଅଳକାକୁ ଯିଏ ପଚାରେ ସେ ଭାଗ୍ୟବାନ୍‌ । କାରଣ ଦୁଃଖ କ’ଣ ସେ ବୁଝିପାରି ନାହିଁ ।

 

–ଆମେ ଭୋକ ଉପାସକୁ ପାରଉତ୍ତାର କଲୁ । ଦୁଃଖ ବୁଝିଲୁ ନାହିଁ ?

 

–ନା । ଅନେକ ଲୋକ ଉପବାସରେ ପଡ଼ନ୍ତି ଓ କେତେକ ଚିରଦିନ ଏଇ ଅସୁବିଧାରେ ପଡ଼ୁଥାନ୍ତି । ସେହିମାନେ ଦେଇଯାଇଛନ୍ତି ମନ ଫୁଲାଣିଆ ଗୀତ ଆଉ ଛାତିଏ ଛାତିଏ ଉଚ୍ଚ ଭାବନା-

 

–ଆଉ ତେବେ ଦୁଃଖ କ’ଣ ?

 

–ସବୁଥାଇ ଯେତେବେଳେ ଲୋକ କ’ଣ କରିବ ବୋଲି ଦରାଣ୍ଡି ହୁଏ ସେତେବେଳେ ବି ଗୋଟାଏ ପ୍ରକାରର ମର୍ମ୍ମଫଟା ଦୁଃଖ ଆସେ । ସେ ଦୁଃଖ ଏଇ ପେଟ–ଆଉଟା ଦୁଃଖଠାରୁ ଅଲଗା...ଏତକ କ’ଣ ତୁମେ ବୁଝିପାରିବ ?–ନା, ବୁଝିପାରିବ ନାହିଁ ?

 

ରମାକାନ୍ତ ଚୁପ୍ ରହିଲା ।

 

–କ’ଣ ? ଆସିଲ ଯେ ସବୁ କଥାରେ ତୁନି ପଡ଼ୁଛ । କୁହ–ଯାହା ହେଲେ ପଦେ କୁହ ।

 

–ମୁଁ ଏହି ମତଠାରୁ ଅଲଗା ମତ ଦେବି କାହିଁକି ? ତମର ମତ ଯାହା–ମୋର ମଧ୍ୟ ମତ ସେଇଆ ।

 

କୁଣ୍ଠିତ ହସ ହସି ନିଜ ପ୍ରତି ସହାନୁଭୂତି ଦେଖାଇ ଅଳକା କହିଲା–ଆଜି ବଡ଼ ଶୁଭଦିନ–ସୁଖର ଦିନ । ମୋର ପୁଣି ଗୋଟାଏ ମତ ? ସେଥିରେ ଏକମତ ହେବା ଲୋକ ଅଛନ୍ତି । ଯାହାହେଉ ଅଳକାର ବିଷାଦ–ଘେରା ମନ ଖୁସି କରିବା ପାଇଁ ଆସିଛ I ଧନ୍ୟବାଦ–

 

–ଯାହା କହିପାର ।

 

–ସେମିତି କହନାହିଁ ରମାକାନ୍ତ । ଭଲକଥା ପଦେ କହି ମନକୁ ମଜ୍ଜାଇ ପୁଣି ତା’କୁ ମନ୍ଦ କଥା ପଦେ କହି ବିଷାକ୍ତ କରିବ କାହିଁକି ? ......ଆଚ୍ଛା, ମୁଁ ଟିକିଏ ଛାଡ଼ି ଆସୁଛି । ମୁହଁ ହାତ ଧୋଇ ଆସୁଛି–କ’ଣ ଖଣ୍ଡେ ପଢ଼ୁଥାଅ ।

 

କହି ପୁଳାଏ ପତ୍ରିକା ଆଣି ଥୋଇଦେଲା ରମାକାନ୍ତର କାଉଚ ଆଗରେ । ଝୁଙ୍କିପଡ଼ି ରମାକାନ୍ତର ଦେହ ଥାପୁଡ଼ାଇ ହସିକହିଲା–ରାଗିବ ନାହିଁ । ଗାଳିଦବ ନାହିଁ......ଆସୁଛି ।

 

ଅଳକା ଚାଲିଗଲା ବେଳେ ରମାକାନ୍ତକୁ ଘରଟା ଖାଲି ଖାଲି ଲାଗିଲା । ଷ୍ଟେସନରୁ ଶେଷ ଗାଡ଼ିଟା ଚାଲିଗଲା ବେଳେ ଯେପରି ଏତେବଡ଼ ରେଳ ଷ୍ଟେସନ ଶୂନ୍ୟତାରେ ଭରିଯାଏ ।

 

ଗାଧୁଆ ଘରର କଳ ଫିଟିଲା ।

 

ରମାକାନ୍ତର ଭୋକିଲା ମନ ପୁଣି ମନେ ପକାଇଲା ସେ ଅଳ୍ପ ସମୟ ଆଗର ନିଦ୍ରିତା–ସୁନ୍ଦରୀର ରୂପ । ଏବେ ସେହି ରୂପଟି ପାଣିଫୁଆରର ଅସଂଖ୍ୟ କ୍ଷୁଦ୍ର ବିନ୍ଦୁର କମନୀୟତାରେ ଭରି ରହିଥିବ ।

 

ଆଗ ସାମନା କାନ୍ଥରେ ଦୁଇଟି ଛବି ଝୁଲୁଥିଲା–ଗାଧୋଇ ଫେରୁଥିବା ନାରୀରୂପର ଛବି, କିନ୍ତୁ ଅଳକାର ନୁହେଁ । କିମ୍ବା ଅଳକା ପରି ଜଣେ ନାରୀର ରୂପପରି ନୁହେଁ ।

 

କଳାକାର ମଡ଼େଲ କ’ଣ ଅଳକା ହୋଇପାରନ୍ତା ନାହିଁ ?...ହାତରେ ଥିବା ପତ୍ରିକାଟିଏ ଓଲଟାଇଲା ବେଳେ ଆଖିରେ ପଡ଼ିଲା–ଘୁମନ୍ତ ସୁନ୍ଦରୀର ଛବି । ... ଆରେ ବଡ଼ ଭଲ ଯୋଗ ତ । ଗାଧୋଇ ଫେରୁଥିବା ନାରୀ, ଶୋଇଥିବା ନାରୀ–ଏମିତି ସବୁ ତ ଏଠି ଅଛନ୍ତି । ଅଳକା ଯେମିତି ସେମାନେ ବି ସେମିତି । ଏତିକି ପ୍ରଭେଦ ଯେ ଅଳକା ଜୀବନ୍ତ–ଆଉ ଅଳକା ଘରେ ରମାକାନ୍ତ ବସିଛି ।

 

ରମାକାନ୍ତର ଦେହ ଅଣ୍ଟା ପାଖରେ ଉଷୁମ ହେଇ ଉଠିଲାଣି–ଆନନ୍ଦର ଦିନର ଗୋଧୂଳି ଲଗ୍ନ । କିଏ କହୁଥିଲା ଯେ ଗୋଧୂଳି ବେଳରେ ମନ ମରିଯାଏ, ଦେହ ଝାଉଁଳି ଆସେ–ନା–ନା ।

 

ଦରିଦ୍ରର ଦେହ ପ୍ରତିଧ୍ୱନି ଦେଇପାରେ ନାହିଁ ବୋଲି ଏହି ଧନୀ ଲୋକେ ପ୍ରଚାର କରିଛନ୍ତି–ପୁରା ମିଛ କଥା । ଏଇ ସାର୍ବଜନୀନ ସଂସାରରେ ଧନୀ ଓ ଦରିଦ୍ର ସମାନ । ସମାନ କ’ଣ–ଦରିଦ୍ରର ସ୍ଥାନ ଉଚ୍ଚ–ଅଧିକ ପାଇବ ବୋଲି ସେ ଦାବୀ କରିପାରେ ଓ ପାଏ ମଧ୍ୟ । କିନ୍ତୁ ଧନୀ ସବୁବେଳେ ତଳେ–ହରାଇବାର ଭୟରେ ସେ ତ୍ରସ୍ତ ହୋଇ ପଡ଼ିଥାଏ ।

 

ଭିତରୁ ଅଳକାର କଣ୍ଠସ୍ୱର ଶୁଣାଗଲା, କ’ଣ ବିରକ୍ତ ଲାଗୁଛି–ରମାକାନ୍ତ ? ଏହି ଡାକରେ ରମାକାନ୍ତର ଦେହ ଥରି ଉଠିଲା–ଏଁ ବିରକ୍ତ ? –ନା–ନା । ଏତେବେଳେ ଯାଏ କ’ଣ ଗାଧଉଛ ?

 

–ହେଇ ଗଲି ତ ।

 

ରମାକାନ୍ତ ଦେଖୁଥାଏ ଅଳକାର ମନୋରମ ଛବି । ସୌହାର୍ଦ୍ଦ୍ୟର ବନ୍ଧନରେ ରମାକାନ୍ତ ରହିଲାଣି । ଏଣିକି ସେ ଇଚ୍ଛାକଲେ ଆସିପାରିବ ଏଠିକି ।

 

ଅଳକା ବାହାରି ଆସିଲା–କାକର–ଧୂଆ କଅଁଳ ଘାସପରି । ସିଧା ଚାଲିଆସିଲା ରମାକାନ୍ତ ପାଖକୁ । କାନ୍ଧରେ ହାତ ଦେଇ କହିଲା–ନିଜର ଲୋକଙ୍କ ପାଖକୁ ବି କେହି କେବେ ଅସଜଡ଼ା ଦେହରେ ଆସେ ନାହିଁ । ତମେ ତ ମୋର ଅତି ନିକଟର ଲୋକ । ...ବିରକ୍ତ ହେବନାହିଁ । ...ମୁଁ ଏଇ ଅଳ୍ପ ସମୟରେ ଆସୁଛି ।

 

...ଆଃ, ଚାଲିଯିବ କାହିଁକି ? କ’ଣ ଏମିତି ଅସଜଡ଼ା ବେଶ ଯେ । ରହ–ଏକୁଟିଆ ବସି ବସି ବିରକ୍ତ ଲାଗିଲାଣି ।

 

–ଏକୁଟିଆ ? କେମିତି ? ମୁଁ ତ ଅଛି । ତମେ ତ ଅଛ । ଏଠି ବସିଛ–ପଢ଼ିବାକୁ ପୁଳାଏ ପାଠ ଦେଇଗଲି । ଦେଖିବାକୁ ଅନେକ ଛବି ଅଛି ।

 

ସରଳ ହସ ହସି ଅଳକା ଚାଲିଗଲା ବେଳେ କହିଲା–ଭୋକିଲା ପେଟକୁ ବେଶି ଭୋକ ଦେଲେ ଭଲ ହୁଏ ନାହିଁ । ମତେ ଭାରି ଭୋକ ହେଲାଣି । କ’ଣ ଖାଇବ କହ ?

 

–ନାହିଁ । ଖାଇବି ନାହିଁ । ଖାଲି ଗପିବି ।

 

–କେତେ ଘଣ୍ଟା ଗପି ପାରିବ ? –ରାତି ପାହିବା ଯାଏ– ?

 

ରମାକାନ୍ତ କିଛି କହି ପାରିଲା ନାହିଁ । ଟିକକ ପରେ ଗୁଣୁ ଗୁଣୁ ହୋଇ କହିଲା–କିଏ ଜାଣେ ? ଗପ କରୁ କରୁ ଯେତେବେଳ ହୋଇପାରେ–ହଉ ।

 

–କ’ଣ ଗପିବ ?

 

–ମୁଁ କ’ଣ ଜାଣେ ? ବସ–ଆରମ୍ଭ କରିବା ପରେ ଦେଖିବା ।

 

–ଏତେଦିନ ଯାଏ କେଉଁଠି ଲୁଚି ରହିଲ ରମାକାନ୍ତ ? କଲେଜ ସରିଲା ତମେ ଆସିଲ ।

 

–ମୁଁ ତ ଅଭାଗା । ଆଗରୁ ଆସନ୍ତି କେମିତି ?

 

–କିଏ ଜାଣେ ଅଭାଗା କି ଭାଗ୍ୟବାନ୍‌ । ମୁଁ ତ ନିଜେ ଜଣେ ଦୁଃଖୀ, ଅଭାଗିନୀ–ଏଠିକି ଆସିଲ ମତେ ଭାଗ୍ୟ ଦବାକୁ ।

 

–କ’ଣ କହିଦେଇ ପୁଣି ବାହାରିଲଣି ଯିବାକୁ ।

 

–ରମାକାନ୍ତ ହାତ ବଢ଼ାଇଲା ।

 

ଘୁଞ୍ଚିଯାଇ ଅଳକା କହିଲା–ଓଦା ଦେହକୁ ଟାଣିବ ନା କ’ଣ ? ...ମୁଁ ଆସୁଛି । ...ଗଲାବେଳେ ଟିକିଏ ଗଳା ଥରାଇ କହିଲା–ଇଆରି ନା’ କ’ଣ ଆତ୍ମୀୟତା ?

 

ରମାକାନ୍ତ ଭାବିଲା ଯେ ତାହାର ବଡ଼ ଭୁଲ୍‌ ହୋଇଗଲା । ଦେହ ଗରମ ହେଲେ ମନ ତାହାର ସ୍ୱାଭାବିକତା ହରାଏ । ଅଳକା କେମିତି କ’ଣ କରୁଛି ଯେ ରମାକାନ୍ତ ଉତ୍ତାଳା ହେଇ ଉଠୁଛି-

 

ହାତରେ ଧରିଥିବା ପତ୍ରିକାଗୁଡ଼ିକୁ ଥୋଇ ଦେଲା–ଏଇସବୁ ବହି ପତ୍ରିକା ଓ ଛବିରେ କିଛି ନାହିଁ । ଜୀବନ କହିଲେ ଏହି ମଲାକାଗଜ କାନଭାସକୁ ବୁଝାଏ ନାହିଁ । ବହିଗୁଡ଼ାକ ମଲା ଜିନିଷ । ସେଥିରେ ଲେଖା ହୋଇଥିବା ବିଷୟ ମଧ୍ୟ ସେମିତି ମୃତ ।

 

ନିଜକୁ ନିଜେ କହୁଥିଲା–ଏଇ ସଂସାରରେ କାଠ, ପଥର, ଫଟୋ, ପ୍ରତିମୂର୍ତ୍ତି, ସନ୍ତକ, ଚିହ୍ନ, ସ୍ମୃତିଚିହ୍ନ–କବିତା, ଗଳ୍ପ, ଉପନ୍ୟାସ, ନାଟକ–ସବୁ ମିଛ ।

 

ଏଠି ବାସ୍ତବ ଓ ସତ ହେଉଛି ଜୀବନ–ଏଇ ଜୀଅନ୍ତା ଦେହର ଉତ୍ତାପ । ଏହି ନିଶ୍ୱାସ ପ୍ରଶ୍ୱାସର ଉତ୍ତାପ । ମଣିଷର ଆଶା, କାମନାର ଉତ୍ତାପ । ଅନ୍ୟ ସବୁ ପ୍ରକାରର ଜୀବନର ପ୍ରତୀକ ହେଉଛି ମିଛ କଥା ।

 

ଅଳକା ଆସିଲା ହାତରେ ଗୋଟିଏ ଟ୍ରେ ଧରି–କିଛି ଖାଇଦିଅ ରମାକାନ୍ତ, ଅନେକ ବେଳରୁ ଆସିଲଣି–ମତେ ଭାରି ଭୋକ କରୁଛି ।

 

–ହଉ । ଆଣ । ତମେ ଖାଇବ ତ ।

 

–ହଁ । ତେବେ ଗୋଟିଏ କଥା ମନେ ରଖିବ । ଏଠି ଆମେ ଥିଲାବେଳେ ଯଦି ଅପର କେହି ଚିହ୍ନା କି ଅଚିହ୍ନା ଲୋକ ପଶିଆସନ୍ତି ତେବେ ଆମେ କି ପ୍ରକାର ଚିହ୍ନା କି ଆତ୍ମୀୟ ବୋଲି କହିବ ?

 

–ଏଁ ? କ’ଣ କହିବା ?

 

–ଗୋଟାଏ ଭଲ କିଛି ଭାବିଥାଅ । ...କହିବି କି ତମର ମୁଁ ଭଉଣୀ ?

 

–ଭଉଣୀ କହିବ ? –କାହିଁକି ବନ୍ଧୁ ବୋଲି କହିଲେ ?

 

–ଭଲ ହୁଅନ୍ତା ଯେ । ତେବେ ସେଥିରେ ଅନେକ ପ୍ରଶ୍ନ ଉଠିବ–କେଉଁଠି, କେମିତି, କେତେଦିନ, କାହିଁକି ଆମର ବନ୍ଧୁତା ? ...ଆଚ୍ଛା ତୁମେ ବନ୍ଧୁ ହେବାର ସ୍ୱୀକୃତି ଦେଇପାରିବ ?

 

–ହଁ ।

 

–ମୋର ଅନେକ ଅସୁବିଧା । ବହୁତ ପ୍ରକାରର ବିପଦ–ଆପଦ ମୋର ଶତ୍ରୁ ଅନେକ । ନିନ୍ଦୁକ ଅନେକ । ସେମାନଙ୍କଠାରୁ ମତେ ରକ୍ଷାକରି ପାରିବ ? ଅଳକା ପଚାରିଲା ।

 

–ନିଶ୍ଚୟ କରିବି ।

 

–ହେଲା ତେବେ ସେଇଆ କହିବା । ...ଖାଅ, ଲାଜ କର ନାହିଁ । ମୁହଁରେ ରଙ୍ଗା ଚିହ୍ନ ପକାଉଛ କାହିଁକି ?

 

ରମାକାନ୍ତର ମୁହଁଟି ଲାଲଚିଆ ଦିଶୁଥିଲା । ଉତ୍ତେଜନାରେ ରକ୍ତ ଧମନୀରେ ଛୁଟୁଛି ଜୋର୍‌ରେ ।

 

କଣେଇ କଣେଇ ଚାହିଁ ଅଳକା ପଚାରିଲା–ଗୋଟିଏ କଥା ପଚାରିବି ? –ସତ କହିବ-?

 

–ହଁ ।

 

–ନା, ତମେ କେବେହେଲେ ସତ କହିବ ନାହିଁ । ମୋର ମନ ରଖି ଏଣୁ ତେଣୁ ଗୁଡ଼ାଏ କହିବ ।

 

–ସତ କହିବି । ତୁମକୁ କ’ଣ ମୁଁ ମିଛ କହିପାରେ ?

 

–ମିଛ କହିବା ହେଲା ଆମର ସମସ୍ତଙ୍କର ବେପାର–ସମସ୍ତଙ୍କ ବେଉସା । ସତ କହିଲେ କହିଲା ଲୋକ କି ଶୁଣିଲା ଲୋକ–କାହାରିକୁ ଭଲ ଲାଗିବ ନାହିଁ । ...ଛାଡ଼ । ମୁଁ ଯାହା ପଚାରୁଛି କହିବ ।

 

–ରମାକାନ୍ତ ଚାହିଁଲା ଅଳକାକୁ ।

 

–କହିଲା–ତମେ ମତେ କାହିଁକି ଭଲପାଅ ?

 

–କହି ପାରିବ ନାହିଁ; କିନ୍ତୁ ମତେ ଭାରି ଭଲ ଲାଗୁଛି ।

 

–ମୋ ପରି ଜଣେ ଲୋକକୁ ବାହା ହୋଇ ପାରିବ ?

 

–ଏଁ ? ...ଭାବି କହିବି ।

 

–କ’ଣ ଭାବିବ ?

 

–ଦାୟିତ୍ୱ ନେଇ ଚଳେଇ ପାରିବି କି ନାହିଁ ?

 

–ତୁମକୁ ଦାୟିତ୍ୱ ନେବାକୁ ପଡ଼ିବ ନାହିଁ । ତମର ଦାୟିତ୍ୱ ଯଦି ମୁଁ ନିଏ, ତାହାହେଲେ ବାହା ହେଇ ପାରିବ ?

 

–କହି ପାରୁ ନାହିଁ ସାଙ୍ଗେ ସାଙ୍ଗେ ।

 

–ଡର ମାଡ଼ୁଛି ?

 

–ହଁ ।

 

–କେଉଁ କଥାକୁ ଡର ? ସ୍ତ୍ରୀଙ୍କୁ ?–ନା ଆମକୁ ?

 

ରମାକାନ୍ତର ହାତ ବନ୍ଦ ହେଇ ଗଲାଣି । ମସ୍ତିଷ୍କ ଆଉ ହାତ ଏକାଠି ଚାଲେ ନାହିଁ । ଅଳକାର କଥାର ଜବାବ ଦେବା ଆଉ ଅଳକାର ପରସା ଜଳଖିଆ ଖାଇବା–ଏକାଠି ହୋଇପାରୁ ନ ଥିଲା ।

 

ଅଳକା ଖୁସି ହେଲାପରି ବସିଥାଏ । –କୁହ ମ । ତମର ବାହାଘର କଥା ପଚାରିଲି ପରା ।

 

–ଆଉ ଦିନେ କହିବି ।

 

–କ’ଣ ପରାମର୍ଶ ମସୁଧା କରିବ କି ? –ହେ, ମୋର ମାଗୁଣି ରଖିବ । ଏଠିକା କଥା ପ୍ରଘଟ କରିବ ନାହିଁ । ...କଲେ ଜାଣିଥାଅ, ଅଳକା ବିଷମ ଲୋକ ।

 

ରମାକାନ୍ତ ଡରିଗଲା ।

 

ହସି ଅଳକା କହିଲା–ସମସ୍ତଙ୍କର ବଡ଼ କଥା ହେଉଛି ଇଜ୍ଜତ–ମାନ ଅପମାନ । କାହାରି ଇଜ୍ଜତକୁ ତଳେ ପକାଇବ ନାହିଁ । ଗୋପନ କଥା, ଗୁପ୍ତ କଥା, ଗୋପନୀୟ ଭାବ–ହେଉଛି ଇଜ୍ଜତର ସଂପଦ । ସେଗୁଡ଼ିକ ନେଇ ବେଉଷା କରିବ ନାହିଁ ।

 

–ମୁଁ କରେ ନାହିଁ ।

 

–ତାହା ହେଲେ କୁହ–କ’ଣ ପାଇଁ ମତେ ତମେ ବାହା ହୋଇପାରିବ ନାହିଁ ? ...ମୋ ବିଷୟରେ ତମର କ’ଣ ଧାରଣା ?

 

–ଭଲ ।

 

–କଣ ଧାରଣା ଅଛି କହିଲ ?

 

–ଭାବି ନାହିଁ । ଭାବିଲେ କହିବି ।

 

–ଆଚ୍ଛା, ତାହାହେଲେ ତମେ କେବେ କେଉଁଠି ସ୍ତ୍ରୀ ଲୋକଙ୍କ ଆଗକୁ ଆସିନାହଁ । ଆଉ କେହି ସ୍ତ୍ରୀ ଲୋକ ତୁମ ପାଖକୁ ଆସି ନାହାଁନ୍ତି ।

 

–ନା ।

 

–ମୁଁ କ’ଣ ତୁମର ପ୍ରଥମ ନାରୀବନ୍ଧୁ ?

 

–ହଁ ।

 

ଅଳକା ଆଖି ତରାଟି ଚାହିଁଲା–ରମାକାନ୍ତକୁ ।–ରମାକାନ୍ତ, ତମେ ଜଣେ ମଣିଷ ହେବା ଦରକାର । କାରଣ ତମର ମନରେ କି ଦେହରେ ଦାଗ ଲାଗିନାହିଁ । ତମେ ଯାହା ଯେତେବେଳେ ଟଙ୍କା ଦରକାର, ମୋ’ରିଠାରୁ ନବ । ଏଥିରେ ରାଜି ଅଛ ତ ?

 

–ଧାରରେ ।

–ନା, ସେମିତି ଉତ୍ସାହରେ–ଦାନ ମଧ୍ୟ ନୁହେଁ । ନେଇ ପାରିବ ?

–କେଜାଣି ?

–ମୁଁ କହୁଛି ଶୁଣ । ତମେ ଆସୁ ଆସୁ ଏଠିକି ଚାଲି ଆସିଛ । ତମେ କିଛି ପାଞ୍ଚ କରି ଆସି ନାହଁ । ତମର ମଧ୍ୟ କିଛି ମନରେ ନ ଥିଲା କି ନାହିଁ । ତମର ମନ ମୋରି ପ୍ରତି ମୋଟେ ଟଣକା ଦେଉନାହିଁ ।

–ନା ।

–କିଛି ବୁଝିନାହିଁ ରମାକାନ୍ତ । ଆକର୍ଷଣ ଏମିତି ଗୋଟାଏ ବିଷୟ ଯେ ହଠାତ୍‌ ସେ ଚୁମ୍ବକ ପରି ଲାଗିଯାଏ । ମନର ଚୁମ୍ବକ ଯେଉଁଠି ଲାଗୁନାହିଁ ସେଠି ମଣିଷର ସମ୍ବନ୍ଧ ବୃଥା । ...କ’ଣ ପାଇଁ ଆସିଥିଲ ?

–ଏମିତି ।

–ସେମିତି କେବେ କେଉଁଠିକି ଯିବନାହିଁ । ସେଥିରେ ଯାହା ପାଖକୁ ଯିବ ତା’କୁ ମାଗଣାରେ ଅପମାନ ଦେବା ପରି । ଏଇ ସଂସାରଟା ଖୁବ୍‌ ବଡ଼ । କଲେଜଠାରୁ ଲକ୍ଷ କୋଟି ଗୁଣରେ ବଡ଼ । ତେଣୁ ମନକୁ ନ ପଚାରି ଗୋଟିଏ ଖିଆଲରେ ଚାଲି ଆସିଲ । ସେମିତି କରିବ ନାହିଁ ।

–ମୋ’ ଉପରେ ତେବେ ବିରକ୍ତ ?

–ହଁ । ଖୁବ୍‌ ବିରକ୍ତ । ତମେ ଆସିଥିଲ ଚିଡ଼ିଆଖାନାର ଜୀବଟିଏ ଦେଖିବାକୁ ଆସିଲା ପରି । ମୁଁ ଛୋଟ ହେଲେ ବି ଜଣେ ମଣିଷ । ମତେ ଏଇ ଅପମାନ ତମେ ଦେଲ କାହିଁକି ?

–ଭୁଲ୍‌ ବୁଝନାହିଁ ମତେ ।

–ଭୁଲ୍‌ କରିବାର ଅପରାଧ–ତମର । ତମେ ଯଦି ମତେ ପ୍ରକୃତରେ ଭଲ ପାଉଥାନ୍ତ ବା ଦିନେ ଭଲ ପାଇଥାନ୍ତ, ତାହାହେଲେ ମୁଁ ତୁମକୁ ଯାହା ପଚାରିଲି ସେତକ ପଚାରି ନ ଥାନ୍ତି । ଆଉ ପଚାରିଲା ପରେ ତମେ ଯାହା ଯେମିତି ଯେତେବେଳେ ଉତ୍ତରରେ କହିଲ ସେମିତି ଜବାବ ଦେଇ ନ ଥାନ୍ତ ।

–ଦୋଷ ଥିଲେ କ୍ଷମା ଦିଅ ।

–ଦୋଷ ଅଛି ସତ । କିନ୍ତୁ ସେଥିରେ କ୍ଷମା ନାହିଁ । –ଜାଣ ନାହିଁ, ତେଣୁ ଶୁଣ ଆଉ ବୁଝ-। ଗୋଟିଏ ନିୟମ ପାଳିବା ପୁରୁଷ ଓ ସ୍ତ୍ରୀର ସମ୍ବନ୍ଧରେ । କେବେହେଲେ ଭଲ ପାଉନଥିଲେ ପୁରୁଷ ହେଇ ସ୍ତ୍ରୀ’ର ଦ୍ୱାରସ୍ଥ ହବ ନାହିଁ । ଭଲ ପାଉ ନ ଥିବା ପୁରୁଷକୁ କେହି କେବେ ସ୍ତ୍ରୀ’ ହୋଇ କ୍ଷମା ଦେଇପାରେ ନାହିଁ ।

ରମାକାନ୍ତ ନୀରବ ।

 

ତାହାର ନୀରବତାକୁ ଭାଙ୍ଗି ଅଳକା କହିଲା–ଦୁଃଖ କରିବ ନାହିଁ । ଦିନକର ଅତିଥି–ଘଣ୍ଟାକର ଯାତ୍ରୀ । ଏହି ଜୀବନ ବହୁତ ବଡ଼ । ଅନୁଭୂତିର ତୀବ୍ରତା ପାଇଲେ ଗୋଟିଏ ଜୀବନର ମାପ ଶହେ ହଜାରେ ଜୀବନ ସାଙ୍ଗରେ ସମାନ । ପୁଣି ଗୋଟିଏ ସ୍ତ୍ରୀ’ର ଜୀବନ ପଚିଶି ପଚାଶ ପୁରୁଷର ଜୀବନଠାରୁ ଅଧିକ ବିଚିତ୍ର–ଅଧିକ ବର୍ଣ୍ଣମୟ ।

 

–ଯାହା ଇଚ୍ଛା ହେଉଛି କହିପାର । ରମାକାନ୍ତ କହୁଛି ଓ କହିବ ଯେ ସେ ନିର୍ଦ୍ଦୋଷ ।

 

–ଛାଡ଼ । ମୁଁ ନିଜେ ଅତି ଛୋଟ–ଅତି ହୀନ । ଅସଂଖ୍ୟ ଦୋଷ ମୋର ଗଳାମାଳୀ । ମୁଁ କିଏ ତୁମପରି ଲୋକଙ୍କୁ ତଉଲିବା ପାଇଁ ?

 

ମୁହଁରେ ଦୁଇ ପାପୁଲି ଲଗାଇ ଅଳକା ଆଉଜି ପଡ଼ିଲା ତାହାର ସୋଫା ଉପରେ ।

 

....ଅଳକା କ’ଣ କାନ୍ଦୁଛି ? କାନ୍ଦିବାର କାରଣ କ’ଣ ? ନାରୀର ଅଶ୍ରୁ ବଡ଼ ବିଚିତ୍ର ପଦାର୍ଥ–ପ୍ରିୟଜନ, ଗୁରୁଜନ, ସାଧାରଣ ଦର୍ଶକ ଓ ଶତ୍ରୁଜନ ସମସ୍ତଙ୍କ ପାଇଁ ବଡ଼ ଗୁରୁତ୍ୱପୂର୍ଣ୍ଣ । ....ରମାକାନ୍ତ ଆସିଥିଲା । ସେ ଏମିତି ବିହ୍ୱଳ, ଆହତ, ବିବ୍ରତ ଅଳକାରାଣୀକୁ କ’ଣ ଦେଖିବାକୁ ଆସିଥିଲା ? –ନା–ନା କେବେ ନୁହେଁ ।

 

–ତମର ଏକାନ୍ତ ନିଜର ବୋଲି ରମାକାନ୍ତକୁ ବିଚାରିବ ? ରମାକାନ୍ତ କଥା କହି ଜାଣେ ନାହିଁ I ସଂସାରରେ ବଡ଼ ଅଳ୍ପର ଅନୁଭବୀ I ତାହାରି କଥାକୁ ଛଳ ?

 

ଭାରି ଜୋରରେ ଅଳକାର ସେହି ଗର୍ବିତ ବକ୍ଷରେ ବିକ୍ଷୋଭ ଉକୁଟି ଉଠୁଥାଏ–ଭିତରର ବିକ୍ଷୋଭ ।

 

–ଇଏ ବି ସେମିତି ବଡ଼ ବିଷମ ଅବସ୍ଥା । ଅଳକାର ହାତଟିଏ ରମାକାନ୍ତ ଧରି ପକାଇଥିଲା ଘଡ଼ିକ ଆଗରୁ । କିନ୍ତୁ ଆଉ ତାହାର ହାତ ଚାଲିଲା ନାହିଁ । –ସତେ ଯେପରି ଅଳକା ଜୀବନମୟ ହୋଇ ଉଠିଲାଣି–ଏଇ ଏତକର କଥା ଭାଷାରେ । ନାରୀର ଯୌବନ ପ୍ରାପ୍ତି ପରି ଅଳକାର ବ୍ୟକ୍ତିତ୍ୱ ରମାକାନ୍ତ ପାଖରେ ଯୌବନର ସୁବାସରେ ଭରି ଉଠିଛି ।

 

ଲୋଭୀ ଆଗରେ ଲୋଭକୁ ଉଚ୍ଚାଟ କରୁଥିବା ପଦାର୍ଥ ରହିଲେ ବି ସେଥିରେ ଅନେକ ବାଧା ଥାଏ–ଚୋର, ତସ୍କର, ପେଟୁ, ଟକଳିଆ । ମଣିଷକୁ ଯେମିତି ବାଧା ଥାଏ ପାଟିରୁ ନାଳ ଗଡ଼ାଉଥିବା ପୋଷା କୁକୁରମାନଙ୍କର ଯେମିତି ଆଙ୍କୁଶିର ବାଧା ଥାଏ । ସେଇଟା ହେଲା କାମର ପରିଣାମ ବିଷୟରେ ଚେତନା ।

 

ରମାକାନ୍ତ ଏହି ଘଡ଼ିକ ଭିତରେ ବଢ଼ି ଯାଇଛି । ଓଦା ମୁଗ ଗଜା ହେଲାପରି–ନୂଆ ଉଦ୍ଭିଦର ପ୍ରତିଶ୍ରୁତି ଦେଖାଇଲା ପରି । ଆରମ୍ଭ କଲେଜର ସହପାଠୀ–କୌତୂହଳୀ ବନ୍ଧୁତାର ଖିଆଲି ମଣିଷ–ସେଇଠୁ ହେଲା ନାକଷିଆ ପୁରୁଷ ବା ପ୍ରେମିକ–ଏବେ ସେ ଏଇ ମାନ–ଭଞ୍ଜନର ଜଣେ ନାୟକ

 

ପ୍ରୀତିର ବୃକ୍ଷରେ ଏମିତି ଡାଳରେ ଫୁଲ ଫୁଟେ–ମିଳନର ଫୁଲ । ଅବା ଝଡ଼ିପଡ଼େ ସେଇ ପ୍ରୀତିର କଢ଼ିଟି ।

 

ବେକ–ଦେଖା ଓ ଯୁଗଳ କୁମ୍ଭର ଆମନ୍ତ୍ରଣ ପତ୍ରର ସମ୍ଭାର ବୋହି ସତେକି ଅଳକା ଆଖି ବନ୍ଦ କରି ପିଠିରେ ଭରା ଦେଇ ଅଧାବସା ଓ ଅଧାଶୁଆ ହେଇ ପଡ଼ି ରହିଛି । ସାମନାରେ ସିଧା ହେଇ ବସି ନ ପାରି ସାମାନ୍ୟ ଝୁଙ୍କ୍‌ତିରେ ବସିଛି–ରମାକାନ୍ତ । ଅସୁମାରୀ କଥାର ପ୍ରସ୍ତାବ ଭିତରେ ଦୁହେଁ ଚୁପ୍‌ ।

 

ଏହି ନୀରବତା ଦୁହିଁଙ୍କୁ ଧୀରେ ଟାଣି ଆଣୁଥିଲା ନିକଟରୁ ନିକଟକୁ–ରମାକାନ୍ତର ମନେ ହେଉଥିଲା । ସତେ କି ଦୂରରୁ ଆସି ଅତି ନିକଟରେ ପହଞ୍ଚି ଯାଇଛି ।

 

ଅଳକାର ଲାଲରଙ୍ଗ–ମଖା ପାଦ ନଖ ଦଶଟିକୁ ଚାହିଁ ରମାକାନ୍ତ ଭାବିଥିଲା–ଏହି ପାଦ ଦୁଇଟିର ଶୋଭା କି ଅପୂର୍ବ । ଅଳକା କ’ଣ ପାଦରୁ ମୁଣ୍ଡଯାଏ କେଉଁଠି ହେଲେ ଊଣା ନୁହେଁ ?

 

–ମୋର ଦୋଷ । –କହି ରମାକାନ୍ତ ଅଳକାର ପାଦଦୁଇଟିକୁ ଛୁଇଁଲା । ଚମକି ପଡ଼ିଲା ପରି ଅଳକା ଚେତ ହୋଇ କହିଲା–ଆହା ରମାକାନ୍ତ, ତମେ କଲ କ’ଣ ? ମୁଁ ସିନା ତମର ପାଦଧୂଳି ନେବା କଥା । ତମେ ଏଇ ପାପ କଲ କ’ଣ ପାଇଁ ?

 

ରମାକାନ୍ତ ଘୁଞ୍ଚିଗଲାଣି ଦୂରକୁ ।

 

ଅଳକା ଆଖିରେ କ୍ରୋଧ । ଆଗରେ ରମାକାନ୍ତ ବିକାରହୀନ ହୋଇ ବସିଛି ।

 

ନିଜକୁ ସଂଯତ କରି ଅଳକା କହିଲା–ଛାଡ଼ ରମାକାନ୍ତ, ଆଜି ମନ ଭଲ ଲାଗୁନାହିଁ । ......ହଠାତ୍‌ କାହିଁକି ବିଗିଡ଼ି ଗଲା....ଆଉ ଦିନେ କେବେ ଆସିବ......ଭାବୁଛି ଯାଏଁ କେଉଁଠି ଘେରାଏ ବୁଲି ଆସିବି......କୁଆଡ଼େ ଆଉ ଯିବି ? ......ମାନିନୀ ଥିବ କି ନାହିଁ କେଜାଣି ।

 

–ହଉ । ମୁଁ ତା ହେଲେ ଯାଉଛି । ଆପଣ ଯିବେ ମାନିନୀଦେବୀ ଘରକୁ । ଯାଆନ୍ତୁ । ......ହଠାତ୍‌ ମନେହେଲା ମାନିନୀଦେବୀ ଏଇ କିଏ ?

 

ଦୁଆର ବନ୍ଧକୁ ଧରି ରମାକାନ୍ତ ତାହାର ଶେଥା ଶୁଖିଲା ମୁହଁରେ ଧଳାଦାନ୍ତ ଦି’ପାଟି ଦେଖାଇ କହିଲା–ବିରକ୍ତ ହେବେ ନାହିଁ । ମାନିନୀଦେବୀ କିଏ ?

 

–ମୋର ସାଙ୍ଗ–ବନ୍ଧୁ–ଜୀବନ । .....ତମରି କଲେଜର ଭଜକୃଷ୍ଣଙ୍କର ଛାତ୍ରୀ ? ଆଚ୍ଛା, ରମାକାନ୍ତ, ଏଇ ଭଜକୃଷ୍ଣ କିଏ ? କେଉଁ ଜଣକ ?

 

ରମାକାନ୍ତ ନ ଜାଣିଲାପରି କହିଲା–କଲେଜରେ ଅସଂଖ୍ୟ ଛାତ୍ର । କିଏ କାହାକୁ ଜାଣେ-? ତେବେ ମୁଁ ଜାଣେ ଜଣେ ଭଜକୃଷ୍ଣକୁ ।

 

–ସେ କ’ଣ ତମର ଜଣେ ବନ୍ଧୁ ?

 

–ନା, ତେବେ ସେ ମୋରି ପରି ହତଭାଗା–ଆଉ ଗରିବ ।

 

ମୁଁ କିଛି ବୁଝି ପାରୁନାହିଁ ଯେ କେମିତି ଆମେ କ’ଣ ସମସ୍ତେ ଏକା ପ୍ରକାରର ଗରିବ କଲେଜ ଛାତ୍ରଙ୍କୁ ଏମିତି ଚିହ୍ନୁଛୁ ? ଭଜକୃଷ୍ଣ କ’ଣ ତମରି ପରି ଜଣେ ? ସେ ଏବେ ମାନିନୀ ଘରକୁ ଆଉ ଯାଉନାହିଁ କାହିଁକି ?

 

–କ’ଣ ଦୁର୍ଘଟଣା ଘଟିଛି କି ?

 

–ଜାଣ ନାହିଁ ? ଜାଣ ନାହିଁ ? କହିପାରିବ ନାହିଁ । ସତରେ ଜାଣିନାହିଁ । ଭଜକୃଷ୍ଣ କାହାର ଶିକ୍ଷକ ହୋଇଥିଲେ ଜାଣନାହିଁ ? ଭଜକୃଷ୍ଣକୁ ଚିହ୍ନିଛ । ଆମର ପ୍ରିନ୍‌ସପାଲଙ୍କ ସୁପାରିଶରେ ପାଠ ପଢ଼ାଇ ଗୋଟିଏ ବୋହୂକୁ ଆଧୁନିକା କରୁଥିଲା । ଏବେ ଯାଉନାହିଁ କାହିଁକି ? କିଛି ଜାଣନାହିଁ ?

 

–ନା ।

 

–ମୋର ଦେହ ଛୁଇଁ କହ ଯେ, ତମେ ପ୍ରକୃତରେ ଭଜକୃଷ୍ଣର ମାନିନୀକୁ ପାଠ ପଢ଼ାଇବା କଥା ଜାଣ ନାହିଁ । ଭଜକୃଷ୍ଣ ତେବେ ଏତେ ଗଣ୍ଠିପକା ଗୋପନ ମନ୍ତ୍ର ପରି କଥା ରଖିଛି କାହିଁକି ? ସେ କ’ଣ ମାନିନୀକୁ ଭଲପାଏ ?

 

–କେଜାଣି ।

 

–କ’ଣ କେଜାଣି ? ଜଣେ ପୁରୁଷ ଯଦି ତାହାର ପହିଲି ପ୍ରେମର ପ୍ରେମିକାର ବିଷୟକୁ ଏମିତି ତାହାର ସାଙ୍ଗ ସାଥି, ସମବୟସୀଙ୍କୁ ଲୁଚାଇ ପାରେ ତେବେ ସେ ତ ବିଷମ ଲୋକ । ଏମିତି ଲୋକଙ୍କୁ ଶାସ୍ତି ଦିଆଯିବା ଉଚିତ୍‌ ।

 

–ଆଉ କ’ଣ ସେ ଡାକିଫୁକାରି ପ୍ରଚାର କରନ୍ତା ?

 

–ହଁ, କରନ୍ତା । ତମେ କ’ଣ ତମର ଭିତରର ଉପର ମୁହାଁ କ୍ଷୋଭ, ଦୁଃଖ, ସୁଖ, ରୋଗ ଓ ଶାନ୍ତିକୁ ଲୁଚାଇ ପାରିବ ? ଆଗ୍ନେୟଗିରି ମାନେ ଲୁଚାଇ ପାରନ୍ତି ନାହିଁ । ସମୁଦ୍ର ମଧ୍ୟ ଲୁଚାଇ ପାରେ ନାହିଁ ? ତରୁଣ କବି, ପ୍ରେମିକ ଲୁଚାଇ ଦେଇ ପାରିବେ ? ନା, ଏଇ ସୃଷ୍ଟି ଭୁଲ ହୋଇଯିବ-। ନିଶ୍ଚୟ ଭଜକୃଷ୍ଣ କାହାକୁ ହେଲେ କହିଥିବ–କହିବାର କଥା ।

 

–ମାନମୟୀ ଦେବୀ କ’ଣ କହି ନ ପାରିବେ ?

 

–କ’ଣ କହିଲ ? ମାନମୟୀ ? –ଏଇ ନାଁ ତମେ ପାଇଲ କେଉଠୁ ? ଆମେ ସଙ୍ଗାତ ମିତ ନ ବସି ମାନିନୀ ବୋଲି ଡକାଡ଼କି ହେଉ । ସେଇଟାରୁ ମୁଁ ତାକୁ ଡାକେ ମାନମୟୀ ବୋଲି । ତମେ ଏଇ ନାଁ ପାଇଲ କେଉଁଠୁ ?

 

–ମୁଁ ଜାଣେ ନାହିଁ । ମାନିନୀକୁ ମାନମୟୀ କହିଦେଲି ।

 

–ମିଛ । ମିଥ୍ୟାବାଦୀ ହେବାକୁ ଇଚ୍ଛା କରିବ ନାହିଁ । ଜାଣିନାହଁ ଯେ ନାରୀ ସବୁକଥା ସହି ପାରିବ–ଖାଲି ମିଛକୁ ଛାଡ଼ି । ତମର ଚରିତ୍ରର ଦୋଷକୁ ଅସଂଖ୍ୟ ଥର କ୍ଷମା ଦିଆଯାଇ ପାରିବ; କିନ୍ତୁ ମିଛକୁ ଥରେ ହେଲେ କ୍ଷମା ନାହିଁ । ....ତୁମେ ଯାଇ ପାରିବ ନାହିଁ ।

 

ରମାକାନ୍ତ ଓହ୍ଲାଇ ଗଲାଣି ଦୁଇ ପାହାଚ । ସେ ବିବ୍ରତ ବ୍ୟସ୍ତ ହୋଇ ପଡ଼ିଲାଣି ଘଟଣାର ଆକାର ଦେଖି ।

 

ଅନୁରୋଧ ଓ ଧମକର ମିଶା ବ୍ୟଞ୍ଜନାରେ ଅଳକା କହିଲା–ଶୁଣ ରମାକାନ୍ତ ! ପଳାଇଯିବା ପାଇଁ ଚେଷ୍ଟା କଲେ ବିପଦରେ ପଡ଼ିବ । ଭୋକ, ଉପାସ, ଅନଟନକୁ ବୁଝିଛ ଏଗୁଡ଼ାକ ତକଲିଫ୍‌ । ଆପଦ ବିପଦ ଏମାନଙ୍କଠାରୁ ବହୁ ଗୁଣରେ ଭୟଙ୍କର ।

 

ରମାକାନ୍ତ ଆସିଲା ନାହିଁ ।

 

ଦୁଇ ପାହାଚକୁ ଓହ୍ଲାଇଯାଇ ଅଳକା ତାହାର ସେହି କଅଁଳିଆ ହାତ ଦୁଇଟିରେ ରମାକାନ୍ତର ଦୁଇ ହାତକୁ ଧରି କହିଲା–ଶୁଣ ରମାକାନ୍ତ ! ଅଳକାକୁ କୌତୂହଳୀ କରି ଚାଲିଗଲେ ଅଳକା ଅସମ୍ଭାଳ ଓ ବେକାଇଦା ହୋଇପଡ଼ିବ । –କିଛି ଆଶଙ୍କାର କାରଣ ନାହିଁ ।

 

–ମନେ ରଖିବ ଯେ ଅଳକା ରମାକାନ୍ତକୁ ବିପଦରେ ପକାଇବା ଆଗରୁ ନିଜେ ସେ ତାହାର ଶେଷ ରକ୍ତବିନ୍ଦୁ ଓ ଜୀବନର ଶେଷ ନିଶ୍ୱାସ ଦେଇ ନିଜକୁ ପାଉଁଶ କରିଦେବ ।-–କହି ଅଳକା ରମାକାନ୍ତକୁ ଟାଣି ନେଇଗଲା ପୁଣି ସେଇ କୋଠରୀ ଭିତରକୁ ।

 

ଦୁଃଖିତ ତ୍ରସ୍ତ ଗଳାରେ କହିଲା–ପ୍ରଭୁ ଜାଣନ୍ତି । ଆଜି ବାହାର ପିଣ୍ଡାରେ ଯେଉଁ ଦୃଶ୍ୟଟି ହାତ ଧରାଧରି କରି ଦେଖାଇଲି–କିଏ ଦେଖିଲେ କି ନାହିଁ । କେହି ଯଦି ଦେଖିଥାଏ ଆଉ ସେଥିପାଇଁ ମତେ ଅପମାନ ଦିଏ, ତାହାହେଲେ ତୁମକୁ ରମାକାନ୍ତ ସେ ସମସ୍ତର ପ୍ରତିକାର କରିବାକୁ ହେବ ।

 

ରମାକାନ୍ତ ନିଜେ ଆଲିଜା ଦେଇ ପଡ଼ିଗଲାଣି ସୋଫା ଉପରେ ।

 

–ଏମିତି କ୍ଲାନ୍ତ, ବିଷର୍ଣ୍ଣ ହୋଇ ଶୋଇ ପଡ଼ିଲେ ମଧ୍ୟ ତୁମକୁ ମୁଁ ରିହାତି ଦେଇ ପାରିବି ନାହିଁ । କୁହ–ମୁଁ ତମର କ’ଣ ନିଜର କେହି ନୁହେଁ ? ଏଇ ଛାତିତଳେ କ’ଣ ମୋର ଏକାନ୍ତ ଆପଣାର ରମାକାନ୍ତ ପାଇଁ ଲକ୍ଷ କୋଟି ସ୍ପନ୍ଦନ ନାହିଁ ? ତୁମକୁ କ’ଣ ମୁଁ ପର କରିଦେଇଛି ରମାକାନ୍ତ ?

 

–ନା ।

 

–ତେବେ ? ଭଜକୃଷ୍ଣ ତୁମକୁ ମାନମୟୀ କଥା କ’ଣ କହିଲା ? ତମେ ମତେ କହିଲ ନାହିଁ କାହିଁକି ?

 

–ବିଶେଷ କିଛି ନୁହେଁ । ...ଆଜି କହୁଥିଲା ।

 

–ଏଁ, ଆଜି ? –ଆଜି ? –ଭଜକୃଷ୍ଣ କ’ଣ ଜାଣେ ଯେ ତୁମେ ଏଠିକି ଅଳକା ଘରକୁ ଆସିବ ବୋଲି ?

 

–ନା ।

 

–ପୁଣି ମିଛ ? ସତ କହିଲ, କହି ନାହଁ ?

 

–ନା, ମୁଁ ନିଜେ ଆପଣଙ୍କୁ କହୁଥିଲି ଆସିବି ବୋଲି ।

 

–କହି ନାହଁ । ଭଲକଥା । ଏଇଠି ତମେ ବନ୍ଦ ହୋଇ ରହିଥିବ ମୋର ଲୋକ ଯାଇ ଭଜକୃଷ୍ଣକୁ ପଚାରି ଫେରିବା ଯାଏ । ତମେ ଯଦି ମିଛ କହିଥିବାର ପ୍ରମାଣ ମିଳେ ତାହାହେଲେ ତୁମେ ନିଶ୍ଚେଁ ବୁଝିପାରିବ ଏଇ ସରଳ ବିଶ୍ୱାସୀ କଲେଜ ଛାତ୍ରୀଟିକୁ ।

 

ରମାକାନ୍ତର ଓଠ ଶୁଖିଗଲାଣି । ଆକାଶ ଯେପରି ଆସି ବଜ୍ରବିଦ୍ୟୁତ୍‌–କୁଆପଥରର ଭାରରେ ଭାଙ୍ଗି ପଡ଼ୁଛି ।

 

ଅଳକା ଫ୍ରିଜ୍‌ ଖୋଲି ଗିଲାସେ ପାଣି ଆଣି ଥୋଇଲା–ତମେ ବଡ଼ ଶୋଷୀ ପରି ଜଣାଯାଉଛ । ମିଛ ସବୁବେଳେ ଏମିତି ରକ୍ତରୁ ପାଣି ଟାଣିନିଏ । ମୋର ଅସରନ୍ତି ଆଦରକୁ ଗୋଇଠା ମାରି ତମେ ଭଜକୃଷ୍ଣ ଓ ମାନମୟୀ ସମସ୍ତଙ୍କୁ ଆପଟ ହେଉଛ । ଇଏ ଖୁସିର କଥା–କିନ୍ତୁ ତମେ ଭଜକୃଷ୍ଣଙ୍କୁ ମୋ’ କଥା କହିଲ କାହିଁକି ? ଏଇ ଅଧିକାର ତୁମର ଅଛି କି ?

 

–ନା ।

 

–କି ଶାସ୍ତି ଗ୍ରହଣ କରିବ ?

 

–ଦୋଷ ହୋଇଛି । ଯେଉଁ ଶାସ୍ତି ଦବ । ମୁଁ ମାନିନେବି ।

 

–ମୁଁ କିଛି ବିଚାରପତି ନୁହେଁ । ମିଠା କଥା, ମିଠା ମୁହଁ ଅବା ମିଠା ସରଞ୍ଜାମ ତୁମକୁ ଦେଖାଇ ବିଚାରପତିତ୍ୱ କରିବି । ତୁମକୁ ପୂରା କ୍ଷମା ଦେଲି । କାରଣ କ’ଣ ଜାଣ ?

 

–ହଁ ।

 

–କ’ଣ କାରଣ ?

 

–କେମିତି କହିବି ?

 

–ଓ, ଭାରି ବଡ଼ ମଣିଷଟିଏ ତୁମେ । ମୋ’ କଥା ମତେ କହି ପାରିବ ନାହିଁ । ମୋ’ କଥା ତୁମର ଚରିତ୍ରହୀନ ବନ୍ଧୁଙ୍କୁ କହି ପାରିବ ?

 

–ସେ କ’ଣ ଚରିତ୍ରହୀନ ?

 

–ଭଜକୃଷ୍ଣ ନିଶ୍ଚିନ୍ତରେ ଘୋର ଦୁଶ୍ଚରିତ୍ର–ତୁମଠାରୁ ଶହେଗୁଣ ବେଶି । କେମିତି ଜାଣିଛ କି ?

 

–ନା । ...ନା, ଭଜକୃଷ୍ଣ ଚରିତ୍ରହୀନ ନୁହେଁ ।

 

–ଜଣେ ନାରୀର ମନକୁ ଲୁଟପାଟ କରି ପଳାଇବା ଚରିତ୍ରହୀନତାର ଅତି ହୀନସ୍ତର । ଏକଥା କ’ଣ ଠିକ୍‌ ?

 

–ହଁ ।

 

–ତମେ ନିଜେ କେତେଦୂର ଦୋଷୀ–ବୁଝି ପାରୁଛ ?

 

–ହଁ ।

 

–ମତେ ତୁମେ କ’ଣ ଭଲ ପାଅ ।

 

ରମାକାନ୍ତର ଭିତରୁ ଶବ୍ଦ ବାହାରିଲା ନାହିଁ ।

 

ରମାକାନ୍ତର କପାଳ ଓ ମୁହଁ ଉପରେ ଅଳକା ତାହାର ଅତର ବାସନାମଖା ପାପୁଲିଟି ବୁଲାଇ ସ୍ନେହରେ କହିଲା–କୁହ ରମାକାନ୍ତ ! –ଅଳକା, ତୁମକୁ ମୁଁ ଭଲପାଏ । ....କୁହ ।

 

ରମାକାନ୍ତ ଚୁପ୍‌ ରହିଲା ।

 

–ତୁନି ରହିବା ଭଲ ପାଇବା ନୁହେଁ । ନୀରବତାର ଦୀର୍ଘତା ପ୍ରୀତିର ସାନ୍ନିଧ୍ୟ ନୁହେଁ । ଏକଥା ଠିକ୍‌ ?

 

–ହଁ ।

 

–ତେବେ କହ, ମୁଁ ଅଳକାକୁ ଭଲ ପାଏ ।

 

–ମୁଁ ଅଳକା ଦେବୀଙ୍କୁ ଭଲ ପାଏ ।

 

–ଅଳକା ବଡ଼ ପାଟିରେ ହସିଲା । –ସେହି ହସରେ ଥିଲା ଅନ୍ତରଙ୍ଗତା–ହସି କହିଲା–ଡରମାଡ଼ୁଛି ନା ? .....ଅଳକା ବଦଳରେ ଅଳକା ଦେବୀ କହିଦେଇ ଡରମାଡ଼ୁଛି ?

 

–ହଁ ।

 

–ଡରିବ ନାହିଁ । ଭଲ ପାଇବା ହେଉଛି ଭୟର ଔଷଧ–ଭୟର ଶତ୍ରୁ । ଅଳକାକୁ କେହି ଭଲ ପାଇନାହିଁ–ଏକା ରମାକାନ୍ତ ଭଲ ପାଇଛି । ଏଠି ସେ ମୁକ୍ତି, ସ୍ୱାଧୀନ ଓ ଭୟହୀନ । ଅଳକାର ସର୍ବସ୍ୱ ରମାକାନ୍ତର । ...ନେଇପାରିବ ରମାକାନ୍ତ ?

 

–ହଁ ।

 

–ନା, ତମେ ରମାକାନ୍ତ କାହାରି ସର୍ବସ୍ୱ ନେଇପାରିବ ନାହିଁ । ଭଜକୃଷ୍ଣ ନେଇ ପାରିବ । ତମର ମୁହଁରେ ପଶୁର ସେହି ହିଂସ୍ରତା ନାହିଁ । ଭଲ ମଣିଷର କମନୀୟତା ଅଛି....ଆଉ କାହାକୁ ଅଳକା ଏହି କଥା କହିଥିଲେ–କହିଥିଲେ....ନା, ଅଳକାର ତୁଣ୍ଡ ଖୋଲନ୍ତା ନାହିଁ ।

 

ଭାଗ୍ୟବାନ୍‌ ଏମିତି ତାହାର ଯୋଗ୍ୟତାଠାରୁ ବହୁତଗୁଣ ଅଧିକ ପାଏ । ଏଇଆ ହେଉଛି ବିଧିର ଭିଆଣ ।

 

ତମପରି କଳୁଷ–ହୀନ ପୁରୁଷ ଏଇ ସଂସାରରେ କ’ଣ କରିବେ ? –ଭାବିଲେ ତମ ଉପରେ ଭାରି ମାୟା ଆସେ–ଆହା–ରମାକାନ୍ତ, ତୁମେ କ’ଣ ମଣିଷ ନୁହଁ ?

 

–ମତେ ବିରକ୍ତ ହେଉଛ । ମୋର ବା ଦୋଷ କେତେ ?

 

–ଦୋଷର ଅର୍ଥ ବୁଝିଛ । ଯିଏ ଦାନ ଗ୍ରହଣ କରି ନ ଜାଣେ ସେ ସବୁଠାରୁ ବଡ଼ ଦୋଷୀ-। ଯେ ଅପରର ମନ ବୁଝି ନ ପାରେ ତାହାଠାରୁ ବଳି ଦୋଷୀ କ’ଣ କିଏ ହେଇପାରେ-?

 

–ମୁଁ ସମ୍ଭାଳି ନ ପାରି ଭଜକୃଷ୍ଣକୁ କହି ଦେଇଥିଲି ।

 

–ସେ ତ ଅସମ୍ଭାଳ ହେଲା ନାହିଁ । ସେ ତୁମକୁ ମାନମୟୀ କଥା ଲୁଚାଇ ଦେଲା ।

 

–କିଏ କ’ଣ ଲୁଚାଇପାରେ ? ଅନ୍ତରର କଥାର ସହଜ ସାଙ୍ଗ ହେଉଛି ଆର ଜଣକର ଅନ୍ତରର କଥା ।

 

–ବହି ପଢ଼ି ଏଇ କଥା କହୁଛ କି ?

 

–ନା ।

 

–ତେବେ ଭଜକୃଷ୍ଣ କ’ଣ ମାନମୟୀକୁ ଭଲପାଏ ନାହିଁ ?

 

–ହଁ ।

 

–ମାନମୟୀ କ’ଣ ଭଜକୃଷ୍ଣକୁ ନିଜର ପ୍ରାଣଠାରୁ ଓ ନିଜର ସ୍ୱାମୀଠାରୁ ବଡ଼ କରିନାହିଁ ?

 

–ଜାଣେ ନାହିଁ । ଅଳ୍ପ କିଛି ଏଣୁତେଣୁ କରି କହିଥିଲା ।

 

–ପରେ କହିବ କି ? ତମର ଦେଖା ହବ କି ?

 

–ହଁ ।

 

–କ’ଣ କହିବ କି ମୋ’ କଥା ?

 

–ଅନୁମତି ଦେଲେ କହିବି ।

 

–ଅନୁମତି ନ ଦେଲେ–

 

–କିଛି କହିବି ନାହିଁ । କହିଦେବି ଯେ ଆସିଲି ନାହିଁ ଏଠିକି ।

 

–ଅନୁମତି ଦେଲେ କ’ଣ କହିବ ?

 

–କହିବି ମୁଁ ତାଙ୍କୁ ଭଲ ପାଏ ।

 

–ବାଃ, ବଡ଼ ଖୁସିର କଥା । ତୁମର ତୁଣ୍ଡ ଲେଉଟିଲାଣି–ସାଧା ଅ–ଆ ପରେ ଙ୍କ–ଙ୍ଖ–ଙ୍ଗ–ଙ୍ଘ ତୁଣ୍ଡ କହି ଜାଣିଲଣି । ଆଜି କେଡ଼େ ଭଲ ଲାଗୁଛି–ଏତେ ଶୀଘ୍ର ତମେ ମୋରି ଆଖିରେ ବଢ଼ିଯାଉଛ ।

 

–ଶୁଣ, ଅଳକା, ସୁବିଧା ପାଇଲେ ଓ ଅନ୍ୟର ଅଭୟ ଓ ଆଶ୍ରୟ ପାଇଲେ ସମସ୍ତେ ବଢ଼ି ପାରିବେ ।

 

–ନା, ବଢ଼ି ପାରିବେ ନାହିଁ ।

 

ଟେଲିଫୋନ୍‌ ବାଜିଲା–

 

ବିରକ୍ତିରେ ଅଳକା ଯାଇ ଟେଲିଫୋନ୍‌ରେ ଶୁଣିଲା–ନମସ୍କାର–ଏଇ ମୋର ଜଣେ ବନ୍ଧୁଙ୍କୁ ପାଠ ପଢ଼ାଉଥିଲି ।

 

–ହଁ ସେଇକଥା । ହେଇ ଶୁଣ, ଆଜି ଯାଇ ପାରିବି ନାହିଁ । ......ଭଜକୃଷ୍ଣବାବୁଙ୍କ କଥା ତାଙ୍କର ଜଣେ ସାଙ୍ଗଙ୍କ ସାଥିରେ ଚାଲିଛି......

 

.....ରମାକାନ୍ତ ଉଠିଗଲା ଟେଲିଫୋନ୍‌ ପାଖକୁ । ହାତଯୋଡ଼ି ଠିଆ ହୋଇଥାଏ । .....କିଏ ଅଳକା ?

 

–ଆଉ କିଏ ? ଆମରି ମାନମୟୀ ।

 

–ଆରେ ଶୁଣ–ଶୁଣ । ସେ ବାବୁ ଆସି କହୁଛନ୍ତି–ତମେ କିଏ ?

 

–ନିଅ, ତୁମକୁ ସେ ଟେଲିଫୋନ୍‌ ଧରିବାକୁ କହୁଛନ୍ତି । –ରମାକାନ୍ତ ହାତଯୋଡ଼ି ମନା କଲା ।

 

.....ନାହିଁ, ମାନମୟୀ–ହୋଇ ପାରିବ ନାହିଁ । ସେ ଟେଲିଫୋନ୍‌ ଧରିବେ ନାହିଁ । କେତେବେଳୁ ହାତଯୋଡ଼ି ଠିଆ ହୋଇ ବାରଣ କରୁଛନ୍ତି......ଏଁ, ଆସିବ ? –ଆସ ।

 

–ମୁଁ ତାଙ୍କୁ ଅଟକାଇବାକୁ ଚେଷ୍ଟା କରିବି ।

ରମାକାନ୍ତ ଘର ଛାଡ଼ିବା ଉପରେ । ବଡ଼ ପାଟିରେ ଅଳକା କହିଲା–ଚାଲିଯାଅ ନାହିଁ ରମାକାନ୍ତ । ମାନମୟୀ ଆସିବେ । ତୁମ ସାଙ୍ଗରେ ତାଙ୍କର କଥା ଅଛି ।

–ନାହିଁ, ସେ ଯିବା ଉପରେ ହେଲାଣି । ମନେ ହେଉଛି ସେ ରାସ୍ତାରେ ଧାଇଁବେ । ଆଉ ସାଇ କୁକୁରମାନେ ତାଙ୍କୁ ତଡ଼ିବାରେ ଲାଗିଯିବେ । ମୋର ବନ୍ଧୁ ଲୋକହସା....

ହସି ନମସ୍କାର କହି ଅଳକା ଟେଲିଫୋନ୍‌ ଥୋଇଦେଇ ଚାହିଁଲା–ପ୍ରଧାନ ଗୁରୁଜୀଙ୍କୁ ଡରି ତଳ ଶ୍ରେଣୀର ଛାତ୍ର ଭୟାର୍ତ୍ତ ଆଖିରେ ଦୂରକୁ ଚାହିଁଲା ପରି–ରମାକାନ୍ତ ମିନତିଭରା ଆଖିରେ ଚାହିଁଛି ।

ସ୍ନିଗ୍‌ଧ ହସ ଫୋପାଡ଼ି ଅଳକା କହିଲା–ନାହିଁ । ମାନମୟୀ ଆସିବ ନାହିଁ । ତା’କୁ ମୁଁ ମନା କରିଦେଲି । .....ତଥାପି ନ ଆସିବ, ଏମିତି ବି କହି ହବ ନାହିଁ ? .....ତମେ ପଳାଇଲେ କୁଆଡ଼େ କେତେ ଦୂର ଯିବ ? ......ମାଇପେ ଯଦି ତୁମକୁ ଖୋଜିବାକୁ ବାହାରନ୍ତି ତାହାହେଲେ ମନ ରଖିଥାଅ–ମରଣର ଜୁଇ ନିଆଁ ଛଡ଼ା ଆଉ କେହି ତୁମକୁ ତାଙ୍କର ବନ୍ଧନରୁ ମୁକୁଳାଇ ପାରିବ ନାହିଁ-। ....ଏଇ ମାନମୟୀ ଭାରି ଖିଆଲବାଜ୍‌ ।

କାକୁସ୍ଥ ହେଇ ଆସି ରମାକାନ୍ତ ବସିଲା ।

–କି, ଏମିତି କାହିଁକି ହଉଛ ? ତୁମକୁ କ’ଣ କିଏ ହାଣକୁ ନେଉଛି ? ଆସିଛ–ବେଶ୍‌ ନିଜ ପରି ହେଇ ଖୁସି ଆନନ୍ଦ ହୁଅ । କାନ୍ଦିବା ସକେଇବା ପାଇଁ ବହୁତ ଜାଗା ଅଛି । ଆଉ ସେମିତି ଅସଂଖ୍ୟ ଦୁର୍ଦ୍ଦଶା ବି ଅଛି ।

 

–ମୁଁ ମଲିଣି ଆସି ।

 

–ଏତିକିରେ ? ଆହେ ସଖା, ଏମିତିରେ କେହି ମରିପାରେ ନାହିଁ । ମଲା ପରି ଛଟା ଗାଳେ । ମରଣ କୁଆଡ଼େ ଭାରି ତୀବ୍ର । ମଉଜ ମଜ୍‌ଲିସରେ କ’ଣ କିଏ କେବେ ମରିଛି ?

 

–କି ମଉଜ ?

 

–ଓ ? ଏତିକି ପାଇଁ ଲୋକେ ହଜାର ହଜାର ଟଙ୍କା ଖରଚ କରି ଅସଂଖ୍ୟ ପ୍ରକାରର ବିଭଙ୍ଗ ରୂପ ଦେଖାଇବାକୁ ତିଆର । ତମେ କ’ଣ ପାଇଛ ଜାଣିଲି ନାହିଁ । ତେଣୁ ତମେ କ’ଣ ହରାଇଲ–ସେତକ ବୁଝି ପାରିଲ ନାହିଁ ।

 

–ଆଜି ଗୋଟାଏ ଶିକ୍ଷାର ଦିନ ।

 

–ହେ, ଓଲୁ ମହାରାଜ, ଏଇସବୁ ଶିକ୍ଷାଦୀକ୍ଷା ପୁରୁଣା–କାଳିଆ ଗପ । ସେଗୁଡ଼ାକ ଛାଡ଼ିଦିଅ । ଏଠି ସମସ୍ତେ ଫୁଙ୍ଗୁଳା–ନଗ୍ନତା ଦେଖିଛ ?

 

–ନା ।

 

–ସବୁ କଥାକୁ ନା–ମନା । ତୁମକୁ ମଣିଷଟିଏ କରି ଏଇ ସଂସାରକୁ ଆଣିଲା କିଏ ? ଆସିଲା ବେଳେ କ’ଣ ପାଞ୍ଚଟା ଲୁଗା ପିନ୍ଧି ଆସିଥିଲ ?

 

–ନା ।

 

–କେଉଁଦିନ ଲୁଗା ପିନ୍ଧିଲ ମନେ ଅଛି ?

 

–ନା ।

 

–କେଉଁଦିନ ଲୁଗା ପିନ୍ଧିବ ନାହିଁ କହି ପାରିବ ?

 

–ନା ।

 

–ମଲାବେଳେ ମଣିଷ କ’ଣ ଲୁଗା ପିନ୍ଧି ପୋଡ଼ା ହୁଏ ।

 

–ନା ।

 

–ତାହାହେଲେ ଏଠି ଏତେ ପ୍ରସ୍ତ ଲାଜର ଓଢ଼ଣା ପିନ୍ଧୁଛ କାହିଁକି ?

 

–ଲାଜ ମାଡ଼ୁଛି ।

 

–ନା, ଡର ମାଡ଼ୁଛି ? ସ୍ୱାଧୀନ ହେବାକୁ ଇଚ୍ଛା । ଏଣେ ସ୍ୱାଧୀନତାକୁ ଡର । ଭଲ ପାଇବାକୁ ଇଚ୍ଛା–ଏଣେ ପାଇବା ଦେଖିଲେ ଥରହର । –କ’ଣ ଠିକ୍‌ ?

 

–ହଁ ।

Unknown

 

–ତୁମକୁ ରମାକାନ୍ତ, ଅନେକ କଥା ଶିଖିବାକୁ ହେବ । ଏଇ ସଂସାର ହେଉଛି ନିର୍ଲଜଙ୍କର । ଯାହାର ଲାଜ ଯେତେ କମ୍‌, ସେ ସେତିକି ବଡ଼ ।

 

–କେଜାଣି ।

 

–ହଉ ରହ ଟିକିଏ । ମାନମୟୀ ଆସିଗଲା ପରା । ମଟରର ଶବ୍ଦ ଶୁଭୁଛି ।

 

–ମନା କରୁଥିଲ । ସେ ଆସିବେ ନାହିଁ ବୋଲି କହିଲ ।

 

–କହିଲି ସିନା । ସେଇଆ ଭାବିଥିଲି । ତେବେ ନାରୀଙ୍କର କୌତୂହଳ ହେଉଛି ବଡ଼ କ୍ଷମତାଶାଳୀ କଳ । ......ବୋଧହୁଏ ଭଜକୃଷ୍ଣ ସାଙ୍ଗରେ ମାନମୟୀର କିଛି ବିଶେଷ ଅଡ଼ୁଆ ରହିଛି-। ନ ହେଲେ ସେ ଏମିତି ବସିବା ଥାନରୁ ଉଠିବ କାହିଁକି ?

 

–ମୁଁ ପଳାଏଁ ।

 

–ସେ ତ ବାଟରେ ତୁମକୁ ଧରିବ ।

 

–ସେ କ’ଣ ଚିହ୍ନିଛି ରମାକାନ୍ତକୁ ?

 

–କିଏ ଜାଣେଁ ? କିଏ କାହାକୁ କାହିଁକି କେମିତି କେତେବେଳେ କେଉଁ ପ୍ରକାରରେ ଚିହ୍ନିଲା ?

 

–ତେବେ ମତେ କେଉଁଠି ଟିକିଏ ଲୁଚିବାକୁ ଜାଗା ଦିଅ ।

 

–ଏଠି ? କେଉଁଠି ଲୁଚିବ ?

 

–ଫାଟକ ଭିତରକୁ ମାନମୟୀର ଗାଡ଼ି ଆସିଲା–ସେ ଏକା–ନିଜେ ମଟର ଚଳାଉଛି ।

 

ରମାକାନ୍ତ ପରଦା ଫାଙ୍କରୁ ଦେଖିଲା । ମାନମୟୀକୁ ପାଛୋଟି ଆଣିବାକୁ ଅଳକା ବାହାରି ଗଲା ।

 

–କ’ଣ ମାନମୟୀ ? ଭାରି ଚଞ୍ଚଳ ଆସିଲ ? ମୁଁ ପରା ମନା କରୁଥିଲି ।

 

–ମୋର ଟିକିଏ କଥାଥିଲା । ତମର ସେଇ ବାବୁଟି’ ସାଙ୍ଗରେ ।

 

–ସେ ଚାହୁଁ ନାହାନ୍ତି ତମ ସାଙ୍ଗରେ ଭେଟ ହେବାକୁ ।

 

–ସିଏ ତ ଉତ୍ତମ କଥା । .....ମୋର କାମ ଅଛି ।

 

–ହୋ, ରମାକାନ୍ତବାବୁ, ଆସ । ମାନମୟୀ ଦେବୀ ଆସିଛନ୍ତି ତୁମ ସାଙ୍ଗରେ କଥା ହେବାକୁ ।

 

ସେତେବେଳକୁ ରମାକାନ୍ତ ଯାଇ ଗାଧୁଆଘରେ ଲୁଚି ଯାଇଛନ୍ତି ।

 

ଜବାବ ନ ପାଇ ଅଳକା ଓ ମାନମୟୀ ଘର ଭିତକୁ ଆସି ଦେଖିଲେ କୋଠରୀ ଖାଲି ।

 

–ଗଲେ କୁଆଡ଼େ ? –ଅଳକା ଚାରିଆଡ଼କୁ ଆଖି ପକାଇ ଆଗ ଦୁଆର ଦେଇ ବାହାରକୁ ଚାହିଁଲା । ଏତେ ଅଳ୍ପ ସମୟରେ ଅଦୃଶ୍ୟ ।

 

–ହଉ, ହଉ ବୁଝାଗଲା । ମାନିନୀ ସାଙ୍ଗରେ ଥଟ୍ଟା ହେଉଥିଲା ।

 

–ସତରେ । ଥଟ୍ଟା ନୁହେଁ । ତମର ମାଷ୍ଟ୍ର ଭଜକୃଷ୍ଣଙ୍କର ଜଣେ ସାଙ୍ଗ ।

 

–ଛାଡ଼ ।

 

–ଆଚ୍ଛା, ମାଷ୍ଟର ସାହେବଙ୍କ ସାଙ୍ଗରେ କ’ଣ କଳି ହୋଇଛି ?

 

–କହୁଛି ଯେ । ସେ ସାଙ୍ଗଟି ଏଠିକି କ’ଣ ପାଇଁ ଆସିଥିଲେ ? ଦିହେଁ କ’ଣ ଏକା ପ୍ରକାରର ଲୋକ ?

 

–ଏକା ପ୍ରକାରର ? କେଉଁ ପ୍ରକାର କେଜାଣି ? ଏଠିକି ଆସିବା ପଟଟି ଗୋଟିଏ–ଗଙ୍ଗାଜଳ । ଭଜକୃଷ୍ଣବାବୁ କିପରି ଲୋକ ?

 

–ଭଲ ଲୋକ । ଭଲ ଲୋକର ମଞ୍ଜି ଅଲଗା ।

 

–ସେ ଆଉ ମାନିନୀ ଦୁଆର ମାଡ଼ୁ ନାହାଁନ୍ତି କାହିଁକି ?

 

–ସେକଥା ପରେ । ଏବେ ଦରକାର ତମର ରମାକାନ୍ତବାବୁଙ୍କ ପାଖରେ । ଚାଲଯିବା–ଖୋଜିବା ।

 

–ଆଃ, ଆଉ କାମ ନାହିଁ ଆମର ? ସେ କୁଆଡ଼େ କେଉଁବାଟେ ହତାପାର ହେଇ କୁଆଡ଼କୁ ଗଲେଣି ଆଉ ଦି’ଜଣ ସ୍ତ୍ରୀ ଲୋକ ମଟରରେ ବାଟୋଇଙ୍କୁ ଖୋଜିବେ ।

 

–ଚାଲ ଯିବା । ତମେ ତ ଚିହ୍ନିଛ । ଦେଖା ନ ମିଳିଲେ ବୁଲା ବୁଲି କରି ଫେରି ଆସିବା ।

 

–ହଉ । ......କିଛି ଖାଇବ ?

 

–କ’ଣ–କହ । –ବଟିକା, ଲେହ ନା ଆସବ ?

 

–ଆସବ ଆଣ ।

 

–ହେଇ, ଅଳ୍ପ ଅଳ୍ପ । ମଟର ଚଳାଇବ । ଯଦି ଧକ୍‌କା କର ତେବେ ।

 

–କାଳତୁଣ୍ଡ କଥା । ଆଣ–ଦେଖିବା ।

 

–ବୋତଲ ଆଉ ତାହାରି ସରଞ୍ଜାମ ଆଣି ଟେବୁଲ ଉପରେ ଥୋଇ ଅଳକା କହିଲା–ଆଜି ସଞ୍ଜରେ ଦି’ଥର ହୋଇଯିବ । ନକ୍ଷତ୍ର ଆସିଥିଲା–

 

–ଆଉ, ତମର ବନ୍ଧୁ ରମାକାନ୍ତ ?

 

–କିଏ ଜାଣେ ? ତେବେ ସେ ଛୁଇଁବ ଏ ସବୁ ? ସେ ପରା ଜଣେ ଉଞ୍ଚା ଲୋକ ।

 

ଆଚ୍ଛା, ବାଥରୁମ୍‌ରୁ ଆସେ କହି ମାନମୟୀ.....ହଠାତ୍‌ ଫେରି ଆସି ଶଙ୍କିତ ଗଳାରେ ପଚାରିଲା–କ’ଣ ଅଳକା ? ଗୋଟାଏ ଲୋକ ସେଠି ?

 

–ଏଁ, ଲୋକ ?

 

–ହଁ ।

 

–ବାଥରୁମ୍‌ ଖୋଲା ରହିଲା କେମିତି ?

 

–ଖୋଲା ଅଛି ତ ।

 

–ଡାକ ପୁଲିସ୍‌କୁ । ଘୁଞ୍ଚିଯାଅ ଏଠୁ ।

 

ଏଇକଥାରେ ପରଦା ପକାଇ ରମାକାନ୍ତ ବାହାରି ଆସିଲା–ମୋର ଦୋଷ କ୍ଷମା କରନ୍ତୁ-

 

–ଆରେ ରମାକାନ୍ତ ? ତୁମକୁ ଆଉ ପାରି ହେବ ନାହିଁ । ତମେ ସେଠି ଲୁଚିଛ ?

 

–କଲେଜ ବାବୁର ରୂପ ଏବେ ଗୋଟାଏ ଠାଉଆ ଚୋରର ରୂପ ନେଇ ଗଲାଣି ।

 

ଅଳକା ଦେଖିଲା–ଅବସ୍ଥା ଖରାପ । ଟେବୁଲ ଉପରର ସରଞ୍ଜାମ ରମାକାନ୍ତର ଆଖିରେ ପଡ଼ିଲାଣି । ସମସ୍ତେ ସମସ୍ତଙ୍କୁ ଦେଖି ସାରିଲେଣି । ଦୁଃସାହସ ଦରକାର ।

 

ହୁକୁମିଆ ସ୍ୱରରେ ଅଳକା କହିଲା–ଆସ ରମାକାନ୍ତ ! ଏଠି ବସ, ଆଉ ଆଜି ଆମର ଦୋଷ ନାହିଁ । ଆମେ ଏହି ଯେଉଁ ଜିନିଷ ପାଖରେ ରଖିଛୁ ଏହି ଜ୍ଞାନର ସମ୍ବାଦ ନେଇ ତମେ ଏ ଘର ଛାଡ଼ି ଯାଇ ପାରିବ ନାହିଁ । ତୁମକୁ ଆଜି ଯେତେ କମ୍‌ ହେଲେ ବି ଟିକିଏ ନିଶା ଖାଇବାକୁ ପଡ଼ିବ ।

 

–ମୁଁ ମରିଯିବି ।

 

–ମର ବା ନ ମର, ଆମକୁ ଏଇ ଅବସ୍ଥାରେ ଦେଖି ତମେ ଚରିତ୍ରକୁ ନେଇ ଏହି ହତାର ବାହାରକୁ ଯାଇପାରିବ ନାହିଁ । ନିଶା ଖାଇ କେହି ମରନ୍ତି ନାହିଁ । ବେଶି ନିଶା ହେଲେ ମାତାଲ ହୁଅନ୍ତି । ତୁମକୁ କେବଳ ବିଧିରକ୍ଷା କରିବାକୁ ହେବ ।

 

ରମାକାନ୍ତର ଦୁଇ ଆଖିରୁ ପାଣି ଗଡ଼ି ଆସିଲା ।

 

ହସି ଅଳକା କହିଲା–ଆଜି ଯେଉଁ ଜିନିଷକୁ ଦେଖି ଭୟରେ କାନ୍ଦୁଛ, ପୁଣି ଦିନେ ସେଇ ଜିନିଷ ନ ମିଳିଲେ ତମେ କାନ୍ଦିବ......ଏସବୁ କାନ୍ଦଣା ମୂଲ୍ୟହୀନ । ଆମର ଚରିତ୍ର ତମେ ଦେଖିବ–ଆଉ ତମର ଚରିତ୍ର ଆମେ ଦେଖିବୁ ନାହିଁ ? –କ’ଣ କହୁଛ ମାନିନୀ ?

–ହଁ । ସମସ୍ତେ ସମସ୍ତଙ୍କର ବନ୍ଧୁ । ଏକା ଦୋଷରେ, ଏକା ଗୁଣରେ ଭାଗୀଦାର ହେଲେ ବନ୍ଧୁତା ଚିରଦିନ ରହିବ ।

–ଶୁଣିଲ ରମାକାନ୍ତ ! ଏଇ ସଂସାରରେ ଏମିତି ସମାନ ମନରୁ ବନ୍ଧୁତା ଆଉ ବିଷମ ମନରୁ ଶତ୍ରୁତା । .....ଆଉ ଗୁଡ଼ାଏ କଥା ନଷ୍ଟ କରିବା ନାହିଁ–ଆସ ।

ରମାକାନ୍ତ ଠିଆ ହୋଇ ରହିଲା ।

–କିଏ କହିଥିଲା ତୁମକୁ ସେହି ବାଥରୁମ୍‌ରେ ଲୁଚିବା ପାଇଁ । ଭୁଲ ହୋଇ ଯାଇଛି–ଆଉ ଗୋଟିଏ ଭୁଲ କଲେ ସେ ଭୁଲ କଟିବ । ତମର କ୍ଷତି ହେବ ନାହିଁ ।

ଅଳକାର କଥାରେ ସମର୍ଥନ ଜଣାଇ ମାନିନୀ କହିଲା–ମୋର କଥାଟି ରଖିବ । ମୁଁ ଗୋଟିଏ ଅତି ଦୁଃଖୀ ଘରର ଝିଅ । ତମର ଦୁଃଖ ମୁଁ ବୁଝିଛି । ସବୁଦିନକୁ ଭାବ ରହିବ । ଜୀବନରେ ବହୁତ ସୁବିଧା ହେବ ।

ଅଳକା ଉଠିଆସି ରମାକାନ୍ତକୁ ଜବରଦସ୍ତି ବସାଇ ଦେଲା– ।

ରମାକାନ୍ତ ମଉଳା ମୁହଁକୁ ନିଜର ରୁମାଲ ଖଣ୍ଡିକରେ ଝାଡ଼ି ଦେଇ ଅଳକା କହିଲା–ଏହି ଆମେ ତିନିଜଣ ଆଜି ଗୋଟିଏ ଡଙ୍ଗାରେ । ଘଟଣାଚକ୍ରରେ ପଡ଼ି ଏତକ ହେଲା, କିନ୍ତୁ ଏଇ ଏତକ ଏକାଠି କରିବାକୁ ହେବ ।

–ମୁଁ କାହାରିକୁ କହିବି ନାହିଁ । ମରିବା ଯାଏ ଏଇ କଥାଟି ଗୁପ୍ତ ରଖିବି ।

–ନୂଆ କଥା ରମାକାନ୍ତ ! ଚରିତ୍ର ମାନେ ହେଉଛି ଯେ ଭଲ ଓ ଖରାପର ସଂଘର୍ଷ । ତମେ ଯାହା ଦେଖିଲ, ସେଥିରେ ତୁମକୁ ଭାଗୀଦାର ନ କଲେ ଆମର ଆଜି ଆତ୍ମହତ୍ୟା କରିବା ଭଲ ହେବ ! ସଂସାରଟା ଗୋଟାଏ ସିନେମା କି ଥିଏଟର ସତ; କିନ୍ତୁ ଅନ୍ୟର କଥା ଜାଣିବା ପାଇଁ–ନିଜର କଥାକୁ ଜଣାଇବା ପାଇଁ ନୁହେଁ ।

–ମତେ କ୍ଷମା କର ।

–ଡେରି କର ନାହିଁ । ଅଧିକା ଅଡ଼ୁଆ ହେବ । ଆଜି ଦୁର୍ଯୋଗ ପଡ଼ିଛି । ପୁଣି କିଏ ଆସିଯିବ ? ତୁମେ ଯାହା ଦେଖିବାର ଦେଖି ଦେଲ–ଯାହା ଶୁଣିବାର ଶୁଣିଗଲ । ଏକାଠି ବନ୍ଧା ହେବାକୁ ବାଧ୍ୟ ।

ତିନୋଟି ଛୋଟ ଗ୍ଲାସ୍‌ର ସାମାନ୍ୟ ରଣଝଣ ଶୁଭିଥିଲା ।

ରମାକାନ୍ତର କାନ୍ଧରେ ହାତ ଥୋଇ ନିଜର ଦେହକୁ ରମାକାନ୍ତ ଉପରେ ସାମାନ୍ୟ ଭରା ଦେଇ ମାନିନୀ କହିଥିଲା–ବଂଧୁ, ମନେରଖିବ । ସବୁ ଦିନକୁ ହେଜିବ–ଆମେ ତୁମକୁ ଭଲ ପାଉ । ଆମେ ଏକ ପ୍ରକାରର ଲୋକ । କ’ଣ କହୁଛ ?

–ହଁ ।

କେହି ଜାଣିବେ ନାହିଁ । ଏମିତି ଅସଂଖ୍ୟ ଗୋପନ କଥା ବନ୍ଧୁତାର ସେତୁ । ....ହସି ଅଳକା କହିଲା ।

ରମାକାନ୍ତର ଉପସ୍ଥିତିରେ କଥାର ଲହର ଊଣା ହେଇ ଯାଉଥିଲା–ଦୁଇଟି ପୁରୁଷ ଓ ଗୋଟିଏ ସ୍ତ୍ରୀ ଯେତିକି ରସ ଏକାଠି ହେଲେ ସୃଷ୍ଟି କରି ପାରନ୍ତି, ଦୁଇଟି ସ୍ତ୍ରୀ ଓ ଗୋଟିଏ ପୁରୁଷ ଏକାଠି ହେଲେ ସେତିକି ରସଭଙ୍ଗ ହୁଏ ।

 

ରମାକାନ୍ତର କଅଁଳ ମୁହଁ ଉପରେ ଚିନ୍ତାର ଝଡ଼ ଚାଲିଥିଲା ।

 

ଅଳକା କହିଲା–ମାନିନୀ, ଆମେ ରମାକାନ୍ତଙ୍କୁ ନେଇ ଛାଡ଼ି ଦେଇ ଆସିବା । ମଟର ଚଳାଇ ପାରିବ ତ ।

 

–ହଁ, ଏମିତି କ’ଣ ଉତ୍ପାତ ହେଇଗଲି କି ?

 

–ଭଲ କଥା ।

 

–ଆସ ରମାକାନ୍ତ ।

 

–ମୁଁ ଚାଲିଯିବି ।

 

–ଆମେ ଛାଡ଼ି ଦବୁ । କେଉଁଠିକି ଯିବ ? ରହୁଛ କେଉଁଠି ?

 

ମଉଳା ଦିନର ଅଳ୍ପ ଆଲୁଅରେ ମଟରଟି ବାହାରିଲା–ଆଗରେ ମାନମୟୀ ଓ ଅଳକା । ପଛରେ ରମାକାନ୍ତ ।

 

ରମାକାନ୍ତକୁ ଲାଜ ମାଡ଼ୁଥାଏ । ପୁରି ମନଟା ଗର୍ବ ଅହଙ୍କାରରେ ଫୁଲି ଉଠୁଥାଏ–ସେ ଜଣେ ବିଶିଷ୍ଟ ଲୋକ । ଖାଲି ବାଧ୍ୟବାଧକତାରେ ନିଶା ନ ଛୁଇଁଥିଲେ ସେ ହୋଇଥାନ୍ତା ଭାଗ୍ୟବାନ୍‌-

 

ସିଧା ରାସ୍ତାରେ ଫାଙ୍କା ଦେଖି ମାନିନୀ କହିଲା–ବୁଝିଲ ରମାକାନ୍ତ, ସୌଭାଗ୍ୟ ଓ ଦୁର୍ଭାଗ୍ୟ, ଆନନ୍ଦ, ଦୁଃଖ, ଯଶ ଓ ଅପଯଶ ଏମିତି ଛନ୍ଦାଛନ୍ଦି ହୋଇ ପଡ଼ିଛନ୍ତି । ଧନ ଓ ଚରିତ୍ର ଏକାଠି ଚଳନ୍ତି ନାହିଁ । .....କେଇ ଦିନ ପରେ ତୁମେ ନିଜେ ବୁଝିବ ଯେ ଆଜିଟି ଗୋଟିଏ ବହୁତ ସୁଯୋଗର ଦିନ–କ୍ୱଚିତ୍‌ ମିଳେ ।

 

ରମାକାନ୍ତ ଉତ୍ସାହରେ କହିଲା–ମୋର ଆଜି ଅଶେଷ ଭାଗ୍ୟ ।

 

ଅଳକା ପଛକୁ ବୁଲିପଡ଼ି କହିଲା–କିନ୍ତୁ ସାବଧାନ ! ଏଠି ଯାହା ଦେଖିଲ, ଶୁଣିଲ କି କଲ ସେତକ ତମର ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ ଗୋପନ କଥା ।

 

–ନିଶ୍ଚୟ ।

 

–କାଲି ଆସିବ । .....ସେତିକି ବେଳକୁ ଆସିବ.....ମାନିନୀ ମଧ୍ୟ ଆସିଲେ ଆସିବ.....ନୂଆ ବନ୍ଧୁତା ବଡ଼ ସୁନ୍ଦର । ଦେହ ଓ ମନକୁ ବାନ୍ଧି ପକାଏ । ଆଜି ମୋର ବଡ଼ ଶୁଭଦିନ–ଭଜକୃଷ୍ଣ କଥା କାଲି ଶୁଣିବା ।

 

ମାନିନୀ କହିଲା–ସେ ମଧ୍ୟ ଶୁଣିବାକୁ ଚାହେଁ । ....ଆରେ ଏଠି ଭଜକୃଷ୍ଣ ପରି କିଏ ଜଣେ ଯାଉଛି ।

 

ମଟରଟି ହର୍ଣ୍ଣ ଦେଇ ଚାଲିଗଲା ବେଳେ ମାନିନୀ ମଟରର ଗତିକୁ ପ୍ରାୟ ଲୋପ କରି ଦେଇଥିଲା । ଭିତରୁ ସେ ଭଜକୃଷ୍ଣକୁ ଅଭିନନ୍ଦନ ଜଣାଇଥିଲା ।

 

ଭଜକୃଷ୍ଣ ଚମକି ପଡ଼ି ଚାହିଁଲା । ମାନିନୀ ଧୀରେ ବେଗ ବଢ଼ାଇ ଧୂଳି ଉଠାଇ ଚାଲିଗଲା ।

 

ଖଣ୍ଡେ ଦୂରରେ ଗାଡ଼ି ଅଟକାଇ କହିଲା–ଏଇଠି ଓହ୍ଲେଇଯାନ୍ତୁ–ଆମର ବନ୍ଧୁ । ଏଣିକି ଅନେକ ଚିହ୍ନା ଲୋକ ମିଳିବେ । ଆଉ ସହରର କ୍ଲବ ସବୁ କମ୍ପିଯିବ ଆଲୋଚନାରେ ।

 

ରକ୍ଷା ମିଳିଗଲା ବୋଲି ଭାବି ରମାକାନ୍ତ ଓହ୍ଲାଇବାକୁ ରାଜି ହେଲାବେଳେ ଅଳକା ମଟରର ଦୁଆରକୁ ଖୋଲିଦେଲା ।–ଭୁଲିବ ନାହିଁ । ରାଗିବ ନାହିଁ ।–ଭାବିବ ଆଉ ଦେଖିବ ଯେ ଆଜି କେଡ଼େ ସୁନ୍ଦର ଦିନଟିଏ–ନୂଆ କଥା ଯେଉଁଦିନ ମଣିଷ କରିଥାଏ ସେ ଦିନଟି ହେଉଛି ଶୁଭଦିନ । ଆଜି.....

 

ଗାଡ଼ି ଚାଲିଗଲା । ....ଆଗରୁ ଦୁଇଟି ମଟର ଆଗପଛ ହୋଇ ଆସୁଛି । କିଏ ଜାଣେ କିଏ ଆସୁଥିବ ।

 

ଅଳକା କହିଲା–ହଠାତ୍‌ ଗାଡ଼ି ଚଳାଇ ଦେଲା । ମୁଁ କଥାଟା ପୂରା କହି ପାରିଲି ନାହିଁ ।

 

–କ’ଣ କହୁଛ ମ ? ଯେତେ ଯାହା ପ୍ରକାଶ ପାଇଲେ ବି ପ୍ରକାଶିତ କଥା, ଘଟଣା, ଇଚ୍ଛା ସବୁ ତ ଆମର ଗୁପ୍ତ–ଗୋପନ–ଗୋପନୀୟ । କାରଣ ଆମେ ଅଛୁ ଏଇ ସଂସାରରେ ।

 

–ମୋର ଡର ଭୟ ନାହିଁ ।

 

–ମୋର କିନ୍ତୁ ଲାଜ ଅଛି । କାରଣ ମୋର ଜଣେ ଖାଉନ୍ଦ ଅଛନ୍ତି । ଅଳକା ସିନା ବେମୁରବି ଲୋକ ।

 

ହସି ଅଳକା କହିଲା–ଓଡ଼ିଆରେ ପଦେ କଥା ଅଛି ।

 

–ଶାଗ ତୋଳି ତୋଳି ନଖ ନାହିଁ ।

 

ଗିରସ୍ତ ଆଗରେ ବାହୁନି କହୁଛି ।

 

କଳମ ପୋଖରୀ ସେ ଦେଖି ନାହିଁ ।

 

–ଠିକ୍‌ କଥା । ଗିରସ୍ତମାନେ କେବେହେଲେ ଚରିତ୍ର–ହାନି ଓ ଚରିତ୍ର–ହୀନତା ସହି ପାରନ୍ତି ନାହିଁ । ନିଜକୁ ଖାଉନ୍ଦ ଶିରୋମଣିଙ୍କ ପାଖରେ ଅସହ୍ୟ କରି ରଖାଇବା ସବୁଠାରୁ ବଡ଼ ବୋକାମି ।

 

ଦିହେଁ ହସିଥିଲେ । କାନ୍ଧକୁ କାନ୍ଧ ଲାଗି ଯାଇଥିଲା । ଜଣକର ମତକୁ ଆର ଜଣକ ସମର୍ଥନ କରିଥିଲା ।

 

ସନ୍ଧ୍ୟା ଆଗରୁ ମୁଁ ଫେରିଯିବି ।

 

ଅବଶ ସ୍ୱରରେ ଅଳକା କହିଲା–ହଉ । ତମର ସିନା କିଏ ଜଣେ ଅଛି । ଅଳକାର କେହି ନାହିଁ । ସେ ଫେରିବ ଶୂନ୍ୟ ମନ୍ଦିରକୁ–ସେଠି ଆଉ କିଏ ଅଛି ? କ’ଣ କେମିତି କରି ମନକୁ ଭଣ୍ଡେଇବାକୁ ହବ । –କାଳ ରାତିଟା–

 

–ବିଭା ହେଇ ଯାଅ–ଅଳକା । ଅନେକ ଅସୁବିଧାରୁ ଛୁଟି ମିଳିବ ।

 

–ବିଭା ? –କେମିତି ? –କାହାକୁ ? କିଏ ଜାଣେ ? କିଏ ସେ ଧନୁର୍ଦ୍ଧର ?

 

ପାଇଥିବା ଜିନିଷ ହରାଇଲେ ସମସ୍ତେ ନିସ୍ୱ । ପାଇଲା ବେଳେ ସମସ୍ତେ ଓଲଟି ପଚାରନ୍ତି–କ’ଣ ହେଲା...ଏତିକି ?

 

ପକେଟରୁ ଅଳ୍ପ କିଛି ହଜିଗଲେ ମନଟା ବିଷେଇ ଯାଏ । ଯେତକ ଜଣେ ନଷ୍ଟ କରିପାରେ, ଦାନ ଦେଇପାରେ–ସେତିକି ହଜେଇଲେ ସେହି ଲୋକ ବି ବିବ୍ରତ ହୋଇପଡ଼େ ।

 

ଚିହ୍ନା ମଟରଟି ରହି ପଦେ କଥା ଶୁଣାଇ ଚାଲିଗଲା । ଏଇ ପାଜି ରମାକାନ୍ତ ପୁଣି ଗାଡ଼ିର ମାଲିକ ପରି ଚାଲିଛି । ଦିନକରେ ସେ ଅଳକା–ମାନମୟୀ ସମସ୍ତଙ୍କୁ ପାଇଗଲା ?

 

–ନା, ସେ ଯାଇଥିଲା ପରର ଛିଦ୍ରରେ ବେପାର କରିବାକୁ । କୃତଘ୍ନ–ଧପ୍‌ପାବାଜ । .....କିଏ କହେ ଗରିବ ଲୋକର ଚରିତ୍ର ଭଲ ।

 

ପାଖ ଦୋକାନରେ ରେଡ଼ିଓ ବାଜୁଛି । ଦୁଇଧାଡ଼ି ଦୋକାନରୁ ରେଡ଼ିଓ ବାଜୁ ନ ଥିବା ଦୋକାନ ଅଳ୍ପ–ଶୁଭୁଛି, ମଣିଷର ଧନ ହେଉଛି ଚରିତ୍ର । ଧନୀର ଚରିତ୍ର ନାହିଁ । ଦରିଦ୍ରର ଚରିତ୍ର ଅଛି । ତେଣୁ ସେ ଜୀବନରେ ସବୁ ପାଉଛି ।

 

–ବେଟା, ବୁଝିଛି ଭଲ । ନାଁଟା ଜଣାପଡ଼ିଲେ ବୁଝାଯାନ୍ତା କେଇ ଅଢ଼ା ଚରିତ୍ରରୁ ସେ କେତେ ଧନ ପାଇଛି ।

 

.....ଗରିବ ଲୋକ ସାଧୁ.....ଗରିବ ଲୋକର ହୃଦୟ ଅଛି.....ଗରିବ ଉପରେ ଦେଶର ମାନ ନିର୍ଭର କରୁଛି ।

 

–ହଁ, ହଉଥିବ ରେଡ଼ିଓ ଷ୍ଟେସନରେ । ମାଷ୍ଟର ନଟରାଜ ଚାଲିଛି ସଂଯମ ଦେଖାଇବାକୁ ତରୁଣୀ ଫାଜିଲ ଛାତ୍ରୀମାନଙ୍କର ଘରକୁ । ମାନମୟୀ ପରି ଗରିବ ଘରର ଝିଅ ଅନ୍ୟକୁ ନିଶାଖୋର କରି ପାରୁଛି । .......ଆହା, ଟିକିଏ ଆଗରୁ ରେଡ଼ିଓ ବତ୍କୃତା ଆରମ୍ଭ ହେଇଥିଲେ ସେ ମଟରକୁ ଅଟକାଇ କହିଥାନ୍ତା–ମେମ୍‌ ସାହେବ ଶୁଣିଥାଅ–କାମରେ ଲାଗିବ ।

 

ରମାକାନ୍ତ ଦେଖିଥିଲା ଭଜକୃଷ୍ଣକୁ । ଦେଖା ନ ଦେଇ ଚାଲିଗଲେ କିଏ ଜାଣେ କି ପ୍ରକାର ଗୁଲିଖଟି ଗପ ଆରମ୍ଭ ନ ହେବ ।

 

ସାମନା ରାସ୍ତାରେ ରମାକାନ୍ତ ଫେରୁଥିଲା । ଭଜକୃଷ୍ଣ ରେଡ଼ିଓ ଆଡ଼କୁ ଲକ୍ଷ୍ୟ ରଖିଥିବାରୁ ଦେଖିନାହିଁ । ରମାକାନ୍ତର ମନେ ହେଲା ସତେ ଯେପରି ଭଜକୃଷ୍ଣ ଆଡ଼େଇ ହେଇଯିବାକୁ ଚାହେଁ ।

 

–ଡରିବ କାହିଁକି ? ଭଜକୃଷ୍ଣ ପରି ରମାକାନ୍ତ ବି ଜଣେ ଗରିବ । ଏକାପରି ଭାଗ୍ୟବାନ ମଧ୍ୟ । ଭଜକୃଷ୍ଣ ଅତି ଚତୁର ହୋଇଥିବାରୁ ଆଗ ଚିହ୍ନା କରି ପକାଇଥିଲା । ରମାକାନ୍ତ ଯେମିତି ପଛରେ ଆସିଛି ଦୁଇଗୁଣ ପାଇଛି–ସରକାରୀ ଚାକିରି ନିୟମରେ ।

 

ରେଡ଼ିଓ କହୁଛି–ଏଇ ନିଶାପାଣି ସମାଜର କୁଷ୍ଠରୋଗ । ଗରିବ ଶ୍ରମିକ ଏହି ବ୍ୟାଧିକୁ ରକ୍ତ ଦେଇ ବଞ୍ଚେଇ ରଖୁଛି–ଚରିତ୍ର ଅଭାବରୁ ନୁହେଁ ଜ୍ଞାନର ଅଭାବରୁ ।

 

–ହେ, ଭଜକୃଷ୍ଣ, ଶୁଣ । ଆମକୁ କେମିତି ବେତାର କେନ୍ଦ୍ର ଉଠାଉଛି ।

 

–ତମେ ଶୁଣ । ଏବେ ଚରିତ୍ରବତୀମାନଙ୍କ ସାଙ୍ଗରେ ଚାଲିଥିଲ, ତମର ଉପକାର କରିବ-

 

–ଆଃ, ରାଗୁଛ କାହିଁକି ? ତୁମ ପାଖକୁ ଖବର ଆଣିଛି ।

 

–ତାକୁ କହିଦେବ; ଭଜକୃଷ୍ଣ ଗରିବ ହୋଇପାରେ କିନ୍ତୁ ସେ ଉଚିତ ପ୍ରକାରର ମଣିଷ ।

 

–ମୁଁ କହିବି କାହାକୁ ? ମାନମୟୀଦେବୀ ନିଜେ ତମ ବିଷୟରେ ବିଭୋର । ତମ ପରି ଲୋକ ଏଇ ନିଖିଳ ବିଶ୍ୱରେ ନ ଥିବେ ।

 

–ଥାଉ । ଆମେ ଆଉ ପ୍ରଶଂସାପତ୍ର ପରି ବନ୍‌ଶୀର ଥୋପକୁ ଗିଳିବୁ ନାହିଁ । ....ଏଇ ଲୋକଙ୍କ ପାଖରୁ ଦୂରରେ ରହିବ ।

 

–କାହିଁକି ? କ’ଣ ହେଲା ? ସେମାନେ ଭାରି ଭଲ ମଣିଷ । ଗୋଟିଏ କଲେଜ ପିଲାକୁ ମଟରରେ ନେଇ ହାୱା ଖାଇଲେ । ଘରେ ଛାଡ଼ିବାକୁ ଯାଉଥିଲେ । ତୁମକୁ ଦେଖି ମୁଁ ଓହ୍ଲାଇଗଲି ।

 

–ସାବଧାନ । ସେମାନେ ବଳଦ ଆଉ ଖଚର ଆଦି ଖୋଜି ବୁଲନ୍ତି । ଗୋଟିଏ ଗଧ ମିଳିଲେ ବି ଧରିନେବେ ।

 

–ତମେ ଜାଣିଥିବ । ....ପାଠ ପଢ଼ାଉଥିଲ । ....ଏବେ କ’ଣ ବହୁତ କଳି ଲାଗିଛି ?

 

–କଳି ? କାହା ସାଙ୍ଗରେ ? ମୁଁ ପ୍ରତିଜ୍ଞା କରୁଛି ଯେ ଏହି ଧନ ଓ ଧନୀଙ୍କ ବିରୁଦ୍ଧରେ ଲଢ଼ି ଜୀବନ ଦେବି ।

 

ପାଚିରୀରେ ସ୍ଳୋଗାନ ଲେଖା ହୋଇଛି ।

 

ଗାଁ ଓ ସହରେ ଉଠାଅ ତୋଫାନ ।

 

ଜାଗରେ ଗରିବ, ଉଠରେ କିସାନ ।

ରମାକାନ୍ତ ନିରେଖି ନିରେଖି ପଢ଼ିଲା । ହଁ, ବନ୍ଧୁ ଜୀବନ ଦବ । ବଦଳରେ କ’ଣ ପାଇବ-? ଗୋଟାଏ ଗରିବ ଘରର ଝିଅ ଆଜି ମଟର ଚଳାଉଛି । ଆଉ ଗୋଟାଏ ଗରିବ ଘରର ପୁଅ ଆଜି ମାଷ୍ଟର ସାହେବ ନଟରାଜ ହୋଇଛି, ତମେ କ’ଣ ହେବ ?

ହସି ଭଜକୃଷ୍ଣ କହିଲା–ଆମ ଗରିବଙ୍କୁ ବିଗାଡ଼ି ନଷ୍ଟ କରିବାକୁ ଏଇ ଧନୀମାନେ ଅହରହ ଚେଷ୍ଟା କରୁଛନ୍ତି ।

–ମୁଁ ତ ସେଠି ବହୁତ ଗପିଲି । କାହିଁ ସେମାନଙ୍କର କିଛି ଦୋଷ ଦେଖି ପାରିଲି ନାହିଁ । ସେମାନେ ଭାରି ସ୍ନେହୀ ।

–ହଁ । ସ୍ନେହୀ ସତ । ମଟର କିଣିବାକୁ ଇଜ୍ଜତ ଦେବେ । ମଟରକୁ ପୋଷିବାକୁ ଜାନ୍‌ ଦେବେ । ମଟର ତାଙ୍କର ଦେବତା ।

–ଏକା ବୋଲି–ଗାଡ଼ି, ବାଡ଼ି । କଲିକତାରୁ ଆସୁଛି । ଗାଡ଼ି ରଖିବାକୁ ଗାରେଜ ଦରକାର । ଗାରେଜ କାଢ଼ିବାକୁ କୋଠା ଦରକାର । କୋଠାରୁ ବାହାରିଲା ବେଳେ ମଟର ଦରକାର । .....ସବୁ ସତ କିନ୍ତୁ ସେମାନେ ଭଲ ଲୋକ ।

–ହଁ, ଭଲ ଯେ । ତାଙ୍କରି ପରି ତମେ ସବୁ ପ୍ରକାରର ଦୋଷଗୁଣର ଅଧିକାରୀ ହେଲେ ସେମାନେ ତୁମକୁ ତାଙ୍କରି ସମାଜରେ ରଖିବେ । .....ନଇଲେ ତମେ ବାସନ୍ଦ ହେଇଯିବ ।

–ତାଙ୍କର ଦୋଷଗୁଣ କ’ଣ ? –ରମାକାନ୍ତ କିଛି ଦେଖି ପାରିଲା ନାହିଁ ।

–ରମାକାନ୍ତ, ତାଙ୍କୁ ବୁଝିଛ ? ସେମାନଙ୍କର ଓଠରେ ମହୁ ଭିତରେ ବିଷ । ତାଙ୍କର ହସ ତଳେ ଥାଏ ଘୃଣା ଓ ବିଦ୍ରୂପ ।

–କ୍ଷତି କ’ଣ ? ଡାକ୍ତରର କୋଠା ମଟର ଅଛି । ସେ ତ ରୋଗ ଭଲ କରୁଛି । ଜଜ ସାହେବଙ୍କର କୋଠା ମଟର ଅଛି । ସେ ତ ନ୍ୟାୟ ବାଣ୍ଟୁଛନ୍ତି । ପୁଲିସ ଓ ଅବକାରୀ ସାହେବଙ୍କର କୋଠା ମଟର ଅଛି ସେମାନେ ଡକେଇତି ଆଉ ଅବକାରୀ ଚାଲାଣ ଧରି ପଗଡ଼ୁଛନ୍ତି । ସବୁ ବଡ଼ ବଡ଼ିଆଙ୍କର ଧନ ଅଛି ।

–କେମିତି ଧନ ଆଣନ୍ତି ଜାଣ ?

–ପରିଶ୍ରମରୁ । ଆୟବ୍ୟୟର ସଂଯମରୁ ।

–ନା, ଚରିତ୍ରକୁ ବିକିଭାଙ୍ଗି ବଦଳରେ ଧନ ନିଅନ୍ତି । ତାଙ୍କର ବିବେକ ନାହିଁ । ପରର ଦୁଃଖ ତାଙ୍କର ଆମୋଦ–ଦୁଃଖୀର ଦୁଃଖ ତାଙ୍କର ସମ୍ପଦ ଅର୍ଜନର କାରଣ । ସେମାନେ ଭେଜାଲ କରନ୍ତି ।

–କେମିତି ?

–ଜଜ୍‌ ନ୍ୟାୟ ଦେଲାବେଳେ ଥୋଡ଼ାଏ ଭେଜାଲ ନ୍ୟାୟକୁ ଠେଲି ଦିଏ । ଦୋକାନୀ ଜିନିଷ ଦେଲାବେଳେ ପୋଷେ ଭେଜାଲ ମିଶାଇ ଦିଏ । ଡାକ୍ତର ଚିକିତ୍ସା କଲାବେଳେ ସେମିତି ମେଞ୍ଚାଏ ଭେଜାଲ ଠେଲି ଲମ୍ବାଇ ଦିଅନ୍ତି । ନିଜର ପେଟକୁ ପେଟୁଆ କଲାବେଳେ ଅନେକ ଲୋକଙ୍କର ପୈତୃକ ପ୍ରାଣକୁ ଠେଲି ଦିଅନ୍ତି ସେହି ପେଟର ଭଲ ପାଇଁ ।

 

–ଭଜକୃଷ୍ଣ ଆଜି ବିପ୍ଳବୀ ।

 

–କେବେ ସେ ବିପ୍ଳବୀ ନ ଥିଲା ? ଅଭାବ ଦୁଃଖ ତାକୁ ବିପ୍ଳବୀ କରି ଗଢ଼ିଛି ।

 

–ଭାରି ମଉଜରେ ଦିନ କାଟୁଥିଲା ବୋଲି ମାନମୟୀ କହୁଥିଲା । ଖାନାପିନା ଚାଲିଥିଲା-

 

–ଅବିଶ୍ୱାସୀ ସେ । ତା’କୁ ସାବଧାନ । ଧନୀର ପିଲା ଧନୀ ହେଲେ କିଛି ରକ୍ଷା ଅଛି । ଗରିବ ପିଲା ଧନୀ ହେଇଗଲେ ଦୁନିଆ ଶେଷ ।

 

–ମାନମୟୀ କହୁଥିଲା ପରା–ରମାକାନ୍ତ ବାବୁ, ତୁମକୁ ମାନିନୀ ରାଣ, ଅଳକାର ରାଣ ରହିଲା–ଭଜକୃଷ୍ଣ ବାବୁଙ୍କୁ ଡାକି ଆଣିବ ।

 

–ଏଡ଼େ ସାହସ ?

 

–କହିଲା ପରା । କହିଲେ ଦେଖିବ ଭଜକୃଷ୍ଣବାବୁ ନିଶ୍ଚୟ ଆସିବେ । ସେ ମାନିନୀକୁ ଭାରି ଭଲ ପାଆନ୍ତି । ରାଗ କରି ରୁଷି ଯାଇଛନ୍ତି ।

 

–କଥା କହି ଜାଣେ । ସେ ସିନା ତାହାର ବରକୁ ଠକିବ, କିନ୍ତୁ ଭଜକୃଷ୍ଣକୁ ଠକିବାକୁ ଚେଷ୍ଟା କରୁଛି କାହିଁକି ?

 

–ଠକାଠକି କଥା ନାହିଁ । ଅଳକା ଆଉ ମାନମୟୀଙ୍କର ତୁମ ପାଇଁ ଯାହା ପ୍ରଶଂସା । ମତେ ପରା ଖରାପ ଲାଗିଲା–ତମେ ଜଣେ ଦେବତା ତାଙ୍କର ମନ ଆଗରେ ।

 

–ଦେବତା ? ହଠାତ୍‌ ଦିନେ ତାହାର ସ୍ୱାମୀ ଆଗରେ କହିଲା, ଏଇ ମାଷ୍ଟରଙ୍କର ପଢ଼ାଇବା ପାଠ ଶେଷ ହେଇଗଲାଣି । ଆଉ ଜଣେ ଉପରର ମାଷ୍ଟ୍ର ଦରକାର ।

 

–ଭୁଲ୍‌ କ’ଣ ହେଲା ?

 

–କୃତଘ୍ନ । ମନକୁ ନଷ୍ଟଭ୍ରଷ୍ଟ ଧ୍ୱଂସ କରି ଦେଇ ଚରିତ୍ରର ମୂଳଦୁଆ ତାଡ଼ି ଫୋପାଡ଼ି ଦେଇ କହୁଛି–ଚାଲିଯାଅ । ...ହଟେଇ ଦିଅ ।

 

–ତୁମେ କ’ଣ କହିଲ ?

 

–ତହିଁ ଆରଦିନ ମୁଁ କହିଥିଲି–ମାନମୟୀ, ମନେ ରଖିଥିବ ଯେ ଭଜକୃଷ୍ଣ ବିକ୍ଷିପ୍ତ ହେଲେ ତମର ସୁଖର ସଂସାର ଛାରଖାର ହୋଇଯିବ । ଦାଣ୍ଡର ଧୂଳି ତମଠାରୁ ଅଧିକ ଭାଗ୍ୟବାନ ମନେ ହେବେ ।

 

–ସେ କ’ଣ ଜବାବ ଦେଲା ?

 

–ନାକ ଆଗରେ ଯେମିତି ରାଗ, ଆଖି କଣରେ ସେମିତି ଲୁହ–କଲିଙ୍ଗ୍‍ ବେଲ୍‌ର ସୁଇଚ୍‌ପରି । କାନ୍ଦି ପକାଇ କହିଲା–ମତେ ଧ୍ୱଂସ କରିଦବ ? ହଁ, ଧ୍ୱଂସ କରିପାରିବ । କ’ଣ ବା ତମେ ଜାଣନାହିଁ ମୋ ବିଷୟରେ ? ଯିଏ ଯାହାକୁ ଭଲପାଏ । ସେହି କେବଳ ତାହାକୁ ଧ୍ୱଂସ କରିପାରେ ।

 

–ମୁଁ କହିଥିଲି, ଶୁଣ ମାନିନୀ । ତମକୁ ଛାଡ଼ିଲେ ଭଜକୃଷ୍ଣ ମରିଯିବ । ତମର ମମତାର ବନ୍ଧନ ଭାରି ଟାଣ । ମୁଁ ତୁମକୁ ଦେଖି ନିଜକୁ ଭୁଲିଲି । ଏବେ କହୁଛ ଛାଡ଼ିଯିବାକୁ ।

 

–ହେ, ବୁଡ଼୍‌ବକ ବାବୁ । ଶୁଣ–ଏଠି ଗୋଳମାଳିଆ ଦେଖା ଯାଉଛି । ନଈବଢ଼ି ଆସିବା ଆଗରୁ, ଝଡ଼ବତାସ ଆଗରୁ ସୂଚନା ଦେଖାଇଲା ପରି ....ଏଠି ତମର ଜୀବନ ନିରାପଦ ନୁହେଁ ।

 

–କାହିଁକି, ମାନିନୀ,–କାହିଁକି ?

 

–ଅମର ବାବୁଙ୍କର ସନ୍ଦେହ ଯେ, ଆମର ପାଠପଢ଼ା ବଙ୍କା ହେଇ ଅନ୍ୟ ରାସ୍ତାକୁ ମୁହାଁଇଲାଣି ।

 

–କାହିଁକି ? କ’ଣ ପାଇଁ ?

 

–ମୋର ?

 

–ହଁ । ସେଦିନ ଯେଉଁ କାରଣରୁ ହେଇଥାଉ ମୁଁ ଯେତେବେଳେ କହିଲି ଯେ, ମନ ଭଲନାହିଁ ମୋର ମୁଣ୍ଡ ବିନ୍ଧୁଛି, ସେତେବେଳେ ସେଇ କଥାରେ ଉତ୍ସାହ ଦେଖାଇବା ପାଇଁ ତମର କାହିଁକି ଏତେ ଦରକାର ପଡ଼ିଲା ?

 

–ଭଜକୃଷ୍ଣ କ’ଣ କେହି ନୁହେଁ ?

 

–ସେ ଯିଏ କି ଯାହା ହୁଅନ୍ତୁ, ଏଇ ଘରଟା ବାବୁଙ୍କର । ବାବୁ ମୋର ମାଲିକ । ତମର ମଧ୍ୟ ମାଲିକ..... ।

 

–ଭାରି ଅଡ଼ୁଆ ଲାଗିଥିବ ତୁମକୁ ? ରମାକାନ୍ତ ପଚାରିଲା ।

 

–ହଁ, ତ । ମୁଁ କହିଥିଲି ମାନିନୀକୁ–ଅନ୍ୟ ସମସ୍ତ ବିଷୟରେ ବାବୁ ଯେତେବଡ଼ ମାଲିକ ହେବାକୁ ଚାହାଁନ୍ତି ହୋଇପାରନ୍ତି, ମାନମୟୀ ଦେବୀଙ୍କ ବିଷୟରେ କଥା ଅଲଗା ।

 

–ସେହିଦିନୁ ରମାକାନ୍ତ, କଥାର ଖିଅ ଛିଣ୍ଡିଗଲା । ଯେତେ ଧନୀ ବା ମାନୀ ହୁଅନ୍ତା ନା କାହିଁକି, ଏଇ ମାନମୟୀପରି ଯେଉଁମାନେ ଦୁଃଖରେ ସଢ଼ି ସୁଖ ପାଇଛନ୍ତି–ସେମାନେ ସୁଖରୁ କାଣିଚାଏ ତ ଛାଡ଼ିବେ ନାହିଁ । ....ଓଲଟି ନିଜର ସୁଖର ସୁବିଧା ପାଇଁ ତମକୁ–ମତେ–ସମସ୍ତଙ୍କୁ ବଳି ଦେଇ ଦେବେ ।

 

–ବଡ଼ ଖରାପ ଲୋକଟା ମାନମୟୀ ।

 

ଅବଶ ବିହ୍ୱଳ କଣ୍ଠରେ ଭଜକୃଷ୍ଣ କହିଲା–ମୁଁ ସିନା ମାନମୟୀକୁ ନିନ୍ଦା କରୁଛି; କିନ୍ତୁ ମୋର ଜୀବନରେ କେହି କ’ଣ ମାନମୟୀଠାରୁ ବଡ଼ ହୋଇପାରିବ ?

 

–ବଡ଼ ହେଇପାରିବ ନାହିଁ, କାହିଁକି ?

 

–ସବା ପହିଲେ ସେ ଶୂନ୍ୟସ୍ଥାନ ପୂର୍ଣ୍ଣ କରିଛି ।

 

–ତେବେ ତୁମେ ବିପ୍ଳବୀ ହେଉଛ କାହିଁକି ?

 

–ସେହି ମାନମୟୀ ପାଇଁ । ଆଗେ ଲୋକ ଯୋଗୀ, ଭାଟ ଓ ବାବାଜୀ ହେଉଥିଲେ । ଏବେ ସେମିତି କୁଉଁ କୁଉଁ–ସୁଉଁ ସୁଉଁ ହବା ଦରକାର ନାହିଁ । ଆମେ ହେଉଛେ ବିପ୍ଳବୀ ।

 

–ଏମିତିକା ବିପ୍ଳବୀଙ୍କର ଗରମ ଆସେ କୁଆଡ଼ୁ ?

 

–କି ଗରମ ? କୁଆଡ଼ୁ ଆସିବ ? ସମସ୍ତେ କଥାରେ ବିପ୍ଳବୀ । ହାଇକୋର୍ଟ ଜଜ, ଜିଲା ଜଜ, ଜିଲା କଲେକ୍ଟର, ମନ୍ତ୍ରୀ, ସେକ୍ରେଟାରୀ ଆଉ ଅମଲାମାନେ ଏତେ ଦେଶପ୍ରୀତି ଆଉ ବିପ୍ଳବର ଝୁଲ ଉଡ଼ାଉଛନ୍ତି । ସୁନ୍ଦର ସୁଶୋଭନ ପୋଷାକ ପିନ୍ଧି କେତେ ଲେଖକ ଓ କବି ସେଇ ବିପ୍ଳବର ଗୀତକୁ ଚିତ୍ତବିନୋଦିଆ ସ୍ୱରରେ ତରୁଣୀ କଣ୍ଠରେ ଶୁଣାଉଛନ୍ତି । ବିପ୍ଳବ ଯାଉଛି କୁଆଡ଼େ ?

 

–ମିଛ ଓ ମିଛକଥାର ଭେକଧାରୀ ବିପ୍ଳବୀ ଦ୍ୱାରା କେବେ ହେଲେ ବିପ୍ଳବ ହେଇପାରିବ ନାହିଁ । ସାନପିଲା ରାହାଧରି କାନ୍ଦେ–ବଡ଼ ମଣିଷ ଗଳା ଫଟାଇ ଗର୍ଜେ–ନିଜର ଦାବୀକୁ ମଞ୍ଜୁର କରାଇବା ପାଇଁ ।

 

–ତାହାହେଲେ ତମେ ଯିବାକୁ କାହିଁକି ମନା କରୁଛ ?

 

–ମାନମୟୀ ଖବର ଦେଇଛି ଯିବାକୁ ।

 

–ହଁ, ଯିବି ନାହିଁ କାହିଁକି ? ଗଲେ ଏତେ ଚଞ୍ଚଳ ଧାଇଁଯିବି କାହିଁକି ? ନିଜର ଦାମ୍‌କୁ ହାଙ୍କିଦେଇ ବସିଗଲେ ସିନା ଗରାଖ ଖୋଜିବ । ହେଇରେ–ନିଅ–ନିଅ–ସରିଗଲା–ମୁଁ ମରିଯାଉଛି ବୋଲି ପାଟିକଲେ କ’ଣ ଲୋକ ଆସିବେ ?

 

–ମାନମୟୀ କ’ଣ ତମପରି ଲୋକଟିଏ ଏଇ ସଂସାରରେ ଦେଖିନାହିଁ ।

 

–ନା, କେବେ ସେ ଦେଖି ପାରିବ ନାହିଁ । ପବିତ୍ର ମନର ଏଇ ଦମ୍ଭ ସେ କ’ଣ ଆବୁରା ପଡ଼ୁଥିବା କୁତ୍ରିପିଆ ଲୋକଙ୍କଠାରୁ ପାଇବ ? ....ତାହାର ଖାଉନ୍ଦ ଆଗ ତାହାର ମନ ନେଇ ପାରିଲାଣି ନା–

 

–ତମେ କେମିତି ମନ ନେଇ ପାରିଲ ?

 

–ଦୃଢ଼ତାରେ–ଦମ୍ଭରେ–ଚରିତ୍ରର ବଳରେ ।...

 

–ଆଚ୍ଛା, ତମେ ତିନିଜଣ କେମିତି ଏକା ମଟରରେ ଦେଖାଗଲ ଆଜି ? ଭଜକୃଷ୍ଣ ପଚାରିଲା ।

 

–ମୋର ପରା ଆଜି ଗୋଟାଏ ଯୁଗର ଚରିତ୍ର ନଷ୍ଟ ହେଇଗଲା । ସେହିମାନେ ସେଥିପାଇଁ ମଟରରେ ଚଢ଼ାଇ ବୁଲାଇଲେ ।...ଦେଖରେ ଦୁନିଆ । ଦେଖରେ ହଟିଆ ସଂସାର–ରମାକାନ୍ତ ଯେମିତି ତାହାର ପ୍ରକୃତିକୁ ହୁଡ଼ିଗଲା ସେମିତି ତା’କୁ ସବୁ ମିଳିଲା.... ଭାବିଲେ କାନ୍ଦମାଡ଼ୁଛି ଭଜକୃଷ୍ଣ ।

 

–କ’ଣ ହେଲା ? ଗଡ଼ାଗଡ଼ି ହେଲ କି ?

 

–ସେମିତିକା କଥା । କୁନି କୁନି କୋଟିକମର ଗିଲାସକୁ ଓଠଛୁଆଁ କରିବାକୁ ହେଲା ।

 

–ଏଁ–ନିଶା ? ମଦ ? –ତମେ ଜଣେ ବିଭତ୍ସ ।

 

–ସେମାନେ କହୁଥିଲେ ଯେ ଭଜକୃଷ୍ଣ କୁଆଡ଼େ ଏହି ବାଟରେ ଥିଲେ ?

 

–ନିନ୍ଦୁକ । ବିଶ୍ୱାସଘାତକ । ସମସ୍ତଙ୍କ ଦେହରେ କଳା ବୋଳିବାକୁ ତିଆର ।

 

–ତମେ ତାହାହେଲେ ମଦ ଦେଖି ନାହଁ ? ତମର ଛାତ୍ରୀ ମାନିନୀ କ’ଣ ସେଠି କେବେ ତାହାର ବଂଧୁ ଅଳକାକୁ ଖିଆପିଆ କରେଇ ନାହିଁ ?

 

–ଅଳକାର ସେଇ ବଦ୍‌ ପ୍ରକୃତି ଅଛି । ତାକୁ ଆମେ ଘୃଣା କରୁ । ମାନିନୀକୁ ସେଇ ଅଳକା ବୋଧଶୋଧ ଦେଇ ଏଇ ଖସଡ଼ାବାଟକୁ ନେଇଛି । ଅଳକା ଘରେ ଏହିସବୁ କାମ ଚାଲେ । ଏଇ ବିଶ୍ୱବିଦ୍ୟାଳୟକୁ ଭାଙ୍ଗି ସମୁଦ୍ରରେ ପକାଇଦବା ଉଚିତ୍‌ ।

 

–ରାଗ କର ନାହିଁ ପର ଉପରେ । ମତେ ବେଶ୍‌ ଭଲ ଲାଗୁଛି । ସେମାନଙ୍କର ସମାଜ ସତରେ ଆମରି ମଳିଧୂଳିର ନା ନାହିଁର ସ୍ତରଠାରୁ ଉଚ୍ଚରେ । ସେମାନେ ପ୍ରାଣ ଦେଇ ଯେମିତି ତୁମକୁ ଖୋଜନ୍ତି ସେମିତି ସେମାନେ ଅପରକୁ ସୁଖ ଦେବାପାଇଁ ପ୍ରାଣ ମଧ୍ୟ ଦେବାକୁ ତିଆର ।

 

–ଭାରି ସୁପାରିସ ? କ’ଣ ହେଲା ଆଜି ?

 

–ସିଏ ତ ଗୋଟାଏ ଇତିହାସ । ବୁଢ଼ାଳିଆ ଲୋକର ପୁରୁଣାକାଳିଆ ମନ ପାଇଁ ସେଗୁଡ଼ାକ ସମାଜର ଜଘନ୍ୟ ଦୃଶ୍ୟ । କଅଁଳିଆ ଲୋକର ଆଧୁନିକ ମନ ପାଇଁ ସେଗୁଡ଼ାକ ସତ–ଖାଣ୍ଟି ସତ ।

 

–ଆହା ରେ ଇତିହାସ ! କ’ଣ ଆଜି ଦେଖିଲ ?

 

–ଭାଇ, ଦେଖିପାରିଲି ମୁଁ ଗୋଟାଏ ଇତର ପ୍ରାଣୀ । ମୁଁ ମଣିଷ ନୁହେଁ ।

 

–ଆଉ ମଣିଷ କିଏ ? ମାନିନୀ, ଅଳକା....

 

–ହଁ, ସେମାନେ ଖାଲି ମଣିଷ କ’ଣ–ମଣିଷଠାରୁ ଢେର ଉପରେ ।

 

–ମାନିନୀ କ’ଣ କହି ଡାକିଲା ?

 

.....ଗୋଟାଏ ବାଥ୍‌ରୁମ୍‌ରେ ଲୁଚି ଯାଇଥିଲି ମାନିନୀ ହଠାତ୍‌ ଚାଲି ଆସିବାରୁ....ଧରା ପଡ଼ିଗଲି । ସେତେବେଳକୁ ସେମାନେ ତାଙ୍କର ସରଞ୍ଜାମ ଆଣି ଥୋଇ ସାରିଛନ୍ତି ଟେବୁଲ ଉପରେ....ମୋ’ ଠାରୁ ସେମାନେ ଆଉରି ବେଶି ଧରା ପଡ଼ିଗଲେ । ସେଇଠୁ....

 

–ହଁ, କ’ଣ ହେଲା ସେଇଠୁ ?

 

–ଧମକାଇ କହିଲେ, ଆମର ଦୋଷ ଦେଖି ନିଜର ଚରିତ୍ରର ବାହାଦୁରୀ ନେଇ ହତା ବାହାରକୁ ଯାଇପାରିବ ନାହିଁ । ଏକାଠି, ଏକା ସାଙ୍ଗରେ, ଏକା ଦୋଷରେ ଦୋଷୀ ହେଇ ପଦାକୁ ଯିବ । ବହୁତ ଧମକ ଦେଲେ ।

 

–ମୁଁ ହେଇଥିଲେ ଡରି ନ ଥାନ୍ତି ।

 

–ଆହେ ବାବୁ, ଭୟ କରି କେହି ନିଶା ଖାଏ ନାହିଁ । ଆରମ୍ଭ କରେ ଅନ୍ୟର ଫୁସୁଲା ଫୁସୁଲି ଭିତରେ । ତାଙ୍କର ଯୁକ୍ତି ହେଲା....ସରଳ ଓ ସହଜ । ଆମରି ଲୋକ, ମୋର ପ୍ରିୟ ଲୋକ ହେଉଛ । ଆଉ ସେମିତି ପ୍ରିୟଜନର ପ୍ରୀତିର ବନ୍ଧନୀ ଭିତରେ ରହିବାକୁ ମନଥିଲେ ଏକା ପ୍ରକାରର ଦୋଷଗୁଣରେ ଭାଗୀଦାର ହେବାକୁ ପଡ଼ିବ ।

 

–ଏମିତି କହି ଅଳକା ମାନିନୀକୁ ଠେଲିଥିଲା ପଙ୍କକୁ । ସେମିତି କହି ମାନିନୀ ଭଜକୃଷ୍ଣକୁ ପକାଇଥିଲା ପାଣିରେ । ଆଉ ସେହି ଏକା କଥା କହି ଅଳକା ଆଉ ମାନିନୀ ଆଜି ରମାକାନ୍ତକୁ ଶିକାର କଲେ ।....ବିଚରା ରମାକାନ୍ତ....

 

–ଆହା, ସୁଧୀଜନ ଶୁଣ । ତମ ପାଇଁ ଗୋଟାଏ ଯୁକ୍ତି ଗୋଟିଏ ମାନ–ଆଉ ମୋ’ ପାଇଁ ଅଲଗା ଯୁକ୍ତି ଅଲଗା ମାନ । ମୁଁ କ’ଣ ତମ ପରି ଜଣେ ନୁହେଁ ?

 

–ମୋ’ପରି ତୁମେ ?–ହେ ରମାକାନ୍ତ, କ’ଣ ଏଇଆ ପଚାରିଲଟି–ରମାକାନ୍ତ ପରି ଭଜକୃଷ୍ଣ ?

 

–ହଁ ।

 

–ତେବେ ଜବାବ ଶୁଣ ।.....ଚତୁର ଲୋକ ନିଜର ଲକ୍ଷ୍ୟସାଧନ କରିବାକୁ ଅସଂଖ୍ୟ ପ୍ରକାରର ପାପ କରେ । ସେମାନେ ପାପୀ ନୁହଁନ୍ତି । କିନ୍ତୁ ଯେଉଁମାନେ ଅଭ୍ୟାସ କରି ସେଇ ଅଭ୍ୟାସର ତୋଡ଼ଯୋଡ଼ରେ ପାପ କରନ୍ତି–ସେହିମାନେ ପାପୀ–ଘୃଣ୍ୟ ପାପୀ ।....ସେଥିପାଇଁ ମୁଁ ଯେତିକି ବେଶୀ ମାନିନୀକୁ ଭଲପାଏ ତହିଁରୁ ଅଧିକ ଅଳକାକୁ ଘୃଣା କରେ ।

 

–ସେମିତି କହି ପାରିବ ନାହିଁ । ମୁଁ ଅଳକା ପାଇଁ ମୋର ଜାନ୍‌ ଜୀବନ ଦେବାକୁ ପ୍ରସ୍ତୁତ-। ସେ ଆଜି ମୋର ହାତ ଧରିଛି । ତାହାର ଭବିଷ୍ୟତକୁ ମୋରି ହାତରେ ସମର୍ପି ଦେଇଛି-

 

–ଆଧୁନିକା ନାରୀଙ୍କୁ ବୁଝିବା ଭାରି କଷ୍ଟ ।

 

–ହଁ, ବୁଝିଗଲ ସିନା ଭଜକୃଷ୍ଣ ବାବୁ । ବେଟା ରମାକାନ୍ତ ତାଙ୍କୁ ଅଟକଳ କରିବ କେମିତି-?

 

–ଆଃ, ରମାକାନ୍ତ ଆଜି ବିଗିଡ଼ି ଯାଇଛି । ସେମାନେ ଜଣେ ଅଧେ ନୁହଁନ୍ତି । ଗୋଟାଏ ଦଳ । ଆନ୍ତର୍ଜାତିକ ଦସ୍ୟୁ, ଗୁଇନ୍ଦାଙ୍କ ପରି ତାଙ୍କର ମଧ୍ୟ ଗୋଟାଏ ବଡ଼ ଦଳ । ସେମାନେ ସମସ୍ତେ ଏକା ପ୍ରକାରର–ଚୁଟି–ମୁଣ୍ଡିଆଙ୍କ ପରି ଖୋଲା–ବେକି, ଖୋଲା–ଅଣ୍ଟିମାନେ ମଧ୍ୟ ଗୋଟାଏ ଗଇଁଠା–ଗଇଁଠି ଦଳ । –ସାବଧାନ ରହିବା କଥା ।

 

–ବୁଝିଛ ତ ବହୁତ । ସେମାନେ କ’ଣ କରନ୍ତି ?

 

–ତମ ଆମକୁ ବେ–କାଇଦା କରି ସବୁ ରସ, ସୁବାସ ଶୋଷି ନେଇ ସିଠାକରି ଫିଙ୍ଗି ଦିଅନ୍ତି । ତେଣିକି ସିଠା କାନ୍ଦିପାରେ ନାହିଁ କି ହସି ପାରେ ନାହିଁ । ଜୀଏଁ ନାହିଁ କି ମରେ ନାହିଁ-। ....ଅଧା–ପାଗଲା, ଚଉଠ–ପାଗଲା ଆଉ ପୂରା–ପାଗଲା ହେଇ ବୁଲେ । ଆଉ ସେମାନେ ନାକକୁ ରୁମାଲରେ ଢାଙ୍କି ହସନ୍ତି ।

 

–ଏଇଆ ତେବେ ଭଜକୃଷ୍ଣର ଅବସ୍ଥା ।

 

–କ’ଣ କହିବି ରମାକାନ୍ତ । ଏହି ପରୀକ୍ଷାଟାରେ ଜଣା ପଡ଼ିଯିବ ଭଜକୃଷ୍ଣ କେଉଁଠି କେତେ ଦୂରରେ ଥିଲା । ସେ ପୂରା ବେକୁବ୍‌ ବନି ଯାଇଛି । ଗରିବର ବଡ଼ ସମ୍ପଦ ଭଲ ପାଠପଢ଼ା । ସେତକ ସେ ନେଇ ଯାଇଛି–ପାଷାଣୀ, ପାଷଣ୍ଡୀ, ରାକ୍ଷସୀ.....

 

–ଗାଳି ଦେଇ ନିଜର ଭଲ ପାଇବାକୁ ଅପମାନ ଦିଅ ନାହିଁ ।

 

–ଅନ୍ୟ ଉପାୟ ଥିଲେ କେହି କେବେ ଗାଳି ଦେବାକୁ ଚାହେଁ ନାହିଁ । ଅସମର୍ଥର ଏକମାତ୍ର ଓ ଶେଷ ହତିଆର ହେଉଛି–ଗାଳି ।

 

–ଯାହା ଯିବାର ଥିଲା ଚାଲି ଯାଇଛି । ଚାଲିଗଲା ଦିନ, ହଜିଗଲା ଧନ, ପଳାଇବା ମାନିନୀ–ସମସ୍ତେ ଚାଲିଗଲେ । ଚାଲ, ତାହେଲେ ସେହି ଭଙ୍ଗା ମନର ଗୋଡ଼ି ଖପରାକୁ ନେଇ ଆଉଥରେ କୁଡ଼ିଆ ତୋଳିବା ଆସ । କାଲି ଉପର ଓଳି ଆସ ଅଳକା ଘରକୁ । ମୁଁ ଆଗରୁ ଯାଇ ବନ୍ଦୋବସ୍ତ କରି ଆସିବି–ସାଙ୍ଗ ହୋଇ ଯିବା ।

–ଯିବା ? ଆଉ କ’ଣ ଲାଭ ଅଛି ? ମଲା ମନ କ’ଣ ଆଉଥରେ ଜୀଇଁବ ? ମାନମୟୀ କ’ଣ ଫେରାଇ ନେବ ଭଜକୃଷ୍ଣକୁ ? –ନାହିଁ–ନାହିଁ–ରମାକାନ୍ତ । ତମେ ଏଇ ଉପର–ମୁହାଁ ଉଦ୍ଧତମାନଙ୍କୁ ଚିହ୍ନ ନାହିଁ ସେ କହୁଥିଲା ପରା.....

–ମନେ ରଖିବ ଭଜକୃଷ୍ଣ । ଦେହର ଚମ ଛିଣ୍ଡିଗଲେ ଆଉ ଥରେ ସେହି ଚମ ଲାଗେ ନାହିଁ । ନୂଆ ଚମ କଅଁଳେ । ସେମିତି ମନରୁ ଜଣେ ଉଠିଗଲେ ଆଉ ସେ ଫେରିପାରେ ନାହିଁ । ନୂଆ ଲୋକ ଆସେ ।

–ଏଇଟା କ’ଣ ସତକଥା ? ଆମେ ଏମିତି କେତେ ଦେଖୁଛୁ–କଳି କନ୍ଦଳ, ପିଟାପିଟି, କଟାକଟି କରିବା ପରେ ବି ପୁଣି ଏକାଠି କାପ୍ତା କାପ୍ତିପରି ନୀଡ଼ରେ ବସି ଆଖି ମିଟମିଟ କରୁଛନ୍ତି ।

–ମିଳାମିଶା କରି ପୁଣି ପୁରୁଣା ଭାବ ଫେରାଇ ନବା ପାଇଁ ମୁଁ ବି ସେଇକଥା କହିଥିଲି-

–ମାନମୟୀ ହସିଥିଲା । ଆଉ ମତେ ବୁଝାଉଛ କାହିଁକି ଭଜକୃଷ୍ଣ ! ଚିରା ଲୁଗାକୁ ମରାମତ କରି ପୁଣି ଥରେ ନୂଆ ଲୁଗା କରି ପାରିବା ଲୋକ ହେଲେ ବାବୁ ଭଜକୃଷ୍ଣ । ତାଙ୍କର ପୁଣି ସନ୍ଦେହ ଆସୁଛି ମନରେ ? ....କଥା କ’ଣ କି ଏଣିକି ଆମର ବାଟ ଅଲଗା ।

ତଥାପି ବହଳ ମୁହଁ ହେଇ ଯାଇଥିଲି । ଅଳକାର ଭଲପାଇବାର କ୍ଷୀର ଦହି ପାଲଟି ଯାଇଛି । ...ବିରକ୍ତ ଦେଖାଇ କହିଲା–ବାରଣ ନ ମାନି କାମ କଲେ ତା’କୁ ବଳାତ୍କାର କୁହାଯାଏ । ମଣିଷର ଦିଆ–ନିଆ ବେଭାରରେ ଏଇ ବଳାତ୍କାର କାମର ପରିଣାମ ଭୟଙ୍କର ।

–ଭଜକୃଷ୍ଣ ସେଦିନ କାନ୍ଦିଥିଲା । ମାନିନୀ ଫିଙ୍ଗି ଦେଲେ ସେ ପଡ଼ୁଛି ଖତଗଦାରେ । ଇଏ କ’ଣ ଗ୍ରହଣଯୋଗ୍ୟ ପ୍ରସ୍ତାବ ?

ବହୁତ କାକୁତିମିନତି ପରେ କହିଥିଲା–ଆଚ୍ଛା, ପରେ ଦେଖିବା ଏବେ କିଛିଦିନ ଦର୍ଶନ ଦବ ନାହିଁ । ...କହି ମାନିନୀ ତାହାର ସବଳ ବାହୁ ଦୁଇଟି ବେଢ଼ାଇ ଦେଇ ମୁହଁଟିକୁ ଲୁଚାଇ ଦେଇଥିଲା ମୋର ମୁହଁ ଭିତରେ ।

–ସାବାସ୍‌ ।

–କିନ୍ତୁ ସେତିକି । ଆଉ ଯାଇ ହେଲା ନାହିଁ । ତାହାର ଶେଷ ପରିଚୟ ମତେ ଦୂରରେ ରଖି ପାରିଲା । ଧମକରେ ସେ ଯାହା କରି ପାରି ନ ଥିଲା ସେହି ତାର ଶେଷ ଆଲିଙ୍ଗନରେ କରିବାକୁ ସେ ସମର୍ଥ ହୋଇଛି ।

ଟିକିଏ ରହି ଭଜକୃଷ୍ଣ କହିଲା–ସେହିଦିନୁ ତାହାର ପ୍ରସାଧନର ସୁବାସ, ତାହାର ନିଶ୍ୱାସର ଉତ୍ତାପ ଓ ଆଲିଙ୍ଗନର ଦାଗ ଲିଭାଇ ପାରିଲି ନାହିଁ । ଦରିଦ୍ର ଓ ମେଧାବୀ ହିସାବରେ ସେଠିକି ଯାଇଥିଲି । ମେଧାବୀ କାମ ଶେଷ ହୋଇଗଲା । ବହିର ପ୍ରତ୍ୟେକ ପୃଷ୍ଠା ଓ ପ୍ରତ୍ୟେକ ପ୍ରଶ୍ନକୁ ମାନିନୀର ଶେଷ ଚିତ୍ର ଲିଭାଇ ହେଲା । ଭଜକୃଷ୍ଣ ତାହାର ସାମନ୍ୟ ସତ୍ତା ହରାଇଛି ।

–କିଛି କହି ନ ଥିଲ କେବେ ।

–ଗୁପ୍ତ କଥାକୁ ଗୋପନ ରଖିବା ସାପ ପୋଷିବା ପରି । କିଏ ଜାଣେ ଦିନେ ସେହି କାରଣରୁ ଭେଳା ବୁଡ଼ିବ । ତୁମପରି ମୁଁ ଯଦି ଅଳ୍ପ ବହୁତ କଥା ଅନ୍ୟକୁ କହି ଦେଇଥାନ୍ତି ତା ହେଲେ କେଜାଣି ଅବା ପରମେଶ୍ୱର ଦୟା କରି କାହାରି ହେଲେ ଜଣକ ତୁଣ୍ଡରେ ଗୋଟାଏ–ସାବଧାନ–ହୁସିଆର–ଶୁଣାଇ ଦେଇଥାନ୍ତେ ।

–ଆଚ୍ଛା, ମାନିନୀ ତୁମକୁ ଆସିବାକୁ କହୁଛି ଯେ ।

–ବୋଧହୁଏ ମିଳାମିଶା ଚାହେଁ । ହୁଏ ତ ଅନୁତାପ ଆସିଥିବ । ଅନୁଶୋଚନା ଥାଇ ପାରେ । ଦୟା ଆସି ଥାଇ ପାରେ । ଅବାସେ ଟଙ୍କା ଦେଇ ଏଇ କ୍ଷତିର ଖେସରା ଦେବାକୁ ଚାହେଁ–କିଏ କହିବ ?

–ସେ ତୁମକୁ କ’ଣ ସତେ ଭଲ ପାଉଥିଲା ?

–ମୋଟେ ନୁହେଁ । ମାନିନୀ ଭଜକୃଷ୍ଣଙ୍କୁ କାହିଁକି ଭଲ ପାଇବ ? ଛୋଟ ମନ ବଡ଼ ମନକୁ ଭଲପାଏ । ଭଜକୃଷ୍ଣ ପାଇଁ ମାନିନୀ ଅପୂର୍ବ–କିନ୍ତୁ ମାନିନୀ ପାଇଁ ଭଜକୃଷ୍ଣ କ’ଣ ? –କିଛି ନୁହେଁ । ....ଏସବୁ ବୁଝିଲି ପରୀକ୍ଷା ହଲରେ ଘଡ଼ିକୁ ଚାହିଁଲା ବେଳେ । ଗୋଟାଏ ଜୀବନର ପ୍ରତିଶ୍ରୁତି ବିଫଳ ହୋଇ ଯାଇଛି ।

–ଦୁଃଖର କଥା ।

–ଆଉ ଦୁଃଖ କରି ଲାଭ ନାହିଁ । ଏବେ ଦୁଃଖକୁ ଢାଙ୍କିବା ପାଇଁ ନିଶାର ଅମଳ ଧରିବାକୁ ହବ । ମାନିନୀ ଥିଲା ଗୋଟାଏ ନିଶା । ସେ ଦେଇଗଲା ମଦର ଚମକ । ....ନିଜେ ଭାବିଥିଲି ବିପ୍ଳବର ସେବା ଗୋଟାଏ ଉନ୍ମାଦନା ଦେବ । କାର୍ଯ୍ୟରେ ଦେଖୁଛି ଯେ ବିପ୍ଳବରେ ନିଜକୁ ମହୀୟାନ୍‌ କରିବାକୁ ହେଲେ ଗୋଟାଏ ନିଶା ଦରକାର ।

 

–ଏକାବେଳକେ ଅବକାରୀ ଦୋକାନୀ ହେଇଯିବ ନା କ’ଣ ?

 

ଭଜକୃଷ୍ଣ ହସିଥିଲା–ପରୀକ୍ଷାର ଫଳକୁ ଅପେକ୍ଷା ରଖିଛି । ଆଶା ସହଜରେ ମରେ ନାହିଁ । ମରଣ ନ ଦେଖିବା ଯାଏ ଆଶା ଉଙ୍କି ମାରି ଆଖି ଠାରୁ ଥାଏ । କେଜାଣି କାଳେ ଅସମ୍ଭବଟା ସମ୍ଭବ ହେବ । ଯାହାଥିଲା–ଆଉ ସେଥିରୁ ଯେତେକ ଯାଇ ଯେଉଁ ଟିକକ ବଳି ପଡ଼ିଥିଲା–ସେଥିରେ ଅବା କେଜାଣି ଲାଜ–ଢଙ୍କା ତଉଲିଆଟିଏ ହୋଇ ଯାଇପାରେ । ....ନଇଲେ ଏଇ ଜୀବନଟା କଥା ନ ଭାବିବା ଭଲ ।

 

ଭାବି ରମାକାନ୍ତ କହିଲା–ଏଇ ଚୋରଣୀକୁ ମାନ କରି ଖପରାରେ ଖାଇବାର କାରଣ ନାହିଁ । ନିଜକୁ ଏମିତି–ସେମିତି, ଏଡ଼େ–ସେଡ଼େ ଭାବିଲେ ଅଡ଼ୁଆ ବାହାରିବ । ଶରଣ ପଶିଲେ କେଜାଣି ରକ୍ଷା ହୋଇଯିବ ।

 

–ଏଁ....ଅପମାନ ପୁଣି ସହିବାକୁ ହେବ ? ....ଅସମ୍ଭବ ।

 

–ବଞ୍ଚିବାର ସୂତ୍ର ହେଉଛି ଅପମାନ । ପେଟ ଯେମିତି ଖାଦ୍ୟ ଖୋଜେ, ଜୀବନ ସେମିତି ଅପମାନ ଖୋଜେ । ଭଗବାନ ଆମର ମତାମତକୁ ଧୂଳି କରି ଦେଇ ବୁଝାନ୍ତି ଯେ, ଆମର ମନଗଢ଼ା ମତାମତ ଭୁଲ । ନୂଆ ଧାରଣା ଜନ୍ମାନ୍ତି । ଏହିସବୁ ସମ୍ଭବ ହୁଏ ଅପମାନର ମାଟିରେ ।

 

–ଲୋକନିନ୍ଦା–ଅପମାନ–ଲାଜ ? ଏସବୁ କ’ଣ ତେବେ ଖାଲି କଳ୍ପନାର କଥା ନୁହେଁ ।

 

–ନା, ସତକଥା । ଏଗୁଡ଼ାକ ଉଆଜିବ୍‌ କଥା । ଏଥିପ୍ରତି ଧ୍ୟାନ ରଖିବା ଦରକାର । କିନ୍ତୁ ଏମାନଙ୍କର ମଧ୍ୟ ପ୍ରୟୋଜନ ଅଛି ।...ଯିଏ ଅପମାନ ଦେଇଥାଏ ବା ଦିଆଇ ଥାଏ, ସେ ପୁଣି ଥରେ ଭରିଦିଏ ଆମର କାମନାର ପାତ୍ରକୁ ।

 

ରମାକାନ୍ତର ହାତ ଧରି ଭଜକୃଷ୍ଣ କହିଲା–କେଜାଣି ? ତଥାପି ମତେ ଲାଗୁଛି ତୁମରି କଥା ଠିକ୍‌ ବୋଲି । ...ମାନମୟୀକୁ ଏମିତି ବ୍ୟର୍ଥ–ତାର ପ୍ରତିହିଂସା ଓ ଘୃଣାର ପ୍ରୀତି–ନିବେଦନ ନ କରି ତାହାର ଶରଣ ପଶିଲେ ହୁଏ ତ ପୁଣି ଥରେ ସବୁ ସଂଶୋଧନ ହୋଇଯିବ ।

 

–ଏ ସବୁ ମୁଁ ବୁଝି ନ ଥିଲି । ଆଜି ଯେତେବେଳେ ବାଧ୍ୟ–ବାଧକତାରେ ଘଟଣାର ପେଷଣରେ ବସି ମଦ ଗିଲାସକୁ ଓଠରେ ଲଗାଇଥିଲି ସେତିକି ବେଳେ ମୋର ଧାରଣା ହେଇଥିଲା । –ପୁଲିସର ହାତକଡ଼ା ପିନ୍ଧି ବନ୍ଧୁହୀନ ସହାୟ–ହୀନ କାରାବାସ ଭଲ ? ନା–ଏଇ ଖିଆଲି ତରୁଣୀଙ୍କର ମନୋରଞ୍ଜନ ଭଲ ? –ମନ ବୁଝି ଯାଇଥିଲା । ମୁଁ ତାଙ୍କରି ପରି ଜଣେ ହୋଇଥିଲି । ଏବେ ମତେ ଦମ୍ଭିଲା ଲାଗୁଛି ।

 

–ମଦ ଏମିତି ମନରେ ଦମ୍ଭ ଅଣାଏ । ମୁଁ ବି ସେମିତି ମାନିନୀର ସାତ–ପରସା ଖାଲି ତାହାର ଦେହ–ପରସାକୁ ନେଇ ନିଜକୁ ଏଇ କଲେଜର କୋଠା ଓ ଏଇ ସହରଠାରୁ ବଡ଼ ବୋଲି ନିଜକୁ ମନେ କରିଥିଲି ।

 

–କେତେଥର ? ଭଜକୃଷ୍ଣ ?

 

–ବେଶି ଥର ନୁହେଁ । କମ୍‌ ଥର ବି ନୁହେଁ । ମାନିନୀ କହେ–ପ୍ରୀତିର ଆଧାର, ସୁଖର କାରଣ ଭୋଗର ସରଞ୍ଜାମ ହେଉଛି ନିଶା–ମଦ, ଗଞ୍ଜେଇ, କୋକେନ,–ୟୁନାନୀ, କବିରାଜି, ଡାକ୍ତରୀ ଯେଉଁ ପ୍ରକାରରୁ ନିଅନା କାହିଁକି.....

 

–ଅଫିମ ଗଲା କୁଆଡ଼େ ?

 

–ସେଇଟା କୁଆଡ଼େ ମଣିଷକୁ ଉତ୍ତେଜିତ ନ କରି ଶାନ୍ତ କରାଏ । କବିର କଳ୍ପନାରେ ନାୟିକାକୁ ଆମୋଦିତ କରି ରଖିବାକୁ ଅଫିମର ସ୍ଥାନ ଉଚ୍ଚରେ । କିନ୍ତୁ ଏହି ରକ୍ତ ମାଂସର ଶରୀରକୁ ମୁଗ୍‌ଧ କରି ସାଷ୍ଟମ କରିବାରେ ଅନ୍ୟମାନେ ଉପଯୁକ୍ତ ।

 

–ବଡ଼ ବିଚିତ୍ର ଏଇ ସଂସାର । ଅନଗ୍ରସର ଏସିଆ ମହାଦେଶର ଗୋଟିଏ ଅଙ୍ଗ ଭାରତ ବର୍ଷର ଗୋଟିଏ ପ୍ରତ୍ୟଙ୍ଗ ଆମର ଓଡ଼ିଶା । ସେଥିରୁ କେଡ଼େ କ୍ଷୁଦ୍ର ଅଂଶଟିଏ ଏହି ସହର–ସହରର କଲେଜ । ଏଇ ଅଞ୍ଚଳରେ ତ ଏତେ ପ୍ରକାରର ଅମଳ ଚାଲିଥିଲା । ଆମେ ଥିଲୁ କୁଆଡ଼େ ?

 

–ନିଜକୁ ଛୋଟ ମନେକରି ମୌରୁଷୀ ମନ ନେଇ ଛୋଟିଆ ଛୋଟିଆ କାମରେ ନିଜକୁ ହଜାଇ ଦେଇଥିଲୁ । ଆମେ କାହିଁକି ଏଇ ସବୁ ଦୈତ୍ୟ–ଦାନବଙ୍କର ଖବର ରଖନ୍ତୁ–ଭଜକୃଷ୍ଣ ସିନା ତାହାର ଫଟା କପାଳ ପାଇଁ ଏହି ଅସୁରୁଣୀମାନଙ୍କର ପରିଚୟ ନେଇଥିଲା ।

 

–କାନ୍ଦ ମାଡ଼ୁଛି କହିବାକୁ । ଆମେ ତାହାହେଲେ କ’ଣ କେହି ସଚ୍ଚରିତ୍ର ନୋହୁଁ ? ମୁଁ ମନେ କରିଥିଲି ରମାକାନ୍ତ, ଭଜକୃଷ୍ଣଙ୍କ ପରି କେଇଜଣ ଏଇ ଚରିତ୍ରର ଟେକ ରଖିବେ–ତମେ ଯାଇଥିଲ । ମୁଁ ତ ଚାଲିଗଲି । ଅନ୍ୟମାନଙ୍କ କଥା କିଏ ଜାଣେ ? ...ଅଳକା, ମାନିନୀ, ନକ୍ଷତ୍ରଙ୍କ କଥା ଜାଣିଲ । ଅନ୍ୟମାନେ କେମିତି କିଏ ଜାଣେ ? ....ଭଲ କ’ଣ ନାହାନ୍ତି ?

 

–ଅଛନ୍ତି । ଭୀରୁ, ଦୁର୍ବଳ, ଅସମର୍ଥ ଓ ହୀନ–ମନ୍ୟ ପ୍ରତ୍ୟେକ ଲୋକର ଚରିତ୍ର ଅଛି । ସେ ଚରିତ୍ର ମଧ୍ୟ ନିଷ୍କଳଙ୍କ । ସାହସୀ, ସମର୍ଥ ଓ ଦିଗ୍‌ବିଜୟୀର ଚରିତ୍ର ସବୁବେଳେ ଏମିତି ସଂସାରର ଉତ୍‌ଥାନ–ପତନର ଓ ଘାତ–ପ୍ରତିଘାତର କ୍ଷତରେ କ୍ଷତିଗ୍ରସ୍ତ । ଚରିତ୍ର ତାଙ୍କର କାମରେ ଲାଗି ପାରୁନାହିଁ । ଅଦରକାରୀ ଦାମୀ ଜିନିଷଟିଏ ପରି ହୋଇ ରହୁଛି । ....ଆମର ମଧ୍ୟ କାମରେ ଲାଗିଲା ନାହିଁ ।

 

–ଚାଲ, ଚରିତ୍ରକୁ ଏଥର ବିକିବା । କାଲି ଉପରଓଳି ପାଞ୍ଚଟା ବେଳେ ହାଟ ବସିବ ଅଳକାରାଣୀର ଦୁଆରରେ । ...ହସି ନିଜକୁ ଥଟ୍ଟାକରି କହିଲା–ଗତକାଲି ମଧ୍ୟ ରମାକାନ୍ତ ବୁଝି ନ ଥିଲା ଯେ ନିଜର ଚରିତ୍ରକୁ ନିଲାମ କରିବାକୁ ସେ ଯାଇ ଅଳକା ଦୁଆରେ ପହଞ୍ଚିବ ।

 

ପ୍ରବୋଧ ଦେଇ ଭଜକୃଷ୍ଣ କହିଲା–ଏଇ ସଂସାରର ସୁଖ ସମୃଦ୍ଧି–ଏଇ ସହରର କୋଠା, ମଟର, ଧନ, ବିଦ୍ୟା ଗୋଟାଏ ଦିଗବାରିଣି ଦେଖାଉଛି ।

 

–କଣ ?

 

–ମଣିଷ–ପଣିଆକୁ ବିକିଦିଅ । ପୁରୁଷ–ପଣିଆକୁ ନିଲାମ କର । ନ୍ୟାୟ, ନୀତି, ଧର୍ମ୍ମକୁ ମନରୁ ପୋଛି ଲିଭାଇ ଦିଅ । ସମସ୍ତେ ଯାହା ଯାହା କରି ଯେମିତି ବଢ଼ୁଛନ୍ତି ସେହି ଯୁଗଧର୍ମ୍ମକୁ ମାନି ଦେଶ କାଳ–ପାତ୍ରକୁ ଦେଖି ଭାଗ ମାପ ବସାଅ ।

 

–ବାଃ, ଇଏତ ବିପ୍ଳବୀ ଭଜକୃଷ୍ଣର ବ୍ୟବହାରିକ ସୂତ୍ର ।

 

–ଉପାୟ ନାହିଁ । କଲେଜ ବାରଣ୍ଡାରୁ ତମେ ମୋର ଚଟି ହଳକ ନେଇ ଚାଲିଗଲେ ମୁଁ କ’ଣ ଖାଲି ପାଦରେ କାନ୍ଦି କାନ୍ଦି ଗୋଡ଼ି, କଣ୍ଟା ମାଡ଼ି ମାଡ଼ି ଆସିବି ? –ନା,–ମୁଁ ସେମିତି ଜଣକର ହଳେ ଚଟି ଗୋଡ଼କୁ ମଡ଼େଇ ପିନ୍ଧି ଫେରିବି ?

 

–ଶେଷକୁ ଯିଏ ରହିଯିବ ।

 

–ତାହାର ଚରିତ୍ରକୁ ସଳଖିଆ କରି ସେ କହି କହି ସମସ୍ତଙ୍କୁ ଚୋର–ଧପ୍‌ପାବାଜ ବୋଲି ଗାଳି ଦେଉ, ନିଜକୁ ଓ ସମସ୍ତଙ୍କୁ ସାର୍ଟିଫିକେଟ୍‌ ଦେଇ ଦେଇ ଆସୁଥାଉ ।

 

–ଠିକ୍‌ କହିଚ ଭଜକୃଷ୍ଣ । ସତକୁ ସତ ଅସହାୟ ଓ ନିସହାୟ ନ ହେଲେ ଚରିତ୍ର ଠିକଣା ବାଟରେ ରହିପାରେ ନାହିଁ ।

 

ସିଏ ସିନା ଆମ ପୁରୁଷଙ୍କ ପାଇଁ । କିନ୍ତୁ ସ୍ତ୍ରୀ ଏମିତି ଅରଖିତ ହେଇଗଲେ ଚରିତ୍ର କ’ଣ–ତାହାର ଦେହ, ମନ ଆଉ ଜୀବନ–କିଛି ରଖି ପାରିବ ନାହିଁ ।

 

ନାରୀର ଚରିତ୍ର ଗୋଟାଏ ପ୍ରହେଳିକା ।–ବୋଧହୁଏ ତାହାର ଭଲ କି ମନ୍ଦ କିଛି ଚରିତ୍ର ନାହିଁ । ତେଣୁ ସେ ଅସଂଖ୍ୟ ପ୍ରକାରର ଚରିତ୍ର ଦେଖାଇ ପାରେ ।

 

–ସିଏ ଦର୍ପଣର କାଚ; କିନ୍ତୁ ଦର୍ପଣରେ ଦେଖାଯାଉଥିବା ଚିତ୍ର ନୁହେଁ । ....ହସି ଭଜକୃଷ୍ଣ କହିଲା । .....ଅଳକା ଆଉ ମାନିନୀ, କ’ଣ ସେଇଆ ପ୍ରମାଣ କରିଗଲେ ନାହିଁ ?

 

–ଚାଲ ଫେରିଯିବା । ଆଜି ରାତିଟା କେମିତି କଟିବ କେଜାଣି ?

 

–କେତେ ରାତି ଏମିତି ମାନିନୀର ଲକ୍ଷେ କଥା ଲକ୍ଷେ ଥର ମନେ ପକାଇ ଉଜାଗର କଟାଇ ଦେଇଛି । .....ସେତିକି ସମୟ ଏଇ ମଲା ଦରମଲା ପଢ଼ା ବହିଙ୍କୁ ଦେଇଥିଲେ ପରୀକ୍ଷା ହଲର ଛାତ ଦେଖିବାକୁ ବେଳ ମିଳି ନ ଥାନ୍ତା । .....ଅକାରଣ ଭାବନା ବୃଥା ହେଇଯାଇଛି ।

 

–ଆଜି ରମାକାନ୍ତ ଚେଇଁ ରହିବ । ମୁଣ୍ଡ ଭିତରେ ଅହରହ ବିଜୁଳି ମାରୁଛି । ସେ ଆଜି ନୂଆ ମଣିଷ ହେଇଛି । ତାହାର ନିଶ୍ୱାସ ବି କହୁଛି ସେଇ କଥା ।...ପରୀକ୍ଷା ସରିଛି । କ’ଣ ଆଉ କାମ ଅଛି ? ଗାଁରେ କ’ଣ ବା ଅଛି ?

 

–ହେ, ସେଠି କିଛି ନାହିଁ । ମଣିଷ ବୁଲୁଛନ୍ତି–ପ୍ରାଣ ନାହିଁ । ଚକଡ଼ା ମାଡ଼ି ଗାଁଆଟା ବସି ରହିଛି–ଘଟଣା କାହିଁ ? ରମାକାନ୍ତ କହିଲା ।

 

–ଗାଁରେ ଆଉ କାମ ନାହିଁ । କେବଳ କେମିତି ପଲ୍ଲୀ ମାଧୁରୀ ଦେଖିବାକୁ ଯିବା ସିନା । ସିଏ ଆଉ ଭଲ ଲାଗିବ ନାହିଁ । ସହରର ନିଶା ବେଶ୍‌ କଡ଼୍‌ଡ଼ା । ....ଗାଁରେ ଆଉ ଯିଏ ଯେତେ ଥାଆନ୍ତୁ–ଯେତେ ଉତ୍ସାହ ଦେଖାଇ ଯେତେ ବଡ଼ ଦେହ ଓ ବଡ଼ ମନ ଦେଖାନ୍ତୁ ନା କାହିଁକି ? –ଆମର ଗାଁର ଅଳକା, ମାନିନୀ ଆଉ ନକ୍ଷତ୍ର ପରି ଝିଅମାନେ କ’ଣ ଏଇ ସହରର ଅଳକା ଇତ୍ୟାଦିଙ୍କ ସମସରି ହେଇପାରିବେ ?

 

–ନା, ହେଇ ପାରିବେ ନାହିଁ । ଆମ ଗାଁର ଶଗଡ଼ିଆ ତାର ଗୀତ ଗାଇ ଗାଇ ଦିନେ ଶୁଣାଉଥିଲା ସେ ଯେମିତି–ଉଡ଼ାଜାହାଜର ପାଇଲଟ୍‌ ସେମିତି । ଏଠି ସହରର ଧୋବା ଦିନେ ଗଧ ପିଠିରୁ ଓହ୍ଲାଇ ଲୁଗା ଗଣ୍ଡିରାର ଜାଉଁଳି ଫିଟାଇ ଦେଇ କହିଲା–ଗୋଟାଏ ବଡ଼ ଘୋଡ଼ା କି ହାତୀ ତାକୁ ମିଳିଥିଲେ ସେ ଏଇ ସହରରେ ବହୁତ ନାମ ଡାକ କରିଥାନ୍ତା ।

 

ରମାକାନ୍ତ ହସିଲା ଭଜକୃଷ୍ଣର ବର୍ଣ୍ଣନା ଶୁଣି ।

 

–ଆମର ଅନୁଭବର ପ୍ରଖରତାର ପ୍ରଭେଦ ଆମକୁ ଗାଉଁଲି ଆଉ ସହରିଆ କରିଦିଏ । ଅନୁଭବକୁ ଠିକ୍‌ ଠିକ୍‌ ବୁଝିବା ପାଇଁ ଦରକାର ଅସଂଖ୍ୟ ସରଞ୍ଜାମ । .....ଗଣେଶ ପୂଜାର ଆୟୋଜନରେ କ’ଣ ଯଜ୍ଞଟାଏ ହୋଇପାରିବ ? ......ଠାକୁର ଜଣେ–ସେହି ଜଣେ । ....ଅଳକା ଓ ମାନିନୀ ଏକା ନୁହନ୍ତି ।

 

–ଆଚ୍ଛା, ତାଙ୍କ ଭିତରେ କିଏ ଭଲ ?

 

–ମାନିନୀ ହେଉଛି ଫଗୁଣର ପବନ । ଅଳକା ହେଉଛି ବଇଶାଖି । ....ଯାହାକୁ ଯେଉଁଟା ଭଲ ଲାଗିଲା ।

 

–ତମେ କାହିଁକି ଭଲଟାଏ ବାଛିଲ ?

 

–ମୁଁ ବାଛିଲି କାହାକୁ ? ମୁଁ ନିଜେ ଥରେ ବଛା ହୋଇଥିଲି । ମୁଁ ଭଲଟାଏ ପଡ଼ିବି ବୋଲି ମତେ ନିଆ ହୋଇଥିଲା । ପ୍ରଖର, ପ୍ରଚଣ୍ଡ, ଦୁନିର୍ବାର ଲୋକକୁ ନିଏ କେଉଁ ଲୋକ ?

 

–ଯାହାର ସେହି ପ୍ରକାରର ସାହସ ଓ ଦମ୍ଭର ଅସ୍ପର୍ଦ୍ଧା ଅଛି । .....ଏଇ ସଂସାରର ସବୁ ସ୍ତରରେ ସବୁବେଳେ ମେରୁଦଣ୍ଡ–ବିହୀନ ପ୍ରାଣୀ ଖୋଜା ପଡ଼ୁଛନ୍ତି ଛତ୍ର ଚାମର ତଳେ ବସାଇବା ପାଇଁ । ଭଜକୃଷ୍ଣ ସେମିତି ପାଇଗଲା ।

 

–ଆଉ ରମାକାନ୍ତ ?

 

–ମୁଁ ଭାବୁଛି ରମାକାନ୍ତ ମୋଠାରୁ ବଡ଼ । ସେ ତ ଆପାଣାଛାଏଁ ଅଡ଼କା ଅପଚରା ଯାଇ ଅଳକା ଘରେ ନିଜକୁ ଅଭ୍ୟର୍ଥନା କରାଇ ତାଙ୍କରି ପରି ଜଣେ ହୋଇ ଘଣ୍ଟାକ ଭିତରେ ତାଙ୍କରି ସାଙ୍ଗରେ ଏଇ ସହରରେ ମଟର ଭିତରେ ବୁଲି ଆସିଲାଣି ।

 

ରମାକାନ୍ତର ମନ କୃତଜ୍ଞତାରେ ପୁରିଗଲା । ଭଜକୃଷ୍ଣ ପାଇଁ ସେ ଉତ୍ସାହରେ କହିଲା–ପ୍ରତିଜ୍ଞା କରୁଛି । ଏଇ ବିଜୁଳି ଆଲୁଅ ସାକ୍ଷୀ ରହିଲେ–ଯେମିତି ହେଉ କାଲି ମୁଁ ଭଜକୃଷ୍ଣକୁ ଆଉ ଥରେ ମାନିନୀର ମମତାର ପଣତ ତଳେ ରଖାଇଦେବି ।

 

ପ୍ରଶଂସା ଏମିତି ମଣିଷକୁ ମଣିଷ ପାଇଁ ସର୍ବତ୍ୟାଗୀ ସନ୍ନ୍ୟାସୀ ରୂପରେ ରୂପାୟିତ କରିଦିଏ । ଭଜକୃଷ୍ଣର ଯେତେବେଳେ ସବୁ ସମ୍ୱନ୍ଧ ତୁଟି ଯାଇଥିଲା ସେତିକିବେଳେ ପୁଣି ସେଇଠୁ ସେଇ ପାପପଙ୍କରୁ ତାହାରି ପାଇଁ ଆଉଥରେ ବାଟଟିଏ ଫିଟି ଆସୁଥିଲା ।

 

ହାତ ଧରାଧରି ହୋଇ କିଛି ବାଟ ଗଲା ପରେ ଭଜକୃଷ୍ଣ କହିଲା ସ୍ତ୍ରୀମାନଙ୍କର ପରସ୍ପର ବିରୋଧ ଭିତରେ ସେମାନେ ଯେମିତି ବନ୍ଧୁତା ବାନ୍ଧି ପାରନ୍ତି ଆମେ ପୁରୁଷମାନେ ବିରୋଧ ନ ଥାଇ ମଧ୍ୟ କେହି କାହାର ହେଇ ପାରୁନାହୁଁ ।

 

ଅଳ୍ପ ଦୂରରେ ହଷ୍ଟେଲ ଦିଶୁଛି । –ଆରେ ଆଜି ପରା ଶୋଭାଯାତ୍ରା ବାହାରିବ ପରୀକ୍ଷାର କଷ୍ଟକର ପ୍ରଶ୍ନପତ୍ର ପାଇଁ ? ଆୟୋଜନ ପୂରା ହେଇଗଲାଣି–ରମାକାନ୍ତ କହିଲା ।

 

–ହଁ ।

 

–ଏଥିରେ ଆମର କ’ଣ ଅଂଶ ଗ୍ରହଣ କରିବାର ନାହିଁ ?

 

–ଏଥିରେ ?

 

–ହଁ, ଅଳ୍ପ ହେଉ ପଛକେ ଏଇଥିରେ ବି ଆମେ ସହଯୋଗ କରିବା ଉଚିତ୍‌ । ପାଞ୍ଚଜଣ ଯାହା କରୁଛନ୍ତି ସେତକ ଭୁଲ୍‌ ହେଲେ ବି ଆମର ସେମିତି କରିବା ଉଚିତ୍‌ । ....ଭୁଲ୍‌ ବୋଲି ଜାଣିଛୁ ତେଣୁ ନେତା ହେଉ ନାହୁଁ । କିନ୍ତୁ ସମସ୍ତଙ୍କ ଭିତରେ ଜଣେ ହେବା ଦରକାର ।

 

କଲେଜର ବିଦ୍ୟାର୍ଥୀଙ୍କ ଭିତରୁ ଯେଉଁ ଦଳଙ୍କର ସମସ୍ୟା ଥିଲା କଠିନ ପ୍ରଶ୍ନ–ସେମାନେ ପଟୁଆର ଆରମ୍ଭ କରୁଥିଲେ । ତାଙ୍କ ସାଙ୍ଗରେ ସମସ୍ୟାର ଉତ୍କଟତାକୁ ସଂଖ୍ୟା ଦ୍ୱାରା ରୂପାୟିତ କରିବାକୁ ସହାନୁଭୂତିରେ ଅନ୍ୟମାନେ ମଧ୍ୟ ଯୋଗ ଦେଉଥିଲେ ।

 

ସମସ୍ୟାର ବିଶେଷ ସଫଳତା ପାଇଁ ଛାତ୍ରୀମାନଙ୍କର ସହଯୋଗ ଅଣାଇବା ଦରକାର ।

 

ଅନ୍ଧାର ପକ୍ଷର ରାତି । ଏଣେ ବିଜୁଳି ସରବରାହ ଅନବରତ ବାଧା ପାଉଛି । ଏପରି ଅବସ୍ଥାରେ ଯୁବକ ଯୁବତୀଙ୍କ –ଏକତ୍ର ବିକ୍ଷୋଭ ଆଇନ ଶୃଙ୍ଗଳାର ପ୍ରଶ୍ନ । କିଏ ଜାଣେ କ’ଣ ନ ଘଟିବ ?

 

କାଳେ ଏହି ପ୍ରଶ୍ନଟି ସାରା ରାଜ୍ୟର ଗୋଟିଏ ବିସ୍ଫୋରଣ ହୋଇ ଉଠିବ ସେଥିପାଇଁ କଲେଜର ତରୁଣ ଅଧ୍ୟାପକମାନେ, ଅଧ୍ୟକ୍ଷ ଓ ଆଞ୍ଚଳିକ ଶାସକ ଆଗ ଯାଇ ମହିଳା ହଷ୍ଟେଲ ଫାଟକ ପାଖରେ ପହଞ୍ଚିଥିଲେ ।

 

ଏକା ମଟରରେ ଆସିଥିଲେ ଅଳକା, ମାନମୟୀ ଓ ମାନମୟୀଙ୍କର ସ୍ୱାମୀ । ଲେଡ଼ି ଦି’ଜଣ ଦୁରକୁ ଚାଲିଯାଇ ମଟରରେ ଅପେକ୍ଷା କଲେ । ଗୋଳମାଳ ପାଖରେ ମହିଳାମାନେ ରହିବା କଥା ନୁହେଁ ।

 

ଅଡ଼ୁଆ ପରିସ୍ଥିତିର ସମାଧାନ କଲେଜ ଓ ଶାସନକଳ ତରଫରୁ ଅଲଗା ଅଲଗା ହେଇ ବିତଣ୍ଡା ହେଲା । ଶେଷକୁ ମାନମୟୀର ସ୍ୱାମୀଙ୍କର କଥା ଧାର୍ଯ୍ୟ ହେଲା–ଛାତ୍ରୀମାନେ ଯଦି ବିକ୍ଷୋଭରେ ଯୋଗ ଦେବାକୁ ସ୍ଥିର କରିବେ ତାହାହେଲେ ସାଙ୍ଗେ ସାଙ୍ଗେ ହଷ୍ଟେଲ ବନ୍ଦ କରି ଦିଆଯିବ ।

 

ପରୀକ୍ଷା ପରେ ଅନେକଙ୍କର ବହୁତ ପ୍ରକାରର ହିସାବ–ନିକାଶ ବାକି ଅଛି । ପୁଣି କେବେ ଦେଖା ହବ କି ନାହିଁ ଠିକଣା ନାହିଁ । କିଏ ଉପରକୁ ଚାଲିଯିବ–ପ୍ରଚଳିତ ମୂଲ୍ୟରେ ନିଶ୍ଚୟ ପରିବର୍ତ୍ତନ ଆସିବ । ଏତେବେଳେ ହଷ୍ଟେଲ ଛାଡ଼ିବା ଅର୍ଡ଼ର କେତେବେଳେ ହେଲେ ଆନନ୍ଦଦାୟକ ହୋଇ ପାରିବ ନାହିଁ ।

 

ଘନ ଘନ ମନ୍ତ୍ରଣା ପରେ ଶେଷକୁ ବିଭିନ୍ନ ସମସ୍ୟାର ସାମଗ୍ରିକ ସିଦ୍ଧାନ୍ତ ନିଆଗଲା–ଛାତ୍ରୀମାନେ ଏହି ପ୍ରତିବାଦରେ ସନ୍ଧ୍ୟାପରେ ବାହାରୁଥିବା ଶୋଭାଯାତ୍ରାରେ ଭାଗ ନେବେ ନାହିଁ ।

 

ଏହି ସୁବିଧାରେ କଲେଜର ଅଧ୍ୟକ୍ଷ ଓ ଅଧ୍ୟାପକମାନେ ନିଜ ଉପରୁ ଦୋଷ ଛଡ଼ାଇ ସବୁ ସ୍ଳୋଗାନ୍‌କୁ ମୁହାଁଇ ଦେଲେ ଶାସନର ମୁଖ୍ୟଙ୍କ ଆଡ଼େ । –ମାନମୟୀଙ୍କର ସ୍ୱାମୀ ଉପରକୁ ।

 

ବିକ୍ଷୋଭ ଜୀବନ୍ତ ହୋଇ ଉଠିଲା । ବନ୍ଧୁକଧାରି ପୁଲିସ୍‌ ଧାଡ଼ିବାନ୍ଧି ଜାଗତିଆର ରହିଲେ-। ମହିଳା ହଷ୍ଟେଲ ପାର ହୋଇ ଦି’ଶହ ମିଟର ବାଟ ଶୋଭାଯାତ୍ରାର ଲାଙ୍ଗୁଡ଼ଟିଏ ଚାଲିଗଲେ କଥା ଶେଷ । ସେତେବେଳେ ମାନମୟୀ ଓ ଅଳକା ଫେରିବେ ।

 

–ମତେ ଭାରି ଡର ମାଡ଼ୁଛି, ଅଳକା । ତାଙ୍କର ଆଜି ମନ ଭଲ ନ ଥିଲା । ସେ କେମିତି କ’ଣ କରୁଛନ୍ତି କେଜାଣି ।

 

–ସେ କାମ ସେ ଠିକ୍‌ ଭାବରେ କରିବେ । ଆମେ ସେଠି କ’ଣ କରିବା ? ଭାରିଯାମାନେ ଏବେ ବଡ଼ ମାମଲତକାର ହେଇଗଲେଣି ।

 

–ସାହାଯ୍ୟରେ ହୁଏ ତ ଲାଗିପାରନ୍ତୁ ।

 

–ଅବିବେକି ନା କ’ଣ ? ତମେ ମଟର ଚଳାଇବ । ଆମେ କ’ଣ ତୁମକୁ ସାହାଯ୍ୟ କରିବୁ ? କହିଲ ?

 

–ମାନିନୀର କ’ଣ କିଛି କର୍ତ୍ତବ୍ୟ ନାହିଁ ଏଠି ?

 

–ସେମିତି ହାକିମଙ୍କର ମାମଲତକାର ହୋଇ ଆମର ଏଠି ଦଳେ ମାଇପେ ଶାସନକଳକୁ ଖାଇ ସାରିଲେଣି ।

 

–ମତେ ଭାରି ଡର ମାଡ଼ୁଛି ।

 

–ତାହାହେଲେ ଚାଲ ଘରକୁ ଫେରିବା ।

 

ଚୁପ୍‌ ହେଇ ମାନିନୀ ବସିଲା ।–ତାହାର ମନ କଷ୍ଟ ହେଉଛି । ଅଳକା କହିଲା–ହଁ ଆମେ ଚାଲି ଯାଆନ୍ତେଣି ଯେ, କାଳେ ଆମର ଭଜକୃଷ୍ଣ ରମାକାନ୍ତ ପରି ବାବୁମାନେ ଆସୁଥିବେ ଏହି ଶୋଭାଯାତ୍ରାରେ । ...ଦେଖିଦେଇ ଯିବା ।

 

–ସେମାନେ ଆସିବେ ନାହିଁ ।

 

–ନ ଆସିବାର କଥା ତ । ତେବେ ଆଜି କ’ଣ ରମାକାନ୍ତ ସେହି ପୁରୁଣା ମନରେ ଥିବ-? ଆଜି ସେ ଭାରି ତେଜିଆନ ହେଇଥିବ । ଭଜକୃଷ୍ଣ ସାଙ୍ଗରେ ଏବେ ଆମରି କଥା ଖାଲି ପଡ଼ିଥିବ-

 

ଶୋଭାଯାତ୍ରା ଚାଲିବାର ସୂଚନା ମିଳିଲାଣି । ଖାଲି ଛାତ୍ରଙ୍କର ଶୋଭାଯାତ୍ରା–ତେଣୁ ସଂଖ୍ୟା ସେମିତି ବେଶି ହେଇ ନାହିଁ । ମଟରଗାଡ଼ି ବନ୍ଦ ନ ହୋଇ ସିଧା ଯାଆସ କରୁଛି । ରାସ୍ତା ଖୋଲା ।

 

ନାନା ପ୍ରକାରର ବିକ୍ଷୋଭର ବୋଲି ଶୁଭୁଥାଏ–ସେଥିରୁ ଅଧିକାଂଶ ଶାସନକଳ ବିରୁଦ୍ଧରେ ।

 

ଅଳକା, ମାନମୟୀକୁ କହିଲା–ଦେଖ–ଦେଖ । ଆମର ଲେଡ଼ିମାନେ ଆଇଲେ ନାହିଁ । ତେଣୁ ପରୀକ୍ଷାର ସମସ୍ୟା ଏବେ ଶାସନକଳର ସଂସ୍କାରରେ ରୂପ ପାଇଗଲାଣି....

 

–ମୁଁ କହୁଥିଲି ପରା ।

 

–କିଛି ହବ ନାହିଁ । ତମର ସାହେବ ବି କିଛି କମ୍‌ ନୁହନ୍ତି । ପଚାଶଟା ବନ୍ଧୁକ ଅଣାଇଛନ୍ତି । ଛାତ୍ର ଦୁଇ ଚାରିଶହଙ୍କୁ ପଚାଶ ବରକନ୍ଦାଜ–ହେବ ଆଉ କ’ଣ ?

 

ଦୋକାନର ଆଲୁଅକୁ ଚାହିଁ ଅଳକା କହିଲା–ଆରେ ଦେଖମ । ଆମର ଦୁଇ ଜଣଯାକ ବାବୁ ଏହି ଶୋଭାଯାତ୍ରା ସାମନାରେ–ଦେଖ–ଦେଖ ।

 

–ସତରେ ? –କହି ମାନିନୀ ଓହ୍ଲାଇ ପଡ଼ିଲା ମଟରରୁ ଅଳକା ବି ଓହ୍ଲାଇ ଆସିଲା ।

 

ମଟରର ପଛଆଡ଼େ ଦିହେଁ ଠିଆ ହୋଇ ରହିଲେ ।

 

–ଭଲ ହେଲା । ମୁଲାକାତ୍‌ ହେଇଯିବ । ସିଏ ସେ ଦୁଇ–ଆମେ ଦୁଇ । ମନ୍ଦ କ’ଣ ?

 

ଅଳକା କହିଲା–ଏମାନଙ୍କୁ ଶାନ୍ତ ଶିଷ୍ଟ ଛାତ୍ରର ରୂପରେ ଆମେ ଦେଖୁଥିଲେ । ଆଜି ଦେଖାପଡ଼ିବ ତାଙ୍କର ବିପ୍ଳବୀ ରୂପ ।

 

ହଠାତ୍‌ ମଟର ପାଖରେ ପହଞ୍ଚି ଭଜକୃଷ୍ଣ ଓ ରମାକାନ୍ତ ଚମକି ପଡ଼ିଲେ–ମାନମୟୀ ଓ ଅଳକାଙ୍କୁ ଏକାଠି ଠିଆ ହେଇଥିବାର ଦେଖି ।

 

ଭଜକୃଷ୍ଣଙ୍କୁ ଲାଜ ଲାଗିଲା । କିନ୍ତୁ ଶୋଭାଯାତ୍ରାରୁ ବାହାରି ଯାଇ ସେଠି ଆଳାପ କରିବାରେ ସୁବିଧା ନାହିଁ ।

 

ଦି’କଦମ୍‌ ଯାଇ ଦୁହେଁଯାକ ବୁଲି ଚାହିଁଲେ–ସେତେବେଳକୁ ହସି ହସି ସେମାନେ ଫେରୁଥାନ୍ତି ମଟରକୁ । ଏଣେ ଶୋଭାଯାତ୍ରା ଦଳର ଲୋକେ ତାଙ୍କରି ପାଖ ହେଇଗଲେ । –ମଟର ଗାଡ଼ି ରାସ୍ତାରେ ମଲା କୁକୁରକୁ କଟେଇ ଚାଲିଗଲା ପରି–ଚାଲି ଯାଉଥାନ୍ତି ।

 

ସମ୍ଭାଳି ନ ପାରି ଭଜକୃଷ୍ଣ କହିଲା–ଧକ୍‌କା ବାଜିଯିବ ଯେ...

 

ଅନ୍ୟମାନେ ପଚାରିଲେ–କିଏ ? କେଉଁଠି ?

 

ରମାକାନ୍ତ କହିଲା–ହଁ, ଚାଲ, ଆଗେଇ ଚାଲ । ଶୋଭାଯାତ୍ରାରେ ସେମିତି ଧକ୍‌କା ବାଜେ ।

 

ଅଳ୍ପଦୂର ଯାଇ ଭଜକୃଷ୍ଣ ଓ ରମାକାନ୍ତ ଧୀରେ ଧୀରେ ପଛାଇ ଗଲେ । ଶେଷଭାଗରେ ପହଞ୍ଚିଗଲେ ସେମାନେ ବାହାରି ଯାଇ ପହଞ୍ଚିବେ ମଟର ପାଖରେ ।

ଏହି ଯୋଜନା କାର୍ଯ୍ୟକାରୀ କରି ସାରିଲା ବେଳକୁ ତାଙ୍କର ଆର ପାଖରେ ମଟରଟି ଲାଇଟ ଲଗାଇ ହର୍ଣ୍ଣ ଦେଇ ଦେଇ ଚାଲିଗଲା ।

ଦୁଃଖରେ ରମାକାନ୍ତ କହିଲା–ଦେଖା ହେଲା ଯେ ଦେଖିବାଟା ମଧ୍ୟ ବିଗିଡ଼ିଗଲା...ଆମେ ଶୋଭାଯାତ୍ରାରେ ଆସି ନ ଥିଲେ ଦେଖି ନ ଥାନ୍ତେ–ଆସିଥିଲେ ବୋଲି କଥା ହେଇ ପାରିଲେ ନାହିଁ–ଆସନ୍ତା କାଲିର ପ୍ରୋଗ୍ରାମଟା ଅଧା ହେଇ ରହିଗଲା ।

–ସତରେ ତା’ହେଲେ କାଲି ଯିବାକୁ ହେବ ?

–ଆଉ କ’ଣ ? ବୋଝେ ଲେଖାଏଁ ନିଜ ଭିତରେ ରଖି କଣ ସେହିଥିରେ ମନକୁ ଆଉଟିବା ?–ତମେ ଯେମିତି କଥାକୁ ଅଧା ରଖି ଦେଇ ସନ୍ତୁଳି ହେଉଛ ।

–ଆଉ କ’ଣ କରିଥାନ୍ତି ? –ରମାକାନ୍ତ ?

–ସହଜରେ ହେଉ ଉଛୁରରେ ହେଉ ସେଠିକି ଯାଇ ମାନମୟୀ ସାଙ୍ଗରେ ହିସାବ ଛିଣ୍ଡାଇ ଦେଇଥାନ୍ତ । ଆମର ସବୁ ଦୁଃଖ ଏହି ହିସାବନିକାଶର ବିଳମ୍ବ ପାଇଁ ଆରମ୍ଭ ହୁଏ । ତମେ ଯାଅ କି ନ ଯାଅ ମୁଁ କାଲି ଯିବି । ...ସେମାନେ ତୁମକୁ ସାଙ୍ଗରେ ନେଇ ଉପର ଓଳି ପାଞ୍ଚଟା ବେଳକୁ ଆସିବାକୁ କହିଥିଲେ ।

–ମୁଁ ବି ଯିବି । –ତେବେ ଆଗରୁ ଗଲେ ଟିକିଏ ଭଲ କରି ବୁଝିବ ମାନିନୀ କାହିଁକି ମୋ’ ଉପରେ ବିରକ୍ତ ?

–ମୁଁ ଜାଣିବାରେ ସେ ତମ ଉପରେ ବିରକ୍ତ ନୁହଁନ୍ତି । ତମେ ଆପଣା ମନକୁ ସେଠି ମାମଲତକାରି କରୁଛ । ତାଙ୍କର ଘର–ତେଣୁ ମାମଲତ ତାଙ୍କର । ତାଙ୍କୁ ଆମେ ଯଦି ପଇଟିଲୁ ନାହିଁ, ତାହାହେଲେ ଆମର ସେଠୁ ଛାଡ଼ରା ହେଇଯିବା କଥା ।

–ମନଟା ମୋର ବୁଝିଲା ନାହିଁ–ରମାକାନ୍ତ ।

–ଅଝଟ ମନକୁ କେହି ବୁଝାଇ ପାରେ ନାହିଁ । ଏଇ ମନର ଅଝଟପଣ ହେଉଛି ଆମର ଗୋଟିଏ ମାତ୍ର ସମ୍ବଳ । ସେହି ଜିଦିକୁ ରୂପ ଦେବାକୁ ଆମର ସବୁ ପ୍ରକାରର ଚେଷ୍ଟା ଓ ଯତ୍ନ । ଆଚ୍ଛା କହିଲ ଦେଖି–ମାନିନୀ ସାଙ୍ଗରେ କ’ଣ ସବୁଦିନକୁ ସମ୍ବନ୍ଧ ରଖିବାକୁ ଚାହଁ ? ଭଜକୃଷ୍ଣ ?

–ହଁ ।

–ବୋକା କ’ଣ ଗଛରୁ ଫଳନ୍ତି କି ? ତମେ–ଆମେ କେଉଁଠି ? ମାନିନୀ–ଅଳକା ଇତ୍ୟାଦି କେଉଁଠି ? ଦି’ ଦିନରେ ଦଶପଦ କଥା ହେଲେ ବୋଲି କ’ଣ ଆମେ ସେଠି ବନ୍ଧା ପଡ଼ିଗଲୁ ? –ନା, ସେମାନେ ଆମ ପାଖରେ ବନ୍ଧା ପଡ଼ିଗଲେ ?

ୟାକୁ ଲୋକେ କହନ୍ତି–ସ୍ୱାର୍ଥନ୍ୱେଷୀର ଚରିତ୍ର ସଂହାର କାମ । ଏମିତି ଜୋର ଜବରଦସ୍ତିଆ କାମକୁ ସମସ୍ତେ ବୁଝନ୍ତି ଭଙ୍ଗାରୁଜା କାମ ବୋଲି ।

 

ମତର ବିରୋଧ ହେଉଛି ଆଲୋଚନାର ମରଣ । ସମାନ୍ୟ ମତାନ୍ତରରେ ସେଦିନର ପୂର୍ଣ୍ଣଚ୍ଛେଦ ପଡ଼ିଗଲା ।

 

ଗୋଟିଏ ସ୍ମରଣୀୟ ଦିନ ଶେଷ ହୋଇ ଯାଇଛି ।

 

ଗୋରୁ ପାକୁଳି କରେ । ମଣିଷ ବି ପାକୁଳି କରେ । ଆଉ ପାକୁଳି କରେ ହଂସ ।

 

ମଣିଷର ଚେତନା ଭିତରକୁ ଯେତେ ଦୃଶ୍ୟ ଚାଲିଯାଏ ସେଗୁଡ଼ିକ ହଠାତ୍‌ ତାଙ୍କର ସୁବିଧା ଜାଗା ଖୋଜି ପାଆନ୍ତି ନାହିଁ । ସେମାନେ ଅପେକ୍ଷା ରଖିଥାନ୍ତି ମଣିଷର ବିଶ୍ରାମ ବେଳକୁ–ଡାକଘରର ଚିଠି ଯାଇ ପୁଣି ଥରେ ବଛା ବଛି ହୋଇ ନୂଆ ଥଳି ଭିତରକୁ ପଶିଲା ପରି । ଚିନ୍ତାର ଏହି ପାକୁଳି କରିବା ମଣିଷର ଦରକାର ହେଉ ନ ଥିଲେ ତାହାର ଅନୁତାପ, ପଶ୍ଚାତ୍‌–ତାପ, ଅନୁଶୋଚନା, ଦୁଃଖ ଇତ୍ୟାଦି ନ ଥାନ୍ତା । ଆଉ ସେ ସବୁବେଳେ ମତକୁ ସ୍ଥିର ରଖି ସାରୁପତ୍ରର ପାଣି ବୁନ୍ଦା ପରି ହଲଚଲ ହୁଅନ୍ତା ନାହିଁ ।

 

ଆଉରି ମଜ୍ଜାର କଥା ଯେ ସମସ୍ତ ପ୍ରକାରର ପଶୁ ପକ୍ଷୀଙ୍କର ପାକୁଳି କାମ ସରେ । କିନ୍ତୁ ମଣିଷର ଚିନ୍ତାର ପାକୁଳିର ଶେଷ ନାହିଁ । ପ୍ରତିଦିନ ପୁରୁଣା କଥା ଆସି ନୂଆ ରଙ୍ଗରେ ଦେଖାଦିଏ–କାହାର ହୁଏ ବେଶି ସମୟ ଛଡ଼ାରେ । ଆଉ କାହାର ହୁଏ ଅଳ୍ପ ବ୍ୟବଧାନରେ ।

 

ନୂଆ ଅମଳ ରମାକାନ୍ତକୁ ମନ ଆଉଟିବା ପାଇଁ ସୁବିଧା ଦେଲା ନାହିଁ–ନିଶ୍ୱାସରୁ କ୍ଷୀଣ ଭାବରେ ମଦର ଗନ୍ଧ ଆସୁଥାଏ । ....ତାହାର ଇଚ୍ଛା ହେଲା ତହିଁଆର ଦିନ ଗଲେ ସେ ସେମାନଙ୍କର ନିଶ୍ୱାସକୁ ଲକ୍ଷ୍ୟ କରିବ । ରମାକାନ୍ତ ଶୋଇପଡ଼ିଲା ।

 

ଭଜକୃଷ୍ଣର ସମସ୍ତ ଅତୀତ ପ୍ରାଣ ପାଇ ଉଠିଲେ । ସେ ଚାଲିଯିବା କଥା । ଚାଲିଗଲା ପରେ ମାନମୟୀର ସବୁକଥା ରହିଯିବ ଏଠି–ଡୋରି ଛିଣ୍ଡି ଯାଇଛି । ଆଉ ରହିବ କ’ଣ ?

 

–ନା, ସେ ଯିବ ନାହିଁ । ...ତେବେ ରହିବ କେମତି ? କରିବ କ’ଣ ? –ରମାକାନ୍ତ ରହିବ ନାହିଁ । ସେ ଜୀବନର ଅନୁଭୂତିକୁ ସେତେ ଗୁରୁତ୍ୱ ଦେଇ ପାରିଲା ନାହିଁ । ....ସତରେ କ’ଣ ମାନମୟୀ ରମାକାନ୍ତର ଯୁକ୍ତିରେ ସନ୍ତୁଷ୍ଟ ହୋଇ ଭଜକୃଷ୍ଣକୁ ପୁଣିଥରେ ଭାଗ୍ୟବାନ୍‌ ବୋଲି ଭାବିବାକୁ ସୁବିଧା ଦବ ?

 

ମନେ ପଡ଼ିଲା ଅତୀତର କେତେ ମଧୁର ସ୍ମୃତି । –ଜାଣିଛ ଭଜକୃଷ୍ଣ । ମଣିଷ ତାହାର ସ୍ୱାମୀ ପାଖରେ ସ୍ୱାଧୀନ ନୁହେଁ । ସେ ଅଧିକ ସ୍ୱାଧୀନ ଅପର ଲୋକଙ୍କ ପାଖରେ । ବିବାହର ବନ୍ଧନ ହେଉଛି ସଙ୍କୋଚ ଓ ପରାଧୀନତାର ବନ୍ଧନ । –କେତେ ଯୁକ୍ତି ତର୍କ । କେତେ ଆନନ୍ଦ । ଶେଷରେ ମଧୁର ଉପସଂହାର ।

 

–ବୁଝିଲ ତ ଭଜକୃଷ୍ଣ ? କିଏ ବଡ଼ ? ତମେ ନା ଆମ ବାବୁ ?

 

ସବୁ ସତ ପରି ଲାଗୁଥିଲା । ଏବେ ମିଛ ହୋଇ ଯାଇଛି; କିନ୍ତୁ ମାନିନୀ ସେହି ଏକା ଅଧିକାର ଓ ଅହଙ୍କାର ନେଇ ତାହାର ସ୍ୱାମୀ ସାଙ୍ଗରେ ରହିଛି । ସେମାନଙ୍କର ବନ୍ଧନ ଅଧିକରୁ ଅଧିକ ଦୃଢ଼ ହୋଇଛି ।

 

ଦିନଯାକ ଯାହା ଯେତେ ଲାଞ୍ଛନା, ଅପମାନ, ପୁରସ୍କାର, ତିରସ୍କାର, ଲାଭ ଓ କ୍ଷତି, ସୁଯୋଗ ଓ ଦୁର୍ଯ୍ୟୋଗ ଯେତେ ଯାହା ମିଳିଥାଉ, ରାତିର ଅନ୍ଧାର ଭିତରେ ସହଳ ଉଛୁରରେ ଆଖିପତା ମାଆର ପଣତ ପରି ଢାଙ୍କିଦିଏ ଆଖିକୁ ।

 

ଆଖି ଶୋଇପଡ଼ିଲା ବେଳେ ମନ ବି ଆପଣା ଛାଏଁ ଥକ୍‌କା ହୋଇ ପଡ଼ିଯାଏ । ସେ ତ ଦେହର ମାଲିକ–ଦୟା ଆସେ ମନର ଦେହ ଉପରେ । –ଆହା ବିଚାରି, କେତେ ଖଟିଲାଣି । ଶୋଇପଡ଼–ନଇଲେ ସେ ବିଚଳିତ ହୋଇଯିବ ।

 

ସକାଳ ଆସିଛି ।

 

ହଷ୍ଟେଲର ଆଗଦୁଆରି କୃଷ୍ଣଚୂଡ଼ା ଗଛରେ ହଳଦୀବସନ୍ତ ଡାକ ଦେଇ ଖେଳାବୁଲା କରୁଥାନ୍ତି । ପିଲାଙ୍କ ଭିତରେ ପାଟି ତୁଣ୍ଡ ହେଉଥାଏ ହଳଦୀବସନ୍ତକୁ ଅଭ୍ୟର୍ଥନା ଜଣାଇ ।

 

ଧଡ଼ପଡ଼ ହୋଇ ଭଜକୃଷ୍ଣ ଓ ରମାକାନ୍ତ ବାହାରି ଆସିଲେ । ହଳଦିଆ ଦେହରେ କଳା ମୁହଁ ଦେଖାଇ ସେମାନେ ଚାହିଁଲେ ସତେ କି ଏଇ ଦୁଇ ଜଣଙ୍କର ମୁହଁକୁ ।

 

–ଶୁଭ ଦିନଟାଏ ଆଜି ।

 

–ହଁ । ରମାକାନ୍ତ କହିଲା ବେଳେ ଗୋଟାଏ ଭଦଭଦଳିଆ ତାହାର ନୀଳ ଦେହ ଦେଖାଇ ଆସି ପହଞ୍ଚିଗଲା । ତାଟକା ହେଇ ଦିହେଁ ଚାହିଁ ରହିଲେ ଏହି ଶୁଭ–ସଂକେତକୁ । ଛାତି ଭିତରଟା ଏକାବେଳେକେ ପୂରିଗଲା ଆଶାର ଆନନ୍ଦରେ । ....ଆଜି ସେମାନେ ଡାକିଛନ୍ତି ।

 

–କ’ଣ ଭଜକୃଷ୍ଣ, ଆଜି ସକାଳୁ କ’ଣ ଏତେ ସୁନ୍ଦର କଥା ଆମେ ଦେଖିଲେଣି । ଭାଗ୍ୟରେ ବିଧାତା କ’ଣ ଲେଖିଛି ଆଜି ?

 

–ଫଟା କପାଳ ଓ ପୋଡ଼ା ମନରେ କ’ଣ ଆଉ ବଡ଼ କଥା ମିଳିବ ! ଏଇ ସଂସାରରେ ନିଉନ ନିଉଛୁଣା ହେଇ ଏଠି ସେଠି ନିନ୍ଦା, ଅପମାନ ଓ ପ୍ରତ୍ୟାଖ୍ୟାନ ପାଇଲା ପରେ ଏହି ଶୁଭ ଚଢ଼େଇମାନେ କ’ଣ ବା କରିପାରିବେ ?

 

–ନା, ଭଲ ହେବ ।

 

–କ’ଣ ଭଲ ? ହେଇପାରେ ତମକୁ ଆଜି ଗୋଟାଏ ଆଧୁନିକା ମିଳିଯିବ । ସାବଧାନ ରମାକାନ୍ତ–ଆଧୁନିକ ଯୁଗରେ ମଧ୍ୟ ଆଧୁନିକା ଗୋଟାଏ ଦୁର୍ଯ୍ୟୋଗ । ତାଙ୍କର ଖିଆଲର ବିଚିତ୍ର ଗତି ସାଙ୍ଗରେ ତାଳ ପକାଇ, ହାତ ମିଳାଇ, ପାଦ ପକାଇବା ଜଣେ ମଣିଷ ପକ୍ଷରେ ସମ୍ଭବ ନୁହେଁ-। କଲେ କରିପାରିବ ଜଣେ ଯାଦୁକର କି ଗୁଣିଆ ।

 

–ଆଧୁନିକା ସାଙ୍ଗରେ ସମସରି ହୋଇପାରିବେ କି ପୁରୁଣା ଢଙ୍ଗର ଲୋକ ? –ଏମାନେ ଆଲସେସିଆନ ହୋଇଥିଲେ ସେମାନେ ହେବେ ଛେଳି । ଘାସଖିଆ ଛେଳି ।

 

–ବେଶ୍‌, ବେଶ୍‌ । ମୁଁ ଯେତେ ଦେଖିଲି ଭଲ ଫଳ ପାଇଲି । ଏଇ ଜିନ୍ଦଗୀ ପାଇଁ କାଫି ହୋଇଗଲା । ...ତମେ ଏବେ ନୂଆ ନୂଆ ହେଉଛ । ଅପୂର୍ବ ଲାଗୁଛି ।

 

–ସକାଳଟାରୁ ଚିଡ଼ ନାହିଁ ଭଜକୃଷ୍ଣ । ଜୀବନଟା ଶେଷ ମୁହୂର୍ତ୍ତଯାଏ ଅଶେଷ ପ୍ରକାରର ଦୃଶ୍ୟ ଦେଖାଏ । ଲୋକେ ଅଜଗର ସାପ, ଜାତୀୟ ପଶୁ ବାଘ, ପଶୁରାଜ ସିଂହଠାରୁ ଆରମ୍ଭ କରି ଓଧ, କୋଳି ଶିଆାଳିଙ୍କୁ ପୋଷନ୍ତି । କିଏ ପୋଷାମାନେ । ଆଉ କିଏ ପୋଷାମାନେ ନାହିଁ । କିଏ ପୋଷିବା ଲୋକକୁ ଉଦରସ୍ଥ କରି ଦେଇଛି । ଆଉ ପୁଣି କିଏ ତାହାରି ସାହାଯ୍ୟରେ ନିଜର ଓ ନିଜର ପରିବାରର ପାଞ୍ଚ ଦଶ ଜଣଙ୍କର ପେଟକୁ ପୋଷିଛି । ....ଭାଗ୍ୟ ।

 

–ଆଜି ଚଢ଼େଇମାନେ କହି ଗଲେଣି । ଦେଖାଯାଉ ।

 

ଚଢ଼େଇ ଗୁଡ଼ିକ ଉଡ଼ିଗଲେଣି । ସତେ କି ତାଙ୍କୁ କିଏ ପଠାଇ ଥିଲା ଏହି ଶ୍ରାନ୍ତ ବାଟୋଇ ଦୁଇଟିଙ୍କୁ ପୁଣି ଦିନକର ଯାତ୍ରାପଥରେ ଆଗେଇ ଦବାପାଇଁ ।

 

ବେଗାବେଗି କାମ ସାରିବା ପାଇଁ ଦିହେଁ ବାହାରି ଗଲେ— ଆଜି ଗୋଟାଏ ଦିନ । ସୁଯୋଗର ଦିନ । ପରୀକ୍ଷାର ଦିନ । ଜୀବନର ଗୋଟାଏ ଅଧ୍ୟାୟର ଆରମ୍ଭ ? –କି ଶେଷ ? କିଏ କହିବ ? ଆଜି ଭାଗ୍ୟ ପରୀକ୍ଷା ଲଟେରୀର ଫଳ ବାହାରିବ ।

 

ପରୀକ୍ଷା ଫଳର ଆଶଙ୍କା ଦୂରେଇ ଗଲା । କିନ୍ତୁ ସାଙ୍ଗସାଥି ମହଲରେ ସେହି ଗୋଟିଏ ଆଲୋଚନାର ବିଷୟ । ଏମାନଙ୍କୁ ଭଲ ଲାଗୁ ନ ଥିଲା । ଚାଲିଗଲେ ।

 

–ଓଃ ରେ ବହି–ପୋକ । ପରୀକ୍ଷାର ପ୍ରଶ୍ନପତ୍ର କଥା ଭାବିବ କାହିଁକି ? ବହିକୁ ସିନା ଖାଇବ । ଖାଇଲ ନାହିଁ ସେହି ପ୍ରଶ୍ନପତ୍ର ଗୁଡ଼ିକୁ ? –ଏଁ, ରମାକାନ୍ତ–ଖାଇବୁ ମନେ କରି । ଯାହା ତାଡ଼ି ପକାଇବୁ ତ । ଏଠି ରହିବାକୁ ମନ ଡାକୁ ନାହିଁ ତମର ।

 

ଭଜକୃଷ୍ଣ କହିଲା–ନାଇରେ ଭାଇ କାମ ଅଛି ।

 

–ଆଃ, ତମର ପରବାୟ କ’ଣ ? ଭଲକରି ଘୋଷି ପାରୁଛ । ମାଷ୍ଟର ହେବ । ପଢ଼ୁ ପଢ଼ୁ ମାଷ୍ଟରି ମିଳିଗଲା । ପଢ଼ି ସାରିଲେ ମୁକରିର ହୋଇଯିବ ।...ହେଇ ବଳଦ, ଶୁଣିଯାଅ–ଗାଁ ସ୍କୁଲ ଛାଡ଼ି ସରକାରୀ ସ୍କୁଲ ଖୋଜିଲେ କେତେ କିଳାପୋତେଇ ପଡ଼େ ଜାଣୁ ? ବହିରେ ଶଳେ ଏକଥା ଲେଖୁ ନାହାଁନ୍ତି ରାଷ୍ଟ୍ରର ଗୋପନ ତଥ୍ୟ ବାହାରେ ପ୍ରକାଶ ପାଇଯାଇ ମୁଦ୍ରାସ୍ଫୀତି ଆଣିବ ବୋଲି ।

 

–କେମିତି ? ଗୋଟାଏ ବାଳୁଙ୍ଗା ପଚାରିଲା ।

 

–ସବୁ ସାଧାରଣ ଜ୍ଞାନକୁ ଧରିବାରେ ଏହି ଛୋକରାର ଭାରି ମନ । ଆବେ ଶୁଣ–ସେଥିରେ କିଳାପୋତେଇ ଦେବାକୁ ପ୍ରତିଯୋଗିତା ହେବ । ଉତ୍ପାଦନ ହେବ ଗୋଟାଏ ସରକାରୀ ସ୍କୁଲର ଶିକ୍ଷକ–ଏଣେ ଉତ୍ପାଦନ ଖର୍ଚ୍ଚରେ ପଚିଶଜଣ ଘରେ ରାବିଡ଼ି ଖାଇବେ ଓ ପୁଅ ମାଇପଙ୍କୁ ସନ୍ଦେସ, ବରଫ ଖୁଆଇବେ ।

 

ଚାଲିଯାଉଥିବା ରମାକାନ୍ତ ଓ ଭଜକୃଷ୍ଣଙ୍କୁ ଲକ୍ଷ୍ୟକରି ଦି’ଜଣ କହିଲେ–ଯାଅ ବେ । ବୋଧେ ତମେ ଆଇ–ଏ–ଏସ୍‌ ହେଇଯିବ । ସାଲୁନକୁ ଯାଇ ଗୋଟା ଦଫା ହାକିମିଆ ବାଳ ବନେଇ ନେଇଥା । ସେମିତି ଆଇ.ଏ.ଏସ୍‌.ନ ମିଳିଲେ ବି ମୁଣ୍ଡର ଫିରେଇଟା ରହିଯିବ ତ ।

 

ହୋ ହୋ ହସକୁ ଭୟକରି ସଂଗଠିତ ଆକ୍ରମଣରୁ ପଳାଇଲେ ସେମାନେ ।–ଚାଲରେ ଚାଲ । ଏହି ହଷ୍ଟେଲରେ ରହିଗଲେ ମଣିଷ ୟା’ଙ୍କରି ପରି ହେଇଯିବ ।

 

ଅଟକି ଯାଇ ରମାକାନ୍ତ କହିଲା–କିଏ ଜାଣେ ବାବୁ ? ତାଙ୍କ ପରି ହେଲେ ଜୀବନରେ ଯଶ କି ତାଙ୍କପରି ନହେଲେ– । ଆମେ ଦେଖିଲେ ତ ଏଇ ନେତାମାନଙ୍କୁ–ମନ୍ତ୍ରୀ, ପ୍ରିନିସ୍‌ପାଲ, ପୁଲିସ୍‌ ସାହେବ, କିଲଟର ସାହେବ ସମସ୍ତେ ଡାକି ବାବୁ–ବାବୁ କରୁଛନ୍ତି ।

 

–ବେହିପେ, ସେମିତି ଅପଦାର୍ଥ ବୋଲି ।

 

ସକାଳୁଆ କୁହୁଡ଼ିର ଧାପଟିଏ ରାସ୍ତାକୁ ଆସୁଥିଲା–ପାଖ ନଈ ପଠାରୁ ମୁହାଁଇଛି ସହର ଆଡ଼କୁ ।

 

–କୁହୁଡ଼ି ବାବୁଙ୍କର ବି ସହର ଦେଖିବା ଦରକାର । ନ ଦେଖିବେ କାହିଁକି ? ଏଠି କଲେଜ, କଚେରି, ଥାନା, ମଟରଗାଡ଼ି, ଦୋକାନ ଅଛି । ସେମାନଙ୍କର ଜୀବନକୁ ନଷ୍ଟ କରିବେ କାହିଁକି ନଈର ମାଟିଆ ବାଲି ଉପରେ ।

 

–ଯିବା କି ?

 

–କୁଆଡ଼େ ? ଅଳକା ଘରକୁ ।

 

–ରମାକାନ୍ତ, ତମକୁ ଅଳକାର ଭୂତ ଘେରିଲାଣି । ମୁଁ ବି ସେମିତି ଥୋଡ଼ାଏ ଦିନ ମାନିନୀ–ମାନମୟୀ ହେଇ କୁହୁଡ଼ି ଦେଖିଲି ।

 

ଦେଖିଲ କ’ଣ ? ଓସ୍ତାଦ୍‌ କୁହୁଡ଼ି ପହଁରାଳି ହେଇଗଲ । କଲେଜର କୁହୁଡ଼ି–ପହଁରା ପ୍ରତିଯୋଗିତା ହୁଅନ୍ତା କି ଭଜକୃଷ୍ଣ ତାରିଫ୍‌ କାମ ଦେଖାନ୍ତା....ହେଇ ଭୁଲିବ ନାହିଁ । ସେମିତି ଗୋଟାଏ ଅନୁଷ୍ଠାନ ହେଲେ ଅନେକ ଦେଖଣାହାରୀ ଆସିବେ–ମାନମୟୀ ତ ନିଶ୍ଚୟ ଆସିବ ।

 

–ଆଉ ଅଳକା ?

 

–ସେ ବି ପହଁରିବ ତମ ସାଙ୍ଗରେ । ସେ ଜୀବନକୁ ଉଚ୍ଚାରୁ ଆହୁରି ଉଚ୍ଚା କରିବାରେ ଲାଗିଛି । ...ଆକାଙକ୍ଷା ପଛରେ ଧାଇଁ ମାଙ୍କଡ଼ଚିତ୍‌ ମାରିଲେ ଲୋକ କ’ଣ ହୁଏ ଜାଣ ?

 

–କ’ଣ ହୁଏ ?

 

–ହୁଏ ମରୀଚିକାର କବି, କୋଣାର୍କ–ବାରବାଟିର ସ୍କୃତିର କବି, କୁହୁଡ଼ିର ଲେଖକ, କୁଆପଥରର ସୌଦାଗର । ମୋଟାମୋଟି ହେଇଯାଏ ଜୀବନର ଜୋକର୍‌ ।

 

–ଘରେ ବସି ବହୁତ ଲୋକ ଏମିତି ନିଜକୁ ବଡ଼ ବଢ଼ିଆ ବୀର ବୋଲି କଳ୍ପନା କରନ୍ତି । କଲେଜ ହତାରୁ ଦିଲ୍ଲୀ ଓ ଭୁବନେଶ୍ୱର ସିଂହାସନ ପାଆନ୍ତି । ରମାକାନ୍ତ ପାଇଯିବ ଯେ.....

 

–ରମାକାନ୍ତ ପଛେ କିଛି ନ ହେବ । ସେ କିନ୍ତୁ ଭଜକୃଷ୍ଣ ପରି କୁହୁଡ଼ିରେ ପହଁରିବ ନାହିଁ-

 

–ଛାଡ଼ ସେ କଥା । ସାପ ଯିଏ ଦେଖିଥିବ ସେ ବାଟ ଚାହିଁ ଚାହିଁ ଚାଲିବ । ....ଆସ ଯିବା ଆଜି ହୋଟେଲକୁ ।

 

–ହୋଟେଲ ?

 

–ହଁ । ଆଜି ଚାଲିଯିବି । ଏଇ ସହରର ଜଡ଼ ଖରାପ । ସମସ୍ତେ ଏଠି ତାଙ୍କର ହତାଶିଆ କାମନାର ଧୂଆଁକୁ ଫୋପାଡ଼ି ଏହାର ପାଣି ପବନକୁ ବିଷାକ୍ତ କରିଦେଲେଣି । ମଣିଷ ଆସିଲା ପାଠ ପଢ଼ିବାକୁ–ଫେରି ଯିବ ଗୋଟାଏ ବେକୁଫ୍‌ ହେଇ । ....ଆଉ ଦି’ ଚାରି ଟଙ୍କା ନଷ୍ଟ କଲେ କ୍ଷତି କ’ଣ ?

 

–ଠିକ୍‌ କଥା କହୁଛ । ଜୀବନ ଯଦି ଫେଲ୍‌ ହେଇଗଲା ତେବେ ଆମର ପକେଟରେ ପଡ଼ିଥିବା ଟଙ୍କା କେଇଟା ବି କ’ଣ ହଲାପଟା କରି ପକାଇବ ଏହି ବ୍ୟର୍ଥ ଜୀବନକୁ ?–ଜୀବନର ବ୍ୟର୍ଥତାକୁ ? ଫକ୍‌କଡ଼ ହେଇଯିବା ଭଲ ।

 

–ଭଜକୃଷ୍ଣ ଫତୁର । ରମାକାନ୍ତ ହବ କି ?

 

–ହଁ । ତେବେ ମୁଁ କିଛି ପାଇ ନାହିଁ । ଫତୁର ହେବି କେମିତି ? ପରୀକ୍ଷା ଦେଲେ ସିନା ଫେଲ ହେବି । –ହଉ ଚାଲ, ଓଧ ଭଜକୃଷ୍ଣ ସାଙ୍ଗରେ ଭୁଆଁ ବିରାଡ଼ି ରମାକାନ୍ତ ସମାନ ଆଉ ସାଙ୍ଗ-

 

ଦକ୍ଷିଣି କଫି ହୋଟେଲରୁ ଫେରିଲାବେଳେ ଭଜକୃଷ୍ଣ ପଚାରିଲା– ଶୁଭ ଚଢ଼େଇ ଦେଖି ଓଡ଼ିଆ ଦୋକାନ ଛାଡ଼ି ଦକ୍ଷିଣି ଦୋକାନରେ ବସି ଗଲେ......ଏଥର ଚାଲନ୍ତେ ନାହିଁ ଓଡ଼ିଆଙ୍କ ଘରକୁ ।

 

–ଠିକ୍ କହିଛ । ତେବେ କ’ଣ ଏକାଠି ?

 

–ଖରାପ କ’ଣ ? ମୋର କ’ଣ ଗୋପନ ଚରିତ୍ର–ଲିପି ଖରାପ ?

 

–ଆଉ କ’ଣ ? ତମେ ପରା ବ୍ଲାକ୍ ଲିଷ୍ଟରେ ଅଛି ।

 

–କାହାର ?

 

–ଆଉ କାହାର ? ତମର ହାକିମ ଓ ମୁନିବ ଏବଂ ଜୀବନର ଅଧିକାରୀ ଶ୍ରୀମତୀ ମାନମୟୀ ଦେବୀଙ୍କର ଖାତାରେ ।

 

–ମୁଁ ବି ମୋରି ଖାତାରେ ଲେଖିଛି ଯେ ମାନମୟୀ ଏଇ ସୁନ୍ଦର ସଂସାରର ହଳାହଳ ।

 

–ଭଲ କହିଲ ? ଏଇଟା ଓଲଟା ଯୁଗ ନା–ଅଇଁଠାମାନେ ଖାଇବା ଥାଳିକୁ ସାର୍ଟିଫିକେଟ୍ ଦେଲେଣି । ଚତୁର୍ଥ ଶ୍ରେଣୀର ଲୋକେ ପ୍ରଥମ ଶ୍ରେଣୀ ଉପରେ ମନ୍ତବ୍ୟ ଚଳାଇଲେଣି-

 

–ଭଲ କୁତାଟିଏ ହୋଇ ପାରିବ–ରମାକାନ୍ତ । ଆଜିଯାଏ ଲୁଚିଗଲା ତମର ପ୍ରତିଭା କେମିତି ? –ହଁ, ଗୋଟାଏ କିଏ ଚିହ୍ନିବାଯାଏ ହୀରା–ମୋତି–ମାଣିକ ମାଟିରେ ପଡ଼ିଥାଏ ।

 

–ଚାଲିଛ ଯେ । କୁତା ତୁମକୁ ନବନାହିଁ । ତମେ ଯେମିତି ସବୁ ଖାତାରେ ଷ୍ଟାମ୍ପ ଆଲବମ୍ ରଖିଲା ପରି ସାର୍ଟିଫିକେଟ୍ ମାଳା ରଖିଛ । ସେଥିରେ ତୁମକୁ ନେବା ବିପଦ ।

 

–ନାହିଁ, ମୁଁ ବିପଦ କ’ଣ ହେବି ? ପିଠିରେ ମାଡ଼ ଉପରେ ମାଡ଼ ଚଢ଼ୁଛି । ଖୋଲଟି କହିବାକୁ ମୋର ବେଳ ନାହିଁ ?

 

–ଏବେ ବୁଝ କୁକୁର କିଏ ? ଥୋମଣି–ମାଡ଼ କିଏ ଖାଏ । ଓଲିଆ ପଣ କରି ଯାଇ ମାଲିକାଣି ଥାଳିକୁ ମୁହଁ ବଢ଼ାଇଲ । ମାଡ଼ ଖାଇ ଏଣେ ୟା’କୁ କୁକୁର, ତାକୁ ସାପ କହି ବୁଲୁଛ–ଆଧୁନିକ ବିପ୍ଳବୀମାନଙ୍କ ପରି ।

 

–ମୁଁ ଚୁପ୍‌ ହୋଇ ବସିବି । ଏବେ ଯେମିତି ହରିଜନ ଲୋକସଭା ସଭ୍ୟଙ୍କର ଚାକରର ବ୍ୟାଜ୍‌ ନେଇ ରାମଜନ ଲୋକେ ଦିଲ୍ଲୀ ଯାଇ ନିଜକୁ ଓ ଦେଶକୁ କୃତାର୍ଥ କରୁଛନ୍ତି ସେମିତି ତମେ ମତେ ନବ ନାହିଁ–ଚାକର ଭାବରେ ? –ପିଅନ୍‌ ଭାବରେ ?

 

–ହଁ, ଏଥର ନିଆଯାଇ ପାରିବ । ମନକୁ ମନ ଠାକୁର କି କୁକୁର ଯାହା ହୁଅ, ଆମକୁ ଗଧ, କି ଘୋଡ଼ା ଯାହା ଭାବୁଛ ଭାବ–ଗୋଡ଼ଧରି ଖୋସାମତ କରି କରି ବାଟ ଚାଲ । ଶେଷ ଯାଏ ନେବି ।

 

–ମୁଁ ରାଜି । ମୋର ଅନ୍ୟ ଉପାୟ ନାହିଁ ।

 

–ଉପାୟ କେବେହେଲେ ରଙ୍କ ଆଉ ଭୀରୁ ଲୋକଙ୍କୁ ମିଳେ ନାହିଁ ।

 

ଏମିତି ଗାଳି ଦିଆ ଦେଇ ହୋଇ ହୋଇ ସେମାନେ ଅଳକା ଘରେ ପହଞ୍ଚିଲେ । ଅଳକା ଏମାନଙ୍କୁ ଆସିବାର ଦେଖି ମନେ ମନେ ଚିଡ଼ି ଉଠିଲା–ବାଜେ ଲୋକଙ୍କୁ ପ୍ରଶ୍ରୟ ଦେଲେ ଫଳ ଏତିକି ?

 

–ଆମେ ଆସିଛୁ । ନମସ୍କାର ।

 

–ହଁ, ନମସ୍କାର ।

 

–କ’ଣ ବ୍ୟସ୍ତ ଥିଲେ ?

 

–ନା–ହଁ । ବ୍ୟସ୍ତ ଆଉ କ’ଣ । କାଲି ରାତିଟା ଚେଇଁ ଚେଇଁ ଛଟପଟ ହେଲି । ମନଟା ଦବି ଯାଇଛି ।

 

–ଔଷଧ ଖାଇଲେ ନାହିଁ । ଦେହ କ’ଣ ଖରାପ ହେଲା ?

 

–ନାହିଁ ମ ଦେହ କ’ଣ ଖରାପ ? ମନଟା ବଡ଼ ଖରାପ ଥିଲା ।....ମାନିନୀ ପଳାଇଲା ତାହାର ବାବୁଙ୍କ ତଦାରଖ କରିବାକୁ । ଏଣେ ଆପଣ ଆସି ଚାଲିଗଲେ । ....ହେ, କାଲି କ’ଣ ହେଲା ?

 

–ଶୋଭାଯାତ୍ରାରେ ଦାବୀ ଜଣାଇଲୁ ?

–ପଳାଇଲ କାହିଁକି ଅଧବାଟରୁ ?

–ଫେରୁଥିଲୁ ଆପଣମାନଙ୍କୁ ଦେଖି । ଆସିଲା ବେଳକୁ ଆପଣମାନେ ଚାଲିଗଲେଣି । ମୁଁ କହୁଥିଲି ରହିବା–ସେମାନେ ଆସିବେ । ମାନିନୀ ମତେ ମନାକଲା–ଗଲାବେଳକୁ ତା’କୁ କହିଛି ଯେ ସେ ବୁଝେ ମୁରଗିକା ଡିମ୍ ।

–ମଫସଲିଆଣି ଆସି ସହରିଆଣି ହେଉଛି । –ମୁଁ କାଲି ଧରି ଆଣିଥାନ୍ତି ଆପଣମାନଙ୍କୁ-। ଏକୁଟିଆ ମଣିଷ ସଞ୍ଜବେଳ ଗୋଟାକ ଯାକ କ’ଣ କରିବ ଯେ....

–କିଛି ପଢ଼ିଲ ନାହିଁ । ଏଠି ଏତେ ବହି ଅଛି ।

–ବୁଝିଲ ରମାକାନ୍ତ–ଯିଏ ବହି ରଖେ ସେତକ ସେ ପଢ଼େ ନାହିଁ । ନିଜର ଜିନିଷକୁ କେହି ଆଡ଼ ଆଖିରେ ସଙ୍ଖୁଳେ ନାହିଁ । ଆଚ୍ଛା, ତମେ ଦିହେଁ ସକାଳେ ଏକାଠି ହେଲ କେମିତି ?

ରମାକାନ୍ତ ହସି ଭଜକୃଷ୍ଣଙ୍କୁ ଚାହିଁଲା ।

–କ’ଣ ହସ ହୋଇଗଲାଣି ? ଗୋଟାଏ କ’ଣ ପ୍ଲଟ କରିଛ କି ? ଦିହେଁ ତ ଯୋଗା ଲୋକ । .....ହେ ବାବୁ, ପ୍ଲଟ କରିବ ତ ଯାଅ ମାନିନୀ ଘରକୁ । ଏଠି ସବୁ କଥା ରୋକ୍ ଠୋକ୍–କିଛି ମଉଜ କରିବ ?

–ନା, ଆମେ ମାଡ୍ରାସି ହୋଟେଲରୁ ଆସୁଛୁ । –ଓଧ ଆଉ ଭୁଆଁ ହୋଇଥିଲୁ ।

–ବାଃ, ତମେମାନେ ତ ଆନନ୍ଦରେ ଅଛ । କିଏ ଓଧ ହେଲା ?

ରମାକାନ୍ତ ଭଜକୃଷ୍ଣକୁ ଚାହିଁ କହିଲା–ଇଏ । କୁହୁଡ଼ି–ପହଁରାରେ କଲେଜ ରେକର୍ଡ଼ ଦେବେ । ସେଇ ଓଧ ହେଲେ । ମୁଁ ହେଲି ଭୁଆଁ ।

ମାନିନୀ ବହେ ହସିଲା । କାଶି ଉଠିଲା ହସି ହସି । ହଠାତ୍ ଉଠିଯାଇ ଟେଲିଫୋନ୍‌ରେ କହିଲା–

–ଗୋଟିଏ ଓଧ ଆଉ ଭୁଆଁ ଆସିଛନ୍ତି । ଆସିବ ।

–ବୁଝି ପାରୁ ନାହଁ । ଓଧ–ଭୁଆଁ ।

–ଓ, ରଖିବି କେଉଁଠି ? –ଯନ୍ତାରେ ।

–କ’ଣ ସେମାନଙ୍କର ଖାଇବା କଥା ? –ମାଛ ଖାଇବେ । ରେ ଆଇଁଷ–ଡାହାଣା ନା-। ...ଆସିବ ?

–ଆସି ପାରିବ ନାହିଁ । ବାବୁଙ୍କର ହେପାଜତ୍ କରୁଚ । ...ଆଚ୍ଛା, ଉପରଓଳିକୁ ଆସ । ମାଛ ଆଣିଥିବ–କଞ୍ଚା–କଞ୍ଚା ମାଛ । ଶୁଖିଲା ଶୁଖୁଆ ନୁହେଁ କି ମାଛ ତରକାରି ଟିଣ ଦୋକାନରୁ ଆଣିବ ନାହିଁ । ତଟକା ମାଛ ନ ହେଲେ ବାସି ମାଛ ଆଣିବ......ହୋ ହୋ ହେଇ ହସି ଟେଲିଫୋନ ଥୋଇ ଦେଲା ।

ଏହି ଦୁଇଟିଙ୍କର ମୁହଁ ଶୁଖି ଗଲାଣି । –ଛି, ଅଳକା ଦେବୀ, କ’ଣ ଗୁଡ଼ାଏ କାହାକୁ କହିଲେ ?

–ତମରି ମାଷ୍ଟର ମାନିନୀକୁ କହୁଥିଲି । ସେ ମାଛ ଆଣୁ–ମାଛକୁ ଭାଜି ଏକାଠି ଖାଇବା-। ଆସିବେ ଉପର ଓଳିକୁ–ସେ ଓ ତମେ–ତମେମାନେ ।

–ମୁଁ ଆସିବି ନାହିଁ । ଭଜକୃଷ୍ଣ କହିଲା ।

–କ’ଣ ଓଧ ସାହେବ ଆସିବେ ନାହିଁ । ତାହାହେଲେ ଲୋକ ଯିବ ମଟର ନେଇ ଖୋଜି ଆଣିବାକୁ ।

–କି ଲାଜ କଥା ? ମତେ ଏମିତି ଅପମାନ ଦେଲେ କାହିଁକି ?

–ଅପମାନ ? କିଏ କାହାକୁ ଦେଲା ? ନିଜେ ଓଧ–ଭୁଆଁ ହେଇଛନ୍ତି ବୋଲି କହିଲେ । ମୁଁ ତ ମାନିନୀକୁ କହି ନାହିଁ ମଣିଷ–ଓଧ । ସେ ସତ ଭାବିଛି । ଖୁସି ହୋଇ ଆସିବ ଦେଖିବା ପାଇଁ-। ...ଆସୁ । ....ବେଜାଏ ଫାଜିଲ ହୋଇ ଏଡ଼େ ସୁନ୍ଦର ମଣିଷଗୁଡ଼ାଙ୍କୁ ହଇରାଣ କରୁଛି ।

ରମାକାନ୍ତ କଅଁଳ ପ୍ରାର୍ଥନା ଜଣାଇ କହିଲା–ଗୋଟାଏ ପ୍ରାର୍ଥନା ମୋର ଅଛି । ଟିକିଏ ମିଳାମିଶା କରାଇ ଦେବେ । ନଇଲେ ଏଇ ଲୋକଟି ବରବାଦ୍‌ ହେଇଯିବ ।

–ବରବାଦ୍‍ ? କିଏ ଏଇ ଓଧ ସାହେବ ହେବେ ? ଏତେ ଉଚ୍ଚକୁ ଆଶାକଲେ ଏମିତି ମଣିଷ ବରବାଦ୍‌ ହୁଏ ।

–ମତେ ଦୋଷ ଦିଅନ୍ତୁ ନାହିଁ ଅଳକା ଦେବୀ । ଭଜକୃଷ୍ଣ ନିର୍ଦ୍ଦୋଷ ।

–ହେଇ, ମୁଁ ହେଉଛି ଅଳକା–ତମେ ହେଉଛ ଭଜକୃଷ୍ଣ । ଏତେ ଆପଣ–ଆଜ୍ଞା କାମ ମୋତେ ପୋଷାଏ ନାହିଁ । କଥା ଉଠିଲା–କଥା ସଇଲା । ଖେଳ ଶେଷ–ବୈଠକି ଶେଷ । କଥାର ଆଚାର ମୁରବା କରିବା କଥା ତ ଯାଅ ସେହି ମାନିନୀ ପାଖକୁ । ସେଠି କ’ଣ ସବୁ ହେଉଥିଲା ?

–ପାଠ ପଢ଼ାଉଥିଲି ?

–କି ପାଠ ? କିଏ କାହାକୁ ପଢ଼ାଉଥିଲା ? –କାହିଁ ଏତେ ମାଷ୍ଟ୍ରଙ୍କର କିଛି ହଇରାଣିଆ କଥା ପଦେ ବି ନାହିଁ । ତମେ କାହିଁକି ବରବାଦ୍‌ ହେଇଯିବ ?

ଭଜକୃଷ୍ଣ ତଳକୁ ମୁହଁ ପୋତିଲା ।

–ଓ, ମାନିନୀକୁ ପ୍ରେମ କରୁଥିଲ କି ? ଭଲକଥା–ଏମିତି ଆମେ ବାଡ଼ିବଗିଚାର ଫୁଲ, ପାଟ ପାଣିର ଚଢ଼େଇ, ପୂର୍ବ ପଶ୍ଚିମର ଆକାଶ–ଅନେକ ଜିନିଷକୁ ଭଲପାଉ । ପ୍ରେମ ହୁଏ ତ ସେଗୁଡ଼ାକ ନୁହେଁ ।

–ତମର କ’ଣ ହେଉଥିଲା ? ତାକୁ ଭଲପାଅ ?

 

–ସେ ଆଦର୍ଶ ଲୋକ । ମୁଁ ଜାଣେ–

 

–ହଁ ସ୍ତାବକ–ଭକ୍ତ । ଏଇଆ ନା ।

 

ରମାକାନ୍ତ ହସୁଥାଏ । ଅଳକା କହିଲା–ଶୁଣ ଭଜକୃଷ୍ଣ । ଭକ୍ତ ଭଗବାନଙ୍କର ପ୍ରୀତି ହୁଏ ବୋଲି ଶୁଣିଛି । ....ସେକଥା ମୁଁ ଜାଣେ ନାହିଁ । ....ପ୍ରୀତି ହେଉଛି ମନର ବେପାର । ...ତମର ସବୁ ମନ ଅଛି । ଏଇ ଧନ୍ଦାରେ ଭଲ ଲାଗି ପାରୁଛ । –କଣ କହୁଛ ରମାକାନ୍ତ ?

–ହଁ

–ତମର ଓ ମୋର ମନ ବୋଲି କିଛି କଥା ନାହିଁ । ଆମେ ଗୋଟିଏ ଦଳ । ଆଉ ମାନିନୀ ଆଉ ଭଜକୃଷ୍ଣଙ୍କର ଗୋଟାଏ ଦଳ–ତାଙ୍କର ଖୁବ୍‌–ଏଇ ଏଇ ବଡ଼–ମନ ଅଛି । କହି ଅଳକା ଦୁଇ ହାତରେ ମନର ସାଇଜ୍‌ ଦେଖାଇଲା ।

ରମାକାନ୍ତ ଓ ଭଜକୃଷ୍ଣ ତଳକୁ ଚାହିଁଲେ । କେମିତି ଏଇ ଦୃଶ୍ୟ ଦେଖିବେ ? ଏଇ ଆଧୁନିକାମାନେ ବିଷମ ଜୀବ । କଥା କହୁ କହୁ କ’ଣ ଦେହକୁ ଦେଖାଇବେ ?

–ଆରେ, ତୁମକୁ ସବୁ ବିରକ୍ତ ଲାଗିଲାଣି ନା, ଶୁଣିବ ନାହିଁ ମୋ’କଥା–ଖଣ୍ଡେ ଖଣ୍ଡେ କବିତା ବହି ଧରି ପଢ଼ି ଉଷୁମ ହେଉଥାଅ ମନକୁମନ ଯେତେ ଇଚ୍ଛା–ଅମୁକର ଆଖି ମୁହଁ ସୁନ୍ଦର ? ତମର କ’ଣ ଗଲା ସେ ସୁନ୍ଦର ହେଲେ ?

ଭଜକୃଷ୍ଣ କହିଲା–ସେଇଟା ନିର୍ଦ୍ଦୋଷ ଆନନ୍ଦ ।

–ହଁ, ପରକଥାରେ ମସଗୁଲ ହେବା ନିର୍ଦ୍ଦୋଷ ନ ହେବ କେମିତି ? ଯେତେହେଲେ ମାନିନୀ ଜଣଙ୍କର ଭାର୍ଯ୍ୟା–ସେଠି ତମର ଏତେ ଜଞ୍ଜାଳ କ’ଣ ପାଇଁ ? ତମେ ତାକୁ ଧରିଲ ନା ସେ ତୁମକୁ ଧରାଇଲା ?

 

–ଈଶ୍ୱର ଜାଣନ୍ତି ।

 

–ଈଶ୍ୱର କ’ଣ ଜାଣିବେ ? ତମେ ତ ନିଜେ ଜଣେ କୃଷ୍ଣ–ଭଜକୃଷ୍ଣ । ବାଃ, ବଡ଼ ମଜ୍ଜାଦାର । ....ଆଚ୍ଛା କେଉଁଠି କୃଷ୍ଣ, ମାନିନୀ ନାଁ ଥାଇ କେହି କେବେ ଏସବୁ ଝାମେଲାରେ ପଡ଼ି ନ ଥିବାର ଶୁଣିଛ ? .....ଭାବି କହିଲ ରମାକାନ୍ତ ।

 

ରମାକାନ୍ତ କପାଳ କୁଞ୍ଚାଇ ଭାବି କହିଲା–ହଁ–ହଁ ତ ।

 

–ରମାକାନ୍ତ–ଅଳକା–ଏମିତି ନାଁ ଧରିଥିବା ଲୋକର ଏଇ ଅଡ଼ୁଆ ବାହାରୁଛି କି ?

 

–ନା ।

 

–ଶୁଣ ଭଜକୃଷ୍ଣ । ନିଜର ଘର ଲୋକକୁ ଶୋଧ–ସେମାନେ ଯେମିତି ନାଁ ବାଛିବେ–ପିଲାର ଗୁଣ ସେମିତି ହବ । ସେଥିପାଇଁ ଆଗେ ଲୋକେ ଖାଲି ଠାକୁର–ଠାକୁରାଣୀ ନାଁ ଦେଉଥିଲେ ।

 

–ମୋର ତାହାହେଲେ ଦୋଷ କ’ଣ ?

 

–ତମର ଦୋଷ ନାହିଁ । ଏସବୁ ମାନିନୀର ପାଲା । ସେଥିପାଇଁ ମତେ କ’ଣ କମ୍‌ ଖୁସାମଦ୍‌ କରିଛି କି କାଲି–

–କ’ଣ ? କ’ଣ କହିଲେ ?

–କହିଲେ, ଓଧ ଭାରି ଦୁଃଖରେ ଅଛି । ସେ ନିର୍ବାସନ ଦଣ୍ଡ ପାଇଥିଲା । ଏବେ ପରୀକ୍ଷାରେ ଭଲ କରି ନାହିଁ । ଲୋକଟାର ହୃଦୟ ଅଛି । ହେଲେ ଭାରି ରଙ୍କାଳିଆ ଲୋକଟା...ତା’କୁ ଟିକିଏ କେମିତି ଥଇଥାନ କର...ମୁଁ ସଫା କହିଦେଲି ଯେ...ଅଳକା ଏଇ ସବୁ ଶରଣାର୍ଥୀଙ୍କର ସ୍ୱେଚ୍ଛାସେବିକା ନୁହେଁ ।

ରମାକାନ୍ତ ଓଜର କରି କହିଲା–ମୋର ବିଶେଷ ଅନୁରୋଧ–ମାନବିକତା ଦୃଷ୍ଟିରୁ ତମେ ଟିକିଏ କେମିତି କ’ଣ ତାଳିପକା କାମ କରି ଦିଅ ।

–ମୋର ଅନୁରୋଧ ରଖିବ ?

–ହଁ ।

–ଆସ ଟିକିଏ ମଉଜି ଔଷଧ ଖାଇବା–ଆସ ।

–ରମାକାନ୍ତ ଚାହିଁଲା ଭଜକୃଷ୍ଣ ମୁହଁକୁ । ଅଳକା ହସି କହିଲା–ଥରେ ଅଧେ ଚାଖିଲେ କିଛି ଅମଳି ହୋଇଯିବ ନାହିଁ । ଖାଲି ସାଙ୍ଗ ସାଥିଙ୍କର ଅନୁରୋଧରେ...କ’ଣ ଭଜକୃଷ୍ଣ, କେଇଥର ସାଙ୍ଗ ହେଇ ଗିଲାସ ଧରିଥିଲ ?

–ମୋଟେ ନୁହେଁ ।

–ଉଠେଇବି ଟେଲିଫୋନ୍‌ ।

–ଦୟାକରି ମତେ...ମୋଟେ ପାଞ୍ଚଥର..... ।

–ହସି ଅଳକା କହିଲା–ନିର୍ବୋଧ ପଶୁ । ଓଧ କେବେହେଲେ ଏମିତି ପର ସ୍ତ୍ରୀର ଗୋପନ କଥା ପ୍ରକାଶ କରିବେ ନାହିଁ । ଯୁକ୍ତିରେ ହେଉ ଛଳନାରେ ହେଉ–କହିବ ନାହିଁ । ତମେ ମାନିନୀର ଗୋପନ କଥା ମୋତେ କହିଦେଲ । ସେ ମତେ ଲୁଚାଇଥିଲା ।

–ମତେ କ୍ଷମା ଦିଅନ୍ତୁ । ଭଜକୃଷ୍ଣ କାନ୍ଦି ପକାଇଲା । ଆଖି ଆଗରେ ପାଦତଳୁ ମାଟି ଖସି ଯାଉଛି । ...ହାତ ଭିତରେ ଧରା ଦେଲା ପରି ରହିଥିବା ମାନମୟୀ ଖସି ଚାଲି ଯାଉଛି–ପଦେ କଥା ପାଟିରୁ ଖସିଗଲା ।

ଅଳକା ଧୀରେ ଉଠିଯାଇ ଫ୍ରିଜରୁ କିଛି ଖାଇବା ଜିନିଷ ଆଣିଲା । ରମାକାନ୍ତର ମୁହଁରେ ମୁଠାଏ କାମନାର ଫୁଲ ଫୋପାଡ଼ି ଦେଇ ବୋତଲ ଓ ଗ୍ଲାସ ଆଣି ଥୋଇଲା ।

–ଉଠ, ଭଜକୃଷ୍ଣ ! ଆଖିର ଲୁହରେ ସବୁ ଧୋଇ ହେଇ ଯାଇଛି । ଅନୁତାପ ସବୁ ଦୋଷକୁ କ୍ଷମା ଦିଏ । ଆଖିର ଲୁହ ତମର ସରଳ ମନର ଚିହ୍ନ । .....ସେଠି ଏମିତି କନ୍ଦାକଟା କରୁଥିଲ ବୋଲି ବିଚାରି ମାନିନୀ ଏତେ ଧୁନ୍ଦି ହେଉଛି ।

 

ଭଜକୃଷ୍ଣ ନିଜର କୋହକୁ ଶେଷ କରି ମୁଣ୍ଡ ଟେକିଲା–କୋହର ଦମକାଣି ନିଶ୍ୱାସ ଚାଲି ଯାଇଛି । ଝଡ଼ର ଶେଷ ହୋଇ ଯାଇଛି–ମଣିଷର ଦୁଃଖ–ଛିଲିକାଏ ଝଡ଼ । ଆଖି ଦୁଇଟି ଲାଲ ହେଇ ଯାଇଛି ।

 

ହସି ଅଳକା କହିଲା–ଆଖିର ରଙ୍ଗ ଦେଖି ଓ ଆଉ ଏହି ଟେବୁଲ ଉପରର ଖାନା–ପିନା ଦେଖି ଯିଏ ନାହିଁ ସିଏ ଭାବିବ–ଏମାନେ ଚଲାଇଛନ୍ତି । ...ଚାଲୁ ଏଥର ।

 

–ନା ।

 

–ଉଠେଇବି ଟେଲିଫୋନ୍‌–ଦେଖିବା ଦିଦିମଣି କ’ଣ ଅନୁମତି ଦେଉଛନ୍ତି କି ନାହିଁ-। ...ଅଳକା ଚାଲିଲା ଟେଲିଫୋନ୍‌ ପାଖକୁ ।

 

–ଆସନ୍ତୁ । ଆଜ୍ଞା ଦୟା କରନ୍ତୁ ।

 

ଫେରି ହସ ହସ ମୁହଁରେ ଅଳକା କହିଲା–ଯାହା ଗୋଟାଏ ଜାଗାରେ ମନ୍ଦ, ସେହି କାମ ସବୁ ଜାଗାରେ ମନ୍ଦ । ପ୍ରୀତିର ମଦ ଯେମିତି ଘୃଣ୍ୟ, ବନ୍ଧୁତାର ମଦ ସେମିତି ଘୃଣ୍ୟ । ମଦ ପ୍ରତି ତୁମର ଘୃଣା ନା ?

 

ଭଜକୃଷ୍ଣ ମୁଣ୍ଡ ଟୁଙ୍ଗାରିଲା ।

 

–ତାହେଲେ ତମର ମୋ’ପ୍ରତି ଘୃଣା ? –ମାନିନୀ ପାଇଁ ଘୃଣା ? –କାଲି ରମାକାନ୍ତ ଖାଇଛି–ତାହାକୁ ବି ଘୃଣା ? –ମାନିନୀର ସ୍ୱାମୀ ମଦ ଖାଆନ୍ତି, ତାଙ୍କୁ ବି ଘୃଣା ? ତେବେ ଏଇ ଘୃଣ୍ୟ ସମାଜରେ ତମର କିଛି ସ୍ଥାନ ଦରକାର ?

 

କହି ଅତ୍ୟନ୍ତ ଅହମିକାରେ ଯାଇ ତିନୋଟି ଗ୍ଲାସ ସଜାଡ଼ି ନିଜେ ଗୋଟାଏ ଧରି କହିଲା–ସମସ୍ତେ ସ୍ୱାଧୀନ । ତମେ–ତମେମାନେ–ଆଉ ମୁଁ । ତମର ସ୍ୱାଧୀନତା ମୁଁ ନେବାକୁ ଚାହେଁ ନାହିଁ । ମୋର ସ୍ୱାଧୀନତାରେ ତୁମେ ମଧ୍ୟ ବାଧା ହୁଅ ନାହିଁ ।

 

–ସ୍ୱାଧୀନତା ଅମର ହେଉ–କହି ଅଳକା ଚାହିଁଲା ଦୁଇଟି କଲେଜ ଛାତ୍ରଙ୍କୁ ।

 

ରମାକାନ୍ତ ଗୋଟିଏ ଗିଲାସକୁ ହାତ ବଢ଼ାଇଲା । ଅଳକା ତାହାକୁ ଥାପୁଡ଼ାଇ କହିଲା–ତମେ ଉପଯୁକ୍ତ ଲୋକ । ଏହି ସବୁ ପାପକୁ ପଙ୍କପରି ବ୍ୟବହାର କରି ଘୃଣା ମନରେ ନ ରଖି ଏଥିରେ ପଶିଲେ ପାଦକୁ ବଳ ପାଇବ । ...ଆମର ବନ୍ଧୁତା ଅମର ହେଉ..... ।

 

ଅତ୍ୟନ୍ତ ଆତ୍ମୀୟ ପରି ଅଳକା କହି ଯାଉଥାଏ–ଦିନେ ମୁଁ ବି ଥିଲି ଭାରି ଲାଜକୁଳି । ସେତେବେଳେ ଆମର ଘରର ଅବସ୍ଥା ଖରାପ । ....ବାପା ଓ ବୋଉ ଅଫିମ ଖାଉଥିଲେ । ବୁଢ଼ାବୁଢ଼ୀ ଅଫିମ ଖାଆନ୍ତି......ତା’ପରେ ଆମେ ଧନୀ ହେଲୁ । ଆମ ଘରେ ଆଉ ଅଫିମ ପଶି ନାହିଁ । କିନ୍ତୁ ମଦକୁ ଆମେ କେହି ଘୃଣା କରି ନାହୁଁ ।...ମୋରି ପରି ଅନେକ ଲୋକ ଏମିତି ମଦକୁ ଘୃଣା ନ କରି ମଧ୍ୟ ସେବା କରିଥାନ୍ତି ।

 

ଭଜକୃଷ୍ଣ ହାତ ବଢ଼ାଇଲା ।

 

ହସି ଅଳକା ଭଜକୃଷ୍ଣ ହାତକୁ ଗିଲାସଟିଏ ଦେଇ କହିଲା–ଯେତିକି ଇଚ୍ଛା ସେତିକି ଖାଅ-। ଖୁବ୍‌ ଅଳ୍ପ ଅଳ୍ପ ଦେଇଛି–ବନ୍ଧୁତାର ବିଧିରକ୍ଷା ପାଇଁ । ମଦ ଖାଇଛି ବୋଲି ଯଦି ନ ଭାବ, ତାହାହେଲେ କଥାରୁ ଦି’ପଦ ପଦେ ବି ବେଲାଇନ ହବ ନାହିଁ । ଜଣେ ସୁସ୍ଥ ସବଳ ଲୋକ ଏହାର ସାତ ଆଠଗୁଣ ଖାଇ ନିର୍ବିକାର ରହି ପାରିବ–କିନ୍ତୁ ଦାମ୍‌ ଯେ ଷାଠିଏ ସତୁରୀ ଟଙ୍କା...ଏଇ ଟଙ୍କା ପାଇଁ ମଦର ବହୁଳ ପ୍ରଚାର ଥିଲେ ବି କାଟତି କମ୍‌ ।

 

କଥା ବେଶ୍‌ ଖୋଲା ଖୋଲି ।

 

ଅଳକା କହିଲା–ମଦର ଗୋଟାଏ ବିଶେଷ ଗୁଣ ଅଛି । ମଦର ନିଶାରେ ଭୋଳ ଥିଲାବେଳେ ସୁନ୍ଦରପଣ ଆଉରି ସୁନ୍ଦର ଦିଶେ । କଥାର ସତ ବେଦବାକ୍ୟ ପରି ମନେହୁଏ । ଅସୁନ୍ଦର ନାରୀ ଅପସରା ପରି ଜଣାଯାଏ ବୋଲି କହନ୍ତି । ଆଉ ପୁରୁଷ ମନେ ହୁଅନ୍ତି ଆମକୁ ଯେମିତି ଅତି ବିରାଟ–ଅତି ମହୀୟାନ୍‌ । ପୁଣି ଯେମିତି ଜଣାପଡ଼ନ୍ତି କୀଟ–ପତଙ୍ଗ ଓ ପଶୁପକ୍ଷୀଙ୍କ ପରି । ନିଜର ମନ ନେଇ ଅନୁଭବକୁ ନିଅ ।

 

ଅଳକା ସବୁ ଜିନିଷ ଉଠାଇ ନେଲା ।

 

ଏଥର ବସ ଯେ ଯାହାର ଚଉକୀରେ–ଖୁସି ଗପ କରିବା । ଆଜି ଆମର ଦିନଟି ଶୁଭ ଦିନ । ଅପ୍ରତ୍ୟାଶିତ ବୈଠକଟିଏ ବସିଲା–ମନେ ରଖିବ ଅଳକା ବଡ଼ ସ୍ନେହ–କାଙ୍ଗାଳିନୀ । ତାହାର କେହି ନାହିଁ । ସେ ଶୂନ୍ୟ ମନ୍ଦିରର ପକ୍ଷୀଟିଏ । ତା’କୁ ଦୟା କରିବ ।

 

ଟେଲିଫୋନ୍‌ ବାଜି ଉଠିଲା । –ଓଃ, ଏଇ ଟେଲିଫୋନ୍‌ ରାଣୀ ମଣିଷକୁ ପଦେ କଥା କୁହାଇ ବ ନାହିଁ ।

 

–ଅଳକା ।

 

–ଆରେ ମାନିନୀ ? କ’ଣ କି ?

 

–ଓଃ, ଓଧ–ଭୁଆଁ । ଅଛନ୍ତି । ମୁଁ ତାଙ୍କୁ ମାଛ ଖୁଆଇଛି....ତମେ ମାଛ ପାଇଲ ନାହିଁ । ବଡ଼ ଦୁଃଖର କଥା । ଖୋଜାଅ– ।

 

–ମିଳିବ ନାହିଁ ? ଭଲ ମାଛ କ’ଣ ଖରାପ ମାଛ କ’ଣ ? –ମାଛ ତ ମାଛ । –ହଉ ହେଲା-। ତମେ ଆସିବଟି ପାଞ୍ଚଟା ବେଳେ ।

 

–ନିଶ୍ଚୟ ଆସିବ । ଓଧ ଆଉ–ଭୁଆଁଙ୍କୁ ଦେଖିବ । ଭଲ ପୋଷା ମାନିଛନ୍ତି । .....ମତେ ମାନୁଛନ୍ତି....ହେଇ ଶୁଣ, ମୁଁ ନଥିବି ଖରାବେଳେ–ପାଞ୍ଚଟା ମଧ୍ୟରେ ଫେରି ଆସିଥିବି । ......ମନେକରି ଆସିବ । ...କହି ଟେଲିଫୋନ୍‌ରେ ଗୋଟାଏ ଉଡ଼ନ୍ତା ଚୁମ୍ବନ ପଠାଇ ଦେଇ ଲାଜରା ହୋଇଗଲା ।

 

–ଫେରିଆସି କହିଲା–ତମେମାନେ କ’ଣ ଭାବୁଥିବ କେଜାଣି ? ଏଇ ଝିଅମାନେ କେଡ଼େ ନିର୍ଲଜ ? ଟେଲିଫୋନ୍‌ରେ ଫ୍ଲାଇଙ୍ଗ୍‌ କିସ୍‌ ପଠାଉଛନ୍ତି ।....ମୋର ଉପାୟ ନ ଥିଲା । ଖରାପ ଭାବିଲ କି ?

 

–ନା–

 

–କିସ୍‌–କିସିଙ୍ଗ ହେଉଛି ଆଧୁନିକତାର ଗୋଟାଏ ଖେଳନା । ଏହାର କିଛି ତାତ୍ପର୍ଯ୍ୟ ନାହିଁ । ...ତମେମାନେ ଏହି ଚୁମ୍ବନ କଥା ଜାଣିଛ ଟି ।

 

–ହଁ ।

 

–ବହିରୁ ? ନା–ପ୍ରାକଟିକାଲ ?

 

ଦିହେଁ ଚୁପ୍‌ ହୋଇଗଲେ–ରମାକାନ୍ତ ଚାହିଁଲା ଭଜକୃଷ୍ଣ ମୁହଁକୁ ସେ ଜବାବ ଦେଉ ନାହିଁ କାହିଁକି ?

 

–କିହୋ ଭଜକୃଷ୍ଣ–ତମର ତ ପ୍ରାକଟିକାଲ ଜ୍ଞାନ ଥିବା କଥା । ଉପର ଶ୍ରେଣୀର କାମ ଦାମ ।

 

କହିବା ଭଲ କି ଲୁଚାଇବା ଭଲ–ଭଜକୃଷ୍ଣ ଠିକ୍‌ କରି ପାରିଲା ନାହିଁ । ଏଣେ ଟିକିଏ ବଜୁଳି ନେଇଛି ଭିତରକୁ–ଅଳକାର ହାତପରସା ବିଜୁଳି । ଅଳକା ଯେମିତି ଠୋ ଠା କଥା ଚଳାଇଛି ସେଥିରୁ ଜଣାଯିବ ସେ ଜଣେ ଆନ୍ତର୍ଜାତିକ ଅଧ୍ୟାପକ ଆଉ ଭଜକୃଷ୍ଣ ହେରିକା ଓଲୁଶ୍ରୋତା ।

 

–ଭଜକୃଷ୍ଣ ହସିଲା ।

 

–ଆହାରେ ହସ । କ’ଣ କହିଲ ନାହିଁ କିଛି ? ଜାଣିଛ ନା ଜାଣି ନାହଁ ?

 

–ହଁ ।

 

–ଗାଁ ବାଲାଏ ପାଠ ପଢ଼ାଇଥିଲେ...ନା ଏଇ ସହରରେ ?

 

ସେତେବେଳକୁ ଭଜକୃଷ୍ଣ ମୁହଁଟି ଉତ୍ତେଜନାର ଚମକ ଦେଖାଇଲାଣି । ଅଳକା ହସି ପଚାରିଲା–ପ୍ରଶ୍ନଟି ଶୁଣି ତମେ ଯେତେ ରକ୍ତ ତମର ମୁହଁରେ ଆଣି ଜମାଇଲାଣି, ସେଥିରୁ ସବୁ ବୁଝାପଡ଼ୁଛି । ଆଉ ତମର ଜବାବ ଦେବା ଦରକାର ନାହିଁ । କ’ଣ କହୁଛ–ରମାକାନ୍ତ ?

 

–ହଁ, ସେଇକଥା । ସକାଳୁ ଆମେ ଓଧ ଆଉ ଭୁଆଁ ହୋଇ ବୁଲୁଛୁ ।

 

ଅଳକା ଖିଲିଖିଲ୍‌ ହୋଇ ହସି ଉଠିଲା । –ହେ, ଭାରି ମଜ୍ଜାଦାର ତମର ପେଆରଟି । ତୁମ କଥା ଲେଖିଲେ ଗୋଟାଏ କ୍ଲାସିକ୍‌ ହୋଇଯିବ । ତମେ ହେଉଛ ଗୋଟାଏ ଅଦ୍ଭୁତ ଲୋକ । ତୁମ ସାଙ୍ଗରେ ଦେଖା ହୋଇଥିଲେ ବଡ଼ ମଜ୍ଜାରେ ହସି ହସି ବେଳ କଟିଥାନ୍ତା । ଯାଉଛ କେବେ ?

 

–କାଲି । –କାଳେ ଅଳକା ଶୁଣି ପାରି ନ ଥିବ ଆଉ ଥରେ ଭଜକୃଷ୍ଣ କହିଲା–ଆସନ୍ତା କାଲି ଶୁକ୍ରବାର ଦିନ ଯାଉଛି ।

 

–ନା, ତମେ ଯାଇ ପାରିବ ନାହିଁ । ମାନିନୀ କହିଛି ତମର ପରୀକ୍ଷା ଫଳ ଖରାପ ହୋଇଯିବାର ଆଶଙ୍କା । ତମେ ଏଇଠି ରହି ଆଇ.ଏ.ଏସ୍‌. ପାଇଁ ପଢ଼ାପଢ଼ି କରିବ । ...ଯାଇ ପାରିବ ନାହିଁ ।

 

ରମାକାନ୍ତ ଆଶ୍ଚର୍ଯ୍ୟ ହୋଇଗଲା ।

 

–ଏମିତି ହୋଇଥାଏ । ଯେ କ୍ଷତିରେ ପକାଇଥାଏ ସେହି ପୁଣି ଲାଭ କରାଇ ଦିଏ । ଏହି ସୂତ୍ର ଉପରେ ଦୁନିଆଁ ଚାଲିଛି ।

 

ଭଜକୃଷ୍ଣ ଉତ୍ସାହରେ ପଚାରିଲା–ମୋର ତାହାହେଲେ କ’ଣ ଭବିଷ୍ୟତ ଅଛି ?

 

–ହଜାର ଗୁଣରେ ଅଧିକ ବଳିୟାନ୍‌ ଭବିଷ୍ୟତ ଅଛି । ହୁଏତ ଆଉ କେଇ ବର୍ଷରେ ତମେ ଅଳକା ପରି ଲୋକ ସାଙ୍ଗରେ ଚିହ୍ନା ରଖି ଥିଲ ବୋଲି ଅନୁତାପ କରିବ । ...ତେବେ ଅନୁରୋଧ ରହିଲା–ଅଳକାକୁ ପାଶୋରି ଯିବ ନାହିଁ ।

 

–କିଏ କାହାକୁ ପାଶୋରିବ ? –ଅଳକା ପାଖରେ ତମେ ଜଣେ ବଡ଼ ମଣିଷ ହୋଇ ଯାଇଥିବ । ତୁମେ ଯେତେ ବଡ଼ ହେବ ଅଳକା ସେତିକି ଛୋଟ ହୋଇଯିବ । –ଇଏ ହେଲା ବଡ଼–ସାନର ମାପର ନମୁନା ।

 

ରମାକାନ୍ତ ଚଙ୍ଗ ଚଙ୍ଗ ହେଉଥାଏ । ସେ ଆସିଥିଲା ମାମଲତକାରି କରିବାକୁ । ଏବେ ଏଇ ଅଳକା କ’ଣ ଲାଗିଗଲାଣି ଭଜକୃଷ୍ଣ ପଛରେ ।

 

ଅଳକା ବୁଝିପାରିଲା । ପୁରୁଷର ମନର ଏଇ କେତୋଟି ପ୍ରଶ୍ନ ଅତି ସହଜରେ ନାରୀ ଜାଣିପାରେ । ଅଳକା ରମାକାନ୍ତର ମୁଣ୍ଡଟି ଆଉଁସି କହିଲା–ଏଇ ମୋର କୁନି ବନ୍ଧୁ । ମୁଁ ତାଙ୍କର–ସେ ମୋର ଭଜକୃଷ୍ଣଙ୍କର କେହି ଥାଉ ଅବା ନ ଥାଉ ।

 

–କୁନି ବନ୍ଧୁ କାହିଁକି ?

 

–ଆଉ କ’ଣ ? ମୁଁ ଯେମିତି ମାନିନୀ ତୁଳନାରେ ଛୋଟିଆ ମଣିଷଟିଏ–ମୋର ବନ୍ଧୁଟି ମଧ୍ୟ ସେମିତି ଛୋଟିଆ ମଣିଷ । ସେ ଭଜକୃଷ୍ଣ ପାଖରେ ଅସୁର–ବାମନ ପରି । ଓଧ ଆଉ ଭୁଆଁ ଭିତରେ ହୁଏ ତ କିଛି ସମାନ ଦିଶିବ । ଅସୁର–ବାମନ ରୂପ ଆଉରି ଅଲଗା ।

 

କଲେଜ ତରୁଣଙ୍କର ସଭାର ଥାକଥାକିଆ ତାଳିମାଡ଼ପରି ତିନି ପ୍ରକାରର ହସରେ ଘରଟି ତରଙ୍ଗାୟିତ ହେଲା ।

 

ଅଳକା ଉଠି ଠିଆ ହେଲା–ହଉ, ଏଥର ମେଳା ଭାଙ୍ଗିବା । ତମେମାନେ ଏତେ ସ୍ୱାଧୀନତା ଦେଲେ ବି ସ୍ୱାଧୀନ ହେଇ ପାରିଲ ନାହିଁ । ତମର ଡର ରହୁଛି ମନରେ । ନିଶାପାଣି ମଧ୍ୟ ତୁମକୁ ସାହସୀ କରିପାରୁ ନାହିଁ ।

 

–ଆମେ ପରା ଗରିବ ।

 

–ସାହସ ଟଙ୍କାରେ ନ ଥାଏ । ମୁଁ ଏବେ ବୁଝିପାରୁଛି ମାନିନୀ ସାଙ୍ଗରେ ଭଜକୃଷ୍ଣର କ’ଣ ପାଇଁ ଗୋଳମାଳ ହେଲା–ଭୟାଳୁ ଭଜକୃଷ୍ଣର ଭୟ ତା’କୁ ଫୋପାଡ଼ି ଦେଲା ।

 

–ମାନିନୀ ଦେବୀ କ’ଣ ସେଇଆ କହିଲେ ?

 

–ରମାକାନ୍ତ, ତୁମେ ଅତି ଅବିବେକୀ । ଗୋଟାଏ କଥା ମନେ ରଖିଥିବ ଯେ, କେବେହେଲେ ଗୋଟିଏ ସ୍ତ୍ରୀ ଆଉ ଜଣେ ସ୍ତ୍ରୀକୁ ପ୍ରୀତିର ଗୋପନ କଥା କହିବ ନାହିଁ । ତୁମେମାନେ ମତେ ସୂଚନା ଦେଇ କହି ନ ଥିଲେ ମୁଁ କ’ଣ କେବେ କିଛି ହେଲେ ଜାଣିଥାନ୍ତି ?

 

ଭଜକୃଷ୍ଣର ମୁହଁଟି ଶୁଖିଗଲା ।–ଆହା, ଭଲରୁ ମନ୍ଦ ହୋଇ ଯାଉଛି । ଏଇ ଭଦଭଦଳିଆ ଚଢ଼େଇ,–ଏଇ ହଳଦୀବସନ୍ତ ଚଢ଼େଇ ମିଛର ସୂଚନା । ଭଲ କାହିଁ ?

 

–ଭାବୁଛ କ’ଣ ଭଜକୃଷ୍ଣ ? ମୁଁ ଜାଣିଗଲି ବୋଲି । ମୋର ସନ୍ଦେହ ଥିଲା । ତେବେ ତମେ କିଏ, କେଉଁଠି–ମୁଁ ଜାଣି ନ ଥିଲି । ....ମାନିନୀ ଥରେ ପଦେ ଖସାଇ ଦେଇଥିଲା–କଲେଜ ପିଲାଙ୍କୁ ଘରପଢ଼ା ମାଷ୍ଟ୍ର କରିବ ନାହିଁ–ସେତିକି ।

 

–ତମେ ପରା ଏଡ଼େ ବନ୍ଧୁ ?

 

–ଆରେ, ବନ୍ଧୁତା ହେଉଛି ଏବେ ଆଧୁନିକ ଯୁଗରେ ବାହାରିଆ ଜିନିଷ । ଇଏ ପୁରୁଣାକାଳିଆ ବନ୍ଧୁତା ନୁହେଁ । ଏବେ ବନ୍ଧୁତା ହେଉଛି ଦେହର ସାଥି, ସୁଖର ସାଥି, ମଉଜର ସାଥି, ଦୁଃଖର ସାଥି–କିନ୍ତୁ ଅଭେଦ ସାଥି ନୁହେଁ ।

 

ତନ୍ମୟ ହୋଇ ଦୁଇଜଣ ଚାହିଁଥିଲେ ଅଳକାକୁ ।...ଆଖିରେ ଆଖି ରଖି ଅଳକା କହିଲା–ଖାଲି ପୁରୁଷ ଓ ସ୍ତ୍ରୀ’ର ବନ୍ଧୁତାରେ ଏହି ନିୟମ ଖଟେ ନାହିଁ । ସେଠି–

 

–ଜଣେ ଆଉ ଜଣକର । ଦେହରେ ଓ ମନରେ ।

 

ଦିହେଁ ଯାକ ଖୁସି ହେଇ କହିଲେ । ଦିହେଁ ଭାବୁଥିଲେ–ଅଳକା ତାଙ୍କର ।

 

ଆନନ୍ଦର ଦିନ । ଆଜି ଆନନ୍ଦରେ ଆରମ୍ଭ ହୋଇଛି । କାହା ମୁହଁ ଚାହିଁ ଉଠିଥିଲି କେଜାଣି ? –ଏତେ ସୁନ୍ଦର ମଣିଷ,–ଏତେ–ସୁନ୍ଦର କଥା–ଏତେ ସୁନ୍ଦର ବ୍ୟବହାର–ବିଭତ୍ସତା ନାହିଁ, ଅଭଦ୍ରାମି ନାହିଁ । ହାତ ଓଠ ଧରାପରା ନାହିଁ–ଭଲ ଦିନ–ଧନ୍ୟବାଦ ।

 

–ଆମେ ବି ଉଠି ସକାଳେ ହଳଦୀବସନ୍ତ ଆଉ ଭଦଭଦଳିଆ ମୁହଁ ଦେଖିଥିଲୁ । ...ଆଜିକାର ଘଟଣାବହୁଳ ଦିନଟିଏ କେବେହେଲେ ଘଟି ନ ଥିଲା ।

 

–ସରି ନାହିଁ ବନ୍ଧୁ । ଆର ଓଳି ଠିକ୍‌ ପାଞ୍ଚଟା ବେଳେ ପହଞ୍ଚିବ ଏଠି । ...ଭୁଲିବ ନାହିଁ....ସେତେବେଳେ ମୁଁ କହିବି ଏଇ ଶୁଭ ଚଢ଼େଇ ପ୍ରକୃତରେ ଶୁଭ କି ନୁହେଁ । ମୁଁ ସେମାନଙ୍କୁ ଏତେ ଲକ୍ଷ୍ୟ କରେ ନାହିଁ ।

 

–ସେମାନେ ଭାଗ୍ୟହୀନ ଆଉ ଛୋଟ ମଣିଷର ଆଶା, ଭରସା ଓ ଆନନ୍ଦର ପ୍ରତୀକ ।

 

ସେମାନେ ଚାଲିଗଲା ବେଳେ ତାଙ୍କୁ ପଛରୁ ଚାହିଁ ଅଳକା ଦୀର୍ଘନିଶ୍ୱାସଟିଏ ପକାଇ ଠିଆ ହେଇ ରହିଲା । ଫାଟକ ଖୋଲିଲା ବେଳେ ଦିହେଁ ପଛକୁ ବୁଲିପଡ଼ି ଚାହିଁଥିଲେ–ଅଳକା ରୁମାଲ ହଲାଇ ସେମାନଙ୍କୁ ସଙ୍କେତ ଦେଇଥିଲା । ସେ ମଧ୍ୟ ସଚେତନ ଅଛି ସେମାନଙ୍କ ବିଷୟରେ ।

 

ତାଙ୍କର ମଧ୍ୟ ଅଭିଯୋଗର କାରଣ ନାହିଁ । ଆସିଥିଲେ ଆଗନ୍ତୁକ ହିସାବରେ–ଫେରିଗଲେ ବଂଧୁ ହେଇ । ଦରକାର ହେଲେ ଏମାନେ ଅଳକା ପାଇଁ ଜୀବନ ଦେଇ ପାରିବେ । ଏଇ ଉତ୍ସାହ ଦେଖିଲେ ଅନ୍ୟ ଲୋକ କହିବେ ଅଳକା ସେମାନଙ୍କର ଶଯ୍ୟାସଙ୍ଗିନୀ ।

 

ଶଯ୍ୟାସଙ୍ଗିନୀ ପାଇଁ କେହି ଜୀବନ ଦେବାକୁ ଯାଏ ନାହିଁ । ସଂସାରର ଲୋକମତ ଏଇଠି ବେତାଳିଆ ହେଇ ନିନ୍ଦା ପରେ ନିନ୍ଦା ଆଣି ଲଦିଦିଏ ।

 

ଅଳକା ପରି ଲୋକଙ୍କ ଉପରେ କେତେ ଅପବାଦ ଆଣି ସେମାନେ ଠୁଳାଇ ନ ଦେଇଛନ୍ତି–ଏମାନେ ତରୁଣୀ ନୁହନ୍ତି । ବ୍ୟଭିଚାରିଣୀ ନାରୀ । ଏମାନଙ୍କର ନିଶ୍ୱାସରେ ବିଷ ପ୍ରସରେ । ଏମାନେ ପାପୀ ଓ ଘୃଣ୍ୟ ।

 

ଅପଯଶର ଡର ଭାଙ୍ଗି ଖଣ୍ଡ ଖଣ୍ଡ ହୋଇଯାଇଛି ଅନେକ ଦିନରୁ ହଲିଲା ପାଣି ଉପରର ଆକାଶର ଛବି ପରି । ଏବେ ଅପଯଶ ସେହି ଦୁଆରମାନଙ୍କୁ ଆସିଲା ବେଳେ ଥରି ଥରି ପଚାରେ–ମତେ ଡରୁଛ କି ?

 

କିଏ କହିବ ଯେ ଏବେ ଅପଯଶ ଏମାନଙ୍କ ପାଖରେ କେବଳ ଗୋଟାଏ ଅର୍ଥବାଚି ଶବ୍ଦଟିଏ ।

 

ଖୋଲା ଫାଟକକୁ ବନ୍ଦ କରିବା ପାଇଁ ଅଳକା ଚାଲି ଚାଲି ଆସୁଥିଲା । ନିଜର ଆତ୍ମକେନ୍ଦ୍ରିକ ଚିନ୍ତାରେ ଭଜକୃଷ୍ଣ ଓ ରମାକାନ୍ତ ଫାଟକ ବନ୍ଦ ନକରି ଚାଲି ଯାଇଥିଲେ ।

 

ଫାଟକ ନିକଟରେ ଠିଆ ହୋଇ ଅଳକା ରାସ୍ତାକୁ ଚାହିଁ ରହିଲା–ଆହା, ଏମିତି ଧୂଳିକୁ ଧୂଳି ବାଲି ନ ଭାବି ବଂଧୁ ଦୁଇଟି ଚାଲିଗଲେ । ...ନିନ୍ଦାକୁ ଭୟ ନକରି ଅଳକାକୁ ପ୍ରଶଂସା କରି ତାହାର ବିଚିତ୍ର ବ୍ୟବହାରକୁ ସମର୍ଥନ କରି ମଦ ବୋତଲକୁ ଛୁଇଁବାକୁ କୁଣ୍ଠାବୋଧ କଲେ ନାହିଁ ।

 

ଅଳକା ତେବେ ଅସ୍ପୃଶ୍ୟ ନୁହେଁ–ତାହାର ବିଚିତ୍ର ଚରିତ୍ର ମଧ୍ୟ ଅନ୍ୟମାନଙ୍କ ପ୍ରାଣର ତନ୍ତ୍ରୀରେ ଝଙ୍କାର ଉଠାଇ ପାରେ । ସେ ମଧ୍ୟ ପ୍ରୀତିର, କାମନାର, ଆଉ ତ୍ୟାଗର କାରଣ ହେଇପାରେ ।

 

ଉଦ୍ଭଟ ଦୁନିଆର ସ୍ଥିର ଶୀତଳତାକୁ ଉପହାସ କଲା ପରି ଅଳକା ଗୋଟିଏ ଦୃଶ୍ୟ ଦେଖିଲା–ଖଣ୍ଡେ ରିକ୍‌ସାରେ ଅଧ୍ୟାପକ ନଟରାଜ ଓ ନକ୍ଷତ୍ରମାଳୀ ବସି ଯାଉଛନ୍ତି ।

 

ଏତେ ସେମାନେ ତନ୍ମୟ ହୋଇ ପଡ଼ିଛନ୍ତି ଯେ ଅଳକାର ଘର ଓ ଫାଟକ ବିଷୟରେ ସଚେତନ ହୋଇ ଚାହିଁ ପାରି ନାହାନ୍ତି । ଅଳକା ମୁହଁ ବୁଲାଇ ନେଲା–ଏଇ ମାଷ୍ଟର ସାହେବଙ୍କୁ ତାଙ୍କର କାମ ପାଇଁ ଲାଜ ନାହିଁ ।

 

ଭୁଲିଗଲେ ଅଳକାର ଘର–ଅଳକା ଘରର ଫାଟକ । ମନ ଏମିତି ନିଜର ସ୍ୱାର୍ଥରେ ବାନ୍ଧି ହୋଇଗଲେ ବାହାରର ଚେତନା ହରାଇ ବସେ । –ଏଇ ନକ୍ଷତ୍ର ତ ଅଳକାର ବନ୍ଧୁ ।

 

ଅଳକା ଫେରିଲା ନିଜର କୋଠରୀ ଆଡ଼କୁ । ତାକୁ ସବୁ ଦିଶିଲା ଅତି ପୁରୁଣା କାଳିଆ ଘର–ଛୋଟିଆ ଘରଟିଏ ।

 

...ଇଏ କ’ଣ ? ନିଶାଟା ଧରୁଛି କି ? ଘରଟା ଏମିତି ଅସୁନ୍ଦର ଦିଶୁଛି କାହିଁକି ?

 

ଆକାଶରେ ଖଣ୍ଡେ ଖଣ୍ଡେ ଧଳା ବଉଦ ନୀଳ ଚାନ୍ଦୁଆର ଚିହ୍ନ ଦେଇ ଭାସି ଯାଉଥାନ୍ତି । ସଂସାରର ଧନ ଦଉଲତ ସୁଖ ଦୁଃଖ ଉପରେ ଏମିତି ଛୋଟିଆ ଛୋଟିଆ ମଣିଷ ତାହାର କାମନା ବାସନାର ଛତାଟି ଧରି ଚାଲିଛି ।

 

ଏଥିରେ ଚରିତ୍ର ବୋଲି କିଛି କଥା ନାହିଁ । ଏହି କାମନାର ନିଶାରେ ମତୁଆଲା ହେବା ମଧ୍ୟ ସେମିତି ଅଦ୍ଭୁତ କଥା ନୁହେଁ । ଏମିତି ମଣିଷ ତାହାର ଭିନ୍ନ ଭିନ୍ନ ବୟସର ନିଶାରେ ନିଜର ଗୁଣ ଆଉ ଶକ୍ତିରେ ମାତାଲ ।

 

–ନା, ନିଶା ଧରିଛି । ଅଳକା କ’ଣ ସବୁ ଭାବିଲାଣି ? ଯାଇ ଅଳକା ମୁହଁ ଧୋଇ ପକାଇଲା–ଯଦି କିଛି ବିକାର ଥାଏ ସେତକ ଧୋଇ ହେଇ ଯାଉ ।

 

ଦର୍ପଣକୁ ଚାହିଁଲା–ମୁହଁଟି ଆଉ ସେ ଛନ ଛନ ରୂପ ଦେଖାଉ ନାହିଁ । ଦାୟିତ୍ୱ ଓ କ୍ଳାନ୍ତିରେ କେମିତି ନୂଆ ପ୍ରକାରର ହେଲାଣି–ଯାତ୍ରୀ ବେଶି ହେଇଗଲେ ରେଳ ମଟରର ଡବା ମଇଳା ହେଇଗଲା ପରି ।

 

କବାଟ ବନ୍ଦ କରି ଅଳକା ଶୋଇପଡ଼ିଲା ବିଛଣାରେ–ଭାବିବାକୁ ଅନେକ କଥା ଅଛି । କିନ୍ତୁ ଭାବିବାକୁ ଇଚ୍ଛା ନାହିଁ । ଭାବନାରେ କ’ଣ ଫଳ ଫଳିବ ? ପୃଥିବୀଟା ସ୍ୱର୍ଗ ହେବ ? ମଣିଷ ଦେବତା ବନିବେ ?

 

କିଛି ବଦଳିବ ନାହିଁ । ତେଣୁ ଶୋଇଯିବା ସବୁଠାରୁ ଭଲ ।

 

କଅଁଳ ବିଛଣା ଉପରେ ନିଜକୁ ସୁନ୍ଦର ଭାବରେ ଶୁଆଇଲା ବେଳେ ମନ ପଡ଼ୁଥିଲା–ଓଳିକ ଆଗର କଥା । ଆଗଦିନର ଉପର ଓଳିର କଥା । ଅପେକ୍ଷା କରି କରି ସେ ଶୋଇପଡ଼ି ଥିଲା ତାହାର ବଖରାର ସୋଫା ଉପରେ । ରମାକାନ୍ତ ଆସି ଫେରିଯାଇଛି ।

 

ଏମିତି ନିଦ୍ରିତା ଯୁବତୀଙ୍କୁ ଦେଖି ଯେଉଁମାନେ ଫେରି ଯାଇଥାନ୍ତି ସେମାନଙ୍କର ନିଶ୍ଚିତ ଭାବରେ ବିଶେଷତ୍ୱ ଅଛି । ସେମାନେ ନାରୀ ଦେହର ଚୋର କି ତସ୍କର ନୁହନ୍ତି । ...ତଥାପି...ତଥାପି....

 

ନା–ନା–ଅଳକା ମରିଗଲାଣି ନିଶ୍ଚୟ ।

 

ନାରୀକୁ ଅସଂଯତ ଅବସ୍ଥାରେ ଦେଖିଲେ ଯଦି ପୁରୁଷର ଛାତିରେ ହଠାତ୍‌ ସର୍ବଗ୍ରାସୀ କାମନା ପ୍ରଚଣ୍ଡ ଅଗ୍ନିର ଝଲକ ଦେଖାଇବାକୁ ଓ ଅଣାଇବାକୁ ଅସମର୍ଥ, ତାହାହେଲେ ଧିକ ସେ ନାରୀର ଦେହ–ତାହାର ବୟସ ଓ ସୌନ୍ଦର୍ଯ୍ୟ ।

 

ଚିତ୍‌ହୋଇ ଶୋଇ ଉପରକୁ ଚାହିଁଥିଲା–କେଜାଣି ହେଲେ ହବା ହେଇପାରେ । ସେ ଆଉ ପୁରୁଷଙ୍କର ପ୍ରୀତି ଆକର୍ଷଣ କରିବାକୁ ଅକ୍ଷମ । ସତେ କ’ଣ ତା’ର ନାରୀତ୍ୱର ଜଳସ୍ରୋତ ଶିଥିଳ ହୋଇ ଆସିଲାଣି ?

 

ଇଏ କ’ଣ ସମ୍ଭବ ? ନା, ନା ସମ୍ଭବ ନୁହେ । –କେଜାଣି ଅସମ୍ଭବ ମଧ୍ୟ ସମ୍ଭବ ହେଇଥାଏ–ଲୋକ ଅନୁସାରେ । ରମାକାନ୍ତ ସେହି ଲୋକ ନୁହେଁ । ....ନ ହେବାର କଥା ମଧ୍ୟ ।

 

ଶୋଇଛି । ଉଠିଛି । ଖାଇଛି । ଆଲାର୍ମ ଦେଇଛି–ପୁଣି ଶୋଇଛି । ସମସ୍ତଙ୍କୁ କହି ଦେଇଛି ଯେ କେହି ଯେପରି ତା’କୁ ଉଠାଇବେ ନାହିଁ । ଯାହା ବି କାରଣ ହେଇଥାଉ ନା କାହିଁକି ?

 

ଆଲାର୍ମ ଘଡ଼ିର ଡାକରେ ଉଠି ସେ ଚାରିଆଡ଼କୁ ଚାହିଁଥିଲା–ଦେହ ଅଳସ ଲାଗୁଛି ।

 

–ନା, ସେ ଉଠିବ । ସେମାନେ ଆସିଯିବେ । ସବୁ କଥା ଶେଷ ହୋଇଛି । ଦେଖା ପରଖା ସରିଛି । ମାପ ଓଜନ ନିଆ ହୋଇଛି । ଏକା ମାନମୟୀକୁ ଅପେକ୍ଷା ରହିଲା ।

 

ଭଜକୃଷ୍ଣ ଓ ରମାକାନ୍ତ ଆସିବା ଦରକାର–ନିଶ୍ଚିତରେ ଆସିବେ ।

 

ନିଶାର ଆବେଶ କଟାଇବା ପାଇଁ ସେ କପେ ନାଲି ଚା’ ତିଆରି କରି ଖାଇଲା । କେଜାଣି କ’ଣ ପାଇଁ ସେ ଭାବିଲା ଯେ ସହଜ ଓ ସରଳ ହୋଇ ନ ପାରିଲେ ମାନମୟୀ ଓ ଭଜକୃଷ୍ଣର ଅଡ଼ୁଆ ତୁଟାଇବା ସୁବିଧା ହବ ନାହିଁ ।

 

ନିଜକୁ ତିଆରି କଲା–ସିଧା ସଳଖ । ଏଇ ତ ଲୋକ ? ଏମାନଙ୍କ ପାଇଁ ଏତେ ଚିନ୍ତାର କାରଣ ନାହିଁ । ଏମାନେ ଯେତିକି ବୁଝନ୍ତି ସେଥିରେ ସାମାନ୍ୟ ପରିଶ୍ରମ ବି ଯଥେଷ୍ଟ ।

 

କାହିଁ ଗଲେ କୁଆଡ଼େ ଏମାନେ ? ଅପେକ୍ଷାକରି ବସି ରହିବା ବଡ଼ କଷ୍ଟର କାମ । ବାଜେ ଘଡ଼ିଟା ମଧ୍ୟ ଚାଲୁନାହିଁ ଶୀଘ୍ର ଶୀଘ୍ର ।

 

ସେମାନେ ଆସିଲେ କାମ ସାରିଦେଇ ସେ ବୁଲିବାକୁ–ନା, ସିନେମା ଦେଖିବାକୁ–ଯିବ-। ଆଉ କ’ଣ ଅଛି ଆନନ୍ଦ ? ପୁରୁଣା ବନ୍ଧୁଙ୍କ ମେଳରେ ହୋ ହୋ ହେବାଠାରୁ ସିନେମା ଦେଖିବା ଭଲ । କେଡ଼େ ଶୀଘ୍ର ଏହି ପୁରୁଷ ଲୋକଗୁଡ଼ାକ ଏତେ ବିରକ୍ତିକର ହୋଇଯାନ୍ତି । ସେମାନଙ୍କର ବ୍ୟକ୍ତିତ୍ୱ ଭିତରୁ ସେହି ନିଆଁର ଝୁଲ ଲିଭିଯାଏ । ଗରମ ହୁଏତ ରହେ କିନ୍ତୁ ନିଆଁର ସେହି ଛୋଟ ଛୋଟ ବିସ୍ଫୋରଣ ଶେଷ ହୋଇ ଯାଏ ।

 

ଆକାଶକୁ ଉଠୁଥିବା ଯାଏ ହାବେଳି, ଘଡ଼ିବାଣ ଓ ରକେଟ୍‌ ସୁନ୍ଦର । ଜଳିଗଲେ ସେଗୁଡ଼ାକ ଅତି ଅସୁନ୍ଦର । ଏହି ଛୋଟିଆ ଛୋଟିଆ ଜାଗାରେ ନୂଆ ଲୋକ ଆସିବେ କୁଆଡ଼ୁ ? ପୁରୁଣା ଲୋକ ନୂଆ ରୂପରେ ଦେଖା ଦେବାକୁ ଶିଖିବେ ଅବା କେମିତି ?

 

ପୁରୁଣା ଜିନିଷର ମୂଲ୍ୟ ଚଉଠେ କି ତହିଁରୁ ଊଣା । ପ୍ରେମିକ ହେଉ, ଲେଖକ ହେଉ ଅବା ପ୍ରତିଭା ହେଉ–ସବୁଯାକ ପୁରୁଣା ହୋଇଗଲେ ବାଜେ ମନେ ହୁଅନ୍ତି । ...ମାନିନୀ ଠିକ୍‌ କରିଛି-। ବର୍ଷେ ଛ’ଅ ମାସ ଖେଳି ହଟୋ–ହଟୋ କରିଦେଇଛି ।

 

କ’ଣ ପାଇଁ କେଜାଣି ପୁଣି ସେ ସେଥିରେ ମିଳା ମିଶା କରୁଛି–ବୋଧହୁଏ ଭୟରେ ।

 

ଫାଟକ ଖୋଲିଲା । ଶିକାରୀର ଦେହ ଓ ମନ ପରି ଅଳକା ଚଞ୍ଚଳହୋଇ ଉଠିଲା । ...ଆଉ ଏହି ଦୁଶ୍ଚିନ୍ତା–ଦୁର୍ଭାବନାର ଆସର ଜମାଇବା ଦରକାର ନାହିଁ ।

 

ଦୁଇଜଣ ବାବୁ ଆସିଗଲେ–ଖାଲି ମାନିନୀ ଆସିଗଲେ ଆଉରି ଥରେ ନାଟକ ଆରମ୍ଭ ହେବ । –ହେଲେ ହେଉ–ଅଳକା ଖାଲି ଦେଖିବ । ଏମାନେ ଖେଳ ଦେଖାଇବେ ।

 

ଆଧୁନିକତାର କୃତ୍ରିମତା ଦେଖାଇ ଅତ୍ୟନ୍ତ ଉତ୍ସାହ ଓ ସରାଗରେ ଅଳକା ଧାଇଁଗଲା ଦୁଆର ପାଖକୁ–ଆସିଲ ତାହାହେଲେ । ଅଳକାକୁ ପାଶୋରି ଦେଲ ନାହିଁ । ଆହା–ଏମିତି ଗୋଟାଏ ଅଦରକାରୀ ଲୋକକୁ ବି ତମେ ଦରକାରୀ ବୋଲି କହିପାର ?

 

–ଆସ । ତମର ଆଉ ସଂକୋଚର କାରଣ ନାହିଁ । ଏଇଟା ମୋର ଘର । ତମେମାନେ ମୋର ଅନ୍ତରଙ୍ଗ ବନ୍ଧୁ । ନିଜେ ନିଜ ପରି ହୁଅ ।

 

ବାବୁ ଦୁଇଜଣ ସାମାନ୍ୟ ଭିଡ଼ିମୋଡ଼ି ହେଲେ ।

 

–ଇଏ ନୁହଁ । ପରକୁ ଆପଣାର କରିବା ଓ ପର ଦୁଆରକୁ ନିଜର ବୋଲି ଦେଖାଇବା ଗୋଟାଏ ସୁନ୍ଦର କଳା । ଯିଏ ଏତକ କରିପାରେ ସେ ହେଉଛି ଏହି ଯୁଗର ସଫଳ ମଣିଷ ।

 

–ପର ଆପଣା ଜ୍ଞାନ କ’ଣ ଆମର ଅଛି ?

 

–ପଚାରିବାରେ ଲାଭ ନାହିଁ । ମତେ ତମେ ଗାଳି ଦେଇପାରିବ ? ଶାସ୍ତି ଦେଇପାରିବ-? ନିଜର ପରି ଅଳକାକୁ ଆକଟ କରି ପାରିବ ? –କଲ ଦେଖି । ଜାଣିବି ଯେ ତମର ବିଚକ୍ଷଣତା ଅଛି ।

 

ପାଦ ଟିପି ଟିପି ମାନିନୀ ଆସି ପହଞ୍ଚିଲା ।–ଆରେ ମାନମୟୀ ଦେବୀ ଆସିଗଲେଣି ।

 

ଭଜକୃଷ୍ଣ ଓ ରମାକାନ୍ତ ଠିଆ ହେଇପଡ଼ିଲେ ।

 

–ଓଃ, କି କରାଳ ମୂର୍ତ୍ତି । ମାନିନୀକୁ ଦେଖି ତାଙ୍କର ସାର୍‌ ଚଉକୀ ଛାଡ଼ି ଠିଆ ହେଲେଣି-

 

–ଭାରି ମଜ୍ଜା କରୁଛି ଅଳକା । ....ହଉ ତୁମେମାନେ ବସ । ମୁଁ ଯାଏଁ ଟିକିଏ ଓଧ ହେରିକାଙ୍କୁ ଦେଖି ଆସେ । ଅଛନ୍ତି କେଉଁଠି ?

 

–ଓଧ ? ....ହଁ ଆସିଥିଲେ ଚାଲିଗଲେଣି ।

 

–ଚାଲ ମ ଦେଖିବା । କେଉଁଠି ଲୁଚେଇଛି କେଜାଣି ?

 

–ରମାକାନ୍ତ, କେଉଁଠି ସେ ରଖିଛି ଓଧକୁ ? ରମାକାନ୍ତ ହସିଲା ।

 

–କୁହ । ନହେଲେ ମୁଁ ଯାଉଛି । ମୋର ଆଜି କ’ଣ କାମ କମ୍‌ ଅଛି ଯେ ଏଠି ବସି ବସି ସମୟ କଟେଇବି ?

 

ଗମ୍ଭୀର ମୁହଁ କରି ଅଳକା ରମାକାନ୍ତକୁ କହିଲା ମାନିନୀକୁ ଓଧ ଦେଖାଇବା ପାଇଁ ।

 

ରମାକାନ୍ତ ହସିଲା–ସେଇ ପରା ଓଧ ।

 

–ଓଧ ? –ଭୁଆଁ ବିରାଡ଼ି ଓ ଓଧ ସକାଳେ ଏଠିକି ଅଣା ହେଇ ଥିଲେ ?

 

–ନା, ଆସିଥିଲେ । ମୁଁ ହେଉଛି ଭୁଆଁ–

 

ମାନିନୀ ହସି ପକାଇଲା । ବୁଝିଲି ଏଥର । ଅଳକା ବଡ଼ ବଦମାସ୍‌–ମତେ କ’ଣ ବୋଲି କହୁଥିଲା । ନିଶ୍ଚେ ନାଁ ଟାଏ ଦେଇଥିବ ।

 

–ନାହିଁ, ମାନିନୀ, ସେମାନେ ନିଜେ ନିଜେ ଆସି କହିଲେ ଓଧ ଆଉ ଭୁଆଁ ବିରାଡ଼ି ଆସିଛନ୍ତି । ମୁଁ ସେଇଆ କହିଥିଲି ଟେଲିଫୋନ୍‌ରେ ।

 

–ମାଛ ଖାଇଲ ?

 

–କୁହନ୍ତୁ ଓଧ ସାହେବ, କି ମାଛ ଖାଇଥିଲେ ? –ଯେଉଁ ମାଛ ପଢ଼ାଇଲା ବେଳେ....

 

ମାନିନୀ ମୁହଁ ଗମ୍ଭୀର କଲା ।

 

–ଆଚ୍ଛା, କଥାଟା ତାହେଲେ ସରିଯାଉ । ଭଜକୃଷ୍ଣବାବୁଙ୍କୁ ପ୍ରସ୍ତାବ ଦେଇଛି ଯେ ସେ ଗାଁକୁ ନ ଯାଇ ଆଇ.ଏ.ଏସ୍‌ ବା ଅନ୍ୟ ଯାହା ପରୀକ୍ଷା ପାଇଁ ପଢ଼ିବେ ତମେ ଟଙ୍କା ଦେବ ।

 

–ହଁ । ତାଙ୍କର କିଛି କ୍ଷତି ହୋଇଯାଇଛି ମୋରି ପାଇଁ ସେତକ ଭରଣା ହବା ଦରକାର । ତମେ ଭଜକୃଷ୍ଣ ଏମିତି ବିଫଳତାର ଚିତ୍ର ଦେଖାଇ ଏଣେ ତେଣେ ବୁଲି କଲେଜ ଶୋଭାଯାତ୍ରାରେ ସ୍ଳୋଗାନ ଦେବା ଦରକାର ନାହିଁ । .....ବୁଝିଲ ।

 

–ହଁ ।

 

–ପଢ଼ । ମଣିଷ ହୁଅ । ତା’ପରେ ଅମଣିଷ ହେଇପାରିବ । ଅମଣିଷ ମଣିଷ ହୁଏ ନାହିଁ-

 

–ହଁ ।

 

–ବର୍ଷକ ପାଇଁ ମାସକୁ ଅଢ଼େଇଶହ ଟଙ୍କା ତମେ ଏଇ ଅଳକା ପାଖରୁ ନେଇ ଯାଉଥିବ-। ଅଧିକା ଦରକାର ହେଲେ ସେଇ ଦବ । ମୋର ସେଥିରେ ସଂପର୍କ ରହିବ ନାହିଁ ତୁମ ସାଥିରେ-

 

–ଭଜକୃଷ୍ଣ ଚାହିଁଲା ମାନିନୀ ମୁହଁକୁ ।

 

–ଶୁଣ ତେବେ । ଯାହା ହବାର ଥିଲା ହେଇଯାଇଛି । ଏବେ ଆଉ ପୁରୁଣା କଥା ଉପରେ ଲାଗି ନିଜର ଓ ଅନ୍ୟମାନଙ୍କର କ୍ଷତି କରିବା ଠିକ୍‌ ହେବ ନାହିଁ । ....ଆମର ସାହାବ ମତେ ଥରେ ତାଙ୍କର ବନ୍ଧୁକ ଦେଖାଇଥିଲେ......ଜାଣିଛ ?

 

–ନା ।

 

–ଜାଣିଲେ କ’ଣ କରିଥାନ୍ତ ?

 

ଭଜକୃଷ୍ଣ ଚାହିଁ ରହିଲା । ମାନିନୀର ଆଖି ଓଦା ଦିଶୁଥିଲା ।

 

–ତୁମ ପାଇଁ ନୁହେଁ । ସ୍ୱାଧୀନତା ଦେଇ ସେ ପୁଣି ସେଇ ସ୍ୱାଧୀନତା କାଢ଼ି ନେବାକୁ ହୁକୁମ୍‌ ଦେଲେ । ସ୍ତ୍ରୀ’କୁ ପୁରୁଷମାନେ ସ୍ୱାଧୀନତା ଦେବା କଥା କହନ୍ତି–ଦେଇ ପାରନ୍ତି ନାହିଁ । ...ଏସବୁ ଅସୁବିଧାରୁ ମୁକୁଳିବାକୁ ହଠାତ୍‌ ତୁମକୁ ବିଦାୟ ଦେବାକୁ ପଡ଼ିଥିଲା । ....କିନ୍ତୁ ତୁମକୁ କିଛି କ୍ଷତିପୂରଣ ଦେବା ଉଚିତ୍‌ ?

 

–କାହିଁକି ? ଭଜକୃଷ୍ଣ ପଚାରିଲା ।

 

–ଏଇଥିପାଇଁ ଯେ କେବଳ ମାନମୟୀ ପାଇଁ ତମର ଜୀବନଟା ନଷ୍ଟ ହେବା ଉପରେ...ସେଥିପାଇଁ ମୁଁ ଅଳକା କଥାରେ ରାଜି ହେଲି । ଦରଦୀ ଗଳାରେ କହିଲା–ବନ୍ଧୁତାର ନିବେଦନ ବୃଥା କରିବ ନାହିଁ....କରଜ ଭାବ, ଦାନ ଭାବ ବା ଦାବୀ ବୋଲି ଭାବ–ଯେମିତି ଇଚ୍ଛା ଯାହା ଭାବ–ମୋର ଏହି ଏତକ ଶ୍ରଦ୍ଧା ରଖିବ ।

 

କହି ବ୍ଲାଉଜ୍‌ ଭିତରୁ ସିଗାରେଟ୍‌ ପ୍ୟାକେଟ୍‌ କାଢ଼ି କହିଲା–ନିଅ, ଖଣ୍ଡେ ଖାଅ ।

 

ଭଜକୃଷ୍ଣ ଚାହିଁଲା ଅଳକାକୁ ।

 

–କ’ଣ ନୂଆ ? ପ୍ରଥମ ଥର ?

 

–ପଚାର ତାଙ୍କୁ । ସେ ନୂଆ କି ପୁରୁଣା କହିବେ ।

 

ଭଜକୃଷ୍ଣ ତଳକୁ ମୁହଁ ପୋତିଲା ।

 

–ତମେ ପାନ ନ ଖାଇବା ଲୋକ । ବାଟବଣା ହେଇ ଏପାଖ ସେପାଖ ହେଉଛ–ମାନିନୀ ଦୋଷରୁ । ....ମତେ କ୍ଷମା ଦବ...ସବୁ ଦିନକୁ ମନେ ରଖିବ ଯେ ମଣିଷ ଦୋଷ କରେ ଓ କ୍ଷମା ପାଏ ।

 

ଭଜକୃଷ୍ଣର ଆଖିରୁ ଅମାନିଆ ଲୁହ ଦୁଇଧାର ଗଡ଼ି ଆସିଲା ।

 

ନିଜକୁ ସଂଯତ କରି ମାନିନୀ କହିଲା–ମୁଁ ତ ସମ୍ଭାଳି ଗଲି । ଆମ ଭିତରେ ଯେଉଁ ଟିକକ ମମତାର ବନ୍ଧନ ଥିଲା ସେତକ ଏମିତି ଭୁଲ ଭଟକାର ତୋଡ଼ଯୋଡ଼ରେ ବଦଳି ଯାଇ ଅନ୍ୟ ରୂପ ନେଲା–ନେଉ । ଯାହା ଯାଇଛି ତା’କୁ ଭୁଲିଯିବା । ଆଗରେ କ’ଣ ଅଛି ଦେଖିବା । –କ’ଣ ରାଜି ?

 

ନୀରବ ସମ୍ମତି ଜଣାଇ ଭଜକୃଷ୍ଣ ଚାହିଁ ରହିଲା ।

 

–ମୁଁ ବଡ଼ ଖୁସି । ତମେ ଦି’ଦିନର ବନ୍ଧୁତାର ମାନ ରଖି ପାରିଲ ।

 

–ମୁଁ ଅପଦାର୍ଥ ।

 

–ଭୁଲ ମୋର । ଅନୁଭବ ନ ଥିଲା ବୋଲି କାହାକୁ କେମିତି ବ୍ୟବହାର ଜାଣି ନ ଥିଲି । କାହାକୁ କେଉଁଠି ରଖିଲେ ଭଲ–ବୁଝି ନ ଥିଲି । ....ଏତକ ଜଣେ ଶିଖି ପାରିଲା, ଏତକ କ’ଣ କମ୍‌ କଥା ?

 

–କ’ଣ ଅଳକା ଏକାବେଳେକେ ଚୁପ୍‌ ଚାପ୍‌ ?

 

ଅଳକା ହସି ହସି ଭଜକୃଷ୍ଣକୁ କହିଲା–ତମର ଦାୟିତ୍ୱ ମୋତେ ଦିଆଗଲା । ତମେ ମଣିଷ ହୋଇ ସଂସାରରେ ରହିଲେ ମାନିନୀ ଖୁସି ଆଉ ମୁଁ ଖୁସି । ତମେ ରାଜି ହେଲ ତ ?

 

–ହଁ ।

 

–ଆଉ କ’ଣ କହିବ ?

 

–କିଛି ନାହିଁ ।

 

ତମର ମନ ଅନୁସାରେ ଜଣେ ମଣିଷ ହୋଇଯାଅ । ଏମିତି କାହାକୁ କିଏ ମଣିଷ କରିଦିଏ । କେହି ଆପଣା ବଳରେ କିଛି ହୁଏ ନାହିଁ ।

 

–ଭଜକୃଷ୍ଣର ଓଠ ଥରି ଉଠୁଥିଲା ।

 

–କ’ଣ କହିବ ? କିଛି ପଚାରିବ ?

 

–ଦାନ ନେବି ନାହିଁ । ଧାରରେ ହେଲେ ନେବି ।

 

–ମାନିନୀ କହିଲା–ଭଲ । ସେଥିରେ ମୁଁ ମଧ୍ୟ ରାଜି । ତେବେ ମନେ ରଖିବ ଯେ ଧାର ମିଳିବା ମଧ୍ୟ ଗୋଟାଏ ଦାନ ।

 

ହସି ଅଳକା କହିଲା–ନିଅ । ଯାହା ଯିଏ ଦାନ କରୁଛି ସେତକ ଖୁସି ମନରେ ନିଅ । ସମସ୍ତେ ନେଇଥାନ୍ତି । ନ ନେବା ଲୋକ ନିସ୍ୱ । ତମର ଯାହା ଅଛି, ମୋର ନାହିଁ । ମୋର ଯାହା ଅଛି–ତୁମର ନାହିଁ । କ’ଣ କହୁଛ ରମାକାନ୍ତ ?

 

–ଠିକ୍‌ କଥା । ମନର ଅହମିକା ସବୁବେଳେ ଏହିସବୁ ଗୁଣ ଦିଆଇ ଥାଏ–ଦାନ, ଧାର, ଅର୍ଜ୍ଜନ–ଟଙ୍କା ତ ଗୋଟାଏ ଧାତୁ ଅବା କାଗଜ ଅବା ଜିନିଷ । ସେଥିରେ ଏତେ ରୂପ କ’ଣ ?

 

ମାନିନୀ କହିଲା–ଶୁଣିଲ ? ରମାକାନ୍ତ ଆଉ ତମେ କେତେ ପ୍ରଭେଦ ? ତମର ସୁବିଧା ରମାକାନ୍ତ ପାଇଥିଲେ ତମପରି ନ ହୋଇ କେତେ ବଡ଼ ହୋଇଥାନ୍ତା–

 

–ମୁଁ ସିନେମା ଦେଖିଯିବି ।

 

–ସିନେମା ? କାହା ସାଙ୍ଗରେ ଯିବ ଅଳକା ?

 

–ଏକା–ଏକା ।

 

–କାହିଁକି ?

 

–ଆଉ କ’ଣ ତୁମର ବେଳ ଅଛି ?

 

–ଆଚ୍ଛା, ରମାକାନ୍ତ ଯାଉ ନାହିଁ ? ଏକୁଟିଆ କ’ଣ ସିନେମା ଦେଖିବ ? ଯାଇପାରିବ ରମାକାନ୍ତ ?

 

–ହଁ ।

 

–ତୁମେ ଯାଇ ପାରିବ ଅଳକା ?

 

ଅଳକା ସିଧା ହୋଇ ବସି ପଚାରିଲା–ଆଜି କ’ଣ ମତେ ପଚରାଗଲାଣି ? କଥା କ’ଣ-?

 

–ହଁ କଥା ଅଛି । ମୁଁ ଭାବିଥିଲି । ଭାବୁଛି ଠିକ୍‌ ବୋଲି ।....କିଛି ଖାଇବାକୁ ଦେଲେ କହିବି । ଭଲ କଥାଟାଏ ।

 

–ନା, ଖିଆପିଆ କଥା ସରିଛି ସକାଳେ । ଏବେ ସେମାନଙ୍କ ପାଇଁ କ’ଣ ଦିନର ଯେତେବେଳେ ଇଚ୍ଛା ସେତେବେଳେ ଖିଆପିଆ ଚାଲିବ ?....କ’ଣ କହୁଛ ରମାକାନ୍ତ ? ତମର ମତ କ’ଣ ଭଜକୃଷ୍ଣ ?

 

ତାଙ୍କର କଥା ରହୁ । –ଭଜକୃଷ୍ଣ କହିଲା ।

 

–ମୋର ମତ ମୁଁ ଦେଉଛି ଯେ ଅଳକା ଠିକ୍‌ କହୁଛନ୍ତି ।

 

–ବାଃ, ଭଲ ଦଳ ବାନ୍ଧିଲଣି ଦେଖୁଛି । ଦୁଇଟା ଭୋଟକୁ ଦୁଇଟା ଭୋଟ୍‌ । ଏ ଅଳକା–ଇଏ କ’ଣ ?

 

–ଆମେ କ’ଣ ନିଜର ମନ ଆଉ ମତ ଅନୁସାରେ ଚଳୁ ? ଘଟଣାର ଠେଲମ୍‌ ଠେଲା ଆଉ ସାଙ୍ଗସାଥୀଙ୍କର ଉତ୍ପାତରେ ଜୀବନର ଚକ ଚାଲେ । ତମରି କଥା ରହିଲେ ଏବେ କ୍ଷତି କ’ଣ-?

 

–କ’ଣ କହୁଛ ରମାକାନ୍ତ ? ମାନିନୀ ହସି ପଚାରିଲା ।

 

–ଠିକ୍‌ । ଅଳକାଙ୍କ ପରି ବୁଦ୍ଧିମତୀ ଲୋକ ଯାହା କରିବେ କାହାର ସେଥିରେ ଅସୁବିଧା ନାହିଁ ।

 

ମାନିନୀ ହସି ଚାହିଁଲା ରମାକାନ୍ତକୁ । ତାହାର ହାତଧରି କହିଲା–ଆସନି ପଦାକୁ । ଗୋଟିଏ କଥା କହିବାକୁ ଅଛି । ...କହି ହାତଧରି ଟାଣିନେଲା । ରମାକାନ୍ତର ଦେହରେ ନୂଆ ଅନୁଭୂତିର ସ୍ପନ୍ଦନ ।

 

ଅଳକା ଓ ଭଜକୃଷ୍ଣ ଚାହିଁ ରହିଲେ ପରସ୍ପରକୁ । ଦିହେଁ ନୀରବ ।

 

ବଗିଚା ଭିତରକୁ ନେଇ ମାନିନୀ ତଳେ ରୁମାଲ ଖଣ୍ଡେ ପାରିଦେଇ ବସିଗଲା–ବସ ରମାକାନ୍ତ ।

 

–ଯାହା ପଚାରୁଛି ତା’ର ଗୋଟାଏ ଜବାବ ଚାହେଁ । ସତ କହିବ ତ ?

 

–ହଁ ।

 

–ନିଶ୍ଚୟ । ...ଅଳକାର ରାଣ ରହିଲା ।

 

–ହଁ ।

 

–ତମେ ଅଳକାକୁ କ’ଣ ଏତେ ଭଲ ପାଅ ?

 

–ହଁ ।

 

–କାହିଁକି ଭଲ ପାଅ ? ସେ ତ ଅତି ସ୍ୱାଧୀନ । ଦେଖୁଛ ତ ତୁମକୁ ଦିନକ ଭିତରେ ନିଶା ଧରାଇ ଦେଲାଣି ।

 

–ହଁ ।

 

–ତେବେ କ’ଣ ପାଇଁ ତା’କୁ ଭଲ ପାଅ ?

 

–ତାଙ୍କର ସ୍ୱଚ୍ଛ ସ୍ୱାଧୀନତା ପାଇଁ ।

 

–ଭଲ କଥା । ତା’କୁ ତୁମେ ବାହାହେଇ ପାରିବ ?

 

–ମୁଁ ତ ତାଙ୍କର ଯୋଗ୍ୟ ନୁହେଁ ।

 

–ବିଭାହେଲେ ତମର ଅନୁତାପ ହବ ନାହିଁ ତ ?

 

–କି ଅନୁତାପ ? କାହିଁକି ?

 

–ତା’ର ଚରିତ୍ର ?

 

–ଚରିତ୍ର ତ ମଣିଷର ମନ–ଗଢ଼ା, ଅଭ୍ୟାସ–ଗଢ଼ା ରୂପ । ସେ ରୂପ ବାରମ୍ବାର ବଦଳେ-

 

–ତମେ ମଦ ଖାଇ ପାରିବ ?

 

–ହଁ । ତେବେ ମାତାଲ ହେବାକୁ ଚାହେଁ ନାହିଁ । ଏଥିରେ ଏମିତି କିଛି ଦୋଷ ନାହିଁ ।

 

–ଜୁଆ ଖେଳି ପାରିବ ?

 

–ଯୁଧିଷ୍ଠିର ଖେଳୁଥିଲେ ବୋଲି ପଢ଼ିଛି । ମୁଁ ନିଜେ ଖେଳି ନାହିଁ ।

 

–ତମେ ଆଇ–ଏ–ଏସ୍‌ ହବାକୁ ଚାହଁ ?

 

–ନିଶ୍ଚୟ ଚାହେଁ । ସେ ସୁବିଧା ମୋର କାହିଁ ? –କହି ଇଙ୍ଗିତଭରା ହସ ହସି ଚାହିଁଲା ମାନିନୀକୁ ।

 

–ସୁବିଧା ସବୁବେଳେ ଈଶ୍ୱରଙ୍କ ହାତରେ ।

 

ରମାକାନ୍ତର ହାତ ଧରିଲା ଉଠିବା ପାଇଁ ।

 

ଘର ଭିତରକୁ ଆସି ମାନିନୀ କହିଲା–କ’ଣ ତମେମାନେ ଭାବୁଥିବ କେଜାଣି । ଯାହା ଇଚ୍ଛା ଭାବୁଥିବ । ....ମୁଁ ଯାଇଥିଲି ଗୋଟାଏ ଜରୁରୀ ଆଲୋଚନାରେ ।

 

–କି ଆଲୋଚନା ଏତେ ଜରୁରୀ ହେଲା ? –ଅଳକା ପଚାରିଲା ।

 

–କୁହ, ରମାକାନ୍ତ ।

 

ରମାକାନ୍ତ ଚମକି ପଡ଼ିଲା । ଇଏ କ’ଣ ଜୀବନର ଗୋଟାଏ ପ୍ରହସନ ?

 

–ଚୁପ ରହିଲ, ରମାକାନ୍ତ । ସେମାନେ ଭୁଲ୍‌ ବୁଝିବେ ଯେ ।

 

–କ’ଣ ମୁଁ କହିବି ?

 

–କୁହ, ତୁମେ ଅଳକାକୁ ଭଲପାଅ ବୋଲି । –କହ, ତମେ ତାକୁ ବିଭା ହେବାକୁ ରାଜି । କହିନାହଁ ?

 

ରମାକାନ୍ତ ଚୁପ୍‌ ରହିଲା ।

 

–କହିଛ କି ନାହିଁ କହ । ସତ କହ–ଅଳକାର ନାଁରେ ଶପଥ ନେଇଛ । ମିଛ କହିବ କାହିଁକି ?

 

–ହଁ, କହିଛି ।

 

–କ’ଣ କହିଛ ?

 

–କହିଛି, ମୁଁ ଭଲପାଏ....ଆଉ ଉପଯୁକ୍ତ ହୋଇଥିଲେ ଅଳକା ପରି ଜଣେ ସ୍ତ୍ରୀକୁ ବିଭା ହୁଅନ୍ତି ।

 

ଅଳକା ଉଠିଲା ଯିବାପାଇଁ–ହେଇ ମାନିନୀ, –ତମେ ପାଗଳି ହୋଇ ଯାଇଛ । କ’ଣ ଗୁଡ଼ାଏ....

 

–ନାହିଁ ଅଳକା । ମୁଁ କାଲିଠାରୁ ଭାବୁଥିଲି ଅଳକା ମୋର ଭାରି ଏକୁଟିଆ ହୋଇ ଯାଉଛି ।

 

–ତମେ କ’ଣ ଡାକ୍ତର ?

 

–ନା, ବନ୍ଧୁ । –ଅଳ୍ପ ଦିନର ବନ୍ଧୁ ।

 

–ସତରେ ତମେ ଏସବୁ କହିଛ–ରମାକାନ୍ତ ? ଅଳକା ଟାଣରେ ପଚାରିଲା ।

 

–ହଁ, କହିଛି । ତମରି ରାଣ ପକାଇ ପଚାରିଲେ ।

 

–ତମେ ଜାଣିଛ ମୁଁ କି ପ୍ରାଣୀ ?

 

–ଭଲ ପ୍ରାଣୀ । ତମରି ପରି ଖୋଲା ଲୋକ ଏଇ ସଂସାରର ବହୁତ ଉପକାର କରିବେ-

 

–ଜାଣିଛ ? –ନା, ଜାଣ ନାହିଁ ।

 

–କ’ଣ ଜାଣିବି ? କାଲିଠାରୁ ଭାବୁଛି ଯେ ଜୀବନରେ ଗୋଟାଏ ଲୋକ ଦେଖିଲି । ମୋର ଜୀବନଟା ଅତି ଛୋଟ ।

 

ଅଳକାର ମୁହଁ ଲାଜରେ ଝାଉଁଳି ଗଲା । –ସେ ତାହାର ସମାନ ପ୍ରତିଦ୍ୱନ୍ଦୀ ଦେଖିଛି । ଅଳକା ଘରୁ ବାହାରକୁ ଚାଲିଗଲା ।

 

ଅନ୍ୟମାନେ ବ୍ୟସ୍ତ ହୋଇପଡ଼ିଲେ । ମାନିନୀ ଯାଇ ଫ୍ରିଜଖୋଲି ଜିନିଷ ପତ୍ର କଢ଼ାରେ ଲାଗିଲା–ଖାଇବାକୁ ଦବ ନାହିଁ ? କେତେ ବହପ ? ....ଆମକୁ ଖୁଆଇବା ଭାର ତମ ଉପରେ ରମାକାନ୍ତ–ଅଳକା ଲୁଚିଲାଣି ।

 

–ଇଏ ସବୁ କଅଣ ହେଉଛି ? ମାନିନୀ ଦେବୀ–

 

–ହଠାତ୍‌ ନ ହେଇ ଦି’ ଚାରିବର୍ଷରେ ହୋଇଥିଲେ ତୁମର ଆଖି, ମନ ସହି ସମ୍ଭାଳି ନିଅନ୍ତା । ଟିକିଏ ଚଞ୍ଚଳିଆ ହୋଇଗଲା ।

 

–ସେଇଆ ପରା । କ’ଣ ଥିଏଟର ହୋଇଛି ?

 

–ହଁ । ଏବେ ଏମିତି ହଠାତ୍‌ ଅନେକ ସୌଭାଗ୍ୟ ଓ ଦୁର୍ଭାଗ୍ୟ ଦେଖା ଦେଲେଣି–ଏଣିକି ଆଉରି ଅଧିକ–ଅଧିକ ହେବ । ବଳଦଗାଡ଼ି ଯୁଗ ଗଲାଣି–ଉଡ଼ାଜାହାଜ ଯୁଗ ଆସିଗଲାଣି ।

 

–କାହାରି ମନ ସାଙ୍ଗରେ ଖେଳିବା ଠିକ୍‌ ନୁହେଁ ।

 

–ଏଁ, କ’ଣ କହିଲ ? ମନ ? –ମନ ? ମନ ମରିଗଲାଣି ଦେହ ଭିତରେ । ଧାଇଁଲେ ମନ ଶୋଇପଡ଼େ–ବସିଗଲେ ମନ ଧାଏଁ । କିଏ ସାଙ୍ଗରେ ଖେଳିଲା ?

 

–ଅଳକା ସାଙ୍ଗରେ । ରମାକାନ୍ତ କହିଲା ।

 

–ହଉ, ଯାଅ, ନିଜେ ଯାଇ ଡାକି ଆଣ ଅଳକାକୁ । ଡାକିବା ନ ଡାକିବା ପାଇଁ ତମେ ସ୍ୱାଧୀନ । ତମର ଇଚ୍ଛା ହେଲେ ତମେ ଆମ କଥା ବୁଝିପାର କିମ୍ବା ଚାଲିଯାଇପାର ।

 

ରମାକାନ୍ତ ବାହାରିଗଲା ଘରୁ ।

 

ହତା ଭିତରେ ଅଳକା ଠିଆ ହୋଇଥିଲା । ରମାକାନ୍ତକୁ ଦେଖି ପଚାରିଲା–କ’ଣ ?

 

–ଡାକୁଛନ୍ତି ତୁମକୁ ।

 

ଦାନ୍ତ କାମୁଡ଼ି ଅଳକା କହିଲା–ନିର୍ଲଜ । ଭଲ ପାଅ ତମେ ଅଳକାକୁ ? ତାକୁ ବିଭା ହେବ ?–ମୂର୍ଖ–ବେକୁଫ୍‌ । କ’ଣ ପାଇଁ ଆସିଥିଲ ?

 

ରମାକାନ୍ତ ଠିଆହୋଇ ରହିଲା ।

 

–ବହୁତ ପାଟି ଖୋଲୁଥିଲା ମାନିନୀ ପାଖରେ । ଏବେ କ’ଣ ହେଲା ?

 

ରମାକାନ୍ତ କାନ୍ଦିବାରେ ଲାଗିଗଲା–ମୁଁ ଦୋଷ କରିଛି । ମତେ କ୍ଷମା ଦିଅ ।

 

ଭିତରୁ ଡାକ ଶୁଭିଲା–ଆସ । ସେଠି ଦି’ଜଣ କ’ଣ କରୁଛ ?

 

–ଆଖି ପୋଛ । ମୂର୍ଖ, ଓଲୁ, –ସିନେମା ଯିବ ? –ଯିବ ? –ସକାଳେ ଭୁଆଁ ହୋଇଥିଲ-। ଓଧ କ’ଣ କରୁଛି ? –ଟେବୁଲ ପାଖରେ ବସିଛି ।

 

ମାନିନୀ ବାହାରିଲା ପଦାକୁ । –ହେଇ ଶୀଘ୍ର ଉଠ ଏଠୁ । ଏଇ ଓଦା ସରସର ଆଖି ଦେଖାଇଲେ ଖୁବ୍‌ ଅଡ଼ୁଆ ହବ ଜାଣିଥା ।

 

ଅଳକା ବେଗି ବେଗି ଚାଲିଲା–ବାଃ, ଭାରି ମଜ୍ଜାକରି ଆସିଲାଣି ତୁମକୁ ?

 

–ନାହିଁ, ସିରିଅସ୍‌ କଥା ପରା । ...ସେ କ’ଣ କରୁଛି ? କାନ୍ଦୁଛି କି ? ଗାଳି ଖାଇଛି ନା-?

 

–ବିଚରା ସରଳ ଲୋକଟିଏ ।

 

ଅଳକା ଡାକିଲା ରମାକାନ୍ତକୁ ଆସିବା ପାଇଁ ।

 

ଘର ଭିତରେ ପହଞ୍ଚିବା ପରେ ମାନିନୀ କହିଲା–ରମାକାନ୍ତର ସମସ୍ତ ଖର୍ଚ୍ଚ ଅଳକା ଦବ-। ଆଜିଠାରୁ ଦୁହେଁ ଦୁହିଁଙ୍କର ବାଗଦତ୍ତା–ଆମେ ସାକ୍ଷୀ ।

 

ଅଳକା ଯାଇ ଟିକିଏ ଆଉଜିଗଲା ସୋଫା ଉପରେ । ମାନିନୀ ସେମିତି ହସର ଲହରୀ ଛୁଟାଇ କହିଲା–ଆଜିଠାରୁ ଆରମ୍ଭ । ଏଣିକି ରମାକାନ୍ତ ରହିଲା ଅଳକା ଦାୟିତ୍ୱରେ । ...ଆଉ ଅଳକା ବୁଝିବ ଯେ ସେ ତାହାର ଜୀବନ କଟାଇବ ରମାକାନ୍ତ ସାଙ୍ଗରେ ।

 

...କିନ୍ତୁ କଥାଟି ରହିବ ଗୋପନୀୟ ।

 

–କ’ଣ ରାଜି ଭଜକୃଷ୍ଣ ? ଏହି କଥାଟି ଯେମିତି କେହି ନ ଜାଣେ ।

 

ଭଜକୃଷ୍ଣ ରାଜି ହେଲା । ସେ ଭାରି ଖୁସି ।

 

–କ’ଣ କହୁଛ ରମାକାନ୍ତ ? ଜବାବ ଦେଇ ଜବାବ ରଖିବା ଭାଙ୍ଗିବା ଦାୟିତ୍ୱ ତମର ।

 

ରମାକାନ୍ତ ଚୁପ୍‌ ହେଇ ରହିଲା–ତାହାର ଆଖି ଦୁଇଟି ଖୋଜୁଥିଲା ଅଳକାର ଉତ୍ତର ।

 

–କ’ଣ କହୁଛ ଅଳକା ରାଣୀ ? ରମାକାନ୍ତକୁ ଗୋଟିଏ ମଣିଷ ବୋଲି ଭାବିବ । ଯଦି ସେ ତମର ମନକୁ ନ ପାଏ ତାହାହେଲେ ତା’କୁ ତମର ମନର ମଣିଷ କରି ଗଢ଼ିବ ।

 

–ହଉ । ବେଶ୍‌ କହିଲଣି । ...ଆଜି ସକାଳୁ ମୁଁ ଏମାନଙ୍କୁ ଦର୍ଶନ କରିଥିଲି । ଅଳକା ଦୁଃଖରେ କହିଲା ।

 

–ସତେ ? –ଏଇମାନେ ? ....ଠିକ୍‌ ହେଇଛି । ଭାଗ୍ୟଦେବୀ ଏମିତି ତାଙ୍କର ବରାଦ କରାନ୍ତି ।

 

–ନା, ଆଉ ହେଇ ପାରିବ ନାହିଁ । ମନ ଭିତରେ ଝଡ଼ ଉଠୁଛି । ଅଳକା ମାନିନୀ ପାଖରୁ ଗିଲାସଟି ଉଠାଇ ନେଇ ଶେଷ କରିଦେଲା । ସେ ବିଚଳିତ ହୋଇ ପଡ଼ିଥିଲା ।

 

–ଯାଏଁ, ଅଳକା । ରାଗିଥିବ । ଚିଡ଼ିବ । ମାରିବାକୁ ଚାହିଁବ । ଯାହା କହ, ଯାହାକର–ତମେ ଆଜିଠାରୁ ରମାକାନ୍ତର । ଆଉ ରମାକାନ୍ତ ତମର । ....ଆମେ ଦୁହେଁ ସାକ୍ଷୀ । ଏଇ ଘର ମଧ୍ୟ ସାକ୍ଷୀ ।

 

–ହଉ । ଯିବା...ଅଳକା କହିଲା ।

 

–ହଁ, ସିନେମା ଦେଖିବାକୁ ଯିବାର କଥା ଥିଲା ।

 

–ମାନିନୀ, ମୁଁ ବୋଧହୁଏ ପାଗଳ ହୋଇଯିବି । ଇଏ କ’ଣ ହେଉଛି ?

 

–ହେଲ ଦେଖିବା । ପାଗଳ ହବ ? ଅସମ୍ଭବ । ଆତ୍ମହତ୍ୟା କରିବ ? –ଅସମ୍ଭବ । ତୁମକୁ ଚାଲେଞ୍ଜ ରହିଲା ।

 

ମୁହଁ ଲୁଚାଇ ଅଳକା ବସିଗଲା–ସେ ଭାବିବ । ଟିକକ ପରେ କହିଲା–ତୁମେ ରହ ମାନିନୀ । ଏମାନେ ଯାଆନ୍ତୁ । –ଦି’ଜଣ ଯାକ ଯିବେ ।

 

–ହଁ ।

 

–ହଉ, ଯାଆନ୍ତୁ ସେମାନେ । ମାନିନୀ କହିଲା ।

 

କୁଣ୍ଠିତ ମନରେ ରମାକାନ୍ତ ଓ ଭଜକୃଷ୍ଣ ଘରୁ ବାହାରିଲେ ।

 

ସନ୍ଧ୍ୟା ଦୀପ ଲାଗି ନାହିଁ । ଆକାଶର ପହିଲି ତାରା ବି ଉଠିନାହିଁ ।

 

ଫାଟକ ପାର ହୋଇ ଯିବା ପରେ ଭଜକୃଷ୍ଣ କହିଲା–କାଲି ସନ୍ଧ୍ୟାରୁ ଆଜିର ସନ୍ଧ୍ୟା ମୋଟେ ଗୋଟିଏ ଦିନ ।

 

–ହଁ ।

 

–ଏଇ ସୃଷ୍ଟି ବଡ଼ ବିଚିତ୍ର ।

 

–ହଁ ।

 

–ତମେ ଅଳକାକୁ ବିଭା ହେବ ?

 

–ହଁ ।

 

–କେବେ ?

 

–ଅଳକା ଜାଣେ ।

 

ଏମାନେ ଚାଲିଗଲା ପରେ ଅଳକା ପଚାରିଲା ମାନିନୀକୁ–କଥାଟା କ’ଣ ନାଟକ ?

 

–ନାଟକ ? ....ନା, ନା....ଜୀବନ । ଜୀବନ ଠିକ୍‌ ଏମିତି ।

 

–ନିଜ ଉପରେ ନାଟକ ଗଢ଼ିଥିଲେ ଭଲ ହୋଇଥାନ୍ତା ।

 

–କାହିଁକି ?

 

–କହ ।

 

–ଅଳକା, ତୁମକୁ ମୁଁ ଭଲପାଏ । ...ଆମେ ସେକଥା ଦିହେଁ ଭଲକରି ଜାଣୁ । ମୋରି ବୁଦ୍ଧି ବିଚାରରେ ଭାବି ଠିକ୍‌ କଲି ଯେ ରମାକାନ୍ତକୁ ବିଭା ହେଲେ ଭଲ ହେବ । ....ମନକୁ ନ ପାଇଲେ ଭାଙ୍ଗି ଦବା...ଏବେ ଏମିତି ଏତିକିରେ ଥାଉ ।

 

–ଏତିକିରେ କ’ଣ ରହିବ ? ଏ ଯେଉଁ ପ୍ରଘଟ ହେବ....

 

–କେହି ବିଶ୍ୱାସ କରିବେ ନାହିଁ ।

 

–ରମାକାନ୍ତ ଆଇ.ଏ.ଏସ୍‌ ପାଇଁ ପଢ଼ିବ ।

 

–ପଢ଼ୁ । ତମେ ଯେତେ ବଦଖରଚ କରୁଛ ସେଥିରେ ଏତକ ଟଙ୍କା କ’ଣ ତୁମକୁ କାଙ୍ଗାଳ କରିଦବ ?

 

ଦିହେଁ ଚାହିଁଥିଲେ ଦୁହିଁଙ୍କୁ–ଆଜିକଥା ଏତିକିରେ ସରୁ । କାଲି ଦେଖିବା କ’ଣ ହେଉଛି ।

Image